ରୋଗୀଙ୍କୁ ଶୀଘ୍ର ଚିକିତ୍ସା କରାଇଦେବାକୁ କହି ଚାନ୍ଦା ଆଦାୟ କରୁଥିଲେ ଯୁବକ, ବାନ୍ଧିଲା ଚାନ୍ଦପୁର ପୋଲିସ

Published: Oct 10, 2021, 2:25 pm IST

ନୟାଗଡ଼/ଚାନ୍ଦପୁର: ଆଜିକାଲି ସରକାରୀ ହସ୍ପିଟାଲରେ ଦଲାଲମାନଙ୍କର ପାଦୁର୍ଭାବ ବଢିବାରେ ଲାଗିଛି। ବହିଃବିଭାଗରେ ଚିକିତ୍ସା ଶୀଘ୍ର କରେଇଦେବାକୁ କହି ରୋଗୀଙ୍କ ଠାରୁ ଦଲାଲମାନେ ଟଙ୍କା ଲୁଟୁଥିବା ଦେଖିବାକୁ ମିଳୁଛି। ତେଣୁ ଏନେଇ ରାଜ୍ୟର ବିଭିନ୍ନ ମେଡିକାଲରେ ବାରମ୍ବାର ଅଭିଯୋଗ ହେଉଛି। ତେଣୁ ଏଭଳି ଘଟଣା ମଧ୍ୟ ନୟାଗଡ ଜିଲ୍ଲା ଚାନ୍ଦପୁର ହସ୍ପିଟାଲରେ ଘଟୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରୁଛନ୍ତି।

ତେବେ ହସ୍ପିଟାଲରୁ ଦଲାଲମୁକ୍ତ କରାଇବା ପାଇଁ ଚାନ୍ଦପୁର ପୋଲିସ ଅଣ୍ଟା ଭିଡିଛି। ଆଜି ହସ୍ପିଟାଲରେ କାର୍ଯ୍ୟାନୁଷ୍ଠାନ କରି ଜଣେ ଦଲାଲକୁ ଗିରଫ କରି କୋର୍ଟଚାଲାଣ କରିଛି ଚାନ୍ଦପୁର ପୋଲିସ।

ଚାନ୍ଦପୁର ଆଇଆଇସି ରଶ୍ମିରଞ୍ଜନ ଦାସଙ୍କ ସୂଚନା ଅନୁଯାୟୀ ଗତକାଲି ଚାନ୍ଦପୁର ସ୍ଥିତ ବସନ୍ତ ମଞ୍ଜରୀ ଡାକ୍ତରଖାନାରେ ସଞ୍ଜିତ ଆଚାର୍ଯ୍ୟ ନାମକ ଜଣେ ଯୁବକ ଦୂରଦୁରାନ୍ତରୁ ଆସୁଥିବା ଏକାଧିକ ରୋଗୀଙ୍କ ଠାରୁ ସୁବିଧାରେ ଡାକ୍ତର ଚେକଅପ କରେଇଦେବା ଆଳରେ ଦାଦାବଟି ଭାବେ ବହୁ ଟଙ୍କା ଦାବି କରୁଥିଲେ। ଏପରିକି ରୋଗୀମାନଙ୍କୁ ରସିଦ ମଧ୍ୟ ଦେଉନଥିଲେ। ତେବେ ଗତକାଲି ଅଭିଯୁକ୍ତଜଣଙ୍କ ମେଡିକାଲ ଅଧିକାରୀ ଡାକ୍ତର ପ୍ରଭାତ ସାହୁଙ୍କୁ ମଧ୍ୟ ବେଆଇନ କାର୍ଯ୍ୟ କରିବାକୁ ବାଧ୍ୟ କରିଥିଲେ। କିନ୍ତୁ ଯାହାକୁ ଡାକ୍ତର ପ୍ରଭାତ ଅସ୍ଵୀକାର କରିଥିଲେ। ଫଳରେ ଅଭିଯୁକ୍ତଜଣଙ୍କ ଡାକ୍ତରଙ୍କୁ ଧମକାଇବାକୁ ପଛାଇ ନଥିଲେ।

ଏହାପରେ ଡାକ୍ତର ଚାନ୍ଦପୁର ପୋଲିସକୁ ଲିଖିତ ଅଭିଯୋଗ କରିବାରୁ ପୋଲିସ କେସ ନମ୍ବର ୧୩୯/୨୧ ରେ ଏକ ମାମଲା ରୁଜୁକରି ସଞ୍ଜିତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଅନୁରୂପ ଭାବେ ଯଦି ଏପରି କୌଣସି ଦଲାଲ ଚାନ୍ଦପୁର ମେଡିକାଲ ଅଞ୍ଚଳରେ ଦେଖାଯାଆନ୍ତି, ତେବେ ତୁରନ୍ତ ପୋଲିସକୁ ଖବର ଦେବାପାଇଁ ଆଇଆଇସି ଶ୍ରୀ ଦାସ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି।

Related posts