ଖୋର୍ଦ୍ଧାରେ ବେଆଇନ ଖୁଚୁରା ମେଡ଼ିସିନ କାରବାର: ଲକ୍ଷାଧୀକ ଟଙ୍କାର ଔଷଧ ଜବତ, ଦୋକାନକୁ କରାଗଲା ସିଲ୍

Published: Jul 8, 2021, 5:36 pm IST

ଖୋର୍ଦ୍ଧା: ବେଆଇନ ଖୁଚୁରା ମେଡ଼ିସିନ ଦୋକାନ ଉପରେ ଚଢାଉ କରି ଖୋର୍ଦ୍ଧା ଡ୍ରଗ୍ସ ଇନସପେକ୍ଟର ବଡ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ସମ୍ପୃକ୍ତ ଦୋକାନରୁ ଲକ୍ଷାଧୀକ ଟଙ୍କାର ଔଷଧ ଜବତ କରିବା ସହ ଦୋକାନକୁ ସିଲ୍ କରାଯାଇଛି।

ସୂଚନା ମୁତାବକ ଖୋର୍ଦ୍ଧା ବଜାରରେ ଅବସ୍ଥିତ ଥିବା ମହାବୀର ମେଡ଼ିସିନ ଷ୍ଟୋର ନାମକ ଏକ ଔଷଧ ଦୋକାନ ବିନା ଲାଇସେନ୍ସରେ ଚାଲିବା ସହ ସେଠାରେ ନିମ୍ନ ମାନର ଔଷଧ ବିକ୍ରି ହେଉଥିବାର ଅଭିଯୋଗ ହୋଇଥିଲା। ଖୋର୍ଦ୍ଧା ଡ୍ରଗସ ଇନ୍ସପେକ୍ଟର ତୁଷାର ରଞ୍ଜନ ପାଣିଗ୍ରାହୀଏହି ବିଷୟରେ ଜାଣିପାରି ସମ୍ପୃକ୍ତ ଦୋକାନ ଉପରେ ଚଢାଉ ଆରମ୍ଭ କରିଥିଲେ।

ବିନା ଲାଇସେନ୍ସ ସହ ନିମ୍ନମାନର ଔଷଧ ବିକ୍ରି କରିବା ବେଆଇନ ହୋଇଥିବାରୁ ଆଜି ମଧ୍ୟାହ୍ନରେ ସମ୍ପୃକ୍ତ ଦୋକାନ ଉପରେ ଚଢାଉ କରାଯାଇଥିଲା। ଡ୍ରଗସ ବିଭାଗ ଇନସପେକ୍ଟର ଉକ୍ତ ଦୋକାନରୁ ଲକ୍ଷାଧିକ ଟଙ୍କାର ଔଷଧ ଜବତ କରି ଦୋକାନକୁ ସିଲ କରିଛନ୍ତି ଏବଂ କେତେଗୋଟି ଔଷଧର ନମୁନା ପରୀକ୍ଷା ପାଇଁ ଲାବରେଟୋରୀକୁ ମଧ୍ୟ ପଠାଇଛନ୍ତି।

ଅନୁରୂପ ଭାବେ ସମ୍ପୃକ୍ତ ଦୋକାନୀଙ୍କ ବିରୋଧରେ ଖୋର୍ଦ୍ଧା କୋର୍ଟରେ ଏକ ଫୌଜଦାରୀ ମାମଲା ରୁଜୁ କରାଯାଇଛି ବୋଲି ଖୋର୍ଦ୍ଧା ଡ୍ରଗସ ଇନ୍ସପେକ୍ଟର ତୁଷାର ରଞ୍ଜନ ପାଣିଗ୍ରାହୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ଉକ୍ତ ଚଢାଉରେ ଖୋର୍ଦ୍ଧା ଡ୍ରଗସ ଇନସପେକ୍ଟର ତୁଷାର ରଞ୍ଜନ ପାଣିଗ୍ରାହୀଙ୍କ ସମେତ ଭୁବନେଶ୍ୱର-୧ ଡ୍ରଗସ ଇନସପେକ୍ଟର ପ୍ରବେଶ କୁମାର ଲେଙ୍କା ଏବଂ ଭୁବନେଶ୍ୱର-୩ ଡ୍ରଗସ ଇନ୍ସପେକ୍ଟର ଡା. ସୁଦର୍ଶନ ବିଶ୍ୱାଳ ସାମିଲ ଥିଲେ।

Related posts