ଗାଜିଆବାଦ ବୃଦ୍ଧଙ୍କୁ ମାରପିଟ ଘଟଣା: ବିବାଦୀୟ ଟ୍ବିଟ କରିବା ଅଭିଯୋଗରେ ଅଭିନେତ୍ରୀ ସ୍ଵରା ଭାସ୍କରଙ୍କ ନାଁରେ ଥାନାରେ ଏତଲା

Published: Jun 17, 2021, 11:50 am IST

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଗାଜିଆବାଦରେ ମୁସଲିମ ବୃଦ୍ଧଙ୍କ ଦାଢି କାଟିବା ମାମଲାରେ ବଲିଉଡ ଅଭିନେତ୍ରୀ ସ୍ଵରା ଭାସ୍କରଙ୍କ ବିରୋଧରେ ଥାନାରେ ଅଭିଯୋଗ ହୋଇଛି। ସ୍ଵରା ଭାସ୍କରଙ୍କ ସମେତ ଅରଫା ଖାନମ ଶେଖାନୀ, ଆସିଫ ଖାନ, ଟ୍ବିଟର ଇଣ୍ଡିଆ ଏବଂ ଟ୍ବିଟର ଇଣ୍ଡିଆର ମୁଖ୍ୟ ମନୀଷ ମହେଶ୍ଵରଙ୍କ ନାମରେ ମଧ୍ୟ ଏହି ଘଟଣାରେ ପୋଲିସ ଅଭିଯୋଗ ଆଣିଛି।

ଅଭିଯୋଗ ଅନୁଯାୟୀ, ବିବାଦୀୟ ଟ୍ବିଟ କରିବା ଯୋଗୁଁ ସମସ୍ତଙ୍କ ନାମରେ ଥାନାରେ ଅଭିଯୋଗ ହୋଇଛି। ସମସ୍ତେ ମୁସଲିମ ବୃଦ୍ଧଙ୍କ ଦାଢି କାଟିବାକୁ ବିରୋଧ କରି ଟ୍ବିଟ କରିଥିଲେ। ଯାହାଫଳରେ ଅନେକ ଲୋକ ଏହାକୁ ରିଟ୍ବିଟ କରିଥିଲେ। ଓକିଲ ଅମିତ ଆଚାର୍ଯ୍ୟ ଏମାନଙ୍କ ବିରୋଧରେ ଦିଲ୍ଲୀର ତିଲକ ମାର୍ଗ ଥାନାରେ ଅଭିଯୋଗ କରିଛନ୍ତି। ହେଲେ ବର୍ତ୍ତମାନ ଏତଲା ରୁଜୁ ହୋଇନାହିଁ। ପୋଲିସ ଏହି ଘଟଣା ଉପରେ ତଦନ୍ତ ଜାରି ରଖିଛି।

ଏହା ପୂର୍ବରୁ କେତେଜଣ ସାମ୍ବାଦିକ ଏବଂ ନେତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ସାମ୍ବାଦିକ ରାଣା ଆୟୁବ, ସବା ନକବୀ, ଶମା ମହମ୍ମଦ, କଂଗ୍ରେସ ନେତା ସଲମନ ନିଜାମୀଙ୍କ ସମେତ ଅନେକ ଲୋକଙ୍କ ଉପରେ ଭ୍ରମିତ ପୋଷ୍ଟ କରିବାକୁ ନେଇ ପୋଲିସ ମାମଲା ରୁଜୁ କରିଛି।

ଉଲ୍ଲେଖ ଯୋଗ୍ୟ ଯେ, ଗାଜିଆବାଦର ଜଣେ ବୃଦ୍ଧଙ୍କୁ ମାରପିଟ ମାମଲାରେ ପୋଲିସ ୪ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ‘ଜୟ ଶ୍ରୀ ରାମ’ କହିବା ପାଇଁ ବାଧ୍ୟ କରିଥିବା ପୀଡିତ ବ୍ୟକ୍ତି ଅଭିଯୋଗ କରିଥିଲେ। ହେଲେ ଏହା କୌଣସି ସମ୍ପ୍ରଦାୟିକ ମାମଲା ହୋଇଥିବା ପୋଲିସ ମନା କରିଦେଇଛି।

ପୋଲିସ କହିବା ଅନୁଯାୟୀ, ୬ ଜଣ ହିନ୍ଦୁ-ମୁସଲିମ ଲୋକ ମିଶି ସୁଫି ଅବଦୁଲ ସମଦଙ୍କୁ ପିଟିବାରେ ସାମିଲ ଥିଲେ। ଅବଦୁଲ ବିକୁଥିବା ତାବିଜକୁ ନେଇ ଅଭିଯୁକ୍ତମାନେ ଅସନ୍ତୋଷ ଥିଲେ।

Related posts