
ସୀତାରାମ ଅଗ୍ରୱାଲ
ବାଲୁଗାଁ: ଆଜି ବଡି ଭୋରରୁ ଖୋର୍ଦ୍ଧା ରୋଡ଼ ରେଳ ଡିଭିଜନ ଅନ୍ତର୍ଗତ ବାଲୁଗାଁ ଆରପିଏଫ ଥାନା ଅଧିକାରୀ ମହେଶ୍ଵର ଚଣ୍ଡରାୟଙ୍କ ପ୍ରତ୍ୟେକ୍ଷ ତତ୍ଵାବଧାନରେ ବାଲୁଗାଁ ରେଳ ଷ୍ଟେସନରେ କୋଭିଡ଼ ନିୟମ ଉଲ୍ଲଂଘନ, ନିଶାଦ୍ରବ୍ୟ ଚୋରା ଚାଲାଣ ଏବଂ ଅସାମାଜିକ କାର୍ଯକଳାପ ବିରୁଦ୍ଧରେ ଏକ ଦିନିକିଆ ସ୍ଵତନ୍ତ୍ର ସତର୍କ ଯାଞ୍ଚ କରଯାଇଥିଲା।
ଏହି ପରିପ୍ରେକ୍ଷୀରେ ବାଲୁଗାଁ ରେଳ ଷ୍ଟେସନ ଏବଂ ସମସ୍ତ ଯାତ୍ରୀବାହୀ ଗାଡିର ଖାନ ତଲାସି କରାଯାଇଥିଲା। ଯାଞ୍ଚ ସମୟରେ ଆରପିଏଫ ଟିମ ବାଲୁଗାଁ ଷ୍ଟେସନର ଦକ୍ଷିଣ ଭାଗରେ ଦୁଇଜଣ ଯୁବକଙ୍କୁ ଦୁଇ ଗୋଟି ବ୍ୟାଗ ସହ ସନ୍ଦେହଜନକ ଅବସ୍ଥାରେ ଧରି ପଚରାଉଚରା କରିଥିଲେ।
ତେବେ ହଠାତ ଯୁବକ ଦ୍ୱୟ ଉକ୍ତ ସ୍ଥାନରୁ ଖସିପଳାଇବାକୁ ଚେଷ୍ଟା କରୁଥିବାବେଳେ ଆରପିଏଫ ଟିମ ସେମାନଙ୍କୁ କାବୁ କରିନେଇଥିଲେ। ଯୁବକ ଦ୍ଵୟ ଗଞ୍ଜାମ ଜିଲ୍ଲା କୋଦଳା ଅଞ୍ଚଳର ଏବଂ ସେମାନେ କୋଦଳା ଅଞ୍ଚଳରୁ ସୁରାଟକୁ ରେଳ ଯୋଗେ ନିଶାଦ୍ରବ୍ୟ ଚୋରାଚାଳାଣ କରୁଥିବାର ଆରପିଏଫ ଆଗରେ ପ୍ରକାଶ କରିଥିଲେ।
ଆରପିଏଫ ସହାୟକ ସୁରକ୍ଷା ଅଧିକ୍ଷକ ସଞ୍ଜୟ କୁମାର ସିଂହଙ୍କ ନିର୍ଦ୍ଦେଶ କ୍ରମେ ସଂନ୍ଦିଗ୍ଧ ବ୍ୟାଗ ଦୁଇଟିର ତଲାସୀ କଲାବେଳେ ଆରପିଏଫ କର୍ମଚାରୀମାନେ ପ୍ରାୟ ୧୮ କେଜି ଗଞ୍ଜେଇ ପାଇଥିଲେ। ତେବେ ଆରପିଏଫ ଥାନା ଅଧିକାରୀ ଶ୍ରୀ ଚଣ୍ଡରାୟ ଉକ୍ତ ଗଞ୍ଜେଇ ଜବତ କରିବାସହ ସମ୍ପୃକ୍ତ ଦୁଇ ଯୁବକଙ୍କ ବିରୁଦ୍ଧରେ ଖୋର୍ଦ୍ଧା ଜିଆରପି କେସ ନମ୍ବର ୪୬ ରେ ମାମଲା ରୁଜୁକରି ବିହିତ କାର୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।
ଉକ୍ତ ଚଢ଼ାଉରେ ବାଲୁଗାଁ ଆରପିଏଫ ଥାନା ଉପ ନିରୀକ୍ଷକ ପ୍ରଫୁଲ୍ଲ ଚନ୍ଦ୍ର ପଣ୍ଡା, ସହ ଉପନିରୀକ୍ଷକ ଜୟକୁମାର ସିକେ, ପ୍ରଧାନ ଆରକ୍ଷୀ ଲୋକନାଥ ବେହେରା, ଆରକ୍ଷୀ ସନତ କୁମାର ପ୍ରଧାନ, ଉଦ୍ଧବ ନାୟକ, ଅଲେଖ ବେହେରା ଏବଂ ପ୍ରଦୀପ କୁମାର ପଣ୍ଡା ଆଦି ସାମିଲ ଥିଲେ।