ଜଣେ ମହିଳାଙ୍କ ସମେତ ଚାରି ବ୍ରାଉନସୁଗାର ବେପାରୀଙ୍କୁ ଗିରଫ କଲା ଚାନ୍ଦପୁର ପୋଲିସ

Published: May 31, 2021, 7:19 pm IST

ନୟାଗଡ଼/ଚାନ୍ଦପୁର: ଖୋର୍ଦ୍ଧା ଜିଲ୍ଲା ପରେ ବ୍ରାଉନ ସୁଗାର ବେପାରୀଙ୍କ ଟାର୍ଗେଟରେ ଏବେ ନୟାଗଡ଼ ଜିଲ୍ଲା। ଖୋର୍ଦ୍ଧା ବାଟ ଦେଇ ନୟାଗଡ଼ରେ ବ୍ରାଉନ ସୁଗାର ବେପାର ପସରା ମେଲାଇବାକୁ ଉଦ୍ୟତ ହେଉଥିବା ବେଳେ ଆଜି ଜଣେ ମହିଳାଙ୍କ ସମେତ ଚାରି ଜଣ ବେପାରୀଙ୍କୁ ଚାନ୍ଦପୁର ପୋଲିସ ଗିରଫ କରିଛି।

ସୂଚନା ମୁତାବକ ସମ୍ପୃକ୍ତ ଚାରି ଜଣ ବେପାରୀ ବ୍ରାଉନ ସୁଗାର ସହ ଖୋର୍ଦ୍ଧାରୁ ଚାନ୍ଦପୁର ଏବଂ ଟାଙ୍ଗୀକୁ ବିକ୍ରି କରିବା ପାଇଁ ଆସୁଥିବାବେଳେ ଏହାର ସୂଚନା ନୟାଗଡ଼ ଏସପି ସିଦ୍ଧାର୍ଥ କଟାରିଆ ପାଇଥିଲେ।

ଏସପିଙ୍କ ନିର୍ଦ୍ଦେଶକ୍ରମେ ଚାନ୍ଦପୁର ଆଇଆଇସି ରଶ୍ମିରଞ୍ଜନ ଦାସଙ୍କ ନେତୃତ୍ୱରେ ଏସଆଇ ସଞ୍ଜୟ ମଲ୍ଲିକ, ଅଞ୍ଜଳି ସା ଏବଂ ଅନ୍ୟ କର୍ମଚାରୀଙ୍କୁ ନେଇ ଏକ ଟିମ ଗଠନ କରାଯାଇଥିଲା। ଏହାପରେ ପୋଲିସ ବିଭିନ୍ନ ଅଞ୍ଚଳ ଖାନତଲାସ ଜାରି ରଖିଥିବାବେଳେ ଶେଷରେ ରାଇପଡ଼ା ନିକଟରେ ଚାରି ଜଣ ବେପାରୀଙ୍କୁ ଗିରଫ କରାଯାଇଥିଲା। ସେମାନଙ୍କ ନିକଟରୁ ୭ ଗ୍ରାମ ବ୍ରାଉନ ସୁଗାର ପୋଲିସ ଜବତ କରିଛି।

ଗିରଫ ଅଭିଯୁକ୍ତ ମାନେ ହେଲେ ବାଙ୍କୀ ଥାନା ଅନ୍ତର୍ଗତ ନୂଆଗାଁ ଗ୍ରାମର କୃଷ୍ଣ ଧଳ ଏବଂ ତାଙ୍କ ପତ୍ନୀ ପ୍ରଭାତୀ ଧଳ, ଖୋର୍ଦ୍ଧା ବାସେଳୀ ସାହିର କହେଁଇ ଘଟୁଆଳ ଏବଂ ଖୋର୍ଦ୍ଧା ଘାସିସାହିରେ ଭଡା ଘରେ ରହୁଥିବା ବେଗୁନିଆ ଥାନା ଦେଉଳି ଗ୍ରାମର ସୁମନ୍ତ ନାୟକ।

ତେବେ ଏମାନଙ୍କର ଏକ ବଡ଼ ଗ୍ୟାଙ୍ଗ ଅଛି ଏବଂ ଏମାନେ ବାଲେଶ୍ୱର ଏବଂ ଜଳେଶ୍ୱରରୁ ବ୍ରାଉନ ସୁଗାର କିଣି ଖୋର୍ଦ୍ଧା ଏବଂ ନୟାଗଡ଼ ଜିଲ୍ଲାରେ ବେପାର ଚଳାଇଥିବାର ପୋଲିସ ଜାଣିବାକୁ ପାଇଛି। ଏ ସଂକ୍ରାନ୍ତରେ ଚାନ୍ଦପୁର ପୋଲିସ ଏନଡ଼ିପିଏସ ଆଇନ ଧାରା ୨୧(ଖ) ଅନୁଯାୟୀ ଚାରି ଜଣ ଅଭିଯୁକ୍ତଙ୍କ ବିରୁଦ୍ଧରେ କେସ ନମ୍ବର ୭୮/୨୧ ରେ ମାମଲା ରୁଜୁ କରି ଆଜି କୋର୍ଟଚାଲାଣ କରିଥିବାର ଚାନ୍ଦପୁର ଆଇଆଇସି ରଶ୍ମିରଂଜନ ଦାସ ସୂଚନା ଦେଇଛନ୍ତି।

Related posts