ବାଣପୁର ଶାଳିଆ ଡ୍ୟାମ୍ ନିକଟରୁ ଭୁଜାଲି ଦେଖାଇ ଟଙ୍କା ସହ ବାଇକ୍ ଲୁଟ୍

Published: Jul 1, 2021, 11:03 am IST

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଏବଂ ଗଞ୍ଜାମ ଜିଲ୍ଲା ସୀମାନ୍ତରେ ଥିବା ଶାଳିଆ ଡ୍ୟାମର ମା’ ଡୋମଣି ମନ୍ଦିର ସମ୍ମୁଖ ପାଣି ପମ୍ପ ହାଉସ ନିକଟରୁ ଜଣେ ବ୍ୟକ୍ତିଙ୍କୁ ଭୁଜାଲି ଦେଖାଇ ଏବଂ ମାଡ ମାରି ୬ ଜଣ ଦୁର୍ବୃତ୍ତ ଲୁଟ କରିଥିବା ଅଭିଯୋଗ ହୋଇଛି। ମଙ୍ଗଳବାର ସନ୍ଧ୍ୟାରେ ଉକ୍ତ ବ୍ୟକ୍ତିଙ୍କ ଠାରୁ ଟଙ୍କା ସହ ତାଙ୍କ ବାଇକକୁ ଦୁର୍ବୃତ୍ତମାନେ ଛଡାଇ ନେଇ ବାଣପୁର ଅଭିମୁଖେ ଦ୍ରୁତ ଗତିରେ ପଳାଇ ଯାଇଥିବା ଅଭିଯୋଗ ହୋଇଛି।

ଘଟଣାରୁ ପ୍ରକାଶ ଯେ, ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ଅଙ୍ଗାରଗାଁ ପଞ୍ଚାୟତ ବୋରିଆ ସାହି ଗ୍ରା ର ନୀଳମଣି ବେହେରା ମଙ୍ଗଳବାର ସନ୍ଧ୍ୟା ସମୟରେ ଶାଳିଆ ଡ୍ୟାମ୍ ଠାରୁ ନିଜର ବ୍ୟବସାୟୀକ କାମ ସାରି ଘରକୁ ବାଇକ ଯୋଗେ ଏକୁଟିଆ ଫେରୁଥିବା ବେଳେ ହଠାତ୍ ବାଣପୁର ଥାନା ଅନ୍ତର୍ଗତ ଶାଳିଆ ଡ୍ୟାମ୍ ମା’ ଡୋମଣି ମନ୍ଦିର ସମ୍ମୁଖ ପମ୍ପ ହାଉସ ନିକଟରେ ଅଙ୍ଗାରଗାଁ ପଟୁ ୨ ଟି ବାଇକରେ ଯାଉଥିବା ଅଜଣା ମାସ୍କ ଧାରୀ ୬ ଜଣ ଦୁର୍ବୃତ୍ତ ରାସ୍ତା ମଝିରେ ବାଇକ ଅଟକାଇବା ସହ ନୀଳମଣିଙ୍କୁ ଭୁଜାଲି ଦେଖାଇ ନିର୍ଦ୍ଧୁମ ମାଡ ମାରିଥିଲେ। ଏବଂ ତାଙ୍କଠାରୁ ୨ ହଜାର ଟଙ୍କା ଏବଂ ବାଇକ ଛଡେଇ ନେଇ ଦ୍ରୁତ ଗତିରେ ବାଣପୁର ଅଭିମୁଖେ ପଳେଇ ଯାଇଥିଲେ। ଏନେଇ ନୀଳମଣି ଗତକାଲି ବାଣପୁର ଥାନାରେ ଏକ ଲିଖିତ ଏତଲା ଦେଇଥିଲେ।

ସେହିଭଳି ଗତ ଏପ୍ରିଲ ମାସ ୨୪ ତାରିଖରେ ମଧ୍ୟ ଠିକ୍ ସେହି ସ୍ଥାନରୁ ବନ୍ଧୁକ ଦେଖାଇ ଜୈନକ ବ୍ୟବସାୟୀଙ୍କ ଠାରୁ ୧୩ ହଜାର ଟଙ୍କା ସହ ଏ ଟି ଏମ୍ କାର୍ଡ, ପର୍ସ, ବାଇକ ଚାବି ଛଡାଇ ନେଇ ଦୃବର୍ତ୍ତମାନେ ଚମ୍ପଟ ମାରିଥିଲେ। ଏ ନେଇ ମଧ୍ୟ ବ୍ୟବସାୟୀ ଜଣକ ବାଣପୁର ଥାନାରେ ଲିଖିତ ଏତଲା ଦାଏର କରିଥିଲେ।

ସମାନ ଢଙ୍ଗ ଏବଂ ସମାନ ସ୍ଥାନରେ ବାରମ୍ବାର ଏଭଳି ଘଟଣା ଘଟୁଥିବାରୁ ଲୋକଙ୍କ ମନରେ ଏବେ ଭୟର ବାତାବରଣ ଦେଖାଯାଇଛି। ତେଣୁ ଏଭଳି ଅପରାଧିକ କାର୍ଯ୍ୟରେ ଲିପ୍ତ ଥିବା ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରାଯାଉ ବୋଲି ସ୍ଥାନୀୟ ଲୋକେ ଦାବି କରିଛନ୍ତି। ତେବେ ବାଣପୁର ପୋଲିସ ଉକ୍ତ ଦୁଇ ଗୋଟି ଲୁଟ ଘଟଣାର ପର୍ଦ୍ଦାଫାଶ କେବେ କରିବାକୁ ସକ୍ଷମ ହେଉଛି, ତାହା ଦେଖିବାକୁ ବାକି ରହିଲା।

Related posts