ଅଭିନଵ ଉପାୟରେ ରନ୍ଧନ ଗ୍ୟାସ ଟାଙ୍କି କରୁଥିଲେ ଚୋରୀ: ୨ ଜଣଙ୍କୁ ବାନ୍ଧିଲା ଚାନ୍ଦପୁର ପୋଲିସ

Published: Jul 22, 2021, 12:01 pm IST

ଚାନ୍ଦପୁର: ନୟାଗଡ ଜିଲ୍ଲା ଚାନ୍ଦପୁର ଥାନା ଅଞ୍ଚଳରେ ଅଭିନବ ଉପାୟରେ କେତେଜଣ ଦୁର୍ବୃତ୍ତ ରନ୍ଧନ ଗ୍ୟାସ ଟାଙ୍କି ଚୋରୀ କରୁଥିବା ଦେଖିବାକୁ ମିଳିଛି। ଏହି ଘଟଣାରେ ୨ ଟି ଟାଙ୍କି ଜବତ କରିବା ସହ ୨ ଜଣ ଅଭିଯୁକ୍ତଙ୍କୁ ଚାନ୍ଦପୁର ପୋଲିସ ଗିରଫ କରିଛି।

ସୂଚନା ଅନୁଯାୟୀ, ଚାନ୍ଦପୁର ଥାନା ଅନ୍ତର୍ଗତ କଟକ ସହର ଗ୍ରାମରେ ଦୁଇଜଣ ଦୁର୍ବୃତ୍ତ ନିଜକୁ ହିନ୍ଦୁସ୍ତାନ ପେଟ୍ରୋଲିୟମ କଂପାନୀର  କର୍ମଚାରୀ ପରିଚୟ ଦେଇ ମହିଳା ମାନଙ୍କୁ ଗ୍ୟାସ ଟାଙ୍କି ରିଫିଲିଙ୍ଗ୍ ପାଇଁ ମାଗୁଥିଲେ। ଗ୍ୟାସ ରିଫିଲଙ୍ଗ୍ ନକରିଲେ ଗ୍ୟାସ ଖାତା କଟିଯିବ କହି ମହିଳା ମାନଙ୍କୁ ସେମାନେ ପ୍ରବର୍ତ୍ତାଉଥିଲେ। ଫଳରେ ମହିଳାଙ୍କ ଠାରୁ ଉଭୟ ଦୁର୍ବୃତ୍ତ ଟାଙ୍କି ନେବାରେ ସଫଳ ହୋଇଥିଲେ। ପରବର୍ତ୍ତୀ ଅବସ୍ଥାରେ ମହିଳାମାନେ ଯେତେ ବେଳେ ଏହା ଏକ ଚୋରୀ ଘଟଣା ବୋଲି ଜାଣିବାକୁ ପାଇଲେ, ସେମାନେ ତୁରନ୍ତ ନିଜ ସମ୍ପର୍କୀୟଙ୍କୁ ଜଣାଇଲେ।

ତେବେ ଫେରାର ହେବା ବେଳେ ସେହି ଦୁଇଜଣ ଦୁର୍ବୃତ୍ତଙ୍କୁ ସ୍ଥାନୀୟ ଲୋକେ ଧରିବାରେ ସଫଳ ହୋଇଥିଲେ। ପରେ ସେହି ଦୁଇଜଣଙ୍କୁ ଲୋକେ ଚାନ୍ଦପୁର ଥାନାକୁ ହସ୍ତାନ୍ତର କଲେ। ଗିରଫ ୨ ଜଣ ହେଲେ  ରଣପୁର କଙ୍କିଆ ଗ୍ରାମର ବାଟୁଆ ନାୟକ (୨୨ ବର୍ଷ), ରାକେଶ ମହାନ୍ତି (୧୮ ବର୍ଷ) ବୋଲି ଜଣାପଡିଛି। ସେମାନଙ୍କ ନିକଟରୁ ପୋଲିସ୍ ଦୁଇଟି ଗ୍ୟାସ ଟାଙ୍କି ସହ ଗୋଟିଏ ବାଇକ୍ ଜବତ କରି ତଦନ୍ତ ଜାରି ରଖିଛି।

Related posts