ଚୋରା ବାଇକକୁ ବିକିବା ଏବଂ କିଣିବା ପଡିଲା ମହଙ୍ଗା: ନାଚୁଣୀ ପୋଲିସ ହାତରେ ଧରା ହେଲେ ବେପାରୀ

Published: May 30, 2021, 7:27 pm IST

ସୀତାରାମ ଅଗ୍ରୱାଲ

ବାଣପୁର: ଚୋରା ବାଇକ ବିକିବା ଏବଂ କିଣିବା ମହଙ୍ଗା ପଡିଛି। ଦୁଇ ଚୋରା ବାଇକ ବେପାରୀ ପୋଲିସ ହାତରେ ଧରା ପଡ଼ି ଗିରଫ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ନାଚୁଣୀ ଅଞ୍ଚଳରେ ଏପରି ଘଟଣା ଘଟିଛି।

ସୂଚନା ମୁତାବକ ଗତକାଲି ନାଚୁଣୀ ଫାଣ୍ଡି ଅଧିକାରୀ ଉମାକାନ୍ତ ସାହୁ ସୁନାଖଳା ଅଞ୍ଚଳରେ ଯାନବାହାନ ଚେକିଂ କରୁଥିବାବେଳେ ଜଣେ ବ୍ୟକ୍ତି ଚୋରା ମଟରସାଇକେଲ ଧରି ବଡ଼ପଦର ଠାରୁ ନାଚୁଣୀ ବଜାର ଦେଇ ରତନପୁର ଯାଉଛନ୍ତି ବୋଲି କୌଣସି ସୂତ୍ରରୁ ଖବର ପାଇଥିଲେ। ବିଳମ୍ବ ନକରି ଶ୍ରୀ ସାହୁ ନାଚୁଣୀ ବଜାର ଅଭିମୁଖେ ଅଗ୍ରସର ହୋଇଥିଲେ ଏବଂ ସଲପଡ଼ିହ ଛକଠାରେ ଉକ୍ତ ବାଇକ ଚାଳକଙ୍କୁ ଧରିଥିଲେ। ଚାଳକ ଜଣକ ଟାଙ୍ଗୀ ଥାନା ରତନପୁର ଗ୍ରାମର ବାବୁଲି ବେହେରା (୩୮) ବୋଲି ଜଣାପଡିଛନ୍ତି।

ତେବେ ସେ ନାଲି ରଙ୍ଗର ହିରୋ ସୁପର ସ୍ପ୍ଲେଣ୍ଡର ଚଲାଉଥିବା ବେଳେ ପଚରାଉଚୁରା ସମୟରେ ଏହା ଏକ ଚୋରା ଗାଡ଼ି ବୋଲି ପୋଲିସ ଜାଣିବାକୁ ପାଇଥିଲା। ସମ୍ପୃକ୍ତ ମଟରସାଇକେଲରେ ଏକ ଡାଲା ଅଟୋର ନମ୍ବର ପ୍ଲେଟ ଲାଗିଥିଲା। ତେବେ ବାବୁଲି ଗତ ବର୍ଷ ଚୋରା ମଟରସାଇକେଲ କାରବାରରେ ଚାନ୍ଦପୁର ପୋଲିସ ହାତରେ ଗିରଫ ହୋଇଥିବାର ମଧ୍ୟ ପୋଲିସ ଆଗରେ ସ୍ୱୀକାର କରିଥିଲେ।

ଅନୁରୂପଭାବେ ଟାଙ୍ଗୀ ଥାନା ନିମୁନିଆ ଗ୍ରାମର ଅଭିମନ୍ୟୁ ପ୍ରଧାନଙ୍କୁ ସେ ମାତ୍ର ୭ ହଜାର ୫ ଶହ ଟଙ୍କାରେ ଦୁଇ ବର୍ଷ ପୂର୍ବେ ବାବୁଲି ଆଉ ଦୁଇ ଗୋଟି ଚୋରା ବାଇକ ବିକିଥିବାର ମଧ୍ୟ ପୋଲିସକୁ କହିଥିଲେ। ଏହା ଜାଣିବାପରେ ବାଣପୁର ଆଇଆଇସିଙ୍କ ନିର୍ଦ୍ଦେଶକ୍ରମେ ଫାଣ୍ଡି ଅଧିକାରୀ ନିମୁନିଆ ଗ୍ରାମରେ ଚଢ଼ାଉ କରି ଅଭିମନ୍ୟୁଙ୍କୁ ଗିରଫ କରିବା ସହ ତାଙ୍କ ନିକଟରୁ ଏକ ଚୋରା ବାଇକ ମଧ୍ୟ ଜବତ କରିଛନ୍ତି।

ଏ ନେଇ ବାଣପୁର ଥାନାରେ ୧୮୯/୨୧ ରେ ଏକ ମାମଲା ରୁଜୁ ହେବା ସହ ଦୁଇ ଜଣ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚଲାଣ କରାଯାଇଥିବାର ସୂଚନା ଦେଇଛନ୍ତି ନାଚୁଣୀ ଫାଣ୍ଡି ଅଧିକାରୀ।

Related posts