Categories
ଆଞ୍ଚଳିକ

ମା’ ଭଗବତୀ ମନ୍ଦିରରୁ ଶ୍ରଦ୍ଧାଳୁଙ୍କ ମୋବାଇଲ ଚୋରି, ଜଣେ ଅଟକ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ପ୍ରସିଦ୍ଧ ଶକ୍ତିପିଠ ମା’ ଭଗବତୀ ମନ୍ଦିର ୫ଟି ସଚିବଙ୍କ ଗସ୍ତପରେ ଭବିଷ୍ୟତରେ ଉନ୍ନୟନ କାମକୁ ନେଇ ଚର୍ଚ୍ଚାରେ ଥିବା ବେଳେ ଆଜି ଏକ ନିନ୍ଦନୀୟ ଘଟଣା ଘଟିଛି। ଯାହାକୁ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ମନ୍ଦିର ପରିସରରୁ ଜଣେ ଭକ୍ତଙ୍କ ଏକ ମୋବାଇଲ ଚୋରି ହୋଇଯାଇଥିବାର ଥାନାରେ ଅଭିଯୋଗ ହୋଇଛି।

ପ୍ରକାଶ ଥାଉକି ଗଞ୍ଜାମ ଜିଲ୍ଲା କୋଦଳା ଅଂଚଳର ହିମାଂଶୁ କୁମାର ରଥ ପତ୍ନୀଙ୍କ ସହ ଆଜି ଅପରାହ୍ନରେ ମା’ ଭଗବତୀ ମନ୍ଦିର ଦର୍ଶନ ନିମନ୍ତେ ଆସିଥିଲେ। ହାତଗୋଡ଼ ଧୋଇ ମା’ ଙ୍କୁ ଦର୍ଶନ କରିବାକୁ ଯିବାବେଳେ ଭୁଲ ବଶତଃ ହିମାଂଶୁଙ୍କ ପତ୍ନୀ ନିଜର ମୋବାଇଲଟିକୁ ମନ୍ଦିର ବେଢାରେ ଛାଡି ଦେଇଥିଲେ। ପରବର୍ତ୍ତୀ ସମୟରେ ମନ୍ଦିର ଭିତର ସବୁଆଡେ ଖୋଜାଖୋଜି ପରେ ମଧ୍ୟ ମୋବାଇଲ ନ ପାଇବାରୁ ବାଣପୁର ଥାନାରେ ସେମାନେ ଅଭିଯୋଗ କରିଥିଲେ।

ତେବେ ଉକ୍ତ ଘଟଣାକୁ ଗୁରୁତର ସହ ନେଇ ବାଣପୁର ଆଇଆଇସି ଏକ ଟିମ ତୁରନ୍ତ ମନ୍ଦିରକୁ ତଦନ୍ତ ନିମନ୍ତେ ପଠାଇଥଲେ। ପୋଲିସ ମନ୍ଦିର ସିସିଟିଭି ତନଖି କରି ଜଣେ ବ୍ୟକ୍ତିଙ୍କୁ ସନ୍ଦେହରେ ଅଟକ ରଖିଥିବାର ଜଣାଯାଇଛି।

ପ୍ରକାଶ ଥାଉକି ମନ୍ଦିରର ଉନ୍ନତି ନିମନ୍ତେ ୫ଟି ସଚିବ ଅଳ୍ପଦିନ ତଳେ ଉକ୍ତ ମନ୍ଦିର ଗସ୍ତ କରିଥିବା ବେଳେ ମନ୍ଦିର ଭିତରେ ଏପରି ଘଟଣାକୁ ବାଣପୁରବାସୀ ନିନ୍ଦା କରିବା ସହ ଦୋଷୀ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ପୋଲିସ ନିକଟରେ ଦାବି କରିଛନ୍ତି। ତେବେ ରାତି ୮ ଘଟିକା ପର୍ଯ୍ୟନ୍ତ ଉକ୍ତ ଭକ୍ତ ଦମ୍ପତି ବିଚଳିତ ହୋଇ ମନ୍ଦିର ପରିସରରେ ଆଶ୍ରୟ ନେଇଥିବାର ଦେଖାଯାଇଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଣପୁରରୁ ଚୋରା କୋଇଲା ବୋଝେଇ ଟ୍ରଲର ଜବତ, ଜଣେ ଅଟକ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରୁ ଏକ ଚୋରା କୋଇଲା ବୋଝେଇ ଟ୍ରଲର ଜବତ ହୋଇଥିବାର ଖବର ହସ୍ତଗତ ହୋଇଛି। ସୂଚନା ମୁତାବକ ଗତକାଲି ରାତିରେ ବାଣପୁର ତହସିଲଦାର କୁଞ୍ଜବିହାରୀ ବଡ଼ଜେନା ପାଟ୍ରୋଲିଂ କରୁଥିବା ବେଳେ କନ୍ଧ ପୁଞ୍ଜିଆମା ଇଟା ଭାଟି ନିକଟରେ ଏକ ଟ୍ରଲରରୁ କୋଇଲା ଖାଲି କରିବା ପାଇଁ ଉଦ୍ୟତ ହେଉଥିବାର ଦେଖିବାକୁ ପାଇଥିଲେ।

ତେବେ ବାଣପୁରରେ ଏତେ ପରିମାଣର କୋଇଲା ଖାଲି ହେବା ଘଟଣା ସନ୍ଦେହଜନକ ହୋଇଥିବାରୁ ତହସିଲଦାର ଗାଡ଼ି ଚାଳକଙ୍କ ଠାରୁ କାଗଜପତ୍ର ମାଗିଥିଲେ। କାଗଜରେ ଗାଡିଟି ତାଳଚେରରୁ ଲୋଡ଼ ହୋଇ ସୋନପୁର ଅଭିମୁଖେ ଖାଲି କରିବାପାଇଁ ନିର୍ଦ୍ଦେଶ ଥିବାର ତହସିଲଦାର ଜାଣିବାକୁ ପାଇଥିଲେ। ଉକ୍ତ ଗାଡ଼ିରେ ୪୨ ଟନ କୋଇଲା ଥିବା ବେଳେ ଗାଡ଼ି ଚାଳକ ଲୋଭର ବଶବର୍ତ୍ତୀ ହୋଇ କୌଣସି ଅସାଧୁ ବ୍ୟକ୍ତିଙ୍କୁ କୋଇଲା ବିକିବା ଉଦ୍ଦେଶ୍ୟରେ ବାଣପୁର ଆସିଥିବାର ତହସିଲଦାର ଜାଣିବାକୁ ପାଇଥିଲେ।

ଏ ନେଇ ତହସିଲଦାର ବାଣପୁର ଥାନାରେ ଲିଖିତ ଅଭିଯୋଗ କରିବାରୁ ପୋଲିସ ସଙ୍ଗେସଙ୍ଗେ ଘଟଣାସ୍ଥଳକୁ ଯାଇ ଗାଡିକୁ ଜବତ କରିବା ସହ ଏକ ମାମଲା ରୁଜୁକରି ଗାଡ଼ି ଚାଳକଙ୍କୁ ଅଟକ ରଖି ତଦନ୍ତ ଜାରିରଖିଛି। ତେବେ ଚୋରା କୋଇଲା କିଣିବାକୁ ଡ଼ିଲ କରିଥିବା ସେଇ ବାଣପୁରର ବେପାରି ଜଣକ କିଏ, ତାହାର ପର୍ଦ୍ଦାଫାଶ କରିବା ସହ ତାଙ୍କୁ ମଧ୍ୟ ଆଇନ ଅନୁଯାୟୀ ଦଣ୍ଡିତ କରାଯାଉ ବୋଲି ସାଧାରଣରେ ଦାବି ହେଉଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଅପହୃତ ନାବାଳିକାଙ୍କୁ ବାଣପୁରରୁ ଉଦ୍ଧାର କଲା କମିସନେରେଟ ପୋଲିସ, ଜଣେ ଅଟକ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଂଚଳରୁ ଜଣେ ନାବାଳିକାଙ୍କୁ ଉଦ୍ଧାର କରିବା ସହ ଜଣେ ଯୁବକଙ୍କୁ ଅଟକ ରଖିଛି କମିଶନେରେଟ ପୋଲିସ। ସୂଚନା ମୁତାବକ ନିକଟରେ ଜଟଣୀ ଥାନା ଅଞ୍ଚଳର ଜଣେ ନାବାଳିକା ଅପହୃତ ହୋଇଥିବାର ଅଭିଯୋଗ କରିଥିଲେ ନାବାଳିକାଙ୍କ ପରିବାରବର୍ଗ।

ଏହି ପରିପ୍ରେକ୍ଷୀରେ ଜଟଣୀ ଥାନାରେ କେସ ନମ୍ବର ୩୨୮/୨୨ ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲା ପୋଲିସ। ତେବେ ଆଜି କୌଣସି ବିଶେଷସୂତ୍ରରୁ ଖବର ପାଇ ଜଟଣୀ ପୋଲିସ ବାଣପୁର ଥାନା ଅଞ୍ଚଳରେ ଚଢ଼ାଉ କରି ସମ୍ପୃକ୍ତ ନାବାଳିକାଙ୍କୁ ଉଦ୍ଧାର କରିବା ସହ ଅନ୍ୟ ଜଣେ ଯୁବକଙ୍କୁ ଅଟକ ରଖିଥିବାର ଜଟଣୀ ଆଇଆଇସି ସୌମ୍ୟକାନ୍ତ ବଳିୟାରସିଂହ ସୂଚନା ଦେଇଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଟିଭିଏସ ଜୁପିଟର ସ୍କୁଟରକୁ ନିଆଁ ଲଗାଇ ପୋଡିଦେଇଥିବା ଅଭିଯୋଗ, ବାଲୁଗାଁ ଥାନାରେ ଜଣେ ଅଟକ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଆଜି ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ଧୂଆଁଳ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଜଣେ ବ୍ୟକ୍ତିଙ୍କ ସ୍କୁଟିକୁ କେହି ଜଣେ ଦୁର୍ବୁତ୍ତ ନିଆଁ ଲଗାଇ ସଂପୂର୍ଣ୍ଣ ପୋଡିଦେଇଥିବାର ଅଭିଯୋଗ ହୋଇଛି।

ସୂଚନା ମୁତାବକ ଧୂଆଁଳ ଗ୍ରାମର ସନାତନ ସାହୁ (୫୦) ସବୁଦିନ ପରି ନିଜ ଟିଭିଏସ ଜୁପିଟର ସ୍କୁଟର (ଓଡ଼ି-୦୨-ଏଇ-୬୩୦୨) କୁ ଘର ବାହାରେ ରଖିଥିଲେ। ତେବେ ଆଜି ସକାଳୁ ଉଠି ଦେଖିଲାବେଳକୁ ସ୍କୁଟିଟି ସଂପୂର୍ଣ୍ଣ ପୋଡି ନଷ୍ଟ ହୋଇଯାଇଥିବା ଦେଖିବାକୁ ପାଇଥିଲେ।

ତେବେ କିଏ କ’ଣ ପାଇଁ ଏପରି କାଣ୍ଡ କରିଛି ଜଣାପଡିନଥିବା ବେଳେ ଏ ନେଇ ସନାତନ ବାଲୁଗାଁ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ପରେ ପୋଲିସ ତଦନ୍ତ ଆରମ୍ଭ କରିଦେବା ସହ ସହ ଜଣଙ୍କୁ ଅଟକ ରଖି ପଚରାଉଚୁରା ଜାରି ରଖିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଟାଙ୍ଗୀ: ଚଣ୍ଡେଶ୍ୱରରୁ ବିପୁଳ ଦେଶୀ ଓ ବିଦେଶୀ ମଦ ଜବତ କଲା ଟାଙ୍ଗୀ ପୋଲିସ, ଜଣେ ଅଟକ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ସାରା ରାଜ୍ୟରେ ଲଘୁଚାପଜନିତ ଲଗାଣ ବର୍ଷା ଜାରି ରହିଥିବାବେଳେ ଚୋରା ମଦ ବେପାରୀଙ୍କ ପାଇଁ ସତେ ଯେମିତି ଏହା ଏକ ସୁବର୍ଣ୍ଣ ସୁଯୋଗ ପାଲଟିଛି। ବର୍ଷାର ଫାଇଦା ନେଇ ଅନାୟାସରେ ଚୋରା ମଦ ବିକୁଥିବାବେଳେ ଆଜି ବିପୁଳ ଦେଶୀ ଓ ବିଦେଶୀ ମଦ ସହ ଜଣେ ଚୋରା ମଦ ବେପାରୀଙ୍କୁ ଧରିଛି ଟାଙ୍ଗୀ ପୋଲିସ।

ସୂଚନା ମୁତାବକ ଖୋର୍ଦ୍ଧା ଜିଲ୍ଲା ଚଣ୍ଡେଶ୍ୱର ବଜାର ଉପରେ ଏକ ଦୋକାନ ଭିତରେ ବେଆଇନ ଭାବେ ଦେଶୀ ଓ ବିଦେଶୀ ମଦ ବିକ୍ରି ଚାଲିଥିବାର ବାଲୁଗାଁ ଏସଡ଼ିପିଓ ଖବର ପାଇଥିଲେ। ତେବେ ପ୍ରବଳ ବର୍ଷା ସତ୍ତ୍ୱେ ଆଜି ସଂଧ୍ୟାରେ ବାଲୁଗାଁ ଏସଡ଼ିପିଓ ମାନସ ରଞ୍ଜନ ବାରିକ ଓ ଟାଙ୍ଗୀ ଆଇଆଇସି ବିଜୟ କୁମାର ମଲ୍ଲିକ ମିଳିତ ଭାବେ ଉକ୍ତ ଦୋକାନରେ ଚଢ଼ାଉ କରିଥିଲେ। ଚଢ଼ାଉ ବେଳେ ପୋଲିସ ଦୋକାନ ମଧ୍ୟରୁ ୧୦୮ ବୋତଲ ବିଦେଶୀ ମଦ, ୪୨ ବୋତଲ ଆସ୍କା-୪୦ ଏବଂ ନକଦ ୩୦୦୦ ଟଙ୍କା ଜବତ କରିଛି।

ଏ ସଂକ୍ରାନ୍ତରେ ଟାଙ୍ଗୀ ପୋଲିସ ଓଡିଶା ଅବକାରୀ ଆଇନ ଅନୁଯାୟୀ ୩୨୨/୨୧ ରେ ଏକ ମାମଲା ରୁଜୁକରିବା ସହ ଦୋକାନୀ ପ୍ରସନ୍ନ ସାମନ୍ତଙ୍କୁ ଅଟକ ରଖି ତଦନ୍ତ ଜାରିରଖିଛି।

Categories
ଅପରାଧ ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଗମ୍ଭାରୀମୁଣ୍ଡା ବଜାରରୁ ବଡ଼ଧରଣର ଚୋରି: ପୋଖରୀ ମଧ୍ୟରୁ ଜିନିଷ ଉଦ୍ଧାର କଲା ପୋଲିସ, ଜଣେ ଅଟକ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଗମ୍ଭାରୀମୁଣ୍ଡା ବଜାରରେ ଏକ ରାସନ ଗୋଦାମରୁ ଗତ ଶନିବାର ବିଳମ୍ବିତ ରାତ୍ରିରେ ଏକ ବଡ଼ ଧରଣର ଚୋରି ହୋଇଛି। ଏ ନେଇ ଆଜି ଲିଖିତ ଭାବେ ବାଣପୁର ଥାନାରେ ଅଭିଯୋଗ କରିଛନ୍ତି ଗୋଦାମ ମାଲିକ। ଅଭିଯୋଗକାରି ହେଉଛନ୍ତି ପଦ୍ମପୁର ଗ୍ରାମର ଭାଗିରଥି ସାହୁ(୪୩)। ଭାଗିରଥି ଗମ୍ଭାରୀମୁଣ୍ଡା ବଜାରରେ ଏକ ରାସନ ଦୋକାନ କରିଥିବାବେଳେ ପଞ୍ଚୁଗାଁ ରୋଡ଼ରେ ତାଙ୍କର ଏକ ରାସନ ଗୋଦାମ ରହିଛି।

ଅଭିଯୋଗ ମୁତାବକ ଶନିବାର ରାତି ୧୦ଘଟିକାରେ ଗୋଦାମ ବନ୍ଦକରି ଭାଗିରଥି ଘରକୁ ଚାଲିଯାଇଥିଲେ। ତେବେ ରବିବାର ସକାଳେ ଦୋକାନ ଖୋଲି ଗୋଦାମ ଘରକୁ ଗଲାବେଳକୁ ଗୋଦାମ ଘରର ତାଲା ଭାଙ୍ଗିଥିବାର ଦେଖିବାକୁ ପାଇଥିଲେ। ଏବଂ ଗୋଦାମରୁ ୧ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କାର ଖାଇବା ତେଲ ଏବଂ ଅନ୍ୟାନ୍ୟ ରାସନ ସାମଗ୍ରୀ ଖାଲି ହୋଇଥିବା ଦେଖିବାକୁ ପାଇଥିଲେ। ସବୁଆଡେ ଖୋଜାଖୋଜି କଲା ପରେ ଗମ୍ଭାରୀମୁଣ୍ଡା ହାଇସ୍କୁଲ ନିକଟରେ ଖାଲି ଆଟା ପେଟି ଏବଂ କିଛି ତେଲ ଅଜାଡି ହୋଇଥିବାର ଭାଗିରଥି ଦେଖିବାକୁ ପାଇଥିଲେ।

ତେବେ ଏନେଇ ଭାଗିରଥି ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ବାଣପୁର ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଦେଇଥିବା ସ୍ଥଳେ ଆଜି ଘଟଣା ନିକଟସ୍ଥ ଏକ ପୋଖରୀ ଭିତରୁ ବହୁ ତେଲ ପ୍ୟାକେଟ ଉଦ୍ଧାର କରାଯାଇଛି। ଏହାସହ ଜଣେ ଅଭିଯୁକ୍ତଙ୍କୁ ଅଟକ ରଖିଥିବା ଆଇଆଇସି ସଞ୍ଜୟ କୁମାର ପଟ୍ଟନାୟକ ସୂଚନା ଦେଇଛନ୍ତି। ତେବେ ଜିନିଷ ଗୁଡିକୁ ନନେଇ ପୋଖରୀ ମଧ୍ୟକୁ ଦୁର୍ବୃତ୍ତ କଣ ପାଇଁ ଫୋପାଡ଼ିଲେ ତାହା ଏବେ ରହସ୍ୟ ଘେରରେ। ତଦନ୍ତ ବଢ଼ିବା ସହିତ ଚୋରିର ଖୁବ ଶୀଘ୍ର ପର୍ଦ୍ଦାଫାଶ ହେବ ବୋଲି ଆଶା କରାଯାଉଛି।