ପୋଲିସ ନିୟନ୍ତ୍ରଣ କକ୍ଷକୁ ଆସିଲା ଫୋନ: ଅମିତାଭ ବଚ୍ଚନଙ୍କ ବଙ୍ଗଳା ସମେତ ୩ଟି ରେଳ ଷ୍ଟେସନରେ ଖଞ୍ଜା ଯାଇଛି ବୋମା

Published: Aug 7, 2021, 12:19 pm IST

ମୁମ୍ବାଇ: ଗୋଟିଏ ଅଜଣା ଫୋନ୍ କଲ ଆସିବା ପରେ ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇର ପୋଲିସ ନିୟନ୍ତ୍ରଣ କକ୍ଷରେ ଉତ୍ତେଜନା ପ୍ରକାଶ ପାଇଛି। ଫଳରେ ମୁମ୍ବାଇରେ ସୁରକ୍ଷାକୁ କଡାକଡି କରାଯାଇଛି। ସୂଚନା ଅନୁଯାୟୀ, ମୁମ୍ବାଇର ଚାରିଟି ସ୍ଥାନରେ ବୋମା ଲଗାଯାଇଥିବା ଧମକ ଦେଇ ଶୁକ୍ରବାର ରାତିରେ ମୁମ୍ବାଇ ପୋଲିସ କଣ୍ଟ୍ରୋଲ ରୁମକୁ ଏକ ଫୋନ୍ କଲ ଆସିଥିଲା। ମୁମ୍ବାଇର ତିନୋଟି ପ୍ରମୁଖ ରେଳ ଷ୍ଟେସନ ଏବଂ ଅଭିନେତା ଅମିତାଭ ବଚ୍ଚନଙ୍କ ବଙ୍ଗଳାରେ ବୋମା ଲଗାଯିବା ସମ୍ପର୍କରେ ସୂଚନା ମିଳିଥିଲା। ଏହାପରେ ତୁରନ୍ତ ଏହି ସ୍ଥାନଗୁଡିକରେ ସୁରକ୍ଷାକୁ ବୃଦ୍ଧି କରାଯାଇଛି। ତେବେ ଅନୁସନ୍ଧାନ ବେଳେ ଏହି କଲ୍ ନକଲି ବୋଲି ଜଣାପଡିଛି। ଏବେ ପୋଲିସ ଫୋନ କରିଥିବା ବ୍ୟକ୍ତି ଏବଂ ତାଙ୍କ ଅବସ୍ଥାନକୁ ଖୋଜିବାକୁ ଚେଷ୍ଟା କରୁଛି।

ତେବେ ଯାଞ୍ଚ ସମୟରେ କୌଣସି ସନ୍ଦେହଜନକ ପଦାର୍ଥ ମିଳିନାହିଁ ବୋଲି ଜଣେ ପୋଲିସ ଅଧିକାରୀ କହିଛନ୍ତି। ଶୁକ୍ରବାର ରାତିରେ ମୁମ୍ବାଇ ପୋଲିସର ମୁଖ୍ୟ କଣ୍ଟ୍ରୋଲ ରୁମକୁ ଏକ କଲ ଆସିଥିଲା ​​ଯେଉଁଥିରେ କଲ୍ କରିଥିବା ବ୍ୟକ୍ତି କହିଛନ୍ତି ଯେ ଛତ୍ରପତି ଶିବାଜୀ ମହାରାଜ ଟର୍ମିନାସ (ସିଏସଏମଟି), ଭାୟଖଲା, ଦାଦର ରେଳ ଷ୍ଟେସନ ଏବଂ ଜୁହୁରେ ଅଭିନେତା ଅମିତାଭ ବଚ୍ଚନଙ୍କ ବଙ୍ଗଳା ଉପରେ ବୋମା ଲଗାଯାଇଛି।

ପୋଲିସ ଅଧିକାରୀ କହିଛନ୍ତି ଯେ ଏହି କଲ ପାଇବା ପରେ ସରକାରୀ ରେଳ ପୋଲିସ, ରେଳ ସୁରକ୍ଷା ବଳ ସହିତ ବମ୍ ଡିସପୋଜାଲ ସ୍କ୍ବାଡ, କୁକୁର ତଦନ୍ତ କାରୀ ଟିମ ଏବଂ ସ୍ଥାନୀୟ ପୋଲିସ ଏହି ସ୍ଥାନରେ ପହଞ୍ଚି ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ଏପର୍ଯ୍ୟନ୍ତ ଏହି ଜାଗାରେ କୌଣସି ସନ୍ଦେହଜନକ ପଦାର୍ଥ ମିଳିନାହିଁ କିନ୍ତୁ ସେଠାରେ ବହୁ ସଂଖ୍ୟକ ପୋଲିସ କର୍ମଚାରୀ ନିୟୋଜିତ ହୋଇଛନ୍ତି। ଏହି ଘଟଣାର ତଦନ୍ତ କରାଯାଉଛି ବୋଲି ସେ କହିଛନ୍ତି।

Related posts