ଚାନ୍ଦପୁର ପୋଲିସକୁ ବଡ଼ ସଫଳତା: ଜବତ କଲା ୨୦ ଲକ୍ଷରୁ ଊର୍ଦ୍ଧ୍ଵ ଗଞ୍ଜେଇ, ଦୁଇ ଗିରଫ

Published: Aug 11, 2021, 6:57 pm IST

ନୟାଗଡ଼/ଚାନ୍ଦପୁର: ନୟାଗଡ଼ ଜିଲ୍ଲା ଚାନ୍ଦପୁର ପୋଲିସକୁ ବଡ଼ ସଫଳତା ମିଳିଛି। ଗୋଟିଏ କାରରୁ ଏକ କୁଇଣ୍ଟାଲରୁ ଉର୍ଦ୍ଧ୍ଵ ଗଞ୍ଜେଇ ଜବତ କରିବା ସହ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ।

ସୂଚନା ମୁତାବକ ଗତକାଲି ସଂଧ୍ୟାରେ ଏକ ହୋଣ୍ଡା ସିଟି ଗାଡ଼ିରେ ଗଞ୍ଜେଇ ବିକ୍ରି ପାଇଁ ଯାଉଥିବାର ସୂଚନା ପାଇଥିଲେ ଆଇଆଇସି ରଶ୍ମିରଂଜନ ଦାସ। ବିଳମ୍ବ ନକରି ନିଜ ଟିମ ସହ ଉକ୍ତ ଗାଡିର ଅନୁସନ୍ଧାନ ଜାରି ରଖିଥିବା ବେଳେ ରାଇପଡ଼ା ଠାରେ ଉକ୍ତ ଗାଡିକୁ ଠାବ କରି ଚଢ଼ାଉ କରିଥିଲେ। ତଲାସୀ ବେଳେ ପୋଲିସ କାରରୁ ଏକ କୁଇଣ୍ଟାଲରୁ ଉର୍ଦ୍ଧ୍ଵ ଗଞ୍ଜେଇ ସହ ନକଦ ୯୫ ହଜାର ଟଙ୍କା ଜବତ କରିବା ସହ କାର କୁ ସିଜ କରିଛି।

ଜବତ ହୋଇଥିବା ଗଞ୍ଜେଇର ମୂଲ୍ୟ ୨୦ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ଵ ହେବ ବୋଲି ଜଣାପଡିଛି। ଗିରଫ ଅଭିଯୁକ୍ତଙ୍କ ବିରୋଧରେ ଚାନ୍ଦପୁର ପୋଲିସ ୨୯ ଏନଡ଼ିପିଏସ ଅଧିନିୟମ ଅନୁଯାୟୀ କେସ ନମ୍ବର ୧୧୪/୨୧ ରେ ମାମଲା ରୁଜୁ କରି ଆଜି କୋର୍ଟଚାଲାଣ କରିଛି।

ତେବେ ଗିରଫ ଅଭିଯୁକ୍ତ ଦ୍ଵୟ ଦୀର୍ଘ ୫ ବର୍ଷ ହେଲା ଗଞ୍ଜେଇ ବେପାର କରୁଥିଲେ ଏବଂ ଗତ ୬ ମାସ ହେଲା ଚାନ୍ଦପୁର ଆଇଆଇସି ବ୍ୟକ୍ତିଗତ ଭାବେ ସେମାନଙ୍କ ଗତିବିଧି ଉପରେ ନଜର ରଖୁଲେ। ଉକ୍ତ ଚଢ଼ାଉରେ ଆଇଆଇସିଙ୍କ ବ୍ୟତୀତ ଏସଆଇ ଅଞ୍ଜଳି ସା, ଏଏସଆଇ ରମେଶ ବେହରା ଏବଂ ଅନ୍ୟ କର୍ମଚାରୀମାନେ ସାମିଲ ଥିଲେ।

Related posts