ଭୁଜାଲି ଦେଖାଇ ଜୋର ଜବରଦସ୍ତି ଚୋରି କରୁଥିଲେ ଗୋରୁ: ୩ ଜଣଙ୍କୁ ବାନ୍ଧିଲା ଚାନ୍ଦପୁର ପୋଲିସ୍

Published: Jun 4, 2021, 5:45 pm IST

ନୟାଗଡ/ଚାନ୍ଦପୁର: ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ଚାନ୍ଦପୁର ଅଞ୍ଚଳରେ ବେଆଇନ ଗୋରୁ ଚାଲାଣକୁ ମୁଳୋତ୍ପାଟନ କରିବାକୁ ଅଣ୍ଟା ଭିଡିଛି ଚାନ୍ଦପୁର ପୋଲିସ। ଗତ ସପ୍ତାହରେ ପୋଲିସ ଏକ ଗୋରୁ ବୋଝେଇ ଗାଡ଼ିରୁ ୪ ଟି ଗୋରୁଙ୍କୁ ଉଦ୍ଧାର କରିଥିବାବେଳେ ଗତାକଲି ରାତିରେ ପୁଣି ୧୦ଟି ଗୋରୁଙ୍କୁ ଉଦ୍ଧାର କରିବା ସହ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।

ସୂଚନା ମୁତାବକ ଗତକାଲି ରାତିରେ ବେଗୁନିଆ ଜାମୁକୋଳି ଅଞ୍ଚଳରୁ ଲୋକଙ୍କୁ ଭୁଜାଲି ଦେଖାଇ ୧୦ଟି ଗୋରୁଙ୍କୁ ଜୋର ଜବରଦସ୍ତି ଚୋରି କରି ମାଫିଆ ମାନେ ଏକ କଣ୍ଟେନରରେ ନେଇ ଯାଉଥିଲେ। ତେବେ ଏ ଖବର ପାଇବା ମାତ୍ରେ ଚାନ୍ଦପୁର ଆଇଆଇସି ରଶ୍ମିରଂଜନ ଦାସ ତୁରନ୍ତ ଏସଆଇ ସଞ୍ଜୟ ମଲିକଙ୍କୁ ନେଇ ଏକ ଟିମ ଗଠନ କରି ଚାନ୍ଦପୁର ମସାଣି ସାହି ନିକଟରେ ଜଗି ରହିଥିଲେ। ଯେତେବେଳେ କଣ୍ଟେନର ମସାଣି ସାହି ପାର କଲା ପୋଲିସ କଣ୍ଟେନରକୁ ଗୋଡ଼େଇବାକୁ ଲାଗିଲା ଏବଂ ବଡ଼ପୋଖରୀଆ ନିକଟରେ ଉକ୍ତ କଣ୍ଟେନରକୁ କାବୁ କରିଥିଲା।

ତେବେ ଗାଡ଼ିରୁ ୧୦ଟି ଜୀବନ୍ତ ଗୋରୁଙ୍କୁ ଉଦ୍ଧାର କରିବା ସହ ତିନି ଜଣ ଗୋମାଫିଆଙ୍କୁ ଗିରଫ କରିଛି ପୋଲିସ। ଗିରଫ ଅଭିଯୁକ୍ତ ମାନେ ହେଲେ ଫିଦାତୁଲ୍ଲା ଖାନ, ଜାବର ଖାନ ଓ ରହିମ (ଛଦ୍ମନାମ)। ସମସ୍ତ ଅଭିଯୁକ୍ତ ବେଗୁନିଆ ଜାମୁକୋଳି ଅଞ୍ଚଳର ବୋଲି ଜଣାପଡିଛି।  ସେମାନଙ୍କ ନିକଟରୁ ଭୁଜାଲି, ମୋବାଇଲ, ନକଦ ଅର୍ଥ ଏବଂ ଅନ୍ୟ ଜିନିଷ ପୋଲିସ ଜବତ କରିଛି।

ସମସ୍ତଙ୍କ ବିରୁଦ୍ଧରେ ଚାନ୍ଦପୁର ଥାନାରେ କେସ ନମ୍ବର ୮୦/୨୧ ରେ ଏକ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଛି ବୋଲି ଆଇଆଇସି ରଶ୍ମିରଞ୍ଜନ ଦାସ ସୂଚନା ଦେଇଛନ୍ତି। ତେବେ ଚାନ୍ଦପୁର ଥାନା ଅଞ୍ଚଳରେ ବେଆଇନ ଗୋରୁ ଚାଲାଣକୁ ତିଳେ ହେଲେ ପ୍ରଶୟ ଦିଆଯିବ ନାହିଁ ଏବଂ ଅଗାମୀଦିନରେ ଗୋମାଫିଆଙ୍କୁ ଦୃଢ଼ ହସ୍ତରେ ଦମନ କରାଯିବ ବୋଲି ଆଇଆଇସି ଶ୍ରୀ ଦାସ କହିଛନ୍ତି। ଆଇଆଇସିଙ୍କ ଏପରି କାର୍ଯ୍ୟାନୁଷ୍ଠାନରେ ଗୋମାଫିଆଙ୍କ ମନରେ ଛନକା ପଶିଯାଇଛି।

Related posts