ଜାତୀୟ ରାଜପଥରେ ଖୋର୍ଦ୍ଧା ଏସପି ଙ୍କ ଚଢାଉ: ଉଦ୍ଧାର କଲେ ୭୦ ଟି ଜୀବନ୍ତ ଗାଈ, ୩ ଅଟକ

Published: Jan 7, 2024, 7:46 pm IST

ଖୋର୍ଦ୍ଧା: ଗତକାଲି ବିଳମ୍ବିତ ରାତ୍ରିରେ ବେଆଇନ ଗୋରୁ ଚାଲାଣ ହେଉଥିବା ଖବର ପାଇ ଖୋର୍ଦ୍ଧା ଏସପି ସିଦ୍ଧାର୍ଥ କଟାରିଆ ଓ ଟିମ ଜଙ୍କିଆ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ମଲାଗୁଣି ନଦୀ ଓଭରବ୍ରିଜ ଠାରେ ଚଢ଼ାଉ କରି ଏକ କଣ୍ଟେନର ଜବତ କରିଛନ୍ତି।  ଏହି କ୍ରମରେ ଉକ୍ତ କଣ୍ଟେନରରୁ ୭୦ ଗୋଟି ଜୀବନ୍ତ ଗାଈ ମୁମୁର୍ଷୁ ଅବସ୍ଥାରେ ଉଦ୍ଧାର କରାଯାଇଛି। ଏହି ମାମଲାରେ ୩ ଅଭିଯୁକ୍ତଙ୍କୁ ଅଟକ ରଖିଛି ପୋଲିସ। ଅଟକ ଥିବା ଅଭିଯୁକ୍ତମାନେ ହେଲେ ଉତ୍ତରପ୍ରଦେଶ ସହାରନପୁର ଅଞ୍ଚଳର ମୁସ୍ତକିମ ଶାହ, ମିର ହସନ ଏବଂ ଶାହରୁଖ ମଲିକ।

ଏସପି ଙ୍କ ସୂଚନା ମୁତାବକ ଉକ୍ତ କଣ୍ଟେନରଟି ଆନ୍ଧ୍ର ପ୍ରଦେଶ ଅଭିମୁଖେ ଚାଲାଣ ହେଉଥିବାର ଖବର ପାଇ ଜିଲ୍ଲାର ସମସ୍ତ ଥାନାଧିକାରୀଙ୍କୁ ସତର୍କ କରାଯାଇଥିଲା। ଜାତୀୟ ରାଜପଥରେ ବ୍ଲକିଙ୍ଗ ଚେକିଂ ଜାରି ରହିଥିବା ବେଳେ ଖୋଦ ଏସପି ଶ୍ରୀ କଟାରିଆ ପାଟ୍ରୋଲିଂ ଜାରି ରଖିଥିଲେ ଏବଂ ପରିଶେଷରେ ଉକ୍ତ ଗାଡିକୁ ଜଙ୍କିଆ ଥାନା ଅଞ୍ଚଳରୁ ଜବତ କରାଯାଇଥିଲା।

ତେବେ ଜିଲ୍ଲାରେ ବେଆଇନ ଗୋଚାଲାଣ ଉପରେ ପୋଲିସ ଜିରୋ ଟଲରେନ୍ସ ନୀତି ଆପଣେଇଛି ଏବଂ ଏପରି ଅପରାଧକୁ କଦାପି ପ୍ରଶେୟ ଦିଆଯିବନାହିଁ ବୋଲି ଏସପି କହିଛନ୍ତି।

Related posts