ଧର୍ମ ପରିଚୟ ଲୁଚାଇ ବିବାହ କଲେ ହେବ କାର୍ଯ୍ୟାନୁଷ୍ଠାନ: ସବୁ ସମ୍ପ୍ରଦାୟ ବ୍ୟକ୍ତିଙ୍କ ପାଇଁ ରହିବ ସମାନ ନିୟମ

Published: Jul 11, 2021, 9:27 am IST

ନୂଆଦିଲ୍ଲୀ: ଏଣିକି ଧାର୍ମିକ ପରିଚୟ ଲୁଚାଇ ବିବାହ କରୁଥିବା ବ୍ୟକ୍ତିଙ୍କ ଉପରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ। ଯଦି କୌଣସି ବ୍ୟକ୍ତି ନିଜର ଧର୍ମ ଲୁଚାଇ ଅନ୍ୟ ସମ୍ପ୍ରଦାୟର ମହିଳାଙ୍କୁ ବିବାହ କରନ୍ତି, ତେବେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ସବୁ ଧର୍ମର ବ୍ୟକ୍ତିଙ୍କ ପାଇଁ ସମାନ ନିୟମ ରହିବ। ଆସାମର ବିଜେପି ସରକାର ଏଭଳି ଆଇନ ଆଣିବାକୁ ଯାଉଛି। ଏକ ସାମ୍ବାଦିକ ସମ୍ମିଳନୀରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ଵ ଶର୍ମା ଏନେଇ ସୂଚନା ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଧର୍ମ ପରିଚୟ ଏବଂ ସୂଚନା ଲୁଚାଇ ଅନ୍ୟ ସମ୍ପ୍ରଦାୟରେ ବିବାହ କରୁଥିବା ମହିଳାଙ୍କୁ ବିପଦରୁ ରକ୍ଷା କରିବା ପାଇଁ ବହୁତ ଶୀଘ୍ର ରାଜ୍ୟ ସରକାର ଏକ ଆଇନ ଆଣିବାକୁ ଯାଉଛନ୍ତି। ଏହି ଆଇନ ଉଭୟ ହିନ୍ଦୁ ଏବଂ ମୁସଲାମାନ ସମ୍ପ୍ରଦାୟର ବ୍ୟକ୍ତିଙ୍କ ପାଇଁ ଲାଗୁ ହେବ। ହିନ୍ଦୁ ଯୁବକ ମଧ୍ୟ ନିଜର ପରିଚୟ ଲୁଚାଇ ଅନ୍ୟ ସମ୍ପ୍ରଦାୟର ଯୁବତୀଙ୍କୁ ବିବାହ କରିପାରିବେ ନାହିଁ।

ଉଲ୍ଲେଖ ଯୋଗ୍ୟ ଯେ, ବିଧାନସଭା ନିର୍ବାଚନ ସମୟରେ ରାଜ୍ୟରେ ଏହି ଆଇନ ଆଣିବା ଲାଗି ବିଜେପି ପ୍ରତିଶ୍ରୁତି ଦେଇଥିଲା। ‘ଲଭ ଜିହାଦ’ ବିରୋଧରେ ଆଇନ ଆଣିବ ବୋଲି ବିଜେପି ନିଜର ଘୋଷଣା ପତ୍ରରେ ଉଲ୍ଲେଖ କରିଥିଲା। ରାଜ୍ୟରେ ‘ଲଭ ଜିହାଦ’ ଏବଂ ‘ଲ୍ୟାଣ୍ଡ ଜିହାଦ’ର ମୂଳଉତ୍ପାଟନ କରିବା ଲାଗି ଉପଯୁକ୍ତ ଆଇନ ଓ ନୀତି ପ୍ରସ୍ତୁତ କରିବ ବୋଲି ବିଜେପି ଘୋଷଣା ପତ୍ରରେ ପ୍ରକାଶ କରିଥିଲା।

Related posts