ଟାଙ୍ଗୀ: ଚଣ୍ଡେଶ୍ୱରରୁ ବିପୁଳ ଦେଶୀ ଓ ବିଦେଶୀ ମଦ ଜବତ କଲା ଟାଙ୍ଗୀ ପୋଲିସ, ଜଣେ ଅଟକ

Published: Sep 13, 2021, 9:16 pm IST

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ସାରା ରାଜ୍ୟରେ ଲଘୁଚାପଜନିତ ଲଗାଣ ବର୍ଷା ଜାରି ରହିଥିବାବେଳେ ଚୋରା ମଦ ବେପାରୀଙ୍କ ପାଇଁ ସତେ ଯେମିତି ଏହା ଏକ ସୁବର୍ଣ୍ଣ ସୁଯୋଗ ପାଲଟିଛି। ବର୍ଷାର ଫାଇଦା ନେଇ ଅନାୟାସରେ ଚୋରା ମଦ ବିକୁଥିବାବେଳେ ଆଜି ବିପୁଳ ଦେଶୀ ଓ ବିଦେଶୀ ମଦ ସହ ଜଣେ ଚୋରା ମଦ ବେପାରୀଙ୍କୁ ଧରିଛି ଟାଙ୍ଗୀ ପୋଲିସ।

ସୂଚନା ମୁତାବକ ଖୋର୍ଦ୍ଧା ଜିଲ୍ଲା ଚଣ୍ଡେଶ୍ୱର ବଜାର ଉପରେ ଏକ ଦୋକାନ ଭିତରେ ବେଆଇନ ଭାବେ ଦେଶୀ ଓ ବିଦେଶୀ ମଦ ବିକ୍ରି ଚାଲିଥିବାର ବାଲୁଗାଁ ଏସଡ଼ିପିଓ ଖବର ପାଇଥିଲେ। ତେବେ ପ୍ରବଳ ବର୍ଷା ସତ୍ତ୍ୱେ ଆଜି ସଂଧ୍ୟାରେ ବାଲୁଗାଁ ଏସଡ଼ିପିଓ ମାନସ ରଞ୍ଜନ ବାରିକ ଓ ଟାଙ୍ଗୀ ଆଇଆଇସି ବିଜୟ କୁମାର ମଲ୍ଲିକ ମିଳିତ ଭାବେ ଉକ୍ତ ଦୋକାନରେ ଚଢ଼ାଉ କରିଥିଲେ। ଚଢ଼ାଉ ବେଳେ ପୋଲିସ ଦୋକାନ ମଧ୍ୟରୁ ୧୦୮ ବୋତଲ ବିଦେଶୀ ମଦ, ୪୨ ବୋତଲ ଆସ୍କା-୪୦ ଏବଂ ନକଦ ୩୦୦୦ ଟଙ୍କା ଜବତ କରିଛି।

ଏ ସଂକ୍ରାନ୍ତରେ ଟାଙ୍ଗୀ ପୋଲିସ ଓଡିଶା ଅବକାରୀ ଆଇନ ଅନୁଯାୟୀ ୩୨୨/୨୧ ରେ ଏକ ମାମଲା ରୁଜୁକରିବା ସହ ଦୋକାନୀ ପ୍ରସନ୍ନ ସାମନ୍ତଙ୍କୁ ଅଟକ ରଖି ତଦନ୍ତ ଜାରିରଖିଛି।

Related posts