ଆଉ ଜଣେ ଧଳା ଜହର ବେପାରୀକୁ ବାନ୍ଧିଲା ଖୋର୍ଦ୍ଧା ଟାଉନ ଥାନା ପୋଲିସ: ଜବତ କଲା ତିନି ଲକ୍ଷରୁ ଊର୍ଦ୍ଧ୍ଵ ଟଙ୍କାର ବ୍ରାଉନ ସୁଗାର

Published: Jul 31, 2021, 9:20 pm IST

ଖୋର୍ଦ୍ଧା: ଖୋର୍ଦ୍ଧା ଟାଉନ ଥାନା ପୋଲିସକୁ ଆଜି ଏକ ବଡ଼ ସଫଳତା ମିଳିଛି। ତିନି ଲକ୍ଷ ଟଙ୍କାର ବ୍ରାଉନ ସୁଗାର ସହ ଜଣେ ଅଭିଯୁକ୍ତକୁ ପୋଲିସ ଗିରଫ କରିଛି।

ସୂଚନା ମୁତାବକ ଆଜି ସକାଳେ ଗୁରୁଜଙ୍ଗ ମେଳଣ ପଡିଆରେ ବ୍ରାଉନ ସୁଗାର କାରବାର ଚାଲିଥିବାର କୌଣସି ଏକ ବିଶେଷ ସୂତ୍ରରୁ ଖୋର୍ଦ୍ଧା ଏସପି ରାଜକିଶୋର ଦୋରା ଖବର ପାଇଥିଲେ। ଏସପିଙ୍କ ନିର୍ଦ୍ଦେଶକ୍ରମେ ଖୋର୍ଦ୍ଧା ଏସଡ଼ିପିଓ ଏବଂ ଟାଉନ ଥାନା ଆଇଆଇସିଙ୍କ ତତ୍ୱାବଧାନରେ ଏକ ଟିମ ଗଠନ କରାଯାଇ ତୁରନ୍ତ ଗୁରୁଜଙ୍ଗ ମେଳଣ ପଡିଆରେ ଚଢ଼ାଉ କରାଯାଇଥିଲା।

ଚଢ଼ାଉ ସମୟରେ ପୋଲିସ ସଂନ୍ଦିଗ୍ଧ ଅବସ୍ଥାରେ ଜଣେ ଯୁବକ ଉକ୍ତ ସ୍ଥାନରେ ବୁଲୁଥିବାର ଦେଖିବାକୁ ପାଇଥିଲା। କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ ଏବଂ ପ୍ରତ୍ୟକ୍ଷ ସାକ୍ଷୀଙ୍କ ଉପସ୍ଥିତିରେ ପୋଲିସ ସମ୍ପୃକ୍ତ ଯୁବକଙ୍କ ତଲାସୀ ନେଇଥିଲା। ଉକ୍ତ ସମୟରେ ୩୦.୦୮ ଗ୍ରାମ ବ୍ରାଉନ ସୁଗାର ପୋଲିସ ଯୁବକଙ୍କ ନିକଟରୁ ଜବତ କରିଥିଲା। ଜବତ ବ୍ରାଉନସୁଗରର ମୂଲ୍ୟ ୩ ଲକ୍ଷ ଟଙ୍କା ହେବ ବୋଇଲ ଜଣାପଡିଛି। ଯୁବକ ଜଣକ ହେଲେ ଟାଉନ ଥାନା ଅନ୍ତର୍ଗତ ଗୁରୁଜଙ୍ଗ ଦେୱାନ ସାହିର ସର୍ବେଶ୍ୱର ବେହେରା (୨୯)।

ଖୋର୍ଦ୍ଧା ଟାଉନ ଥାନାରେ ଅଭିଯୁକ୍ତଙ୍କ ବିରୋଧରେ ୨୯ ଏନଡ଼ିପିଏସ ଅଧିନିୟମ ଅନୁଯାୟୀ କେସ ନମ୍ବର ୨୯୬/୨୧ ରେ ମାମଲା ରୁଜୁ କରାଯାଇ ଆଜି କୋର୍ଟଚାଲାଣ କରାଯାଇଥିବାର ଟାଉନ ଥାନା ଆଇଆଇସି ସଞ୍ଜୟ ପଟ୍ଟନାୟକ ସୂଚନା ଦେଇଛନ୍ତି। ଉକ୍ତ ଚଢ଼ାଉରେ ଏସଆଇ ପଦ୍ମଲୋଚନ ବେହରା, ଦିଗବିଜୟ ବିଶ୍ୱାଳ ଏବଂ ବିଜୟ କୁମାର ବେହେରା ଆଦି ସାମିଲ ଥିଲେ।

Related posts