ପଶ୍ଚିମବଙ୍ଗ: ଆକ୍ରମଣରେ ଆହତ ହୋଇଥିବା ୮୫ ବର୍ଷିୟା ବୃଦ୍ଧାଙ୍କ ମୃତ୍ୟୁ, ଟିଏମସିକୁ ଘେରିଲା ବିଜେପି

Published: Mar 29, 2021, 2:19 pm IST

କଲିକତା: ପଶ୍ଚିମବଙ୍ଗ ନିର୍ବାଚନରେ ବଙ୍ଗଳା ଝିଅକୁ ନେଇ ଯେଉଁ ପୋଷ୍ଟର ଯୁଦ୍ଧ ଲାଗିଥିଲା, ଏବେ ତାଙ୍କର ମୃତ୍ୟୁ ହୋଇଯାଇଛି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସମେତ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଟୁଇଟ କରି ଏହି ଘଟଣା ବିଷୟରେ ସୂଚନା ଦେଇଛନ୍ତି। ଟୁଇଟରେ ଦୁଃଖ ପ୍ରକାଶ କରି ତୃଣମୂଳ କଂଗ୍ରେସକୁ ସେମାନେ ଘେରିଛନ୍ତି।

ଟୁଇଟରେ ଅମିତ ଶାହ ଲେଖିଛନ୍ତି ଯେ, ବଙ୍ଗଳାର ଝିଅ ଶୋଭା ମଜୁମଦାରଙ୍କ ନିଧନରେ ଆତ୍ମାକୁ ବହୁତ କଷ୍ଟ ହୋଇଛି। ଟିଏମସିର ଗୁଣ୍ଡାମାନେ ଏତେ ଅମାନବୀୟ ଭାବେ ପିଟିଲେ ଯେ, ତାଙ୍କର ଜୀବନ ଚାଲିଗଲା।

ସେହିଭଳି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଦୁଃଖ ବ୍ୟକ୍ତ କରି କହିଛନ୍ତି ଯେ, ବୃଦ୍ଧା ମା’ ଶୋଭା ମଜୁମଦାରଙ୍କ ଆତ୍ମାକୁ ଇଶ୍ଵର ଶାନ୍ତି ପ୍ରଦାନ କରନ୍ତୁ। ପୁଅ ଗୋପାଳ ମଜୁମଦାର ବିଜେପିର ସଦସ୍ୟ ହୋଇଥିବାରୁ ତାଙ୍କୁ ହତ୍ୟା କରାଗଲା। ତାଙ୍କ ବଳିଦାନ ସର୍ବଦା ମନେ ରହିବ। ସେ ମଧ୍ୟ ବଙ୍ଗଳାର ମା’ ଥିଲେ, ଝିଅ ଥିଲେ। ବିଜେପି ସର୍ବଦା ମା’ ଏବଂ ଝିଅର ସୁରକ୍ଷା ପାଇଁ ଲଢେଇ ଜାରି ରଖିବ।

ଉଲ୍ଲେଖ ଯୋଗ୍ୟ ଯେ, ଉତ୍ତର ୨୪ ପରଗନା ଜିଲ୍ଲାର ନିମଟାରେ ବିଜେପି କର୍ମୀ ଗୋପାଳ ମଜୁମଦାର ଏବଂ ତାଙ୍କ ୮୫ ବର୍ଷିୟା ମା’ ଶୋଭା ମଜୁମଦାରଙ୍କ ଉପରେ ଆକ୍ରମଣ ହୋଇଥିଲା। ଶୋଭା କହିଥିଲେ ଯେ, ମୋ ପୁଅ ବିଜେପି କର୍ମୀ ସେଥିପାଇଁ ତାଙ୍କୁ ଆକ୍ରମଣ କରାଯାଇଥିଲା। ଏହି ଆକ୍ରମଣରେ ଶୋଭା ମଧ୍ୟ ଗୁରୁତର ହୋଇପଡିଥିଲେ।

କିନ୍ତୁ ଶୋଭାଙ୍କ ଆଉ ଏକ ପୁଅ ବିଜେପି ଉପରେ ଅଭିଯୋଗ ଆଣିଥିଲେ। ବିଜେପି ସେମାନଙ୍କ ଉପରେ ଆକ୍ରମଣ କରିଛି ବୋଲି ସେ ଅଭିଯୋଗ କରିଥିଲେ। ଏହାର ଏକ ଭିଡ଼ିଓ ଟିଏମସି ସାଂସଦ ନୁସରତ ଜହାଁ ସେୟାର କରିଥିଲେ।

କିନ୍ତୁ ଏହି ଭିଡ଼ିଓ ପରେ ଗୋବିନ୍ଦଙ୍କ ସହ ଆମର କୌଣସି ସମ୍ପର୍କ ନାହିଁ ବୋଲି ଆକ୍ରମଣର ଶିକାର ହୋଇଥିବା ଗୋପାଳ କହିଥିଲେ। ଗୋବିନ୍ଦ ଜଣେ ଟିଏମସିର କର୍ମୀ ବୋଲି ସେ କହିଥିଲେ। ତେଣୁ ତାଙ୍କ ଦଳକୁ ରକ୍ଷା କରିବାକୁ ଯାଇ ସେ ବିଜେପି ଉପରେ ଅଭିଯୋଗ କରୁଛନ୍ତି ବୋଲି ଗୋପାଳ କହିଛନ୍ତି।

Related posts