Categories
ଆଞ୍ଚଳିକ

ବାଲୁଗାଁ ପର୍ଯ୍ୟନ୍ତ ବ୍ୟାପିଲାଣି ଗୋରୁ ଚାଲାଣ: ଭାଇରାଲ ହେଉଛି କାରରେ ଗାଈ ଚୋରି ହେଉଥିବା ଦୃଶ୍ୟ

ବାଲୁଗାଁ (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲାରେ ବେଆଇନ ଗୋରୁ ଚାଲାଣ ବଢୁଥିବା ବେଳେ ଏହାର ଚେର ବର୍ତ୍ତମାନ ବାଲୁଗାଁ ପର୍ଯ୍ୟନ୍ତ ବ୍ୟାପିଲାଣି। ଖବର ମୁତାବକ ଗତକାଲି ମଧ୍ୟ ରାତିରେ ବାଲୁଗାଁ ଥାନା ସରଳାପଦର ଛକ ଠାରେ ଦୁଇ ଜଣ ଦୁର୍ବୁତ୍ତ ଏକ ନାଲି ରଙ୍ଗର କାରରେ ଗାଈ ଚୋରି କରି ନେଉଥିବା ଦୃଶ୍ୟ ସ୍ଥାନୀୟ ଏକ ଦୋକାନିଙ୍କ ସିସି ଟିଭି କ୍ୟାମେରାରେ କଏଦ ହୋଇଛି। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ତେବେ ଉକ୍ତ ସ୍ଥାନରେ ମାଳ ମାଳ ଲାଇଟ ଲାଗିଥିବା ବେଳେ ଏହା ଲୋକଙ୍କ ଚଳପ୍ରଚଳ ରାସ୍ତା। ତଥାପି ଗୋରୁ ମାଫିଆମାନେ ଏପରି ସାହସ କେମିତି ଜୁଟାଉଛନ୍ତି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ତେବେ ଉକ୍ତ ଖବର ପ୍ରଚାର ହେବାପରେ ବାଲୁଗାଁ ଓ ବାଣପୁର ଅଞ୍ଚଳର ଗୋ ରକ୍ଷକ ଏବଂ ବୁଦ୍ଧିଜୀବୀଙ୍କ ମଧ୍ୟରେ ଆକ୍ରୋଶ ଦେଖାଦେଇଛି। ପୋଲିସ ଉକ୍ତ ଭିଡିଓ ତଦନ୍ତ କରି ନିଜଆଡୁ ମାମଲା ରୁଜୁ କରିବା ସହ ଅଭିଯୁକ୍ତଙ୍କୁ ଗିରଫ ଦାବି ଜୋର ଧରିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଜାତୀୟ ରାଜପଥରେ ଖୋର୍ଦ୍ଧା ଏସପି ଙ୍କ ଚଢାଉ: ଉଦ୍ଧାର କଲେ ୭୦ ଟି ଜୀବନ୍ତ ଗାଈ, ୩ ଅଟକ

ଖୋର୍ଦ୍ଧା: ଗତକାଲି ବିଳମ୍ବିତ ରାତ୍ରିରେ ବେଆଇନ ଗୋରୁ ଚାଲାଣ ହେଉଥିବା ଖବର ପାଇ ଖୋର୍ଦ୍ଧା ଏସପି ସିଦ୍ଧାର୍ଥ କଟାରିଆ ଓ ଟିମ ଜଙ୍କିଆ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ମଲାଗୁଣି ନଦୀ ଓଭରବ୍ରିଜ ଠାରେ ଚଢ଼ାଉ କରି ଏକ କଣ୍ଟେନର ଜବତ କରିଛନ୍ତି।  ଏହି କ୍ରମରେ ଉକ୍ତ କଣ୍ଟେନରରୁ ୭୦ ଗୋଟି ଜୀବନ୍ତ ଗାଈ ମୁମୁର୍ଷୁ ଅବସ୍ଥାରେ ଉଦ୍ଧାର କରାଯାଇଛି। ଏହି ମାମଲାରେ ୩ ଅଭିଯୁକ୍ତଙ୍କୁ ଅଟକ ରଖିଛି ପୋଲିସ। ଅଟକ ଥିବା ଅଭିଯୁକ୍ତମାନେ ହେଲେ ଉତ୍ତରପ୍ରଦେଶ ସହାରନପୁର ଅଞ୍ଚଳର ମୁସ୍ତକିମ ଶାହ, ମିର ହସନ ଏବଂ ଶାହରୁଖ ମଲିକ।

ଏସପି ଙ୍କ ସୂଚନା ମୁତାବକ ଉକ୍ତ କଣ୍ଟେନରଟି ଆନ୍ଧ୍ର ପ୍ରଦେଶ ଅଭିମୁଖେ ଚାଲାଣ ହେଉଥିବାର ଖବର ପାଇ ଜିଲ୍ଲାର ସମସ୍ତ ଥାନାଧିକାରୀଙ୍କୁ ସତର୍କ କରାଯାଇଥିଲା। ଜାତୀୟ ରାଜପଥରେ ବ୍ଲକିଙ୍ଗ ଚେକିଂ ଜାରି ରହିଥିବା ବେଳେ ଖୋଦ ଏସପି ଶ୍ରୀ କଟାରିଆ ପାଟ୍ରୋଲିଂ ଜାରି ରଖିଥିଲେ ଏବଂ ପରିଶେଷରେ ଉକ୍ତ ଗାଡିକୁ ଜଙ୍କିଆ ଥାନା ଅଞ୍ଚଳରୁ ଜବତ କରାଯାଇଥିଲା।

ତେବେ ଜିଲ୍ଲାରେ ବେଆଇନ ଗୋଚାଲାଣ ଉପରେ ପୋଲିସ ଜିରୋ ଟଲରେନ୍ସ ନୀତି ଆପଣେଇଛି ଏବଂ ଏପରି ଅପରାଧକୁ କଦାପି ପ୍ରଶେୟ ଦିଆଯିବନାହିଁ ବୋଲି ଏସପି କହିଛନ୍ତି।

Categories
ଅପରାଧ ଆଞ୍ଚଳିକ

ଗୋରୁ ଚାଲାଣ କରୁଥୁବା ସନ୍ଦେହରେ ଗାଡିକୁ ଅଟକ ରଖି ବାଣପୁର ଥାନାରେ ଜିମା ଦେଲେ ଅଞ୍ଚଳବାସୀ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଗୋରୁ ଚାଲାଣ କରୁଥୁବା ସନ୍ଦେହରେ ଗୋଟିଏ ଗାଡିକୁ ଅଞ୍ଚଳବାସି ଥାନାରେ ଜିମା ଦେଇଛନ୍ତି। ସୂଚନା ମୁତାବକ ଗତକାଲି ରାତି ପାଖାପାଖି ୨ ଘଟିକା ସମୟରେ ବାଣପୁର ଏନଏସି ଚିଆଁଙ୍କ ସାହିର ଏକ ବିବାହ କାର୍ଯ୍ୟରେ ଯୋଗଦେଇ ଉକ୍ତ ସାହିର କିଛି ଯୁବକମାନେ ଭୋଜି ନେଇ ସେମାନଙ୍କ ବଡ଼ସିରେଇପୁର ଗ୍ରାମସ୍ଥିତ ସମ୍ପର୍କୀୟଙ୍କ ଘରକୁ ଯାଇଥଲେ। ତେବେ ଭୋଜି ଦେଇ ବାଣପୁର ଫେରୁଥିବା ବେଳେ କୋଳଥଡିହ ଛକରେ ହଠାତ ସେମାନଙ୍କୁ ଏକ ଡ଼ାଲା ଅଟୋ କ୍ଷିପ୍ରଗତିରେ ଓଭରଟେକ କରିଥିଲା।

ଉକ୍ତ ଡ଼ାଲା ଅଟୋରେ ଏକ ଗାଇ ବାନ୍ଧହେଇଥିବାର ଯୁବକମାନେ ଦେଖିବାକୁ ପାଇଥିଲେ। ସଙ୍ଗେସଙ୍ଗେ ଗାଡିର ପିଛା କରି ଗାଡ଼ିକୁ ଅଟକାଇଥିଲେ। ତେବେ ଗାଡ଼ି ଚାଳକଙ୍କୁ ଏ ବାବଦରେ ପଚାରିବାରୁ ସେ ଯୁବକଙ୍କ ସହ ଯୁକ୍ତି କରିଥିଲେ ଏବଂ ଗାଈକୁ ବେରୁଆଁବାଡ଼ି ଗ୍ରାମରୁ କିଣି ସଲପଡିହ ଯାଉଥିବାର କହିଥିଲେ।

ତେବେ ଗାଈ କିଣିବା ସମ୍ବନ୍ଧୀୟ କୌଣସି ପ୍ରମାଣ ଦେଖାଇନପାରିବାରୁ ଯୁବକ ମାନେ ଗୋରୁ ଚାଲାଣ ସନ୍ଦେହରେ ଉକ୍ତ ଗୋରୁ ବୋଝେଇ ଅଟୋ ସହ ଚାଳକଙ୍କୁ ପୋଲିସ ଜିମା ଦେଇଥିଲେ।

ବର୍ତ୍ତମାନ ବାଣପୁର ପୋଲିସ ଗୋରୁ ବୋଝେଇ ଗାଡିକୁ ଜବତ କରିବା ସହ ଚାଳକଙ୍କୁ ଅଟକ ରଖି ତଦନ୍ତ ଜାରିରଖିଛି। ଗାଡ଼ି ଚାଳକ ସଂଖ୍ୟାଲଘୁ ସମ୍ପ୍ରଦାୟର ହୋଇଥିବା ବେଳେ ତାଙ୍କ ଘର ସଲପଡିହ ଗ୍ରାମ ବୋଲି ଜଣାପଡିଛି।

Categories
ଆଜିର ଖବର ଜାତୀୟ ଖବର ମନୋରଂଜନ

କାଶ୍ମୀରୀ ପଣ୍ଡିତ ଏବଂ ଗୋରୁ ଚାଲାଣକୁ ନେଇ ବିବାଦୀୟ ମନ୍ତବ୍ୟ ଦେଲେ ସାଇ ପଲ୍ଲବୀ!, ଆରମ୍ଭ ହେଲା ବିତର୍କ

ନୂଆଦିଲ୍ଲୀ: ସାଉଥ ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ଅଭିନେତ୍ରୀ ସାଇ ପଲ୍ଲବୀ ନିଜର ଅପୂର୍ବ ଶୈଳୀ ପାଇଁ ଜଣାଶୁଣା। ନିକଟରେ ତାଙ୍କର ଆଗାମୀ ଚଳଚ୍ଚିତ୍ର ବିରାଟ ପର୍ବମ୍ ର ପ୍ରମୋସନ ସମୟରେ ସାଇ ପଲ୍ଲବୀ ଏପରି କିଛି କହିଛନ୍ତି, ଯାହା ସୋସିଆଲ ମିଡିଆରେ ବିବାଦ ସୃଷ୍ଟି କରିଛି। ବାସ୍ତବରେ, ସାଇ ପଲ୍ଲବୀ ବଲିଉଡ ଫିଲ୍ମ କାଶ୍ମୀର ଫାଇଲରେ ପ୍ରଦର୍ଶିତ କାଶ୍ମୀର ପଣ୍ଡିତଙ୍କ ଦୃଶ୍ୟକୁ ମାଓବାଦୀ ଲିଞ୍ଚିଂ ସହିତ ତୁଳନା କରି ଏକ ବିବାଦୀୟ ବିବୃତ୍ତି ଦେଇଛନ୍ତି। ଯେଉଁଥିପାଇଁ ମାହୋଲ ଗରମ ହୋଇଯାଇଛି।

ସାଇ ପଲ୍ଲବୀଙ୍କ ବିବାଦୀୟ ଶବ୍ଦ:

ସାଇ ପଲ୍ଲବୀ ନିଜର ଖୋଲା ମନୋଭାବ ହେତୁ ଅନେକ ସମୟରେ ଚର୍ଚ୍ଚାକୁ ଆସିଥାନ୍ତି। କିନ୍ତୁ ଏଥର ସାଇ ପଲ୍ଲବୀ ଯାହା କହିଛନ୍ତି ତାହା ପ୍ରକୃତରେ ଏକ ନୂଆ ବିବାଦ ସୃଷ୍ଟି କରିପାରେ। ନିକଟରେ ଏକ ଗଣମାଧ୍ୟମ ସାକ୍ଷାତକାରରେ ସାଇ ପଲ୍ଲବୀ କହିଛନ୍ତି ଯେ, ଫିଲ୍ମ କାଶ୍ମୀର ଫାଇଲରେ କାଶ୍ମୀର ପଣ୍ଡିତଙ୍କ ହତ୍ୟାକାଣ୍ଡକୁ ଦର୍ଶାଇଛି। ଅନ୍ୟପକ୍ଷରେ, ଯଦି ହିଂସା ଏବଂ ଧର୍ମର ମାପରେ ଓଜନ କରାଯାଏ, କିଛି ସମୟ ପୂର୍ବରୁ ଗୋରୁ ଟ୍ରକ୍ ନେଉଥିବା ଜଣେ ମୁସଲମାନ ବ୍ୟକ୍ତିଙ୍କୁ ଅତି ନିର୍ମମ ଭାବରେ ମାଡ ଦିଆଯାଇ ଜୟ ଶ୍ରୀ ରାମ ଜପ କରିବାକୁ କୁହାଯାଇଥିଲା। ବର୍ତ୍ତମାନ ମୋତେ କୁହନ୍ତୁ ଏହି ଦୁଇଟି ଘଟଣାର ପାର୍ଥକ୍ୟ କ’ଣ?

ସୋସିଆଲ ମିଡିଆରେ ହଙ୍ଗାମା:

ସାଇ ପଲ୍ଲବୀଙ୍କ ଏହି ବିବାଦୀୟ ମନ୍ତବ୍ୟ ପରେ ସେ ସୋସିଆଲ ମିଡିଆରେ ସମାଲୋଚନାର ସମ୍ମୁଖୀନ ହେଉଛନ୍ତି। ଏହି ସମୟରେ ଜଣେ ଟ୍ୱିଟର ବ୍ୟବହାରକାରୀ ଟ୍ୱିଟ୍ କରି ଲେଖିଛନ୍ତି ଯେ, ‘ଆପଣ ଯାହା କହିଛନ୍ତି ତାହା ଭୁଲ୍’। ଅନ୍ୟପକ୍ଷରେ, ଅନ୍ୟ ଜଣେ ଉପଭୋକ୍ତା ଲେଖିଛନ୍ତି ଯେ, ‘ସାଇ ପଲ୍ଲବୀଙ୍କ ଶୈଳୀ ମୋତେ ଭଲ ଲାଗିଲା, ଦକ୍ଷିଣ ଭାରତୀୟ ତାରକାମାନେ ସତ କହିବାକୁ କେବେ ବି ପଛାନ୍ତି ନାହିଁ’। ଏହିପରି ଭାବରେ ସାଇ ପଲ୍ଲବୀଙ୍କ ବିବୃତ୍ତି ମିଶ୍ରିତ ପ୍ରତିକ୍ରିୟା ଆସିବାରେ ଲାଗିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଭୁଜାଲି ଦେଖାଇ ଜୋର ଜବରଦସ୍ତି ଚୋରି କରୁଥିଲେ ଗୋରୁ: ୩ ଜଣଙ୍କୁ ବାନ୍ଧିଲା ଚାନ୍ଦପୁର ପୋଲିସ୍

ନୟାଗଡ/ଚାନ୍ଦପୁର: ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ଚାନ୍ଦପୁର ଅଞ୍ଚଳରେ ବେଆଇନ ଗୋରୁ ଚାଲାଣକୁ ମୁଳୋତ୍ପାଟନ କରିବାକୁ ଅଣ୍ଟା ଭିଡିଛି ଚାନ୍ଦପୁର ପୋଲିସ। ଗତ ସପ୍ତାହରେ ପୋଲିସ ଏକ ଗୋରୁ ବୋଝେଇ ଗାଡ଼ିରୁ ୪ ଟି ଗୋରୁଙ୍କୁ ଉଦ୍ଧାର କରିଥିବାବେଳେ ଗତାକଲି ରାତିରେ ପୁଣି ୧୦ଟି ଗୋରୁଙ୍କୁ ଉଦ୍ଧାର କରିବା ସହ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।

ସୂଚନା ମୁତାବକ ଗତକାଲି ରାତିରେ ବେଗୁନିଆ ଜାମୁକୋଳି ଅଞ୍ଚଳରୁ ଲୋକଙ୍କୁ ଭୁଜାଲି ଦେଖାଇ ୧୦ଟି ଗୋରୁଙ୍କୁ ଜୋର ଜବରଦସ୍ତି ଚୋରି କରି ମାଫିଆ ମାନେ ଏକ କଣ୍ଟେନରରେ ନେଇ ଯାଉଥିଲେ। ତେବେ ଏ ଖବର ପାଇବା ମାତ୍ରେ ଚାନ୍ଦପୁର ଆଇଆଇସି ରଶ୍ମିରଂଜନ ଦାସ ତୁରନ୍ତ ଏସଆଇ ସଞ୍ଜୟ ମଲିକଙ୍କୁ ନେଇ ଏକ ଟିମ ଗଠନ କରି ଚାନ୍ଦପୁର ମସାଣି ସାହି ନିକଟରେ ଜଗି ରହିଥିଲେ। ଯେତେବେଳେ କଣ୍ଟେନର ମସାଣି ସାହି ପାର କଲା ପୋଲିସ କଣ୍ଟେନରକୁ ଗୋଡ଼େଇବାକୁ ଲାଗିଲା ଏବଂ ବଡ଼ପୋଖରୀଆ ନିକଟରେ ଉକ୍ତ କଣ୍ଟେନରକୁ କାବୁ କରିଥିଲା।

ତେବେ ଗାଡ଼ିରୁ ୧୦ଟି ଜୀବନ୍ତ ଗୋରୁଙ୍କୁ ଉଦ୍ଧାର କରିବା ସହ ତିନି ଜଣ ଗୋମାଫିଆଙ୍କୁ ଗିରଫ କରିଛି ପୋଲିସ। ଗିରଫ ଅଭିଯୁକ୍ତ ମାନେ ହେଲେ ଫିଦାତୁଲ୍ଲା ଖାନ, ଜାବର ଖାନ ଓ ରହିମ (ଛଦ୍ମନାମ)। ସମସ୍ତ ଅଭିଯୁକ୍ତ ବେଗୁନିଆ ଜାମୁକୋଳି ଅଞ୍ଚଳର ବୋଲି ଜଣାପଡିଛି।  ସେମାନଙ୍କ ନିକଟରୁ ଭୁଜାଲି, ମୋବାଇଲ, ନକଦ ଅର୍ଥ ଏବଂ ଅନ୍ୟ ଜିନିଷ ପୋଲିସ ଜବତ କରିଛି।

ସମସ୍ତଙ୍କ ବିରୁଦ୍ଧରେ ଚାନ୍ଦପୁର ଥାନାରେ କେସ ନମ୍ବର ୮୦/୨୧ ରେ ଏକ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଛି ବୋଲି ଆଇଆଇସି ରଶ୍ମିରଞ୍ଜନ ଦାସ ସୂଚନା ଦେଇଛନ୍ତି। ତେବେ ଚାନ୍ଦପୁର ଥାନା ଅଞ୍ଚଳରେ ବେଆଇନ ଗୋରୁ ଚାଲାଣକୁ ତିଳେ ହେଲେ ପ୍ରଶୟ ଦିଆଯିବ ନାହିଁ ଏବଂ ଅଗାମୀଦିନରେ ଗୋମାଫିଆଙ୍କୁ ଦୃଢ଼ ହସ୍ତରେ ଦମନ କରାଯିବ ବୋଲି ଆଇଆଇସି ଶ୍ରୀ ଦାସ କହିଛନ୍ତି। ଆଇଆଇସିଙ୍କ ଏପରି କାର୍ଯ୍ୟାନୁଷ୍ଠାନରେ ଗୋମାଫିଆଙ୍କ ମନରେ ଛନକା ପଶିଯାଇଛି।