ଗମ୍ଭାରୀମୁଣ୍ଡା ବଜାରରୁ ଚୋରୀ ଘଟଣାର ହେଲା ପର୍ଦ୍ଦାଫାଶ: ୭ ଅଭିଯୁକ୍ତ ଗିରଫ, ଲକ୍ଷାଧିକ ଟଙ୍କାର ଜିନିଷ ଜବତ

Published: Mar 18, 2021, 10:23 pm IST

ସୀତାରାମ ଅଗ୍ରୱାଲ
ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଗମ୍ଭାରିମୁଣ୍ଡା ବଜାରରୁ ଚୋରୀ ଘଟଣାର ପର୍ଦ୍ଦାଫାସ ହୋଇଛି। ଏହି ଘଟଣାରେ ସମ୍ପୃକ୍ତ ଥିବା ୭ ଜଣ ଅଭିଯୁକ୍ତଙ୍କୁ ବାଣପୁର ପୋଲିସ ଧରିବାରେ ସଫଳ ହୋଇଛି। ଏହା ସହ ୧୭୫ ଟି ଖାଇବା ତେଲ ପ୍ୟାକେଟ, ୭ ଟି ଗ୍ୟାସ ସିଲିଣ୍ଡର, ଗୋଟିଏ ଛୋଟ ସିଲିଣ୍ଡର, ଗୋଟାଏ ବାଇକ ଏବଂ ଲକ୍ଷାଧିକ ଟଙ୍କାର ଜିନିଷ ଜବତ କରାଯାଇଛି। ଅଭିଯୁକ୍ତମାନଙ୍କ ବିରୋଧରେ କେସ ନମ୍ବର ୧୦୦ ଏବଂ ୧୦୪ ରେ ଦୁଇ ଗୋଟି ମାମଲା ରୁଜ୍ଜୁ କରାଯାଇ ସମସ୍ତଙ୍କୁ ଆଜି ବାଣପୁର କୋର୍ଟ ଚାଲାଣ କରାଯାଇଛି। ପୂର୍ବରୁ ଅଭିଯୁକ୍ତମାନେ ଏକାଧିକ ସ୍ଥାନରୁ ଗ୍ୟାସ ସିଲିଣ୍ଡର ଚୋରୀ କରିଥିବା ପୋଲିସ ସାମ୍ନାରେ ସ୍ଵୀକାର କରିଛନ୍ତି। ବାଣପୁର ପୋଲିସ ଏନେଇ ଏକ ପ୍ରେସ ବିଜ୍ଞପ୍ତିରେ ସୂଚନା ଦେଇଛି।

ଉଲ୍ଲେଖ ଯୋଗ୍ୟ ଯେ, ଗମ୍ଭାରୀମୁଣ୍ଡାର ଏକ ରାସନ ଗୋଦାମରୁ ଚୋରି ହୋଇଥିବାର ଅଭିଯୋଗ ହୋଇଥିଲା। ଗୋଦାମ ମାଲିକ ଭାଗିରଥି ସାହୁ(୪୩) ଏନେଇ ବାଣପୁର ଥାନାରେ ଅଭିଯୋଗ କରିଥିଲେ। ଶନିବାର ରାତି ୧୦ ଘଟିକାରେ ଗୋଦାମ ବନ୍ଦକରି ଭାଗିରଥି ଘରକୁ ଚାଲିଯାଇଥିଲେ। ରବିବାର ସକାଳେ ଦୋକାନ ଖୋଲିବା ମାତ୍ରେ ଲକ୍ଷାଧିକ ଟଙ୍କାର ରାସନ ସାମଗ୍ରୀ ଖାଲି ହୋଇଥିବାର ଗୋଦାମ ମାଲିକ ଦେଖିବାକୁ ପାଇଥିଲେ।

ଏନେଇ ଭାଗିରଥି ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ବାଣପୁର ପୋଲିସ ତଦନ୍ତ ଆରମ୍ଭ କରି ଏକ ପୋଖରୀ ଭିତରୁ ବହୁ ତେଲ ପ୍ୟାକେଟ ଉଦ୍ଧାର କରିଥିଲା। ଏହାସହ ଜଣେ ଅଭିଯୁକ୍ତଙ୍କୁ ମଧ୍ୟ ପୋଲିସ ଅଟକ ରଖିଥିଲା।

ତେବେ ଜିନିଷ ଗୁଡିକୁ ନନେଇ ପୋଖରୀ ମଧ୍ୟକୁ ଦୁର୍ବୃତ୍ତ କଣ ପାଇଁ ଫୋପାଡ଼ିଲେ ତାହା ରହସ୍ୟ ଘେରରେ ଥିଲା। ତେଣୁ ଏହି ଘଟଣାକୁ ନେଇ ଖୋର୍ଦ୍ଧା ଏସପି ରାଜକିଶୋର ଦୋରା ଏବଂ ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ତଦନ୍ତ ଜାରି ରହିଥିଲା

ହେଲେ ଆଜି ବାଣପୁର ଆଇଆଇସି ସଞ୍ଜୟ କୁମାର ପଟ୍ଟନାୟକଙ୍କ ନେତୃତ୍ଵରେ ଏସଆଇ ରାଜକିଶୋର ବେହେରା, ପ୍ରସନ୍ନ ଜେନାଙ୍କ ସମେତ ଅନ୍ୟ ପୋଲିସ କର୍ମଚାରୀମାନେ ଅଭିଯୁକ୍ତମାନଙ୍କୁ ଧରିବାରେ ସକ୍ଷମ ହୋଇଛନ୍ତି।

Related posts