Categories
ଆଞ୍ଚଳିକ

ନୂତନ ଖୋର୍ଦ୍ଧା ଏସପିଙ୍କ ବାଣପୁର ଓ ବାଲୁଗାଁ ଥାନା ପରିଦର୍ଶନ

ଚିଲିକା (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧାରେ ନୂତନ ଏସପି ଭାବେ ଗତ ଦୁଇ ଦିନ ତଳେ ଅବିନାଶ କୁମାର ଯୋଗଦେବା ପରେ ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳ ଗସ୍ତକରି ସେଠାକାର ନିର୍ବାଚନ ସୁରକ୍ଷା ବ୍ୟବସ୍ଥା ଏବଂ ଆଇନ ଶୃଙ୍ଖଳା ସ୍ଥିତି ତଦାରଖ ଜାରି ରଖିଛନ୍ତି। ଏହି ପରିପ୍ରେକ୍ଷୀରେ ନୂତନ ଏସପି ଗତକାଲି ବାଲୁଗାଁ ଓ ବାଣପୁର ଥାନା ପରିଦର୍ଶନ କରିଥିଲେ।  ଅପରାହ୍ନରେ ବାଲୁଗାଁ ଥାନା ପହଞ୍ଚିବା ପରେ ଏସପିଙ୍କୁ ବାଲୁଗାଁ ଏସଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ର, ବାଲୁଗାଁ ଆଇଆଇସି ଜୟପ୍ରକାଶ ପରିଡ଼ା ଏବଂ ଅନ୍ୟ ସମସ୍ତ ପୋଲିସ କର୍ମଚାରୀ ମାନେ ଗାର୍ଡ ଅଫ ଅନର ପ୍ରଦାନ କରିବା ସହ ସ୍ୱାଗତ ଜଣାଇଥିଲେ।

ଏହି ଅବସରରେ ଏସପି ଶ୍ରୀ କୁମାର ବାଲୁଗାଁ ଥାନା ଏବଂ ଏହାର ସୀମାନ୍ତବର୍ତ୍ତୀ ଅଞ୍ଚଳ ତଥା ଖୋର୍ଦ୍ଧା ଓ ଗଞ୍ଜାମ ଜିଲ୍ଲା ସୀମାରେ ଥିବା ନାଭାଲ ଫାଣ୍ଡି ଅଞ୍ଚଳ ପରିଦର୍ଶନ କରିଥିଲେ।  ସଂନ୍ଧ୍ୟାରେ ନୂତନ ଏସପି ବାଣପୁର ଥାନାରେ ପହଞ୍ଚି ସେଠାର ଆଇନ ଶୃଙ୍ଖଳା ସ୍ଥିତି ପରଖିଥିଲେ।

ଏହି ଅବସରରେ ତାଙ୍କୁ ବାଣପୁର ଆଇଆଇସି ରମେଶ ଚନ୍ଦ୍ର ଦେବତା ଏବଂ ଥାନାର ସମସ୍ତ ପୋଲିସ କର୍ମଚାରୀ ମାନେ ଗାର୍ଡ ଅଫ ଅନର ପ୍ରଦାନ କରିବା ସହ ସ୍ୱାଗତ ଜଣାଇଥିଲେ।  ତେବେ ସାଧାରଣ ନିର୍ବାଚନରେ ପୋଲିସର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ଚଳିତ ନିର୍ବାଚନକୁ ଅବାଧ, ନିରପେକ୍ଷ ଏବଂ ଶାନ୍ତିଶୃଙ୍ଖଳା ଭାବେ ପରିଚାଳନା କରିବା ପାଇଁ ସମସ୍ତ ଅଧିକାରୀଙ୍କୁ ଏସପି ତାଗିଦ କରିଥିଲେ।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ଖୋର୍ଦ୍ଧା ଓ ବ୍ରହ୍ମପୁରରେ ନିଯୁକ୍ତ ହେଲେ ନୂଆ ଏସପି, ଜାଣନ୍ତୁ କିଏ

ଭୁବନେଶ୍ବର: ଭାରତ ନିର୍ବାଚନ କମିସନରଙ୍କ ସ୍ବୀକୃତି ପରେ ଦୁଇଟି ଜିଲ୍ଲାରେ ନୂଆ ଏସପିଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି। ସେମାନେ ହେଲେ ବ୍ରହ୍ମପୁର ପାଇଁ ସାର୍ଥକ ଷଡଙ୍ଗୀ ଏବଂ ଖୋର୍ଦ୍ଧା ପାଇଁ ଅବିନାଶ କୁମାର। ଉଭୟ ହେଉଛନ୍ତି 2007 ମସିହା ବ୍ୟାଚର। ରାଜ୍ୟ ସରକାର ଏମାନଙ୍କୁ ତୁରନ୍ତ ନୂଆ କାର୍ଯ୍ୟରେ ଯୋଗଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ନିର୍ବାଚନକୁ ଦୃଷ୍ଟିରେ ରଖି ଏହି ଦୁଇ ଜିଲ୍ଲାର ଏସପି ବଦଳାଇବା ପାଇଁ ନିର୍ବାଚନ କମିଶନର ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସେହି ଅନୁସାରେ ରାଜ୍ୟ ସରକାର ସେମାନଙ୍କୁ ବଦଳାଇ ଏହି ଦୁଇ ଆଇପିଏସ ଅଧିକାରୀଙ୍କୁ ନିଯୁକ୍ତି ପ୍ରଦାନ କରିଛନ୍ତି।

Categories
ଆଜିର ଖବର

ଖୋର୍ଦ୍ଧା ସହିତ ପାଞ୍ଚ ଜଣ ଏସପି, ଦୁଇ ଜିଲ୍ଲାପାଳ ଓ ଆଇଜିଙ୍କୁ ନିର୍ବାଚନ ଦାୟିତ୍ବରୁ ହଟାଇବାକୁ ନିର୍ଦ୍ଦେଶ

ଭୁବନେଶ୍ବର: ଆଜି ଭାରତ ମୁଖ୍ୟ ନିର୍ବାଚନ କମିଶନର ଓଡିଶାର ପାଞ୍ଚ ଜଣ ଏସପି, ଦୁଇଜଣ ଜିଲ୍ଲାପାଳ ଏବଂ ଜଣେ ଆଇଜିଙ୍କୁ ବଦଳି କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏମାନଙ୍କୁ ସମସ୍ତ ନିର୍ବାଚନ ସଂପର୍କିତ କାର୍ଯ୍ୟରୁ ଦୂରେଇ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏମାନଙ୍କ ବିରୋଧରେ ଅଭିଯୋଗ ହେବା ପରେ ନିର୍ବାଚନ କମିଶନର ଏହି ନିଷ୍ପତି କରିଛି। ଏ ନେଇ କମିଶନର ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ଜଣାଇଛନ୍ତି।

ଯେଉଁ ଜିଲ୍ଲାପାଳଙ୍କୁ ବଦଳି କରିବାକୁ ନିର୍ଦ୍ଦେଶ ଆସିଛି ସେମାନେ ହେଲେ କଟକ ଜିଲ୍ଲାପାଳ ବିନୀତ ଭରଦ୍ବାଜ, ଜଗତସିଂହପୁର ଜିଲ୍ଲାପାଳ ପରୁଳ ପତୱରୀଙ୍କ ନାମ ରହିଛି। ସେହିପରି ଖୋର୍ଦ୍ଧା ଏସପି ଯୁଗଳ କିଶୋର, ଅନୁଗୁଳ ସୁଧାଂଶୁ ମିଶ୍ର, ବ୍ରହ୍ମପୁର ଶ୍ରବଣ ବିବେକ, ରାଉରକେଲା ଏସପି ମିତ୍ରଭାନୁ ମହାପାତ୍ର, ସୁନ୍ଦରଗଡ ଏସପି କେ ଭି ସିଂ।

ସେହିପରି କେନ୍ଦ୍ରାଞ୍ଚଳ ଆଇଜି ଆଶୀଷ ସିଂଙ୍କୁ ବଦଳି କରାଇବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।

Categories
ଆଞ୍ଚଳିକ

ବାଣପୁରରେ ପୋଲିସ ଓ ଅବକାରୀର ମିଳିତ ଚଢ଼ାଉ, ୭ ଗିରଫ

ବାଣପୁର (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଏସପି ବି ଯୁଗଳ କିଶୋରଙ୍କ ନିର୍ଦ୍ଦେଶକ୍ରମେ ଆଜି ବାଣପୁର ଥାନା ଅଞ୍ଚଳରେ ପୋଲିସ ଏବଂ ଅବକାରୀ ବିଭାଗର ମିଳିତ ଚଢ଼ାଉ କରାଯାଇଛି। ଉକ୍ତ ଚଢ଼ାଉରେ ବାଣପୁର ପୋଲିସ, ଏକ ପ୍ଲାଟୁନ ଫୋର୍ସ ସମସ୍ତ ଖୋର୍ଦ୍ଧା, ଟାଙ୍ଗୀ ଏବଂ ବାଲୁଗାଁ ଅବକାରୀ ମାନେ ସାମିଲ ଥିଲେ।

ବାଣପୁର ଥାନାର ଦାଶରଥିପୁର, ନୀଳାଦ୍ରି, କୋଷରଡ଼ା ଏବଂ ଦାମିଆ ବରବରା ଗ୍ରାମରେ ଏହି ଚଢ଼ାଉ ହୋଇଥିଲା। ଚଢ଼ାଉ ସମୟରେ ଜଙ୍ଗଲ ଅଞ୍ଚଳରୁ ସମୁଦାୟ ୧୫୫୦୦ ଲିଟର ପୋଚ ଏବଂ ୧୨୦୦ ଲିଟର ଦେଶୀମଦ ଜବତ କରାଯାଇ ନଷ୍ଟ କରାଯାଇଥଲା।

ଅନୁରୂପ ଭାବେ ଗ୍ରାମାଞ୍ଚଳରୁ ସମୁଦାୟ ୨୧୭ ଲିଟର ଦେଶୀ ମଦ ଜବତ କରାଯାଇଥିବା ବେଳେ ୭ ଅଭିଯୁକ୍ତଙ୍କୁ ପୋଲିସ ଏବଂ ଅବକାରୀ ଗିରଫ କରିଛି। ଉଭୟ ବିଭାଗ ଏହି ପରିପ୍ରେକ୍ଷୀରେ ୭ ଗୋଟି ମାମଲା ରୁଜୁ କରି ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିବା ବାଣପୁର ଆଇଆଇସି ରମେଶ କୁମାର ଦେବତା ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଆଇପିଏସ ସ୍ତରରେ ଅଦଳବଦଳ: ବଦଳିଲେ ଖୋର୍ଦ୍ଧା ଏସପି ସିଦ୍ଧାର୍ଥ କାଟାରିଆ

ଭୁବନେଶ୍ବର: ଆଜି ସନ୍ଧ୍ୟାରେ ଆଇପିଏସ ସ୍ତରରେ ରାଜ୍ୟସରକାର ଅଦଳବଦଳ କରିଛନ୍ତି। ଏହି କ୍ରମରେ ଖୋର୍ଦ୍ଧା ଏସପି ସିଦ୍ଧାର୍ଥ କାଟାରିଆଙ୍କୁ କେନ୍ଦ୍ରପଡା ଏସପି ଭାବେ ବଦଳି ହୋଇଥିବାବେଳେ ତାଙ୍କ ସ୍ଥାନରେ ବି. ଯୁଗଳ କିଶୋରଙ୍କୁ ଖୋର୍ଦ୍ଧାର ଏସପି ଭାବେ ନିଯୁକ୍ତି ମିଳିଛି।

ତେବେ ଦୀପକ କୁମାରଙ୍କୁ ପୂର୍ବାଞ୍ଚଳ ଆଇଜି ଭାବେ ନିଯୁକ୍ତି ମିଳିଥିବା ବେଳେ ସତ୍ୟବ୍ରତ ଭୋଇଙ୍କୁ ଉତ୍ତର-ପୂର୍ବାଞ୍ଚଳ ଆଇଜି ଭାବେ ନିଯୁକ୍ତି ମିଳିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଜାତୀୟ ରାଜପଥରେ ଖୋର୍ଦ୍ଧା ଏସପି ଙ୍କ ଚଢାଉ: ଉଦ୍ଧାର କଲେ ୭୦ ଟି ଜୀବନ୍ତ ଗାଈ, ୩ ଅଟକ

ଖୋର୍ଦ୍ଧା: ଗତକାଲି ବିଳମ୍ବିତ ରାତ୍ରିରେ ବେଆଇନ ଗୋରୁ ଚାଲାଣ ହେଉଥିବା ଖବର ପାଇ ଖୋର୍ଦ୍ଧା ଏସପି ସିଦ୍ଧାର୍ଥ କଟାରିଆ ଓ ଟିମ ଜଙ୍କିଆ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ମଲାଗୁଣି ନଦୀ ଓଭରବ୍ରିଜ ଠାରେ ଚଢ଼ାଉ କରି ଏକ କଣ୍ଟେନର ଜବତ କରିଛନ୍ତି।  ଏହି କ୍ରମରେ ଉକ୍ତ କଣ୍ଟେନରରୁ ୭୦ ଗୋଟି ଜୀବନ୍ତ ଗାଈ ମୁମୁର୍ଷୁ ଅବସ୍ଥାରେ ଉଦ୍ଧାର କରାଯାଇଛି। ଏହି ମାମଲାରେ ୩ ଅଭିଯୁକ୍ତଙ୍କୁ ଅଟକ ରଖିଛି ପୋଲିସ। ଅଟକ ଥିବା ଅଭିଯୁକ୍ତମାନେ ହେଲେ ଉତ୍ତରପ୍ରଦେଶ ସହାରନପୁର ଅଞ୍ଚଳର ମୁସ୍ତକିମ ଶାହ, ମିର ହସନ ଏବଂ ଶାହରୁଖ ମଲିକ।

ଏସପି ଙ୍କ ସୂଚନା ମୁତାବକ ଉକ୍ତ କଣ୍ଟେନରଟି ଆନ୍ଧ୍ର ପ୍ରଦେଶ ଅଭିମୁଖେ ଚାଲାଣ ହେଉଥିବାର ଖବର ପାଇ ଜିଲ୍ଲାର ସମସ୍ତ ଥାନାଧିକାରୀଙ୍କୁ ସତର୍କ କରାଯାଇଥିଲା। ଜାତୀୟ ରାଜପଥରେ ବ୍ଲକିଙ୍ଗ ଚେକିଂ ଜାରି ରହିଥିବା ବେଳେ ଖୋଦ ଏସପି ଶ୍ରୀ କଟାରିଆ ପାଟ୍ରୋଲିଂ ଜାରି ରଖିଥିଲେ ଏବଂ ପରିଶେଷରେ ଉକ୍ତ ଗାଡିକୁ ଜଙ୍କିଆ ଥାନା ଅଞ୍ଚଳରୁ ଜବତ କରାଯାଇଥିଲା।

ତେବେ ଜିଲ୍ଲାରେ ବେଆଇନ ଗୋଚାଲାଣ ଉପରେ ପୋଲିସ ଜିରୋ ଟଲରେନ୍ସ ନୀତି ଆପଣେଇଛି ଏବଂ ଏପରି ଅପରାଧକୁ କଦାପି ପ୍ରଶେୟ ଦିଆଯିବନାହିଁ ବୋଲି ଏସପି କହିଛନ୍ତି।

Categories
ଆଞ୍ଚଳିକ

ବାଣପୁରରେ ସାଇବର ସଚେତନତା ରଥକୁ ବିପୁଳ ସ୍ୱାଗତ

ବାଣପୁର (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଏସପି ସିଦ୍ଧାର୍ଥ କଟାରିଆଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରେ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଜାରି ରହିଛି। ଏହି ପରିପ୍ରେକ୍ଷୀରେ ବାଣପୁର ଥାନା ଅଞ୍ଚଳରେ ଆଜି ଉକ୍ତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ସକାଳେ ବାଣପୁର ସରକାରୀ ଉଚ୍ଚ ବିଦ୍ୟାଳୟ ଏବଂ ପୂର୍ବାହ୍ନରେ ଗୋଦାବରୀଶ ମହାବିଦ୍ୟାଳୟ ପରିସରରେ ଉକ୍ତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବାଣପୁର ଆଇଆଇସି ରମେଶ ଚନ୍ଦ୍ର ଦେବତାଙ୍କ ତତ୍ୱାବଧାନରେ ବିଭିନ୍ନ ସ୍ଥାନରେ ଉକ୍ତ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି।

ଗୋଦାବରୀଶ ମହାବିଦ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ କିଶୋର ଚନ୍ଦ୍ର ମୁଣ୍ଡ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଡ଼ିଏସପି ସୁଜିତ ପଣ୍ଡା, ଡ଼ିଏସପି ଅନିଲ କୁମାର ମହାନ୍ତି, ଡ଼ିଏସପି ମିନାକ୍ଷୀ ଠାକୁର, ବାଲୁଗାଁ ଏସଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ର, ଆଇଆଇସି ରମେଶ ଚନ୍ଦ୍ର ଦେବତା, ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଫେସର ବିନାୟକ ହୋତା, ପ୍ରଶାସନିକ ଅଧିକାରୀ ଡା ସୁରପ୍ରତାପ ନରେନ୍ଦ୍ର ସିଂ ବର୍ମା ଓ ସହ ପ୍ରଶାସନିକ ଅଧିକାରିଣୀ ଡା ସୁଜାତା ମିଶ୍ର ଯୋଗଦେଇଥିଲେ।

ଏହି ଅବସରରେ ସାଇବର ଠକେଇ ସମ୍ପ୍ରତି ସମାଜରେ ଚ୍ୟାଲେଞ୍ଜ ଭାବେ ଉଭା ହୋଇଥିବା ବେଳେ ଏହାକୁ ପ୍ରତିହିତ କରିବା ପାଇଁ ସଚେତନତା ଏକମାତ୍ର ଉପାୟ ବୋଲି ଅତିଥିମାନେ ମତପ୍ରକାଶ କରିଥିଲେ। ସାଇବର ଲୁଟେରାଙ୍କ ଶିକାର ବିଶେଷ କରି ଯୁବ ପିଢ଼ି ଓ ବରିଷ୍ଠ ନାଗରିକ ମାନେ ହେଉଥିବା ବେଳେ ଏଥିରୁ ରକ୍ଷା ପାଇବାକୁ ହେଲେ ତୁରନ୍ତ ସ୍ଥାନୀୟ ପୋଲିସର ସହାୟତା ନେବାକୁ ଅତିଥି ମାନେ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ।

ଅଜଣା ଫୋନ କଲ ଆସିଲେ ଓଟିପି ନଦେବା,  ୟୁପିଆଇରେ ପେମେଣ୍ଟ କରିବା ବେଳେ ସତର୍କ ରହିବା, ସାଇବର ଠକେଇର ଶିକାର ହେଲେ ୧୯୩୦ ଟୋଲ ଫ୍ରି ନମ୍ବରରେ ଅଭିଯୋଗ କରିବା ଭଳି ଏକାଧିକ ଉପାୟ ଅବଲମ୍ବନ କରିବା ପାଇଁ ଅତିଥିମାନେ କହିଥିଲେ।

ସଭା ଶେଷରେ ସାଇବର ସୁରକ୍ଷା ସମ୍ବନ୍ଧୀୟ ଏକାଧିକ ସାଂସ୍କୃତିକ କାର୍ଯ୍ୟକ୍ରମ, ନାଟକ ଏବଂ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଏବଂ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା।

ପରିଶେଷରେ ସାଇବର ସଚେତନତା ରଥକୁ ବାଣପୁର ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ପରିକ୍ରମା କରାଯାଇ ସଚେତନତାର ବାର୍ତ୍ତା ପ୍ରଦାନ କରାଯାଇଥଲା।

ସୂଚନା ଥାଉକି ଓଡିଶା ପୋଲିସ ଆଇସିଆଇସିଆଇ ଫାଉଣ୍ଡେସନର ସହାୟତାରେ ସାରା ଓଡ଼ିଶାରେ ଉକ୍ତ ସାଇବର ସଚେତନତା କାର୍ଯ୍ୟକ୍ରମ ଜାରି ରଖିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଠିକାଦାର ରମେଶ ରାଉତଙ୍କ ହତ୍ୟାକାଣ୍ଡ ଘଟଣା: ପାଞ୍ଚ ଦିନ ମଧ୍ୟରେ ପର୍ଦ୍ଦାଫାଶ କଲା ଟାଙ୍ଗୀ ପୋଲିସ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ବହୁଚର୍ଚ୍ଚିତ ଠିକାଦାର ରମେଶ ରାଉତଙ୍କ ହତ୍ୟାକାଣ୍ଡ ଘଟଣାର ପର୍ଦ୍ଦାଫାଶ ହୋଇଛି। ମାତ୍ର ପାଞ୍ଚ ଦିନ ମଧ୍ୟରେ ଟାଙ୍ଗୀ ଥାନା ପୋଲିସ ଏହାର ପର୍ଦ୍ଦାଫାଶ କରିଛି। ଖୋର୍ଦ୍ଧା ଏସପି ସିଦ୍ଧାର୍ଥ କଟାରିଆ ଆଜି ଅପରାହ୍ନରେ ଟାଙ୍ଗୀ ଥାନାରେ ପ୍ରେସ୍ ମିଟ୍ ଜରିଆରେ ଏ ନେଇ ସୂଚନା ଦେଇଛନ୍ତି।

ଗୁଳିକାଣ୍ଡ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଅଞ୍ଚଳର ମନୋଜ କୁମାର ପରିଡାଙ୍କ ସମେତ ୪ ଜଣଙ୍କୁ ଟାଙ୍ଗୀ ଥାନା ପୋଲିସ୍ ଗିରଫ କରିଛି। ଗିରଫ ଅଭିଯୁକ୍ତମାନଙ୍କଠାରୁ ଗୋଟିଏ ଦେଶୀ ପିସ୍ତଲ, ଗୋଟିଏ ଖାଲି କ୍ୟାଟ୍ରିଜ୍ , ଗୋଟିଏ ଜୀବନ୍ତ ଗୁଳି ଏବଂ ୩ ଗୋଟି ବାଇକ୍ ଜବତ କରିଛି ପୋଲିସ।

ସୂଚନା ଥାଉକି ଗତ ୧୮ ତାରିଖ ରାତିରେ ଟାଙ୍ଗୀ ଥାନା ମୁଣ୍ଡାଳ ନିକଟରେ ଠିକାଦାର ରମେଶକୁ ଗୁଳି ମାଡ ହୋଇଥିଲା ଏବଂ ତାଙ୍କର ସେଠାରେ ମୃତ୍ୟୁ ହୋଇଥିଲା। ଖୋର୍ଦ୍ଧା ଜିଲା ଟାଙ୍ଗୀ ଥାନା ରାଧାମୋହନ ପୁର ଗ୍ରାମରେ ଠିକାଦାର ରମେଶଙ୍କ ଘର। ଗତ ଜୁନ୍ ୧୪ ତାରିଖରେ ମୟୁରଭଞ୍ଜରେ ହୋଇଥିବା ଏକ ଡକାୟତି ଘଟଣାର ପର୍ଦ୍ଦାଫାଶ୍ ହୋଇଯିବା ଭୟରେ ଏହି ଗୁଳିକାଣ୍ଡ ହୋଇଥିବା ଜଣାପଡିଛି।

ମୁଖ୍ୟ ଅଭିଯୁକ୍ତ ମନୋଜ ପରିଡାଙ୍କ ନାମରେ ୧୫ ରୁ ଅଧିକ ଜଘନ୍ୟ ମାମଲା ରାଜ୍ୟର ବିଭିନ୍ନ ଥାନାରେ ରହିଛି। ଅନ୍ୟ ୩ ଅଭିଯୁକ୍ତମାନେ ହେଲେ ଗଂଜାମ ଜିଲା କବିସୂର୍ଯ୍ୟ ନଗରର ସନ୍ତୋଷ କୁମାର ପ୍ରଧାନ ଏବଂ ଖୋର୍ଦ୍ଧା ଜିଲା ଟାଙ୍ଗୀ ଥାନା ମୁଣ୍ଡାଳ ଗ୍ରାମର ଦିଲିପ କୁମାର ସୁରଜିତ୍ ଓରଫ ଟୁଟୁ ବାରିକ ଓ ବୁନା ଓରଫ ଗଂଗାଧର ସୁବୁଦ୍ଧି ବୋଲି ଏସପି ସୂଚନା ଦେଇଛନ୍ତି।

ଉକ୍ତ ପ୍ରେସ ମିଟରେ ବାଲୁଗାଁ ଏସଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ର ଏବଂ ଟାଙ୍ଗୀ ଥାନା ଆଇଆଇସି ଦିଗବିଜୟ ବିଶ୍ୱାଳ ଉପସ୍ଥିତ ଥିଲେ।

Categories
ଆଞ୍ଚଳିକ

ବାଲୁଗାଁ : ସଂଘବଦ୍ଧ ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ ଘଟଣାରେ ୫ ଅଭିଯୁକ୍ତ ଗିରଫ

ବାଲୁଗାଁ (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ରଘୁନାଥପୁର ଗ୍ରାମରେ ଘଟିଥିବା ରଙ୍କନାଥ ସାହୁଙ୍କ ହତ୍ୟା ଘଟଣାରେ ଆଜି 5 ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଏ ନେଇ ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକ ସୂଚନା ଦେଇଛନ୍ତି । ଖୋର୍ଦ୍ଧା ଏସପି ଉକ୍ତ ହତ୍ୟା ଘଟଣାକୁ ଗୁରୁତର ସହ ନେଇଥିଲେ ଏବଂ ତାଙ୍କ ନିର୍ଦେଶକ୍ରମେ ଜିଲ୍ଲା ଏବଂ ଜିଲ୍ଲା ବାହାରେ ବିଭିନ୍ନ ଅଞ୍ଚଳରେ ବାଲୁଗାଁ ପୋଲିସ ଓ ସ୍ୱତନ୍ତ୍ର ସ୍କ୍ୱାର୍ଡର ଏକାଧିକ ଟିମ ନିରନ୍ତର ଚଢ଼ାଉ ଜାରି ରଖି ୫ ଜଣଙ୍କୁ ଗିରଫ କରିଛି ।

ଗିରଫ ଅଭିଯୁକ୍ତମାନେ ହେଲେ ରଘୁନାଥପୁର ଗ୍ରାମର ପଦ୍ମଚରଣ ରାଉତ(୬୫),ପ୍ରଭାତ କୁମାର ରାଉତ(୫୩),କାଳୁ ଚରଣ ରାଉତ(୩୭), ନବୀନ ରାଉତ(୨୮) ଏବଂ ରାଜକିଶୋର ରାଉତ(୫୫) । ତେବେ ଉକ୍ତ ଘଟଣାର ଅଧିକ ତଦନ୍ତ ଜାରି ରହିଥିବା ବେଳେ ଅଦ୍ୟାବଧି ଗିରଫ ୫ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଥିବାର ଏସଡିପିଓ ଶ୍ରୀ ବାରିକ କହିଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା ଜିଲ୍ଲାର ଏସପି ଭାବେ ଯୋଗ ଦେଲେ ସିଦ୍ଧାର୍ଥ କଟରିଆ

ଖୋର୍ଦ୍ଧା: ସୋମବାର ଦିନ କାର୍ଯ୍ୟରେ ଯୋଗ ଦେଇଛନ୍ତି ଖୋର୍ଦ୍ଧା ଜିଲ୍ଲାର ନୂତନ ଏସପି ଆଇପିଏସ ସିଦ୍ଧାର୍ଥ କଟରିଆ । ଶ୍ରୀ କଟରିଆ ଆଜି ଅପରାହ୍ନରେ କାର୍ଯ୍ୟାଳୟକୁ ଆସିବା ପରେ ସମସ୍ତ ପୋଲିସ ଅଧିକାରୀମାନେ ତାଙ୍କୁ ପୁଷ୍ପଗୁଛ ଦେଇ ସ୍ୱାଗତ କରିଥିଲେ । କଟରିଆଙ୍କ ନିଜ ଘର ଉତ୍ତରପ୍ରଦେଶ ହୋଇଥିବାବେଳେ, ସେ ୨୦୧୭ ମସିହା ଓଡ଼ିଶା କ୍ୟାଡର ଆଇପିଏସ ଅଫିସର ।

ପୂର୍ବରୁ ସେ ତାଳଚେର ଏସଡିପିଓ ଏବଂ ପରେ ନୟାଗଡ଼ ଏସ‌ପି ଭାବେ ଦାୟିତ୍ବ ତୁଲାଇଥିଲେ । ତେବେ ଖୋର୍ଦ୍ଧା ଜିଲ୍ଲା ବିଶେଷକରି ଚିଲିକା ପାଇଁ କଣ ପ୍ରାଥମିକତା ରହିବ ବୋଲି ଆମ ପ୍ରତିନିଧି ପଚାରିବାରୁ ଜିଲ୍ଲାରେ ଜନସାଧାରଣ ଙ୍କ ଅଭିଯୋଗ କୁ ପ୍ରାଥମିକତା ଦିଆଯିବ ବୋଲି କହିଛନ୍ତି ଏସପି ଶ୍ରୀ କଟରିଆ । ତତସହିତ ଜିଲ୍ଲାରେ ବଢୁଥିବା ଅପରାଧିକ ମାମଲା ଯେପରି ଗୋରୁ ଚାଲାଣ, ଖଣି ମାଫିଆ ଏବଂ ବ୍ରାଉନସୁଗାର ବେପାର ଆଦିକୁ ରୋକ ଲଗାଇବା ଦିଗରେ କାର୍ଯ୍ୟ କରିବେ ବୋଲି ଶ୍ରୀ କଟରିଆ କହିଛନ୍ତି।

ମହିଳା ଏବଂ ବରିଷ୍ଠ ନାଗରିକଙ୍କୁ ଅଭିଯୋଗ କୁ ପ୍ରାଧାନ୍ୟ ଦିଆଯିବା ସହ ଖୁବ ଶୀଘ୍ର ଜିଲ୍ଲାର ସମସ୍ତ ଥାନାରେ ଏସପିଙ୍କ ସିୟୁଜି ନମ୍ବର ଜନସାଧାରଣ ଙ୍କ ଉଦ୍ଦେଶ୍ୟରେ ସାର୍ବଜନୀନ କରାଯିବ ବୋଲି କହିଛନ୍ତି ଶ୍ରୀ କଟରିଆ l

Categories
ଆଜିର ଖବର ରାଜ୍ୟ ଖବର

ଦାଇତ୍ୱ ନେବା ପରେ ନୂତନ ଖୋର୍ଦ୍ଧା ଏସପିଙ୍କ ବାଣପୁର ଓ ବାଲୁଗାଁ ଥାନା ପରିଦର୍ଶନ

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ନୂତନ ଏସପି ଭାବେ ଅଲେଖ ଚନ୍ଦ୍ର ପହି ଦାଇତ୍ୱ ନେବା ପରେ ଆଜି ପ୍ରଥମ ଥର ପାଇଁ ବାଣପୁର ଏବଂ ବାଲୁଗାଁ ଥାନା ପରିଦର୍ଶନ କରିଥିଲେ। ଉଭୟ ଥାନା ଗସ୍ତ କରି ଶ୍ରୀ ପହି ଅଞ୍ଚଳର ଆଇନ ଶୃଙ୍ଖଳା ଏବଂ ଥାନାର ସମସ୍ତ ପ୍ରକାର ବନ୍ଦୋବସ୍ତର ତଦାରଖ କରିଥିଲେ।

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଆଗକୁ ଥିବା ବେଳେ ତାହାକୁ ଆଖି ଆଗରେ ରଖି ଜିଲ୍ଲା ପୋଲିସ ପକ୍ଷରୁ ସମସ୍ତ ବ୍ୟବସ୍ଥା ଶେଷ ହୋଇଥିବାର ଏସପି ଆମ ଚିଲିକା ପ୍ରତିନିଧିଙ୍କୁ କହିଥିଲେ। ଆଗାମୀ ଦିନେ ଦୁଇ ଦିନ ମଧ୍ୟରେ ଜିଲ୍ଲାର ସମସ୍ତ ଥାନାରେ ଅତିରିକ୍ତ ଗାଡ଼ି ପ୍ରଦାନ କରାଯିବ, ଯାହାଦ୍ୱାରା ଜିଲ୍ଲାର ସମସ୍ତ ଅଞ୍ଚଳରେ ମୋବାଇଲ ପେଟ୍ରୋଲିଂକୁ ଆହୁରି ବ୍ୟାପକ କରାଯିବ।

ତେବେ ନିର୍ବାଚନ ପୂର୍ବରୁ ଚିଲିକା ଅଞ୍ଚଳରେ ବିଶୃଙ୍ଖଳା ଅବା ଗଣ୍ଡଗୋଳ ସୃଷ୍ଟି କରିବା ଆଶଙ୍କାରେ ବହୁ ବ୍ୟକ୍ତିଙ୍କୁ ଆଗୁଆ ଚି଼ହ୍ନଟ କରାଯାଇଛି ଏବଂ ସେମାନଙ୍କୁ ୧୦୭  ଓ ୧୧୦ ରେ ନୋଟିସ ଦିଆଯାଇଥିବାର ଏସପି କହିଛନ୍ତି।

ଅନୁରୂପଭାବେ ଉଭୟ ବାଣପୁର ଏବଂ ବାଲୁଗାଁ ଥାନା ଅଞ୍ଚଳରେ ନିର୍ବାଚନ ସମୟରେ କିପରି ଶାନ୍ତିଶୃଙ୍ଖଳା ବଜାୟ ରହିବ ତାହାକୁ କାର୍ଯ୍ୟକାରୀ କରିବା ପାଇଁ ଏସପି ଥାନାଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ବାଲୁଗାଁ ଏସଡ଼ିପିଓଙ୍କ ତତ୍ୱାବଧାନରେ ଉଭୟ ବାଣପୁର ଏବଂ ବାଲୁଗାଁ ଆଇଆଇସିଙ୍କ ଦ୍ୱାରା ଅଦ୍ୟାବଧି ନିର୍ବାଚନ ପରିଚାଳନା ଉପରେ ଏସପି ସନ୍ତୋଷ ପ୍ରକାଶ କରିବା ସହ ଚିଲିକାରେ ଆଗାମୀ ପଞ୍ଚାୟତ ନିର୍ବାଚନ ଶାନ୍ତିଶୃଙ୍ଖଳା ସହ ସମାପନ ହେବ ବୋଲି ଅଶା କରିଛନ୍ତି।

ପରିଶେଷରେ ନୂତନ ଏସପି ମା’ ଭଗବତୀ ମନ୍ଦିର ପରିଦର୍ଶନ କରି ମା’ ଙ୍କ ଆଶୀର୍ବାଦ ନେଇ ଖୋର୍ଦ୍ଧା ଫେରିଯାଇଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା ଏସପିଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲାରେ ବେଆଇନ ମାଙ୍କଡା ପଥର ଖଣିରେ ଚଢ଼ାଉ, ୯ ଗାଡ଼ି ଜବତ,୪ ଗିରଫ

ଖୋର୍ଦ୍ଧା: ଖୋର୍ଦ୍ଧା ଆରକ୍ଷୀ ଅଧିକ୍ଷକ ରାଜକିଶୋର ଦୋରାଙ୍କ ନିର୍ଦ୍ଦେଶକ୍ରମେ ଆଜି ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ଥାନା ମାନଙ୍କ ତରଫରୁ ବେଆଇନ ଚୋରା ମାଙ୍କଡା ପଥର ଚାଲାଣ କରୁଥିବା ଖଣିମାନଙ୍କ ଉପରେ ପୋଲିସ ଚଢ଼ାଉ କରାଯାଇଥିଲା। ଏହି ଚଢ଼ାଉ ସମୟରେ ଚୋରା ଚାଲାଣ କରୁଥିବା ମୋଟ ୯ ଗୋଟି ମାଙ୍କଡା ପଥର ଗାଡିକୁ ପୋଲିସ ଜବତ କରିବା ସହ ୮ ଗୋଟି ମାମଲା ରୁଜୁ କରି ୪ ଜଣ ଡ୍ରାଇଭରଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।

ଜବତ ହୋଇଥିବା ମୋଟ ମାଙ୍କଡା ପଥରର ଆନୁମାନିକ ମୂଲ୍ୟ ୭୫ ହଜାର ଟଙ୍କା ହେବ ବୋଲି ଜଣାପଡିଛି। ତେବେ ଜବତ ସମୁଦାୟ ୯ ଗୋଟି ଗାଡ଼ି ମଧ୍ୟରୁ ସଦର ଥାନା ତିନି ଗୋଟି, ଜଙ୍କିଆ ଥାନା ଚାରି ଗୋଟି ଏବଂ ବେଗୁନିଆ ଥାନା ଦୁଇ ଗୋଟି ଗାଡ଼ି ଜବତ କରିଛି।

ସେହିପରି ଭାବେ ଗିରଫ ୪ ଡ୍ରାଇଭର ମଧ୍ୟରୁ ସଦର ଥାନା ଜଣଙ୍କୁ, ଜଙ୍କିଆ ଥାନା ଦୁଇ ଜଣଙ୍କୁ ଏବଂ ବେଗୁନିଆ ଥାନା ଜଣଙ୍କୁ ଗିରଫ କରିଛି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

କୋଭିଡ19 ନେଗେଟିଭ୍ ଆସିବା ପରେ କାର୍ଯ୍ୟରେ ଯୋଗ ଦେଲେ ଖୋର୍ଦ୍ଧା ଏସପି ଅଜୟ ପ୍ରତାପ

ଖୋର୍ଦ୍ଧା, ଜିଲ୍ଲା ଏସପି ଅଜୟ ପ୍ରତାପ ସ୍ବାଇଁ କୋଭିଡ ନେଗେଟିଭ ଆସିବା ପରେ ଆଜି କାର୍ଯ୍ୟରେ ଯୋଗ ଦେଇଛନ୍ତି। ଅଜୟ କୋଭିଡ ନିୟନ୍ତ୍ରଣ କରୁଥିବା ବେଳେ ତାଙ୍କ ସହିତ 5 ଜଣ ଅସୁସ୍ଥ ହୋଇପଡିଥିଲେ। ପରବର୍ତ୍ତି ସମୟରେ ସେ କୋଭିଡ ପଜେଟିଭ ବୋଲି ଚିହ୍ନଟ ହେବା ପରେ ଚିକିତ୍ସିତ ହେଉଥିଲେ। ସ୍ବାସ୍ଥ୍ୟ ଠିକ୍ ହେବା ପରେ ତାଙ୍କର ନମୂନା ପରୀକ୍ଷା କରାଯାଇଥିଲା। ନଗେଟିଭି ଆସିବା ପରେ କୋଭିଡ ଯୋଦ୍ଧା ଭାବେ ବର୍ତ୍ତମାନ କାମରେ ଯୋଗ ଦେଇଛନ୍ତି। ତାଙ୍କୁ ଆଜି କର୍ମଚାରୀଙ୍କ ତରଫରୁ ସ୍ବାଗତ ଦିଆଯାଇଥିଲା।