Categories
ଆଜିର ଖବର ରାଜ୍ୟ ଖବର

ଚାନ୍ଦପୁର: ଟ୍ରକରୁ ୨୫୦ ବସ୍ତା ସିମେଣ୍ଟ ଚୋରି ପ୍ରସଙ୍ଗ, ୩ ଲୁଟେରା ଗିରଫ, ଦୁଇଟି ଟ୍ରାକ୍ଟର ଜବତ

ଚାନ୍ଦପୁର: ନୟାଗଡ ଜିଲ୍ଲା ଚାନ୍ଦପୁର ପୋଲିସକୁ ବଡ ସଫଳତା ମିଳିଛି। ସିମେଣ୍ଟ ବୋଝେଇ ଟ୍ରକରୁ ୨୫୦ ବସ୍ତା ଚୋରୀ ମାମଲାର ପୋଲିସ ପର୍ଦ୍ଦାଫାସ କରି ୩ ଲୁଟେରାଙ୍କୁ ଗିରଫ କରିବା ସହ ରାମକୋ କମ୍ପାନୀର ୭୨ ବସ୍ତା ସିମେଣ୍ଟ ଏବଂ ଦୁଇଟି ଟ୍ରାକ୍ଟର ଜବତ କରିଛି।

ସୂଚନା ଅନୁଯାୟୀ, ଗତ ୨୫ ତାରିଖରେ ଯାଜପୁର ଜିଲ୍ଲାର ରାମକୋ ସିମେଣ୍ଟ କମ୍ପାନୀରୁ ୫୦୦ ବସ୍ତା ସିମେଣ୍ଟ ବୋଝେଇ ଟ୍ରକ ଚାନ୍ଦପୁର ଅଭିମୁଖେ ବାହାରିଥିଲା। ଚାନ୍ଦପୁର ନିକଟ ରାଇପଡା ଠାରେ ୨୫୦ ବସ୍ତା ସିମେଣ୍ଟ ଖାଲି କରିବା ପରେ ଟ୍ରକଟି ଚଣ୍ଡେଶ୍ୱର ଅଭିମୁଖେ ବାହାରିଥିଲା। ହେଲେ ରାସ୍ତାରେ ସିମେଣ୍ଟ ବୋଝେଇ ଟ୍ରକଟି ଖରାପ ହେବାରୁ ଟ୍ରକ ଚାଳକ କେରେଣ୍ଡା ଟାଙ୍ଗୀ ନିକଟସ୍ଥ ରାସ୍ତା ପାର୍ଶ୍ଵରେ ପାର୍କିଂ କରି ସେହି ଟ୍ରକ କ୍ୟାବିନରେ ବିଶ୍ରାମ ନେଇଥିଲେ। ତେବେ ୨୬ ତାରିଖ ଭୋର ସମୟରେ କେତେକ ଲୁଟେରା ଘଟଣା ସ୍ଥଳରେ ପହଁଚି ଟ୍ରକ ଚାଳକକୁ ଭୟଭୀତ କରି ୪୦୭ ଓ ଟ୍ରାକ୍ଟର ଲଗାଇ ନିମିଷକ ମଧ୍ୟରେ ଟ୍ରକରୁ ସମସ୍ତ ୨୫୦ ବସ୍ତା ସିମେଣ୍ଟ ଲୁଟି ନେଇଥିଲେ।

ଟ୍ରକ ଚାଳକ ଚାନ୍ଦପୁର ଥାନାରେ ପହଁଚି ଲିଖିତ ଅଭିଯୋଗ କରିବା ପରେ ଚାନ୍ଦପୁର ପୋଲିସ ଆଇଆଇସି ଜଗଦୀଶ ଚନ୍ଦ୍ର କର ଓ ସବ ଇନ୍ସପେକ୍ଟର କ୍ଷେତ୍ରବାସୀ ହରିଚନ୍ଦନ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୩ ଲୁଟେରାଙ୍କୁ ଗିରଫ କରିଛନ୍ତି। ଗିରଫ ଲୁଟେରା ମାନେ ହେଲେ ଚାନ୍ଦପୁର ଥାନା ଅଞ୍ଚଳର କୁଶ ବେହେରା (୨୪ ବର୍ଷ) ସୁବଳ ପ୍ରଧାନ (୨୨ ବର୍ଷ) ଓ ରାଧାକୃଷ୍ଣ ପାଇକରାୟ ବୋଲି ଜଣା ପଡିଛି। ଏହା ସହ ଚାନ୍ଦପୁର ପୋଲିସ ଏହି ଘଟଣାରେ ଅନ୍ୟ ଅଭିଯୁକ୍ତ ମାନଙ୍କୁ ଗିରଫ କରିବା ପାଇଁ ଚଢ଼ାଉ ଜାରୀ ରଖିଛି।

Categories
ଆଜିର ଖବର ରାଜ୍ୟ ଖବର

ନିଖୋଜ ନାବାଳକର ମୃତ ଦେହ ଉଦ୍ଧାର, ଫୋରେନସିକ ଟିମକୁ ଡାକିଲା ଚାନ୍ଦପୁର ପୋଲିସ

ଟାଙ୍ଗୀ/ଚାନ୍ଦପୁର: ୩ ଦିନ ହେଲା ନିଖୋଜ ନାବାଳକର ମୃତ ଦେହ ଠାବ ହୋଇଛି। ପଟିଆ ସରକାରୀ ସ୍କୁଲ ପଛ ପଟ ଜଙ୍ଗଲରେ ନାବାଳକର ମରୁତ ଦେହ ଠାବ ହୋଇଛି।

ସୂଚନା ଅନୁଯାୟୀ, ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ରାମଚନ୍ଦ୍ର ପୁର ପଞ୍ଚାୟତ ଗୋଡି ସାହିର ଖୋକନ ଭୋଳ ପୁଅ ବବଲୁ ଭୋଳ (୧୩) ଗତ ତିନି ଧରି ନିଖୋଜ ଥିଲେ। ବବଲୁ ସ୍ଥାନୀୟ ସରକାରୀ ବିଦ୍ୟାଳୟରେ ନବମ ଶ୍ରେଣୀରେ ପାଠ ପଢୁଥିଲେ। ଗତ ୨ ତାରିଖରୁ ସେ ନିଖୋଜ ହେବା ପରେ ପରିବାର ଲୋକେ ଟାଙ୍ଗୀ ଥାନାରେ ଅଭିଯୋଗ କରିଥିଲେ। ହେଲେ ବବୁଲର ମୃତ ଦେହ ପଟିଆ ସରକାରୀ ସ୍କୁଲ ପଛ ପଟ ଜଙ୍ଗଲରୁ ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ।

ଖବର ପାଇ ଟାଙ୍ଗୀ ଥାନା ପୋଲିସ ଘଟଣା ସ୍ଥଳକୁ ଯାଇଥିବା ବେଳେ ମୃତ ଦେହ ମିଳିଥିବା ସ୍ଥାନ ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା ପରିସର ହୋଇଥିବାରୁ ଚାନ୍ଦପୁର ପୋଲିସକୁ ହସ୍ତାନ୍ତର ମାମଲା କରିଛି। ଚାନ୍ଦପୁର ପୋଲିସ ଶବ ଜବତ କରି ଅଧିକ ତଦନ୍ତ ପାଇଁ ଫୋରେନସିକ ଟିମକୁ ଡ଼କାଇଛି।

Categories
ଆଜିର ଖବର ରାଜ୍ୟ ଖବର

ରଣପୁର: ଅଜଣା ଗାଡି ଧକ୍କାରେ ଚାଲିଗଲା ଜୀବନ, ତଦନ୍ତ କରୁଛି ଚାନ୍ଦପୁର ପୋଲିସ

ରଣପୁର: ରଣପୁର ବ୍ଲକ ଚାନ୍ଦପୁର ଥାନା ଅଧିନସ୍ଥ କଟକ ସହର ନିକଟରେ ଆଜି ଗାଡି ଧକ୍କାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ଆଜି ଅପରାହ୍ନରେ ଗୌରି ବାରିକ (୬୦) ନାମକ ଜଣେ ବ୍ୟକ୍ତି କଟକ ସହର ନିକଟରେ ରାସ୍ତା ପାରି ହେବା ସମୟରେ ଏକ ଅଜଣା ଗାଡି ଧକ୍କା ଦେଇ ପଳାଇ ଯାଇଥିଲା। ଘଟଣା ସ୍ଥଳରେ ଗୌରିଙ୍କ ମୃତ୍ୟୁ ହୋଇ ଯାଇଥିବା ଜଣା ପଡିଛି।

ଘଟଣା ସ୍ଥଳରେ ଚାନ୍ଦପୁର ପୋଲିସ ପହଂଚି ଶବକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ରଣପୁର ଡାକ୍ତରଖାନାକୁ ପଠାଇ ଘଟଣାର ତଦନ୍ତ ଜାରି ରଖିଛି। ମୃତ ଗୌରି ବାରିକଙ୍କ ଘର ରଣପୁର ସୁଆଁସିଆ ସାହିର ହୋଇଥିବା ବେଳେ ସେ ବେଣ୍ଟ ଗ୍ରାମରେ ଭଡା ରହୁଥିଲେ ବୋଲି ଜଣା ପଡିଛି। ତେବେ ଏହି ମାମଲାରେ ଚାନ୍ଦପୁର ପୋଲିସ ତଦନ୍ତ ଆରମ୍ଭ କରିଦେଇଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଝୁଲନ୍ତା ଅବସ୍ଥାରେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କଲା ଚାନ୍ଦପୁର ପୋଲିସ

ଚାନ୍ଦପୁର: ଆଜି ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଜଣେ ବ୍ୟକ୍ତିଙ୍କ ମୃତଦେହକୁ ଝୁଲନ୍ତା ଅବସ୍ଥାରେ ପୋଲିସ ଉଦ୍ଧାର କରିଛି।

ସୂଚନା ମୁତାବକ ଆଜି ସକାଳେ ପଟିଆ ଜ୍ୱାଇଁ ସାହି ଅଞ୍ଚଳର ନାଲୁ ବେହେରା (୬୦) ନାମକ ବ୍ୟକ୍ତିଙ୍କୁ ଘର ନିକଟ ଜଙ୍ଗଲର ଏକ ଗଛରେ ଗ୍ରାମବାସୀ ଝୁଲୁଥିବାର ଦେଖିବାକୁ ପାଇଥିଲେ। ସଙ୍ଗେସଙ୍ଗେ ଏ ନେଇ ଚାନ୍ଦପୁର ଥାନାକୁ ଖବର ଦେଲାପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ନାଲୁଙ୍କ ଶବ ଜବତ କରିଥିଲା। ଏବଂ କେଶ ନଂ ୭/୨୨ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଚ୍ଛେଦ ପାଇଁ ପଠାଇଦେଇଛି। ଆଇଆଇସି ମୁକେଶ ବେହେରା ଏନେଇ  ସୂଚନା ଦେଇଛନ୍ତି। ତେବେ ପ୍ରାଥମିକ ଅନୁସନ୍ଧାନରେ ଏହା ପାରିବାରିକ ଅଶାନ୍ତି ଲାଗି ହୋଇଥିବାର ସନ୍ଦେହ କରାଯାଉଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବେଆଇନ ମାଙ୍କଡା ପଥର ଖଣି ଉପରେ ଚଢାଉ: ୬ ଅଭିଯୁକ୍ତଙ୍କୁ ଗିରଫ କଲା ଚାନ୍ଦପୁର ପୋଲିସ

ଚାନ୍ଦପୁର: ନୟାଗଡ଼ ଜିଲ୍ଲା ଚାନ୍ଦପୁର ପୋଲିସ ରାଜ ଜଙ୍କିଆ ସ୍ଥିତ ଡୁଙ୍ଗପରି ଅଞ୍ଚଳରେ ଏକ ବେଆଇନ ମାଙ୍କଡା ପଥର ଖଣିରେ ଚଢ଼ାଉ କରି ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଉକ୍ତ ସ୍ଥାନରୁ ଦୁଇ ଗୋଟି ଗାଡ଼ି ଏବଂ ୧ ଟି ପଥରକଟା ମେସିନ ମଧ୍ୟ ଜବତ କରିଛି ପୋଲିସ।

ତେବେ ଏହି ପରିପ୍ରେକ୍ଷୀରେ ଅଭିଯୁକ୍ତଙ୍କ ବିରୋଧରେ କେଶ ନମ୍ବର ୬୧/୨୨ ରେ ଚାନ୍ଦପୁର ପୋଲିସ ମାମଲା ରୁଜୁ କରିଥିବା ବେଳେ ଗିରଫ ହୋଇଥିବା ୬ ଜଣ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରିଥିବାର ଆଇଆଇସି ରଶ୍ମିରଞ୍ଜନ ଦାସ ସୂଚନା ଦେଇଛନ୍ତି।

ସୂଚନା ଥାଉକି ଚଳିତ ବର୍ଷ ଆଜି ସୁଦ୍ଧା ଚାନ୍ଦପୁର ଥାନା ଅଞ୍ଚଳରେ ବେଆଇନ ଖଣି ଉପରେ ଛଅ ଗୋଟି ସଫଳ ଚଢ଼ାଉ ହୋଇଛି।

Categories
PanchayatElection ଅପରାଧ ଆଜିର ଖବର

ନିର୍ବାଚନ ସମୟରେ ମହଙ୍ଗା ପଡିଲା ମଦ ଟଙ୍କା ବାଣ୍ଟିବା, ୩ ପ୍ରାର୍ଥୀଙ୍କୁ ଅଟକ ରଖିଲା ଚାନ୍ଦପୁର ପୋଲିସ

ଚାନ୍ଦପୁର: ଦ୍ଵିତୀୟ ପର୍ଯ୍ୟାୟ ମତଦାନ ପାଇଁ ଆଉ ମାତ୍ର କିଛି ଘଣ୍ଟା ବାକି ରହିଛି। ଏଭଳି ଘଡି ସନ୍ଧି ମୂହୁର୍ତ୍ତରେ ସବୁ ରାଜନୈତିକ ଦଳ ନିଜ ନିଜର ସମର୍ଥିତ ପ୍ରାର୍ଥୀଙ୍କୁ ଜିତାଇବାକୁ ଜୋର ଲଗାଇଦେଇଛନ୍ତି।

ଏପରି ସ୍ଥଳେ ନୟାଗଡ ଜିଲା ଚାନ୍ଦପୁର ଥାନା ମୟୁର ଝାଲିଆ ପଂଚାୟତରେ ଆସନ୍ତା କାଲି ନିର୍ବାଚନ ହେବ। ଏହି ପଂଚାୟତରୁ ପ୍ରତିଦ୍ୱନ୍ଦିତା କରୁଥିବା ସରପଂଚ, ସମିତି ସଭ୍ୟ, ୱାର୍ଡ ସଭ୍ୟ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଗତ କାଲି ବିଳମ୍ବିତ ରାତିରେ କେତେକ ଲୋକ ଟଙ୍କା ବାଣ୍ଟୁଥିବା ବେଳେ ସେଠାରେ ପହଂଚି ଗ୍ରାମବାସୀ ମାନେ ବିରୋଧ କରିଥିଲେ। ଗ୍ରାମବାସୀମାନଙ୍କର ବିରୋଧ ଦେଖି ପ୍ରାର୍ଥୀ ମାନେ ଆଣିଥିବା ମଦ ଟଙ୍କା ସହ ଖସି ପଳାଉଥିବା ବେଳେ ଗ୍ରାମବାସୀ ମାନେ ପ୍ରାର୍ଥୀଙ୍କୁ ଘେରିଯାଇ ଚାନ୍ଦପୁର ପୋଲିସ୍ କୁ ଖବର ଦେଇଥିଲେ।

ଘଟଣା ସ୍ଥଳରେ ଚାନ୍ଦପୁର ଆଇଆଇସି ରଶ୍ମିରଂଜନ ଦାସ ପହଂଚି ୨ଜଣ ପ୍ରାର୍ଥୀଙ୍କ ସହ ଜଣେ ୱାର୍ଡ ସଭ୍ୟାଙ୍କର ପ୍ରାର୍ଥୀଙ୍କୁ ଅଟକ ରଖିଛନ୍ତି। ସେମାନେ ହେଲେ ସରପଂଚ ପ୍ରାର୍ଥୀ ସୁଶାନ୍ତ କୁମାର କଳସ, ସମିତି ସଭ୍ୟ ପ୍ରାର୍ଥୀ ମନ୍ମଥ ତ୍ରିପାଠୀ ଓ ୱାର୍ଡ ସଭ୍ୟ ପ୍ରାର୍ଥୀ ପ୍ରାର୍ଥୀଙ୍କ ସ୍ୱାମୀ ନଣ୍ଡା ମହାରଣା।

ଏହି ୩ ଜଣଙ୍କୁ ଚାନ୍ଦପୁର ପୋଲିସ୍ ଅଟକ ରଖି ତଦନ୍ତ ଚଳାଇଛି। ସେମାନଙ୍କ ନିକଟରୁ ୨ ଟି ବାଇକ୍ ସହ ୧୦ ଲିଟର ମଦ ଜବତ ଓ ପୁସିଂ କାର୍ଡ ଜବତ କରାଯାଇଛି।

Categories
PanchayatElection ଅପରାଧ ଆଜିର ଖବର ରାଜ୍ୟ ଖବର

ପଞ୍ଚାୟତ ନିର୍ବାଚନ ପୂର୍ବରୁ ଅସାମାଜିକଙ୍କୁ ସାବାଡ଼ କରିବା ଉଦ୍ଦେଶ୍ୟରେ ଚାନ୍ଦପୁର ପୋଲିସର ଫ୍ଲାଗମାର୍ଚ୍ଚ

ଚାନ୍ଦପୁର: ଆସୁଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ। ଚଳିତ ଥର କରୋନା ମହାମାରୀ ଲାଗି ନିର୍ବାଚନ କମିଶନର ପଞ୍ଚାୟତ ନିର୍ବାଚନ ପାଇଁ ଏକାଧିକ କଟକଣା ଲଗାଇଥିଲେ ସୁଦ୍ଧା ଅସାମାଜିକ ବ୍ୟକ୍ତିମାନେ ସଦା ସର୍ବଦା ନିର୍ବାଚନ ସମୟରେ ବିଶୃଙ୍ଖଳା ସୃଷ୍ଟି କରିବା ପାଇଁ ଅନେଇ ବସିଥାନ୍ତି।

ଏହି ପରିପ୍ରେକ୍ଷୀରେ ଆଜି ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା ଅଞ୍ଚଳରେ ଆଇଆଇସି ରଶ୍ମିରଂଜନ ଦାସଙ୍କ ନେତୃତ୍ୱରେ ପୋଲିସର ଫ୍ଲାଗ ମାର୍ଚ୍ଚ ଅନୁଷ୍ଠିତ ହୋଇଯାଇଛି। ଚାନ୍ଦପୁର, କନ୍ଧ ନୟାଗଡ଼, ଜଙ୍କିଆ ଏବଂ ଓସ୍ତାପଡ଼ା ଅଞ୍ଚଳରେ ଏହି ଫ୍ଲାଗମାର୍ଚ୍ଚ କରାଯାଇଛି। ଅସାମାଜିକ ବ୍ୟକ୍ତିମାନଙ୍କୁ କଡ଼ା ସନ୍ଦେଶ ଦେବା ଏହାର ମୁଖ୍ୟ ଉଦ୍ଦେଶ୍ୟ।

ଅପରାଧମୁକ୍ତ, ମଦମୁକ୍ତ ନିର୍ବାଚନ କରିବାପାଇଁ ଚାନ୍ଦପୁର ପୋଲିସ ଅଣ୍ଟା ଭିଡିଛି। ଯଦି କୌଣସି ଅସାମାଜିକ ବ୍ୟକ୍ତି କିମ୍ବା ରାଉଡ଼ି ନିର୍ବାଚନ ସମୟରେ ବିଶୃଙ୍ଖଳା ସୃଷ୍ଟି କରନ୍ତି କିମ୍ବା ଭୋଟରଙ୍କୁ ଡରାନ୍ତି, ତେବେ ସେମାନଙ୍କୁ ସଙ୍ଗେସଙ୍ଗେ ଗିରଫ କରାଯିବ ବୋଲି ଆଇଆଇସି ଶ୍ରୀ ଦାସ କହିଛନ୍ତି।

ସୂଚନା ଥାଉ କି ଅଦ୍ୟାବଧି ଚାନ୍ଦପୁର ଥାନା ଅଧୀନରେ ଥିବା ଏଗାର ଗୋଟି ଗ୍ରାମ ପଞ୍ଚାୟତର ୧୦୨ ଜଣ ଅସାମାଜିକ ତଥା ରାଉଡ଼ି ବ୍ୟକ୍ତିଙ୍କୁ ଚି଼ହ୍ନଟ କରାଯାଇ ସେମାନଙ୍କ ବିରୋଧରେ ଫେବୃଆରୀ ୨୮ ତାରିଖ ପର୍ଯ୍ୟନ୍ତ ଅଗ୍ରିମ ୱାରେଣ୍ଟ ବାହାର କରାଯାଇଅଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଚୋରୀ ହେବାର ୬ ଘଣ୍ଟା ମଧ୍ୟରେ ବୁଲେଟ ଚୋରକୁ ବାନ୍ଧିଲା ଚାନ୍ଦପୁର ପୋଲିସ

ଚାନ୍ଦପୁର: ବୁଲେଟ ମଟରସାଇକେଲ ଚୋରି କରି ନେଉଥିବାବେଳେ ଜାତୀୟ ରାଜପଥରେ ଚୋରକୁ ମାଡିବସିଲା ପୋଲିସ। ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା ଅଞ୍ଚଳରେ ଏଭଳି ଘଟଣା ଘଟିଛି।

ସୂଚନା ମୁତାବକ ଚାନ୍ଦପୁର ଥାନା ଚମ୍ପାଗଡ଼ ଗ୍ରାମର କେଦାର ପରିଡ଼ା ଗତକାଲି ରାତିରେ ଶୋଇଥିବାବେଳେ ତାଙ୍କ ଘରେ ଜଣେ ଦୁର୍ବୁତ୍ତ ପସି ବୁଲେଟ ମଟରସାଇକେଲ ଚୋରି କରି ଫେରାର ହୋଇଯାଇଥିଲେ। ଏହାପରେ ଚୋରି ହୋଇଥିବା ଜାଣିପାରି ଚାନ୍ଦପୁର ପୋଲିସକୁ କେଦାର ସଙ୍ଗେସଙ୍ଗେ ଏକ ଲିଖିତ ଅଭିଯୋଗ କରିଥିଲେ। ଆଇଆଇସି ରଶ୍ମିରଂଜନ ଦାସ ତୁରନ୍ତ ନାଇଟ ପାଟ୍ରୋଲିଂ ଟିମ ସହ ଘଟଣାର ତଦନ୍ତ ଆରମ୍ଭ କରିଦେଇଥିଲେ।

ତେବେ ଛଅ ଘଣ୍ଟା ମଧ୍ୟରେ ଚୋରକୁ ଧରିବାରେ ଚାନ୍ଦପୁର ପୋଲିସ ସଫଳ ହୋଇଥିଲା।  ଅଭିଯୁକ୍ତ ଜଣକ ହେଉଛନ୍ତି ଗଞ୍ଜାମ ଜିଲ୍ଲା ଜରଡ଼ା ଥାନା ଅଞ୍ଚଳର ଦୁର୍ଯ୍ୟୋଧନ ଗଜି।  ଅଭିଯୁକ୍ତଙ୍କ ଠାରୁ ଚୋରି ବୁଲେଟ ଜବତ କରି ଅଭିଯୋଗକାରୀଙ୍କୁ ହସ୍ତାନ୍ତର କରିବା ସହ ଗିରଫ ଅଭିଯୁକ୍ତଙ୍କ ବିରୋଧରେ ଚାନ୍ଦପୁର ଥାନାରେ କେସ ନମ୍ବର ୧୬୮/୨୧ ରେ ମାମଲା ରୁଜୁ କରି ଆଜି କୋର୍ଟଚାଲାଣ କରାଯାଇଥିବାର ଆଇଆଇସି ଶ୍ରୀ ଦାସ ସୂଚନା ଦେଇଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ଠାରୁ ମାରଧାର କରି ଲୁଟ୍: କିଛି ଘଣ୍ଟା ମଧ୍ୟରେ ଅଭିଯୁକ୍ତକୁ ବାନ୍ଧିଲା ଚାନ୍ଦପୁର ପୋଲିସ

ଚାନ୍ଦପୁର: ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା ଅଞ୍ଚଳରେ ଅନେକ ଅସାମାଜିକ ଯୁବକଙ୍କ ପାଦୁର୍ଭାବ ଦେଖିବାକୁ ମିଳିଛି। ଉକ୍ତ ଅଞ୍ଚଳରେ ଲୁଟ, ଡକାୟତ ଭଳି ଅନେକ ଘଟଣା ସାମ୍ନାକୁ ଆସୁଥିବା ବେଳେ ସେସବୁକୁ ବ୍ରେକ ଲଗାଇବା ପାଇଁ ଚାନ୍ଦପୁର ପୋଲିସ ପ୍ରୟାସ ଜାରି ରଖିଛି। ତେବେ ଗତକାଲି ମଧ୍ୟ ଜଣେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ଠାରୁ ଲୁଟପାଟ ଘଟଣା ଦେଖିବାକୁ ମିଳିଛି। କିନ୍ତୁ ପୋଲିସର ତ୍ଵରିତ କାର୍ଯ୍ୟାନୁଷ୍ଠାନ ଯୋଗୁଁ ଉକ୍ତ ଦିବ୍ୟାଙ୍ଗ ବ୍ୟକ୍ତିଜଣଙ୍କ ନିଜର ଟଙ୍କା ଫେରିପାଇବା ସହ ଅଭିଯୁକ୍ତକୁ ଗିରଫ କରାଯାଇଛି।

ସୂଚନା ଅନୁଯାୟୀ, ଚାନ୍ଦପୁର ଥାନା ଅନ୍ତର୍ଗତ ଉପେନ୍ଦ୍ରପୁର ଗ୍ରାମର ସୁରସେନ ନାୟକ ନାମକ ଜଣେ ଦିବ୍ୟାଙ୍ଗ ବ୍ୟକ୍ତି ନିଜ ସାଇକେଲ ଯୋଗେ ଘରକୁ ଫେରୁଥିଲେ। ହେଲେ କବିରାଜ ପଲେଇ ନାମକ ଜଣେ ଅସାମାଜିକ ବ୍ୟକ୍ତି ସୁରସେନଙ୍କ ବାଟ ଓଗାଳିବା ସହ ତାଙ୍କୁ ମାରଧାର କରିଥିଲେ। ଏବଂ ତାଙ୍କ ପକେଟରୁ ୪ ହଜାର ୫ ଶହ ଟଙ୍କା ଲୁଟି ନେଇ ଫେରାର ହୋଇଯାଇଥିଲେ।

ଏ ନେଇ ସୁରସେନ ଚାନ୍ଦପୁର ଥାନାରେ ଲିଖିତ ଅଭିଯୋଗ କଲା ପରେ ପୋଲିସ ୧୦ ଘଣ୍ଟା ମଧ୍ୟରେ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ତାଙ୍କ ନିକଟରୁ ଲୁଟ ଟଙ୍କା ଜବତ କରିଛି। ପରେ ଏହି ଟଙ୍କାକୁ ପୋଲିସ ଅଭିଯୋଗକାରୀଙ୍କୁ ହସ୍ତାନ୍ତର କରିଛି। ତେବେ ଅଭିଯୁକ୍ତ କବିରାଜଙ୍କ ବିରୋଧରେ ଚାନ୍ଦପୁର ଥାନାରେ କେସ ନମ୍ବର ୧୬୨/୨୧ ରେ ଏକ ମାମଲା ରୁଜୁ କରି କୋର୍ଟଚାଲାଣ କରାଯାଇଥିବାର ଆଇଆଇସି ରଶ୍ମିରଂଜନ ଦାସ ସୂଚନା ଦେଇଛନ୍ତି।

ସୂଚନା ଥାଉ କି ବିଗତ ଦିନ ମଧ୍ୟରେ ଚାନ୍ଦପୁର ଥାନା ଅଞ୍ଚଳର ପାଖାପାଖି ୮୦ ଜଣ ଦୁର୍ବୁତ୍ତ ପୋଲିସ ଦ୍ୱାରା ଗିରଫ ହୋଇ ବର୍ତ୍ତମାନ ରଣପୁର ସବ ଜେଲରେ ଅଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଘରେ ପଶି କାର ଚୋରି କରିବା ଅଭିଯୋଗ: ଅଭିଯୁକ୍ତକୁ ଗିରଫ କଲା ଚାନ୍ଦପୁର ପୋଲିସ

ଚାନ୍ଦପୁର: ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା ଅନ୍ତର୍ଗତ ଚମ୍ପାଗଡ଼ ଅଞ୍ଚଳରେ ଘରେ ପଶି କାର ଚୋରି କରିବା ଅଭିଯୋଗରେ ଜଣେ ଯୁବକକୁ ଚାନ୍ଦପୁର ପୋଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳର ଦୀପକ ତ୍ରିପାଠୀ।

ସୂଚନା ମୁତାବକ ଗତକାଲି ମଧ୍ୟ ରାତ୍ରିରେ ଚମ୍ପାଗଡ଼ ଅଞ୍ଚଳର ସୁକାନ୍ତ ଦାସ ଘରେ ଶୋଇଥିବା ବେଳେ ଦୀପକ ତାଙ୍କ ଘରେ ପଶି ଏକ ମାରୁତି ଅଲ୍ଟୋ କାର ଚୋରି କରି ନେଇଯାଇଥିଲେ। ଏହା ଜାଣିପାରି ସଙ୍ଗେ ସଙ୍ଗେ ସୁକାନ୍ତ ଚାନ୍ଦପୁର ଆଇଆଇସି ରଶ୍ମିରଞ୍ଜନ ଦାସଙ୍କୁ ସୂଚନା ଦେଇଥିଲେ।

ଘଟଣାକୁ ଗୁରୁତ୍ୱର ସହ ନେଇ ଆଇଆଇସି ଶ୍ରୀ ଦାସ ସଙ୍ଗେ ସଙ୍ଗେ ନାଇଟ ପେଟ୍ରୋଲିଙ୍ଗ ଟିମ ସହ ଘଟଣାସ୍ଥଳରେ ପହଞ୍ଚି ଦୀପକଙ୍କୁ ପିଛା କରିବା ସହ ତାଙ୍କୁ କାବୁ କରିନେଇଥିଲେ।  ତେବେ ଚୋରା ଗାଡିଟି ତାଙ୍କ ନିକଟରୁ ଉଦ୍ଧାର କରିବା ସହ ତାଙ୍କ ବିରୁଦ୍ଧରେ କେସ ନମ୍ବର ୧୫୯/୨୧ ରେ ମାମଲା ରୁଜୁ କରିବା ସହ କୋର୍ଟ ଚାଲାଣ କରାଯାଇଥିବାର ସୂଚନା ଦେଇଛନ୍ତି ଆଇଆଇସି ଶ୍ରୀ ଦାସ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଆନ୍ତଜିଲ୍ଲା ବାଇକ୍ ଚୋରଙ୍କୁ ଗିରଫ କଲା ଚାନ୍ଦପୁର ପୋଲିସ, ୮ ଟି ମଟରସାଇକେଲ ଜବତ

ଚାନ୍ଦପୁର: ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ଚାନ୍ଦପୁର ଥାନା ପୋଲିସ୍ ଆଜି ଦୁଇ ଜଣ ଆନ୍ତଜିଲ୍ଲା ବାଇକ୍ ଚୋରଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ଏକାଧିକ ଚୋରା ବାଇକ୍ ଜବତ କରିଛି।

ସୂଚନା ମୁତାବକ ଚାନ୍ଦପୁର ଥାନା ଅଞ୍ଚଳର ଟିଟୋଦେବ ସାମନ୍ତରାୟ ରାତିରେ ଶୋଇଥିବା ବେଳେ କେହି ଜଣେ ଦୁର୍ବୃତ୍ତ ତାଙ୍କ ଘରୁ ଏକ ସ୍ପେଣ୍ଡର ପ୍ଲସ ବାଇକ୍ ଟିକୁ ଚୋରିକରି ନେଇଯାଇଥିଲା। ଏ ନେଇ ଗତକାଲି ଟିଟୋଦେବ ଚାନ୍ଦପୁର ଥାନାରେ ଏକ ଲିଖିତ ଅଭିଯୋଗ କରିବାରୁ ପୋଲିସ୍ କେଶ ନଂ ୧୫୬/୨୧ ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲା।

ତେବେ ଆଜି ଏ ସଂକ୍ରାନ୍ତରେ ପୋଲିସ ଦୁଇ ଜଣ ଅଭିଯୁକ୍ତଙ୍କୁ ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଥାନା ଅଞ୍ଚଳରୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୮ ଟି ଚୋରା ମଟରସାଇକେଲ ଜବତ କରିଛି। ପଚରାଉଚୁରା ବେଳେ ଉକ୍ତ ଦୁଇ ଜଣ ଲୁଟେରା ଭୁବନେଶ୍ୱର, ଜଟଣୀ, ନୟାଗଡ଼ ଏବଂ ଖୋର୍ଦ୍ଧା ଅଞ୍ଚଳରୁ ୫୦ ରୁ ଉର୍ଦ୍ଧ୍ଵ ବାଇକ ଚୋରି କରିଥିବାର ପୋଲିସକୁ କହିଛନ୍ତି।

ତେବେ ଏହାକୁ ଗୁରୁତର ସହ ନେଇ ନୟାଗଡ଼ ଏସପିଙ୍କ ନିର୍ଦ୍ଦେଶକ୍ରମେ ଆଇଆଇସି ରଶ୍ମିରଂଜନ ଦାସଙ୍କ ନେତୃତ୍ୱରେ ଟିମ ଗଠନ କରାଯାଇ ବିଭିନ୍ନ ଜିଲ୍ଲାରେ ଚଢ଼ାଉ ଜାରି ରହିଛି। ସେହିପରି ଭାବେ ଜବତ ହୋଇଥିବା ଉକ୍ତ ୮ ଟି ଚୋରା ବାଇକଗୁଡିକୁ ସେମାନଙ୍କ ପ୍ରକୃତ ମାଲିକଙ୍କୁ ହସ୍ତାନ୍ତର କରାଯାଇଛି। ଲୋଭର ବଶବର୍ତ୍ତୀ ହୋଇ ସ୍ୱଳ୍ପ ମୂଲ୍ୟରେ ବିନା କାଗଜପତ୍ରରେ ଚୋରା ବାଇକ ନକିଣିବା ଲାଗି ଜନସାଧାରଣଙ୍କୁ ଆଇଆଇସି ଶ୍ରୀ ଦାସ ପରାମର୍ଶ ଦେଇଛନ୍ତି।  ଅନ୍ୟଥା ଚୋରା ବାଇକ ଯିଏ କିଣିବ, ସେମାନଙ୍କ ବିରୋଧରେ ମଧ୍ୟ ଅପରାଧିକ ମାମଲା ରୁଜୁ ହେବ ବୋଲି ଆଇଆଇସି ଶ୍ରୀ ଦାସ କହିଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ରୋଗୀଙ୍କୁ ଶୀଘ୍ର ଚିକିତ୍ସା କରାଇଦେବାକୁ କହି ଚାନ୍ଦା ଆଦାୟ କରୁଥିଲେ ଯୁବକ, ବାନ୍ଧିଲା ଚାନ୍ଦପୁର ପୋଲିସ

ନୟାଗଡ଼/ଚାନ୍ଦପୁର: ଆଜିକାଲି ସରକାରୀ ହସ୍ପିଟାଲରେ ଦଲାଲମାନଙ୍କର ପାଦୁର୍ଭାବ ବଢିବାରେ ଲାଗିଛି। ବହିଃବିଭାଗରେ ଚିକିତ୍ସା ଶୀଘ୍ର କରେଇଦେବାକୁ କହି ରୋଗୀଙ୍କ ଠାରୁ ଦଲାଲମାନେ ଟଙ୍କା ଲୁଟୁଥିବା ଦେଖିବାକୁ ମିଳୁଛି। ତେଣୁ ଏନେଇ ରାଜ୍ୟର ବିଭିନ୍ନ ମେଡିକାଲରେ ବାରମ୍ବାର ଅଭିଯୋଗ ହେଉଛି। ତେଣୁ ଏଭଳି ଘଟଣା ମଧ୍ୟ ନୟାଗଡ ଜିଲ୍ଲା ଚାନ୍ଦପୁର ହସ୍ପିଟାଲରେ ଘଟୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରୁଛନ୍ତି।

ତେବେ ହସ୍ପିଟାଲରୁ ଦଲାଲମୁକ୍ତ କରାଇବା ପାଇଁ ଚାନ୍ଦପୁର ପୋଲିସ ଅଣ୍ଟା ଭିଡିଛି। ଆଜି ହସ୍ପିଟାଲରେ କାର୍ଯ୍ୟାନୁଷ୍ଠାନ କରି ଜଣେ ଦଲାଲକୁ ଗିରଫ କରି କୋର୍ଟଚାଲାଣ କରିଛି ଚାନ୍ଦପୁର ପୋଲିସ।

ଚାନ୍ଦପୁର ଆଇଆଇସି ରଶ୍ମିରଞ୍ଜନ ଦାସଙ୍କ ସୂଚନା ଅନୁଯାୟୀ ଗତକାଲି ଚାନ୍ଦପୁର ସ୍ଥିତ ବସନ୍ତ ମଞ୍ଜରୀ ଡାକ୍ତରଖାନାରେ ସଞ୍ଜିତ ଆଚାର୍ଯ୍ୟ ନାମକ ଜଣେ ଯୁବକ ଦୂରଦୁରାନ୍ତରୁ ଆସୁଥିବା ଏକାଧିକ ରୋଗୀଙ୍କ ଠାରୁ ସୁବିଧାରେ ଡାକ୍ତର ଚେକଅପ କରେଇଦେବା ଆଳରେ ଦାଦାବଟି ଭାବେ ବହୁ ଟଙ୍କା ଦାବି କରୁଥିଲେ। ଏପରିକି ରୋଗୀମାନଙ୍କୁ ରସିଦ ମଧ୍ୟ ଦେଉନଥିଲେ। ତେବେ ଗତକାଲି ଅଭିଯୁକ୍ତଜଣଙ୍କ ମେଡିକାଲ ଅଧିକାରୀ ଡାକ୍ତର ପ୍ରଭାତ ସାହୁଙ୍କୁ ମଧ୍ୟ ବେଆଇନ କାର୍ଯ୍ୟ କରିବାକୁ ବାଧ୍ୟ କରିଥିଲେ। କିନ୍ତୁ ଯାହାକୁ ଡାକ୍ତର ପ୍ରଭାତ ଅସ୍ଵୀକାର କରିଥିଲେ। ଫଳରେ ଅଭିଯୁକ୍ତଜଣଙ୍କ ଡାକ୍ତରଙ୍କୁ ଧମକାଇବାକୁ ପଛାଇ ନଥିଲେ।

ଏହାପରେ ଡାକ୍ତର ଚାନ୍ଦପୁର ପୋଲିସକୁ ଲିଖିତ ଅଭିଯୋଗ କରିବାରୁ ପୋଲିସ କେସ ନମ୍ବର ୧୩୯/୨୧ ରେ ଏକ ମାମଲା ରୁଜୁକରି ସଞ୍ଜିତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଅନୁରୂପ ଭାବେ ଯଦି ଏପରି କୌଣସି ଦଲାଲ ଚାନ୍ଦପୁର ମେଡିକାଲ ଅଞ୍ଚଳରେ ଦେଖାଯାଆନ୍ତି, ତେବେ ତୁରନ୍ତ ପୋଲିସକୁ ଖବର ଦେବାପାଇଁ ଆଇଆଇସି ଶ୍ରୀ ଦାସ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଚାନ୍ଦପୁର ପୋଲିସକୁ ମିଳିଛି ବଡ ସଫଳତା: ଡକାୟତ ମାମଲାରେ ଫେରାର ଥିବା ୧୦ ଜଣ ଅଭିଯୁକ୍ତଙ୍କୁ କଲା ଗିରଫ

ଚାନ୍ଦପୁର: ନୟାଗଡ ଜିଲ୍ଲା ଅନ୍ତର୍ଗତ ଚାନ୍ଦପୁର ପୋଲିସକୁ ଆଜି ବଡ ସଫଳତା ମିଳିଛି। ଏକ ଡକାୟତ ମାମଲାରେ ପୂର୍ବରୁ ଫେରାର ଥିବା ୧୦ ଜଣ ଦୁର୍ବୁତ୍ତଙ୍କୁ ଆଜି ଗୋଟିଏ ଦିନରେ ପୋଲିସ ଗିରଫ କରିଛି।

ସୂଚନା ମୁତାବକ ଗତବର୍ଷ ରାଇପଡ଼ା ଗ୍ରାମରେ ହୋଇଥିବା ବଡ଼ ଡକାୟତି ଘଟଣାରେ ଚାନ୍ଦପୁର ପୋଲିସ ୩୯/୨୦ ରେ ମାମଲା ରୁଜୁକରି ପୂର୍ବରୁ ଜଣଙ୍କୁ ଗିରଫ କରିଥିବାବେଳେ ଅନ୍ୟ ସହଯୋଗୀ ମାନେ ଫେରାର ଥିଲେ। ତେବେ ବହୁ ପରିଶ୍ରମ ପରେ ଆଜି ସକାଳୁ ଚାନ୍ଦପୁର ପୋଲିସ ଉକ୍ତ ମାମଲାରେ ଜଡିତ ଥିବା ୧୦ ଜଣ ଡକାୟତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।

ସେହିପରିଭାବେ ରାଜ୍ୟ ସରକାରଙ୍କ ଅକାଳ ମୃତ୍ୟୁ ଯୋଜନା ଅନ୍ତର୍ଗତ ବହୁ ହିତାଧିକାରୀଙ୍କ ନିକଟରୁ ଠକେଇ, ଦାଦାବଟି ଆଦାୟ ଏବଂ ଲାଞ୍ଚ କାରବାରରେ ଜଡିତ ଥିବା ଓଡଗାଁ ଅଞ୍ଚଳର ସୁଜନ ନାହାକ ନାମକ ଜଣେ ବ୍ୟକ୍ତିଙ୍କୁ ମଧ୍ୟ ଚାନ୍ଦପୁର ପୋଲିସ ଆଜି ଗିରଫ କରି କୋର୍ଟଚାଲାଣ କରିଛି। ତାଙ୍କ ବିରୋଧରେ କେସ ନମ୍ବର ୧୧୮/୨୧ ରେ ମାମଲା ରୁଜୁହୋଇଥିବାର ଚାନ୍ଦପୁର ଆଇଆଇସି ରଶ୍ମିରଂଜନ ଦାସ ସୂଚନା ଦେଇଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଚାନ୍ଦପୁର ପୋଲିସକୁ ବଡ଼ ସଫଳତା: ଜବତ କଲା ୨୦ ଲକ୍ଷରୁ ଊର୍ଦ୍ଧ୍ଵ ଗଞ୍ଜେଇ, ଦୁଇ ଗିରଫ

ନୟାଗଡ଼/ଚାନ୍ଦପୁର: ନୟାଗଡ଼ ଜିଲ୍ଲା ଚାନ୍ଦପୁର ପୋଲିସକୁ ବଡ଼ ସଫଳତା ମିଳିଛି। ଗୋଟିଏ କାରରୁ ଏକ କୁଇଣ୍ଟାଲରୁ ଉର୍ଦ୍ଧ୍ଵ ଗଞ୍ଜେଇ ଜବତ କରିବା ସହ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ।

ସୂଚନା ମୁତାବକ ଗତକାଲି ସଂଧ୍ୟାରେ ଏକ ହୋଣ୍ଡା ସିଟି ଗାଡ଼ିରେ ଗଞ୍ଜେଇ ବିକ୍ରି ପାଇଁ ଯାଉଥିବାର ସୂଚନା ପାଇଥିଲେ ଆଇଆଇସି ରଶ୍ମିରଂଜନ ଦାସ। ବିଳମ୍ବ ନକରି ନିଜ ଟିମ ସହ ଉକ୍ତ ଗାଡିର ଅନୁସନ୍ଧାନ ଜାରି ରଖିଥିବା ବେଳେ ରାଇପଡ଼ା ଠାରେ ଉକ୍ତ ଗାଡିକୁ ଠାବ କରି ଚଢ଼ାଉ କରିଥିଲେ। ତଲାସୀ ବେଳେ ପୋଲିସ କାରରୁ ଏକ କୁଇଣ୍ଟାଲରୁ ଉର୍ଦ୍ଧ୍ଵ ଗଞ୍ଜେଇ ସହ ନକଦ ୯୫ ହଜାର ଟଙ୍କା ଜବତ କରିବା ସହ କାର କୁ ସିଜ କରିଛି।

ଜବତ ହୋଇଥିବା ଗଞ୍ଜେଇର ମୂଲ୍ୟ ୨୦ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ଵ ହେବ ବୋଲି ଜଣାପଡିଛି। ଗିରଫ ଅଭିଯୁକ୍ତଙ୍କ ବିରୋଧରେ ଚାନ୍ଦପୁର ପୋଲିସ ୨୯ ଏନଡ଼ିପିଏସ ଅଧିନିୟମ ଅନୁଯାୟୀ କେସ ନମ୍ବର ୧୧୪/୨୧ ରେ ମାମଲା ରୁଜୁ କରି ଆଜି କୋର୍ଟଚାଲାଣ କରିଛି।

ତେବେ ଗିରଫ ଅଭିଯୁକ୍ତ ଦ୍ଵୟ ଦୀର୍ଘ ୫ ବର୍ଷ ହେଲା ଗଞ୍ଜେଇ ବେପାର କରୁଥିଲେ ଏବଂ ଗତ ୬ ମାସ ହେଲା ଚାନ୍ଦପୁର ଆଇଆଇସି ବ୍ୟକ୍ତିଗତ ଭାବେ ସେମାନଙ୍କ ଗତିବିଧି ଉପରେ ନଜର ରଖୁଲେ। ଉକ୍ତ ଚଢ଼ାଉରେ ଆଇଆଇସିଙ୍କ ବ୍ୟତୀତ ଏସଆଇ ଅଞ୍ଜଳି ସା, ଏଏସଆଇ ରମେଶ ବେହରା ଏବଂ ଅନ୍ୟ କର୍ମଚାରୀମାନେ ସାମିଲ ଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ମହିଳାଙ୍କ ନକଲି ଦସ୍ତଖତ କରି ଲକ୍ଷାଧିକ ଟଙ୍କା ଠକେଇର ପର୍ଦ୍ଦାଫାସ୍: ଅଭିଯୁକ୍ତକୁ ଗିରଫ କଲା ଚାନ୍ଦପୁର ପୋଲିସ

ଚାନ୍ଦପୁର/ନୟାଗଡ: ଜନୈକ ବରିଷ୍ଠ ନାଗରିକଙ୍କ ଆକାଉଣ୍ଟରୁ ନକଲି ଦସ୍ତଖତ କରି ଲକ୍ଷାଧିକ ଟଙ୍କାର ଠକେଇ ଅଭିଯୋଗ ହୋଇଥିଲା। ପୋଲିସର ସହଯୋଗ ଦ୍ୱାରା ଅଭିଯୋଗାକାରୀ ତାଙ୍କର ଠକେଇ ହୋଇଥିବା ଲକ୍ଷାଧିକ ଟଙ୍କା ଫେରିପାଇଛନ୍ତି। ନୟାଗଡ ଜିଲ୍ଲା ଚାନ୍ଦପୁର ଥାନା ଅଞ୍ଚଳରେ ଏପରି ଘଟଣା ଘଟିଯାଇଛି।

ସୂଚନା ମୁତାବକ ହରିହରପୁର ଗ୍ରାମର ମିନା କୁମାରି ନାୟକଙ୍କ କମାଗୁରୁ ଷ୍ଟେଟ ବ୍ୟାଙ୍କରେ ଏକ ଆକାଉଣ୍ଟ ଅଛି। ନିକଟରେ ଉକ୍ତ ଆକାଉଣ୍ଟରୁ କେହି ଜଣେ ଦୁର୍ବୁତ୍ତ ମିନା କୁମାରୀଙ୍କ ଜାଲ ଦସ୍ତଖତ କରି ୧ ଲକ୍ଷ ୨୦ ହଜାର ଟଙ୍କା ତାଙ୍କ ଖାତାରୁ ଉଠାଇନେଇଥିଲା। ଏ ନେଇ ମିନା କୁମାରୀ ଚାନ୍ଦପୁର ଥାନାରେ ଲିଖିତ ଅଭିଯୋଗ କରିବା ପରେ ଆଇଆଇସି ରଶ୍ମିରଞ୍ଜନ ଦାସ କେସ ନମ୍ବର ୮୪/୨୧ ରେ ଏକ ଠକେଇ ମାମଲା ରୁଜୁ କରିଥିଲେ। ନୟାଗଡ ଏସପି ଙ୍କ ତତ୍ୱାବଧାନରେ ଆଇଆଇସି ଶ୍ରୀ ଦାସ ଏସଆଇ ଅଞ୍ଜଳି ସା ଙ୍କ ସହଯୋଗରେ ଉକ୍ତ ଘଟଣାର ତଦନ୍ତ ଜାରି ରଖିଥିଲେ।

ତେବେ ଆଜି ଆଇଆଇସି ଏବଂ ଟିମ ସମ୍ପୃକ୍ତ ଦୁର୍ବୁତ୍ତଙ୍କୁ ଠାବ କରିବା ସହ ତାଙ୍କ ନିକଟରୁ ଠକେଇ ହୋଇଥିବା ୧ ଲକ୍ଷ ୨୦ ହଜାର ଟଙ୍କା ଜବତ କରି ଅଭିଯୋଗକାରିଣୀ ମିନା କୁମାରୀଙ୍କୁ ହସ୍ତାନ୍ତର କରିଛନ୍ତି। ପୋଲିସର ତ୍ୱରିତ ପଦକ୍ଷେପ ପାଇଁ ମିନା କୁମାରୀ ଚାନ୍ଦପୁର ଆଇଆଇସିଙ୍କୁ ସାଧୁବାଦ ଜଣାଇଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଅଭିନଵ ଉପାୟରେ ରନ୍ଧନ ଗ୍ୟାସ ଟାଙ୍କି କରୁଥିଲେ ଚୋରୀ: ୨ ଜଣଙ୍କୁ ବାନ୍ଧିଲା ଚାନ୍ଦପୁର ପୋଲିସ

ଚାନ୍ଦପୁର: ନୟାଗଡ ଜିଲ୍ଲା ଚାନ୍ଦପୁର ଥାନା ଅଞ୍ଚଳରେ ଅଭିନବ ଉପାୟରେ କେତେଜଣ ଦୁର୍ବୃତ୍ତ ରନ୍ଧନ ଗ୍ୟାସ ଟାଙ୍କି ଚୋରୀ କରୁଥିବା ଦେଖିବାକୁ ମିଳିଛି। ଏହି ଘଟଣାରେ ୨ ଟି ଟାଙ୍କି ଜବତ କରିବା ସହ ୨ ଜଣ ଅଭିଯୁକ୍ତଙ୍କୁ ଚାନ୍ଦପୁର ପୋଲିସ ଗିରଫ କରିଛି।

ସୂଚନା ଅନୁଯାୟୀ, ଚାନ୍ଦପୁର ଥାନା ଅନ୍ତର୍ଗତ କଟକ ସହର ଗ୍ରାମରେ ଦୁଇଜଣ ଦୁର୍ବୃତ୍ତ ନିଜକୁ ହିନ୍ଦୁସ୍ତାନ ପେଟ୍ରୋଲିୟମ କଂପାନୀର  କର୍ମଚାରୀ ପରିଚୟ ଦେଇ ମହିଳା ମାନଙ୍କୁ ଗ୍ୟାସ ଟାଙ୍କି ରିଫିଲିଙ୍ଗ୍ ପାଇଁ ମାଗୁଥିଲେ। ଗ୍ୟାସ ରିଫିଲଙ୍ଗ୍ ନକରିଲେ ଗ୍ୟାସ ଖାତା କଟିଯିବ କହି ମହିଳା ମାନଙ୍କୁ ସେମାନେ ପ୍ରବର୍ତ୍ତାଉଥିଲେ। ଫଳରେ ମହିଳାଙ୍କ ଠାରୁ ଉଭୟ ଦୁର୍ବୃତ୍ତ ଟାଙ୍କି ନେବାରେ ସଫଳ ହୋଇଥିଲେ। ପରବର୍ତ୍ତୀ ଅବସ୍ଥାରେ ମହିଳାମାନେ ଯେତେ ବେଳେ ଏହା ଏକ ଚୋରୀ ଘଟଣା ବୋଲି ଜାଣିବାକୁ ପାଇଲେ, ସେମାନେ ତୁରନ୍ତ ନିଜ ସମ୍ପର୍କୀୟଙ୍କୁ ଜଣାଇଲେ।

ତେବେ ଫେରାର ହେବା ବେଳେ ସେହି ଦୁଇଜଣ ଦୁର୍ବୃତ୍ତଙ୍କୁ ସ୍ଥାନୀୟ ଲୋକେ ଧରିବାରେ ସଫଳ ହୋଇଥିଲେ। ପରେ ସେହି ଦୁଇଜଣଙ୍କୁ ଲୋକେ ଚାନ୍ଦପୁର ଥାନାକୁ ହସ୍ତାନ୍ତର କଲେ। ଗିରଫ ୨ ଜଣ ହେଲେ  ରଣପୁର କଙ୍କିଆ ଗ୍ରାମର ବାଟୁଆ ନାୟକ (୨୨ ବର୍ଷ), ରାକେଶ ମହାନ୍ତି (୧୮ ବର୍ଷ) ବୋଲି ଜଣାପଡିଛି। ସେମାନଙ୍କ ନିକଟରୁ ପୋଲିସ୍ ଦୁଇଟି ଗ୍ୟାସ ଟାଙ୍କି ସହ ଗୋଟିଏ ବାଇକ୍ ଜବତ କରି ତଦନ୍ତ ଜାରି ରଖିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଓକିଲଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ସହ ନଗଦ ଟଙ୍କା ଚୋରୀ: ଚାନ୍ଦପୁର ପୋଲିସର ତନାଘନା ଜାରି

ଚାନ୍ଦପୁର: ଲକ୍ ଡାଉନ ରାତିରେ ଦୁର୍ବୃତ୍ତମାନେ ଓକିଲଙ୍କ ଘରୁ ଲକ୍ଷାଧୀକ ଟଙ୍କାର ସୁନା ଗହଣା ସହ ନଗଦ ଟଙ୍କା ଲୁଟି ନେଇଛନ୍ତି। ନୟାଗଡ ଜିଲ୍ଲା ଚାନ୍ଦପୁର ଥାନା ଅନ୍ତର୍ଗତ କୃଷ୍ଣଚନ୍ଦ୍ରପୁର ଗ୍ରାମରେ ଏଭଳି ଏକ ଘଟଣା ଘଟିଛି।

ସୂଚନା ମୁତାବକ, ଗତକାଲି ବିଳମ୍ବିତ ରାତିରେ ଚାନ୍ଦପୁର ଥାନା କୃଷ୍ଣଚନ୍ଦ୍ର ପୁର ଗ୍ରାମର ଜଣେ ଯୁବ ଓକିଲଙ୍କ ଘରେ ଦୁର୍ବୃତ୍ତମାନେ ପଶି ସୁନା ଗହଣା ସହ ନଗଦ ୩୦ ହଜାର ଟଙ୍କା ଲୁଟିନେଇଛନ୍ତି। ମୁଖ୍ୟ ଦ୍ୱାରର ତାଲା ଭାଙ୍ଗି ଲୁଟେରାମାନେ ଓକିଲଙ୍କ ଘରେ ପଶିଥିଲେ। ଘରେ ପଶିବା ପରେ ଦୁର୍ବୃତ୍ତମାନେ ଗଡରେଜ ଆଲମିରା ଭାଙ୍ଗି ସୁନା ଅଳଙ୍କାର ମଙ୍ଗଳ ସୂତ୍ର, ଚେନ୍, ମୁଦି, ଚୁଡି ଆଦି ଲୁଟିନେଇଛନ୍ତି। ସୁନା ଗହଣା ଯାହାର ମୁଲ୍ୟ ଆନୁମାନିକ ୪ ରୁ ୫ ଲକ୍ଷ ଟଙ୍କା ହେବ। ଏହା ସହ ଘରେ ଥିବା ୪୦ ଭରି ଓଜନର ରୂପା ଓ ୩୦ ହଜାର ଟଙ୍କା ଲୁଟ୍ ହୋଇଥିବା ନେଇ ଚାନ୍ଦପୁର ଥାନାରେ ଓକିଲ ଅମରେଶ କଳସ ଅଭିଯୋଗ କରିଛନ୍ତି।

ଅମରେଶ ହାଇକୋର୍ଟରେ ଓକିଲାତି କରୁଛନ୍ତି। ସପ୍ତାହନ୍ତ ସଟ୍ ଡାଉନ ଥିବାରୁ ଗତ କାଲି ରାତିରେ ଘରକୁ ସେ ଆସିଥିଲେ। ସେ ଘରେ ଶୋଇଥିବା ବେଳେ ଏହି ଲୁଟ୍ ହୋଇଛି। ତେବେ ଲୁଟେରା ମାନେ ସୁନା ଅଳଙ୍କାର ଲୁଟି ନେବା ପରେ ବାରି ପଟେ କିଛି ଆସବାବ ପତ୍ର ଫୋପଡା ଫିଙ୍ଗା ହୋଇଥିବା ଦେଖିବାକୁ ମିଳିଛି। ଚାନ୍ଦପୁର ଥାନାରେ ଅଭିଯୋଗ ପରେ ଏନେଇ ପୋଲିସ୍ ଅନୁସନ୍ଧାନ ଆରମ୍ଭ କରି ଦେଇଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଭୁଜାଲି ଦେଖାଇ ଜୋର ଜବରଦସ୍ତି ଚୋରି କରୁଥିଲେ ଗୋରୁ: ୩ ଜଣଙ୍କୁ ବାନ୍ଧିଲା ଚାନ୍ଦପୁର ପୋଲିସ୍

ନୟାଗଡ/ଚାନ୍ଦପୁର: ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ଚାନ୍ଦପୁର ଅଞ୍ଚଳରେ ବେଆଇନ ଗୋରୁ ଚାଲାଣକୁ ମୁଳୋତ୍ପାଟନ କରିବାକୁ ଅଣ୍ଟା ଭିଡିଛି ଚାନ୍ଦପୁର ପୋଲିସ। ଗତ ସପ୍ତାହରେ ପୋଲିସ ଏକ ଗୋରୁ ବୋଝେଇ ଗାଡ଼ିରୁ ୪ ଟି ଗୋରୁଙ୍କୁ ଉଦ୍ଧାର କରିଥିବାବେଳେ ଗତାକଲି ରାତିରେ ପୁଣି ୧୦ଟି ଗୋରୁଙ୍କୁ ଉଦ୍ଧାର କରିବା ସହ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।

ସୂଚନା ମୁତାବକ ଗତକାଲି ରାତିରେ ବେଗୁନିଆ ଜାମୁକୋଳି ଅଞ୍ଚଳରୁ ଲୋକଙ୍କୁ ଭୁଜାଲି ଦେଖାଇ ୧୦ଟି ଗୋରୁଙ୍କୁ ଜୋର ଜବରଦସ୍ତି ଚୋରି କରି ମାଫିଆ ମାନେ ଏକ କଣ୍ଟେନରରେ ନେଇ ଯାଉଥିଲେ। ତେବେ ଏ ଖବର ପାଇବା ମାତ୍ରେ ଚାନ୍ଦପୁର ଆଇଆଇସି ରଶ୍ମିରଂଜନ ଦାସ ତୁରନ୍ତ ଏସଆଇ ସଞ୍ଜୟ ମଲିକଙ୍କୁ ନେଇ ଏକ ଟିମ ଗଠନ କରି ଚାନ୍ଦପୁର ମସାଣି ସାହି ନିକଟରେ ଜଗି ରହିଥିଲେ। ଯେତେବେଳେ କଣ୍ଟେନର ମସାଣି ସାହି ପାର କଲା ପୋଲିସ କଣ୍ଟେନରକୁ ଗୋଡ଼େଇବାକୁ ଲାଗିଲା ଏବଂ ବଡ଼ପୋଖରୀଆ ନିକଟରେ ଉକ୍ତ କଣ୍ଟେନରକୁ କାବୁ କରିଥିଲା।

ତେବେ ଗାଡ଼ିରୁ ୧୦ଟି ଜୀବନ୍ତ ଗୋରୁଙ୍କୁ ଉଦ୍ଧାର କରିବା ସହ ତିନି ଜଣ ଗୋମାଫିଆଙ୍କୁ ଗିରଫ କରିଛି ପୋଲିସ। ଗିରଫ ଅଭିଯୁକ୍ତ ମାନେ ହେଲେ ଫିଦାତୁଲ୍ଲା ଖାନ, ଜାବର ଖାନ ଓ ରହିମ (ଛଦ୍ମନାମ)। ସମସ୍ତ ଅଭିଯୁକ୍ତ ବେଗୁନିଆ ଜାମୁକୋଳି ଅଞ୍ଚଳର ବୋଲି ଜଣାପଡିଛି।  ସେମାନଙ୍କ ନିକଟରୁ ଭୁଜାଲି, ମୋବାଇଲ, ନକଦ ଅର୍ଥ ଏବଂ ଅନ୍ୟ ଜିନିଷ ପୋଲିସ ଜବତ କରିଛି।

ସମସ୍ତଙ୍କ ବିରୁଦ୍ଧରେ ଚାନ୍ଦପୁର ଥାନାରେ କେସ ନମ୍ବର ୮୦/୨୧ ରେ ଏକ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଛି ବୋଲି ଆଇଆଇସି ରଶ୍ମିରଞ୍ଜନ ଦାସ ସୂଚନା ଦେଇଛନ୍ତି। ତେବେ ଚାନ୍ଦପୁର ଥାନା ଅଞ୍ଚଳରେ ବେଆଇନ ଗୋରୁ ଚାଲାଣକୁ ତିଳେ ହେଲେ ପ୍ରଶୟ ଦିଆଯିବ ନାହିଁ ଏବଂ ଅଗାମୀଦିନରେ ଗୋମାଫିଆଙ୍କୁ ଦୃଢ଼ ହସ୍ତରେ ଦମନ କରାଯିବ ବୋଲି ଆଇଆଇସି ଶ୍ରୀ ଦାସ କହିଛନ୍ତି। ଆଇଆଇସିଙ୍କ ଏପରି କାର୍ଯ୍ୟାନୁଷ୍ଠାନରେ ଗୋମାଫିଆଙ୍କ ମନରେ ଛନକା ପଶିଯାଇଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଜଣେ ମହିଳାଙ୍କ ସମେତ ଚାରି ବ୍ରାଉନସୁଗାର ବେପାରୀଙ୍କୁ ଗିରଫ କଲା ଚାନ୍ଦପୁର ପୋଲିସ

ନୟାଗଡ଼/ଚାନ୍ଦପୁର: ଖୋର୍ଦ୍ଧା ଜିଲ୍ଲା ପରେ ବ୍ରାଉନ ସୁଗାର ବେପାରୀଙ୍କ ଟାର୍ଗେଟରେ ଏବେ ନୟାଗଡ଼ ଜିଲ୍ଲା। ଖୋର୍ଦ୍ଧା ବାଟ ଦେଇ ନୟାଗଡ଼ରେ ବ୍ରାଉନ ସୁଗାର ବେପାର ପସରା ମେଲାଇବାକୁ ଉଦ୍ୟତ ହେଉଥିବା ବେଳେ ଆଜି ଜଣେ ମହିଳାଙ୍କ ସମେତ ଚାରି ଜଣ ବେପାରୀଙ୍କୁ ଚାନ୍ଦପୁର ପୋଲିସ ଗିରଫ କରିଛି।

ସୂଚନା ମୁତାବକ ସମ୍ପୃକ୍ତ ଚାରି ଜଣ ବେପାରୀ ବ୍ରାଉନ ସୁଗାର ସହ ଖୋର୍ଦ୍ଧାରୁ ଚାନ୍ଦପୁର ଏବଂ ଟାଙ୍ଗୀକୁ ବିକ୍ରି କରିବା ପାଇଁ ଆସୁଥିବାବେଳେ ଏହାର ସୂଚନା ନୟାଗଡ଼ ଏସପି ସିଦ୍ଧାର୍ଥ କଟାରିଆ ପାଇଥିଲେ।

ଏସପିଙ୍କ ନିର୍ଦ୍ଦେଶକ୍ରମେ ଚାନ୍ଦପୁର ଆଇଆଇସି ରଶ୍ମିରଞ୍ଜନ ଦାସଙ୍କ ନେତୃତ୍ୱରେ ଏସଆଇ ସଞ୍ଜୟ ମଲ୍ଲିକ, ଅଞ୍ଜଳି ସା ଏବଂ ଅନ୍ୟ କର୍ମଚାରୀଙ୍କୁ ନେଇ ଏକ ଟିମ ଗଠନ କରାଯାଇଥିଲା। ଏହାପରେ ପୋଲିସ ବିଭିନ୍ନ ଅଞ୍ଚଳ ଖାନତଲାସ ଜାରି ରଖିଥିବାବେଳେ ଶେଷରେ ରାଇପଡ଼ା ନିକଟରେ ଚାରି ଜଣ ବେପାରୀଙ୍କୁ ଗିରଫ କରାଯାଇଥିଲା। ସେମାନଙ୍କ ନିକଟରୁ ୭ ଗ୍ରାମ ବ୍ରାଉନ ସୁଗାର ପୋଲିସ ଜବତ କରିଛି।

ଗିରଫ ଅଭିଯୁକ୍ତ ମାନେ ହେଲେ ବାଙ୍କୀ ଥାନା ଅନ୍ତର୍ଗତ ନୂଆଗାଁ ଗ୍ରାମର କୃଷ୍ଣ ଧଳ ଏବଂ ତାଙ୍କ ପତ୍ନୀ ପ୍ରଭାତୀ ଧଳ, ଖୋର୍ଦ୍ଧା ବାସେଳୀ ସାହିର କହେଁଇ ଘଟୁଆଳ ଏବଂ ଖୋର୍ଦ୍ଧା ଘାସିସାହିରେ ଭଡା ଘରେ ରହୁଥିବା ବେଗୁନିଆ ଥାନା ଦେଉଳି ଗ୍ରାମର ସୁମନ୍ତ ନାୟକ।

ତେବେ ଏମାନଙ୍କର ଏକ ବଡ଼ ଗ୍ୟାଙ୍ଗ ଅଛି ଏବଂ ଏମାନେ ବାଲେଶ୍ୱର ଏବଂ ଜଳେଶ୍ୱରରୁ ବ୍ରାଉନ ସୁଗାର କିଣି ଖୋର୍ଦ୍ଧା ଏବଂ ନୟାଗଡ଼ ଜିଲ୍ଲାରେ ବେପାର ଚଳାଇଥିବାର ପୋଲିସ ଜାଣିବାକୁ ପାଇଛି। ଏ ସଂକ୍ରାନ୍ତରେ ଚାନ୍ଦପୁର ପୋଲିସ ଏନଡ଼ିପିଏସ ଆଇନ ଧାରା ୨୧(ଖ) ଅନୁଯାୟୀ ଚାରି ଜଣ ଅଭିଯୁକ୍ତଙ୍କ ବିରୁଦ୍ଧରେ କେସ ନମ୍ବର ୭୮/୨୧ ରେ ମାମଲା ରୁଜୁ କରି ଆଜି କୋର୍ଟଚାଲାଣ କରିଥିବାର ଚାନ୍ଦପୁର ଆଇଆଇସି ରଶ୍ମିରଂଜନ ଦାସ ସୂଚନା ଦେଇଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

କୁଖ୍ୟାତ ଖଣି ମାଫିଆକୁ ଗିରଫ କଲା ଚାନ୍ଦପୁର ପୋଲିସ: ତିନିରୁ ଉର୍ଦ୍ଧ୍ଵ ମାମଲାରେ ଥିଲା ଜଡ଼ିତ

ନୟାଗଡ/ଚାନ୍ଦପୁର: ଆଜି ଜଣେ କୁଖ୍ୟାତ ଖଣି ମାଫିଆ ପୋଲିସ ହାତରେ ଧରାପଡ଼ିଛି। ନୟାଗଡ ଜିଲ୍ଲା ଚାନ୍ଦପୁର ପୋଲିସ ହାତରେ ଅମରେନ୍ଦ୍ର ନାମକ ଖଣି ମାଫିଆ ଧରା ପଡିଛି। ଅମରେନ୍ଦ୍ର ଦୀର୍ଘ ଦିନ ହେଲା ପୋଲିସ ଆଖିରେ ଧୂଳି ଦେଇ ଲୁଚିରହିଥିଲା। ସେ ତିନିରୁ ଉର୍ଦ୍ଧ୍ଵ ବେଆଇନ ଖଣି ମାମଲାରେ ଜଡିତ ଅଛି। ପୂର୍ବରୁ ତାଙ୍କ ନାମରେ ଚାନ୍ଦପୁର ଥାନାରେ ରୁଜୁ ହୋଇଥିବା କେସ ନମ୍ବର ୬୦/୨୧ରେ ଅମରେନ୍ଦ୍ର ଗିରଫ ହୋଇଛି।

ତେବେ ତାଙ୍କର ଗିରଫ ହେବାପରେ ଖୋର୍ଦ୍ଧା ଏବଂ ନୟାଗଡ ଜିଲ୍ଲାର ସୀମାନ୍ତବର୍ତ୍ତୀ ଅଞ୍ଚଳରେ ବେଆଇନ ମାଙ୍କଡାପଥର ଚୋରାଚାଲାଣ ବହୁ ମାତ୍ରାରେ କମିଯିବ ବୋଲି ଚାନ୍ଦପୁର ଆଇଆଇସି ରଶ୍ମି ରଞ୍ଜନ ଦାସ ସୂଚନା ଦେଇଛନ୍ତି।

Categories
ଅପରାଧ ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ସଟଡ଼ାଉନରେ ଜୁଆ ଅଡ୍ଡାଉପରେ ଚଢ଼ାଉ: ୭ ଜୁଆଡିଙ୍କୁ ଗିରଫ କଲା ଚାନ୍ଦପୁର ପୋଲିସ, ଜରିମାନା ଆଦାୟ

ଚାନ୍ଦପୁର: ସଟଡ଼ାଉନ ସମୟରେ ଜୁଆ ଖେଳ ଚାଲିଥିବା ବେଳେ ଅଚାନକ ପୋଲିସ ଆଡ୍ଡା ଉପରେ ଚଢାଉ କରିଛି। ଖେଳୁଥିବା ୭ ଜଣ ଜୁଆଡିକୁ ପୋଲିସ ଗିରଫ କରିବା ସହ ଜରିମାନା ମଧ୍ୟ ଆଦାୟ କରିଛି।

ସୂଚନା ମୁତାବକ ଗତକାଲି ରାତିରେ ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା ଅନ୍ତର୍ଗତ ରାମଚଣ୍ଡୀ ମନ୍ଦିର ପରିସରରେ ଜୁଆ ଆଡ୍ଡା ଚାଲିଥିବାର ଖବର ପାଇଥିଲା ପୋଲିସ। ପରବର୍ତ୍ତୀ ସମୟରେ ଚାନ୍ଦପୁର ଆଇଆଇସି ରଶ୍ମି ରଞ୍ଜନ ଦାସଙ୍କ ତତ୍ୱାବଧାନରେ ଏକ ଟିମ ଗଠନ କରାଯାଇ ଉକ୍ତ ଅଞ୍ଚଳରେ ଚଢ଼ାଉ କରାଯାଇଥିଲା। ଚଢ଼ାଉ ବେଳେ ୭ ଜଣ ଜୁଆଡ଼ିଙ୍କୁ ପୋଲିସ ଗିରଫ କରିଛି। ସେମାନଙ୍କ ନିକଟରୁ ନକଦ ୨ ହଜାର ୬ଶହ ସତୁରି ଟଙ୍କା, ଚାରି ଗୋଟି ମୋବାଇଲ ଏବଂ ଜୁଆ ସମ୍ପର୍କିତ ଜିନିଷ ପୋଲିସ ଜବତ କରିଛି।

ତେବେ ସମସ୍ତ ଅଭିଯୁକ୍ତ ଚାନ୍ଦପୁର ଅଞ୍ଚଳର ହୋଇଥିବା ବେଳେ ସେମାନଙ୍କ ବିରୁଦ୍ଧରେ କୋଭିଡ଼ ଏବଂ ଓପିଜି ନିୟମ ଅନୁଯାୟୀ କେସ ନମ୍ବର ୭୩/୨୧ ରେ ମାମଲା ରୁଜୁ କରାଯାଇଛି ଏବଂ ସଟଡ଼ାଉନ ଗାଇଡଲାଇନ ଉଲଂଘନ ହେତୁ ୧୪ ହଜାର ଟଙ୍କା ଜରିମାନା ମଧ୍ୟ ଆଦାୟ କରାଯାଇଛି ବୋଲି ଚାନ୍ଦପୁର ଆଇଆଇସି ରଶ୍ମି ରଞ୍ଜନ ଦାସ ସୂଚନା ଦେଇଛନ୍ତି। ତେବେ ଚାନ୍ଦପୁର ପୋଲିସର ଏପରି କାର୍ଯ୍ୟାନୁଷ୍ଠାନ ଫଳରେ ଜୁଆଡ଼ି ତଥା ଅମାନିଆଙ୍କ ମନରେ କୋକୁଆ ଭୟ ସୃଷ୍ଟି ହୋଇଛି।