ବାଣପୁରରୁ ଚୋରା କୋଇଲା ବୋଝେଇ ଟ୍ରଲର ଜବତ, ଜଣେ ଅଟକ

Published: Nov 5, 2022, 10:53 am IST

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରୁ ଏକ ଚୋରା କୋଇଲା ବୋଝେଇ ଟ୍ରଲର ଜବତ ହୋଇଥିବାର ଖବର ହସ୍ତଗତ ହୋଇଛି। ସୂଚନା ମୁତାବକ ଗତକାଲି ରାତିରେ ବାଣପୁର ତହସିଲଦାର କୁଞ୍ଜବିହାରୀ ବଡ଼ଜେନା ପାଟ୍ରୋଲିଂ କରୁଥିବା ବେଳେ କନ୍ଧ ପୁଞ୍ଜିଆମା ଇଟା ଭାଟି ନିକଟରେ ଏକ ଟ୍ରଲରରୁ କୋଇଲା ଖାଲି କରିବା ପାଇଁ ଉଦ୍ୟତ ହେଉଥିବାର ଦେଖିବାକୁ ପାଇଥିଲେ।

ତେବେ ବାଣପୁରରେ ଏତେ ପରିମାଣର କୋଇଲା ଖାଲି ହେବା ଘଟଣା ସନ୍ଦେହଜନକ ହୋଇଥିବାରୁ ତହସିଲଦାର ଗାଡ଼ି ଚାଳକଙ୍କ ଠାରୁ କାଗଜପତ୍ର ମାଗିଥିଲେ। କାଗଜରେ ଗାଡିଟି ତାଳଚେରରୁ ଲୋଡ଼ ହୋଇ ସୋନପୁର ଅଭିମୁଖେ ଖାଲି କରିବାପାଇଁ ନିର୍ଦ୍ଦେଶ ଥିବାର ତହସିଲଦାର ଜାଣିବାକୁ ପାଇଥିଲେ। ଉକ୍ତ ଗାଡ଼ିରେ ୪୨ ଟନ କୋଇଲା ଥିବା ବେଳେ ଗାଡ଼ି ଚାଳକ ଲୋଭର ବଶବର୍ତ୍ତୀ ହୋଇ କୌଣସି ଅସାଧୁ ବ୍ୟକ୍ତିଙ୍କୁ କୋଇଲା ବିକିବା ଉଦ୍ଦେଶ୍ୟରେ ବାଣପୁର ଆସିଥିବାର ତହସିଲଦାର ଜାଣିବାକୁ ପାଇଥିଲେ।

ଏ ନେଇ ତହସିଲଦାର ବାଣପୁର ଥାନାରେ ଲିଖିତ ଅଭିଯୋଗ କରିବାରୁ ପୋଲିସ ସଙ୍ଗେସଙ୍ଗେ ଘଟଣାସ୍ଥଳକୁ ଯାଇ ଗାଡିକୁ ଜବତ କରିବା ସହ ଏକ ମାମଲା ରୁଜୁକରି ଗାଡ଼ି ଚାଳକଙ୍କୁ ଅଟକ ରଖି ତଦନ୍ତ ଜାରିରଖିଛି। ତେବେ ଚୋରା କୋଇଲା କିଣିବାକୁ ଡ଼ିଲ କରିଥିବା ସେଇ ବାଣପୁରର ବେପାରି ଜଣକ କିଏ, ତାହାର ପର୍ଦ୍ଦାଫାଶ କରିବା ସହ ତାଙ୍କୁ ମଧ୍ୟ ଆଇନ ଅନୁଯାୟୀ ଦଣ୍ଡିତ କରାଯାଉ ବୋଲି ସାଧାରଣରେ ଦାବି ହେଉଛି।

Related posts