
ଖୋର୍ଦ୍ଧା: ଖୋର୍ଦ୍ଧା ଟାଉନ ଥାନା ପୋଲିସକୁ ଏକ ବଡ ସଫଳତା ମିଳିଛି। ବେଆଇନ ଗୋରୁ ଚାଲାଣ କରୁଥିବା ଏକ କଣ୍ଟେନରକୁ ପୋଲିସ ଜବତ କରିଛି। ସେଥିରେ ୪୫ ଟି ଗୋରୁଙ୍କୁ ପୋଲିସ ଉଦ୍ଧାର କରିବା ସହ ଡ୍ରାଇଭରକୁ ଗିରଫ କରିଛି।
ସୂଚନା ମୁତାବକ, କୌଣସି ଏକ ନିର୍ଭରଯୋଗ୍ୟ ସୂତ୍ରରୁ ଖବର ପାଇ ଟାଉନ ଥାନା ଆଇଆଇସି ସଞ୍ଜୟ କୁମାର ପଟ୍ଟନାୟକ ଏବଂ ଟିମ୍ ଗତକାଲି ରାତିରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଛପି ରହିଥିଲେ। ତେବେ ପାଖାପାଖି ରାତି ୨ ଟା ସମୟରେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଦୀକ୍ଷିତପଡ଼ାରୁ ଏକ ଗାଈ, ଷଣ୍ଢ ବୋଝେଇ କଣ୍ଟେନର ବାହାରି କୋଲକାତାର ଏକ କଂସେଇଖାନା ଅଭିମୁଖେ ଯାଉଥିବା ବେଳେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ପୋଲିସ ଦ୍ୱାରା ଧରା ପଡିଥିଲା।
ଗାଡ଼ି ଡ୍ରାଇଭରକୁ ପୋଲିସ ଗିରଫ କରିବା ସହ ତାଙ୍କ ବିରୁଦ୍ଧରେ କେସ ନମ୍ବର ୨୧୧/୨୧ ରେ ମାମଲା ରୁଜୁ କରିଛି। ଗାଡ଼ି ଡ୍ରାଇଭର ଜଣଙ୍କ ଧାମନଗର ଅଞ୍ଚଳର ଶେଖ ହାଇଦର ବୋଲି ଜଣାପଡିଛି। ଅପରପକ୍ଷରେ ଉଦ୍ଧାର ହୋଇଥିବା ୪୫ ଟି ଗୋରୁଙ୍କୁ ସିଜୁଆ ସ୍ଥିତ ପିପୁଲ ଫର ଆନିମଲ ନାମକ ଏକ ସାମାଜିକ ଅନୁଷ୍ଠାନର ଜିମ୍ମା ଦିଆଯାଇଥିବାର ସୂଚନା ଦେଇଛନ୍ତି ଆଇଆଇସି ଶ୍ରୀ ପଟ୍ଟନାୟକ। ଉକ୍ତ ରେଡରେ ଖୋର୍ଦ୍ଧା ଟାଉନ ଥାନା ଏସଆଇ ବିଜୟ ବେହେରା, ପଦ୍ମଲୋଚନ ବେହେରା ଏବଂ ଶିଳ୍ପାଞ୍ଚଳ ଫାଣ୍ଡି ଅଧିକାରୀ ଦିଗବିଜୟ ବିଶ୍ୱାଳ ଆଦି ସାମିଲ ଥିଲେ।