ଜାତୀୟ ରାଜପଥରୁ ବେଆଇନ ଦେଶୀ ମଦ ବୋଝେଇ ଅଟୋ ଜବତ: ଜଣଙ୍କୁ ଗିରଫ କଲା ବାଲୁଗାଁ ପୋଲିସ

Published: Jun 20, 2021, 2:03 pm IST

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଆଜି ସକାଳୁ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ଖଡ଼ିକାପଲ୍ଲୀ ଓଭରବ୍ରିଜ ଉପରୁ ବାଲୁଗାଁ ପୋଲିସ ଏକ ବେଆଇନ ଦେଶୀ ମଦ ବୋଝେଇ ଅଟୋ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି।

ସୂଚନା ମୁତାବକ ଆଜି ସକାଳ ୫ ଘଟିକାରେ ବାଲୁଗାଁ ଆଇଆଇସି ରମାକାନ୍ତ ମାହାଲିକ ଏବଂ ନାଭାଲ ଫାଣ୍ଡି ଅଧିକାରୀ ଦିଲୀପ ସାହୁ ପାଟ୍ରୋଲିଂ କରୁଥିବା ସମୟରେ ଖଡ଼ିକାପଲ୍ଲୀ ଓଭରବ୍ରିଜ ଉପରେ ଯାଉଥିବା ଏକ ଅଟୋ ଉପରେ ସନ୍ଦେହ ହେବାରୁ ଅଟୋଟିକୁ ଅଟକାଇ ଯାଞ୍ଚ କରିଥିଲେ। ଯାଞ୍ଚ କରିବା ସମୟରେ ଅଟୋରେ ଦେଶୀ ମଦ ବୋଝେଇ ବସ୍ତା ଥିବାର ଆଇଆଇସି ଜାଣିବାକୁ ପାଇଥିଲେ।

ତେବେ ଅଟୋ ଭିତରୁ ପୋଲିସ ୨୮୦ ଲିଟର ଦେଶୀ ମଦ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ବାଲୁଗାଁ ଥାନା ଛେଡାପଦର ଗ୍ରାମର କନ୍ଦର୍ପ ଦାସ। ତେବେ ଘଟଣାସ୍ଥଳରୁ ଅଟୋ ମାଲିକ ଫେରାର ହୋଇଯାଇଛନ୍ତି। ବାଲୁଗାଁ ଥାନା ପୋଲିସ ଗିରଫ ଅଭିଯୁକ୍ତଙ୍କ ବିରୋଧରେ କେସ ନମ୍ବର ୧୦୮/୨୧ ରେ ମାମଲା ରୁଜୁ କରିବା ସହ ଆଜି କୋର୍ଟଚାଲାଣ କରିଥିବାର ବାଲୁଗାଁ ଏସଡ଼ିପିଓ ମାନସ ରଞ୍ଜନ ବାରିକ ସୂଚନା ଦେଇଛନ୍ତି।

Related posts