ଗୋରୁ ଚାଲାଣ କରୁଥୁବା ସନ୍ଦେହରେ ଗାଡିକୁ ଅଟକ ରଖି ବାଣପୁର ଥାନାରେ ଜିମା ଦେଲେ ଅଞ୍ଚଳବାସୀ

Published: Jun 27, 2022, 10:45 am IST

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଗୋରୁ ଚାଲାଣ କରୁଥୁବା ସନ୍ଦେହରେ ଗୋଟିଏ ଗାଡିକୁ ଅଞ୍ଚଳବାସି ଥାନାରେ ଜିମା ଦେଇଛନ୍ତି। ସୂଚନା ମୁତାବକ ଗତକାଲି ରାତି ପାଖାପାଖି ୨ ଘଟିକା ସମୟରେ ବାଣପୁର ଏନଏସି ଚିଆଁଙ୍କ ସାହିର ଏକ ବିବାହ କାର୍ଯ୍ୟରେ ଯୋଗଦେଇ ଉକ୍ତ ସାହିର କିଛି ଯୁବକମାନେ ଭୋଜି ନେଇ ସେମାନଙ୍କ ବଡ଼ସିରେଇପୁର ଗ୍ରାମସ୍ଥିତ ସମ୍ପର୍କୀୟଙ୍କ ଘରକୁ ଯାଇଥଲେ। ତେବେ ଭୋଜି ଦେଇ ବାଣପୁର ଫେରୁଥିବା ବେଳେ କୋଳଥଡିହ ଛକରେ ହଠାତ ସେମାନଙ୍କୁ ଏକ ଡ଼ାଲା ଅଟୋ କ୍ଷିପ୍ରଗତିରେ ଓଭରଟେକ କରିଥିଲା।

ଉକ୍ତ ଡ଼ାଲା ଅଟୋରେ ଏକ ଗାଇ ବାନ୍ଧହେଇଥିବାର ଯୁବକମାନେ ଦେଖିବାକୁ ପାଇଥିଲେ। ସଙ୍ଗେସଙ୍ଗେ ଗାଡିର ପିଛା କରି ଗାଡ଼ିକୁ ଅଟକାଇଥିଲେ। ତେବେ ଗାଡ଼ି ଚାଳକଙ୍କୁ ଏ ବାବଦରେ ପଚାରିବାରୁ ସେ ଯୁବକଙ୍କ ସହ ଯୁକ୍ତି କରିଥିଲେ ଏବଂ ଗାଈକୁ ବେରୁଆଁବାଡ଼ି ଗ୍ରାମରୁ କିଣି ସଲପଡିହ ଯାଉଥିବାର କହିଥିଲେ।

ତେବେ ଗାଈ କିଣିବା ସମ୍ବନ୍ଧୀୟ କୌଣସି ପ୍ରମାଣ ଦେଖାଇନପାରିବାରୁ ଯୁବକ ମାନେ ଗୋରୁ ଚାଲାଣ ସନ୍ଦେହରେ ଉକ୍ତ ଗୋରୁ ବୋଝେଇ ଅଟୋ ସହ ଚାଳକଙ୍କୁ ପୋଲିସ ଜିମା ଦେଇଥିଲେ।

ବର୍ତ୍ତମାନ ବାଣପୁର ପୋଲିସ ଗୋରୁ ବୋଝେଇ ଗାଡିକୁ ଜବତ କରିବା ସହ ଚାଳକଙ୍କୁ ଅଟକ ରଖି ତଦନ୍ତ ଜାରିରଖିଛି। ଗାଡ଼ି ଚାଳକ ସଂଖ୍ୟାଲଘୁ ସମ୍ପ୍ରଦାୟର ହୋଇଥିବା ବେଳେ ତାଙ୍କ ଘର ସଲପଡିହ ଗ୍ରାମ ବୋଲି ଜଣାପଡିଛି।

Related posts