ମା’ ଭଗବତୀ ମନ୍ଦିରରୁ ଶ୍ରଦ୍ଧାଳୁଙ୍କ ମୋବାଇଲ ଚୋରି, ଜଣେ ଅଟକ

Published: Dec 3, 2022, 11:00 pm IST

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ପ୍ରସିଦ୍ଧ ଶକ୍ତିପିଠ ମା’ ଭଗବତୀ ମନ୍ଦିର ୫ଟି ସଚିବଙ୍କ ଗସ୍ତପରେ ଭବିଷ୍ୟତରେ ଉନ୍ନୟନ କାମକୁ ନେଇ ଚର୍ଚ୍ଚାରେ ଥିବା ବେଳେ ଆଜି ଏକ ନିନ୍ଦନୀୟ ଘଟଣା ଘଟିଛି। ଯାହାକୁ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ମନ୍ଦିର ପରିସରରୁ ଜଣେ ଭକ୍ତଙ୍କ ଏକ ମୋବାଇଲ ଚୋରି ହୋଇଯାଇଥିବାର ଥାନାରେ ଅଭିଯୋଗ ହୋଇଛି।

ପ୍ରକାଶ ଥାଉକି ଗଞ୍ଜାମ ଜିଲ୍ଲା କୋଦଳା ଅଂଚଳର ହିମାଂଶୁ କୁମାର ରଥ ପତ୍ନୀଙ୍କ ସହ ଆଜି ଅପରାହ୍ନରେ ମା’ ଭଗବତୀ ମନ୍ଦିର ଦର୍ଶନ ନିମନ୍ତେ ଆସିଥିଲେ। ହାତଗୋଡ଼ ଧୋଇ ମା’ ଙ୍କୁ ଦର୍ଶନ କରିବାକୁ ଯିବାବେଳେ ଭୁଲ ବଶତଃ ହିମାଂଶୁଙ୍କ ପତ୍ନୀ ନିଜର ମୋବାଇଲଟିକୁ ମନ୍ଦିର ବେଢାରେ ଛାଡି ଦେଇଥିଲେ। ପରବର୍ତ୍ତୀ ସମୟରେ ମନ୍ଦିର ଭିତର ସବୁଆଡେ ଖୋଜାଖୋଜି ପରେ ମଧ୍ୟ ମୋବାଇଲ ନ ପାଇବାରୁ ବାଣପୁର ଥାନାରେ ସେମାନେ ଅଭିଯୋଗ କରିଥିଲେ।

ତେବେ ଉକ୍ତ ଘଟଣାକୁ ଗୁରୁତର ସହ ନେଇ ବାଣପୁର ଆଇଆଇସି ଏକ ଟିମ ତୁରନ୍ତ ମନ୍ଦିରକୁ ତଦନ୍ତ ନିମନ୍ତେ ପଠାଇଥଲେ। ପୋଲିସ ମନ୍ଦିର ସିସିଟିଭି ତନଖି କରି ଜଣେ ବ୍ୟକ୍ତିଙ୍କୁ ସନ୍ଦେହରେ ଅଟକ ରଖିଥିବାର ଜଣାଯାଇଛି।

ପ୍ରକାଶ ଥାଉକି ମନ୍ଦିରର ଉନ୍ନତି ନିମନ୍ତେ ୫ଟି ସଚିବ ଅଳ୍ପଦିନ ତଳେ ଉକ୍ତ ମନ୍ଦିର ଗସ୍ତ କରିଥିବା ବେଳେ ମନ୍ଦିର ଭିତରେ ଏପରି ଘଟଣାକୁ ବାଣପୁରବାସୀ ନିନ୍ଦା କରିବା ସହ ଦୋଷୀ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ପୋଲିସ ନିକଟରେ ଦାବି କରିଛନ୍ତି। ତେବେ ରାତି ୮ ଘଟିକା ପର୍ଯ୍ୟନ୍ତ ଉକ୍ତ ଭକ୍ତ ଦମ୍ପତି ବିଚଳିତ ହୋଇ ମନ୍ଦିର ପରିସରରେ ଆଶ୍ରୟ ନେଇଥିବାର ଦେଖାଯାଇଛି।

Related posts