ପହିଲି ରଜରେ ଜୁଆ ଆଡ୍ଡା ଉପରେ ଚଢାଉ: ଆଠ ଜୁଆଡ଼ିଙ୍କୁ ବାନ୍ଧିଲା ନାଚୁଣୀ ଫାଣ୍ଡି ପୋଲିସ

Published: Jun 15, 2021, 2:53 pm IST

ସୀତାରାମ ଅଗ୍ରୱାଲ

ବାଣପୁର: ଗତକାଲି ପହିଲି ରଜ ଥିବାବେଳେ ଜୁଆଡ଼ି ମାନେ ବିଭିନ୍ନ ଅଞ୍ଚଳରେ ସକ୍ରିୟ ହୋଇଉଠିଥିବାର ଦେଖାଯାଇଛି। ପୋଲିସ ମଧ୍ୟ ଏମାନଙ୍କ ଉପରେ କଡ଼ା ନଜର ରଖୁଛି।  ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ନାଚୁଣୀ ଅଞ୍ଚଳରେ ଗତକାଲୀ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଏକାଧିକ ଜୁଆଡ଼ିଙ୍କୁ ଗିରଫ କରିଛି।

ନାଚୁଣୀ ଫାଣ୍ଡି ଅଧିକାରୀ ଉମାକାନ୍ତ ସାହୁ ଗତକାଲି ବିଭିନ୍ନ ଗ୍ରାମରେ ଜୁଆ ଆଡ୍ଡା ଚାଲିଥିବାର ସୂଚନା ପାଇ ଟିମ ସହ ଚଢ଼ାଉ କରିଥିଲେ। ଏହି ପରିପ୍ରେକ୍ଷୀରେ ପୋଲିସ ଭବାନୀପୁର ଆମ୍ବ ତୋଟା ଜଙ୍ଗଲ ଅଞ୍ଚଳ ଏବଂ ସରଳସିଂହ ସ୍କୁଲରେ ଚଢ଼ାଉ କରି ୮ ଜଣ ଜୁଆଡ଼ିଙ୍କୁ ଗିରଫ କରିଛି।

ତେବେ ଅନ୍ୟ ଜୁଆଡ଼ି ମାନେ ଜଙ୍ଗଲ ତଥା ଖୋଲା ଅଞ୍ଚଳର ଫାଇଦା ନେଇ ଖସି ପଳାଇଥିଲେ। ପୋଲିସ ସମସ୍ତ ଅଭିଯୁକ୍ତଙ୍କ ନିକଟରୁ ଟାରପୁଲିନ, ଖୋଲା ତାସ,୫ ହଜାର ୬ ଶହ ନଗଦ ଟଙ୍କା, ୬ ଗୋଟି ବାଇକ ଏବଂ ୩ ଗୋଟି ସାଇକେଲ ଜବତ କରିବା ସହ ସେମାନଙ୍କ ବିରୋଧରେ ୩ ଓପିଜି ନିୟମ ଅନୁଯାୟୀ ବାଣପୁର ଥାନାରେ କେସ ନମ୍ବର ୨୧୧/୨୧ ଏବଂ ୨୧୨/୨୧ ରେ ମାମଲା ୠଜୁକରି ଆଜି ସମସ୍ତଙ୍କୁ କୋର୍ଟ ଚାଲାଣ କରିଛି।

Related posts