ମହିଳାଙ୍କ ନକଲି ଦସ୍ତଖତ କରି ଲକ୍ଷାଧିକ ଟଙ୍କା ଠକେଇର ପର୍ଦ୍ଦାଫାସ୍: ଅଭିଯୁକ୍ତକୁ ଗିରଫ କଲା ଚାନ୍ଦପୁର ପୋଲିସ

Published: Jul 23, 2021, 6:38 pm IST

ଚାନ୍ଦପୁର/ନୟାଗଡ: ଜନୈକ ବରିଷ୍ଠ ନାଗରିକଙ୍କ ଆକାଉଣ୍ଟରୁ ନକଲି ଦସ୍ତଖତ କରି ଲକ୍ଷାଧିକ ଟଙ୍କାର ଠକେଇ ଅଭିଯୋଗ ହୋଇଥିଲା। ପୋଲିସର ସହଯୋଗ ଦ୍ୱାରା ଅଭିଯୋଗାକାରୀ ତାଙ୍କର ଠକେଇ ହୋଇଥିବା ଲକ୍ଷାଧିକ ଟଙ୍କା ଫେରିପାଇଛନ୍ତି। ନୟାଗଡ ଜିଲ୍ଲା ଚାନ୍ଦପୁର ଥାନା ଅଞ୍ଚଳରେ ଏପରି ଘଟଣା ଘଟିଯାଇଛି।

ସୂଚନା ମୁତାବକ ହରିହରପୁର ଗ୍ରାମର ମିନା କୁମାରି ନାୟକଙ୍କ କମାଗୁରୁ ଷ୍ଟେଟ ବ୍ୟାଙ୍କରେ ଏକ ଆକାଉଣ୍ଟ ଅଛି। ନିକଟରେ ଉକ୍ତ ଆକାଉଣ୍ଟରୁ କେହି ଜଣେ ଦୁର୍ବୁତ୍ତ ମିନା କୁମାରୀଙ୍କ ଜାଲ ଦସ୍ତଖତ କରି ୧ ଲକ୍ଷ ୨୦ ହଜାର ଟଙ୍କା ତାଙ୍କ ଖାତାରୁ ଉଠାଇନେଇଥିଲା। ଏ ନେଇ ମିନା କୁମାରୀ ଚାନ୍ଦପୁର ଥାନାରେ ଲିଖିତ ଅଭିଯୋଗ କରିବା ପରେ ଆଇଆଇସି ରଶ୍ମିରଞ୍ଜନ ଦାସ କେସ ନମ୍ବର ୮୪/୨୧ ରେ ଏକ ଠକେଇ ମାମଲା ରୁଜୁ କରିଥିଲେ। ନୟାଗଡ ଏସପି ଙ୍କ ତତ୍ୱାବଧାନରେ ଆଇଆଇସି ଶ୍ରୀ ଦାସ ଏସଆଇ ଅଞ୍ଜଳି ସା ଙ୍କ ସହଯୋଗରେ ଉକ୍ତ ଘଟଣାର ତଦନ୍ତ ଜାରି ରଖିଥିଲେ।

ତେବେ ଆଜି ଆଇଆଇସି ଏବଂ ଟିମ ସମ୍ପୃକ୍ତ ଦୁର୍ବୁତ୍ତଙ୍କୁ ଠାବ କରିବା ସହ ତାଙ୍କ ନିକଟରୁ ଠକେଇ ହୋଇଥିବା ୧ ଲକ୍ଷ ୨୦ ହଜାର ଟଙ୍କା ଜବତ କରି ଅଭିଯୋଗକାରିଣୀ ମିନା କୁମାରୀଙ୍କୁ ହସ୍ତାନ୍ତର କରିଛନ୍ତି। ପୋଲିସର ତ୍ୱରିତ ପଦକ୍ଷେପ ପାଇଁ ମିନା କୁମାରୀ ଚାନ୍ଦପୁର ଆଇଆଇସିଙ୍କୁ ସାଧୁବାଦ ଜଣାଇଛନ୍ତି।

Related posts