ଖୋର୍ଦ୍ଧା ଟାଉନ ଥାନାକୁ ଆଉ ଏକ ସଫଳତା: କାରରୁ ଲକ୍ଷାଧିକ ଟଙ୍କାର ବ୍ରାଉନସୁଗାର ଜବତ, ୨ ଗିରଫ

Published: Jun 3, 2021, 5:36 pm IST

ଖୋର୍ଦ୍ଧା: ଖୋର୍ଦ୍ଧା ଟାଉନ ଥାନାକୁ ପୁଣି ଏକ ବଡ଼ ସଫଳତା ମିଳିଛି। ୫୫ ଗ୍ରାମ ବ୍ରାଉନ ସୁଗାର ସହ ଦୁଇ ଜଣଙ୍କୁ ଗିରଫ କରିଛି ଟାଉନ ଥାନା ପୋଲିସ।

ସୂଚନା ମୁତାବକ ଗତକାଲି ରାତିରେ ଖୋର୍ଦ୍ଧାର ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ବଡ଼ ଧରଣର ବ୍ରାଉନ ସୁଗାର କାରବାର ହେବାକୁ ଯାଉଛି ବୋଲି ଏସପି ରାଜକିଶୋର ଦୋରା କୌଣସି ମତେ ଜାଣିବାକୁ ପାଇଥିଲେ। ସଙ୍ଗେ ସଙ୍ଗେ ଏସପିଙ୍କ ନିର୍ଦ୍ଦେଶକ୍ରମେ ଖୋର୍ଦ୍ଧା ଏସଡ଼ିପିଓ ସୁଶୀଲ କୁମାର ମିଶ୍ର ଏବଂ ଟାଉନ ଥାନା ଅଧିକାରୀ ସଞ୍ଜୟ କୁମାର ପଟ୍ଟନାୟକଙ୍କ ତତ୍ୱାବଧାନରେ ଏସଆଇ ଅନୁଭା ଦାସ, ବିଜୟ କେତନ ବେହରା, ଦିଗବିଜୟ ବିଶ୍ୱାଳ, ଅଶୋକ କୁମାର ରଥ ଏବଂ ଅନ୍ୟ କର୍ମଚାରୀଙ୍କୁ ନେଇ ଏକ ଟିମ ପ୍ରସ୍ତୁତ କରାଯାଇଥିଲା।

ସମନ୍ତରାୟପୁର ସ୍ଵପ୍ନେଶ୍ଵରସାହି ସ୍ଥିତ ମହେନ୍ଦ୍ର ବେହେରାଙ୍କ ଘର ନିକଟରେ ଏକ ଏସୟୁଭି-୩୦୦ କାରରେ(ଓଡ଼ି- ୦୨ ବିସି ୩୦୦୯) ନିଶା ବେପାରୀ ମାନେ ବ୍ରାଉନ ସୁଗାର ବେପାର ଉଦ୍ଦେଶ୍ୟରେ ଆସିବେ ବୋଲି ଉପରିସ୍ଥ ଅଧିକାରୀଙ୍କ ଠାରୁ ସୂଚନା ପାଇ ଉକ୍ତ ଟିମ ପୂର୍ବରୁ ସମ୍ପୃକ୍ତ ସ୍ଥାନରେ ଜଗି ରହିଥିଲେ।

ସମ୍ପୃକ୍ତ ଗାଡିଟି ଆସିବା କ୍ଷଣି ପୋଲିସ ଚଢ଼ାଉ କରି ଦୁଇ ଜଣଙ୍କୁ ଗିରଫ କରିଥିଲା। ଗିରଫ ଅଭିଯୁକ୍ତ ଦ୍ବୟ ହେଲେ ଶରତ ବେହେରା (୨୧) ଏବଂ ଭରତ ବେହେରା(୨୩)। ପୋଲିସ ସେମାନଙ୍କ ନିକଟରୁ ୫୫ ଗ୍ରାମ ବ୍ରାଉନ ସୁଗାର (୨.୫ ଲକ୍ଷ ଟଙ୍କା), ଗୋଟେ ଏସୟୁଭି-୩୦୦ କାର (୧୩ ଲକ୍ଷ ଟଙ୍କା), ତିନି ଗୋଟି ମୋବାଇଲ ଫୋନ (୨.୫ ଲକ୍ଷ ଟଙ୍କା) ଏବଂ ନକଦ ୨୦ ହଜାର ୩ ଶହ ଟଙ୍କା  ଜବତ କରିଛି।

ତେବେ ଏନେଇ ଖୋର୍ଦ୍ଧା ଟାଉନ ଥାନାରେ ଏନଡ଼ିପିଏସ ଆଇନ ଧାରା ୨୧(ଖ) ଅନୁଯାୟୀ କେସ ନମ୍ବର ୨୧୯/୨୧ରେ ଏକ ମାମଲା ରୁଜୁ ହୋଇଛି ବୋଲି ଟାଉନ ଥାନାଧିକାରୀ ସଞ୍ଜୟ କୁମାର ପଟ୍ଟନାୟକ ସୂଚନା ଦେଇଛନ୍ତି।

Related posts