ବାଣପୁର: ଶ୍ୱଶୁର ଘର ସମ୍ମୁଖରେ ଧାରଣାରେ ବସିଥିବା ବୋହୁଙ୍କୁ ବିଷ ପିଆଇ ମାରିବାକୁ ଉଦ୍ୟମ

Published: Aug 8, 2021, 10:13 pm IST

ସୀତାରାମ ଅଗ୍ରୱାଲ

ବାଣପୁର: ପ୍ରେମ ବିବାହ କରି ବିବାହ କରିବା ପରେ ଜନୈକ ମହିଳାଙ୍କୁ ଯୌତୁକ ନିର୍ଯ୍ୟାତନାର ଶିକାର ହେବାକୁ ପଡିଛି। ବିବାହର କିଛି ଦିନ ପରେ ସମ୍ପୃକ୍ତ ମହିଳାଙ୍କ ସ୍ୱାମୀ ଏବଂ ତାଙ୍କ ପରିବାର ବର୍ଗ ନାନା ପ୍ରକାର ନିର୍ଯ୍ୟାତନା ଦେବା ସହ ଘରେ ନପୁରାଇବା ଭଳି ଏକ ସଙ୍ଗୀନ ଅଭିଯୋଗ ହୋଇଛି। କେବଳ ସେତିକି ନୁହେଁ, ଶ୍ୱଶୁର ଘର ଲୋକେ ବୋହୂକୁ ବିଷ ପିଆଇ ମାରିଦେବାକୁ ଉଦ୍ୟମ କରିଥିବାର ଅଭିଯୋଗ ମଧ୍ୟ ହୋଇଛି। ଯାହାକୁ ନେଇ ଶ୍ଵଶୁର ଘର ସମ୍ମୁଖରେ ପୀଡ଼ିତାଜଣଙ୍କ ଧାରଣାରେ ବସିଥିବାର ଦେଖିବାକୁ ମିଳିଥିଲା। ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଘାସେଡିହ ଗ୍ରାମରେ ଏପରି ଏକ ଅଭାବନୀୟ ଘଟଣା ଘଟିଛି।

ଅଭିଯୋଗ ମୁତାବକ ପଙ୍କାଳ ଗୋପୀନାଥପୁର ଗ୍ରାମର ଝୁମୁରି ପ୍ରଧାନ ଘାଷେଡିହ ମୋହନପୁର ଗ୍ରାମର ଅକ୍ଷୟ ସ୍ୱାଇଁଙ୍କ ପୁଅ ସୂର୍ଯ୍ୟକାନ୍ତ ସ୍ୱାଇଁଙ୍କୁ କିଛିଦିନ ତଳେ ଲୁଚିକରି ପ୍ରେମ ବିବାହ କରିଥିଲେ ଏବଂ ପରବର୍ତ୍ତୀ ସମୟରେ କୋର୍ଟରେ ବିବାହ କରିଥିଲେ। ଝୁମୁରି ନିଜ ଘରୁ ସାଥିରେ ୨୫ ହାଜର ଟଙ୍କା ଏବଂ ଏକ ସୁନା ଚେନ ଆଣିଥିଲେ। କିନ୍ତୁ ସ୍ୱାମୀ ସୂର୍ଯ୍ୟକାନ୍ତ ଝୁମୁରିଙ୍କୁ ତାଙ୍କ ବାଣପୁର ସ୍ଥିତ ମାମୁଁଙ୍କ ଘରେ ରଖିଥିଲେ। କିଛି ଦିନ ସେଠାରେ ରହିବା ପରେ ସୂର୍ଯ୍ୟକାନ୍ତ ଏବଂ ତାଙ୍କ ମାଇଁ ଖୁମୁରିଙ୍କୁ ମାରଧାର କରିବାସହ, ଯୌତୁକ ନିର୍ଯ୍ୟାତନା ଦେଉଥିଲେ ଏବଂ ଅସଭ୍ୟ ଭାଷାରେ ଗାଳିଗୁଲଜ କରୁଥିଲେ। ଏହା ସହ ଘରୁ ପଳାଇବା ପାଇଁ ବାରମ୍ବାର କହୁଥିଲେ।

ଏପରିକି ତାଙ୍କୁ ସେଠାରେ ଏକା ଛାଡ଼ିଦେଇ ଘରେ ତାଲା ପକାଇ ସୂର୍ଯ୍ୟକାନ୍ତ ଫେରାର ହୋଇଯାଇଥିଲେ। ତେବେ କୌଶଳକ୍ରମେ ଝୁମୁରି ସମ୍ପୃକ୍ତ ଘରୁ ଖସି ପଳାଇ ନିଜ ଶ୍ୱଶୁର ଘର ଘାଷେଡ଼ିହକୁ ଯାଇଥିଲେ। ହେଲେ ସେଠାରେ ତାଙ୍କ ସ୍ୱାମୀ, ଶ୍ୱଶୁର ଏବଂ ଅନ୍ୟ ପରିବାର ସଦସ୍ୟ ମାନେ ଝୁମୁରିଙ୍କୁ ଘରେ ପୁରାଇ ନଥିଲେ ଏବଂ ନିଜ ଘରକୁ ଫେରିଯିବାପାଇଁ କହିଥିଲେ।

ଝୁମୁରି ଏଥିରେ ଅମଙ୍ଗ ହେବାରୁ ତାଙ୍କୁ ଜୀବନରୁ ମାରିଦେବା ଉଦ୍ଦେଶ୍ୟରେ ତଳେ ପକାଇ ଜୋର ଜବରଦସ୍ତି ତାଙ୍କ ସ୍ୱାମୀ, ଶ୍ୱଶୁର ଏବଂ ଅନ୍ୟ ଶ୍ୱଶୁର ଘର ଲୋକମାନେ ଘରେ ଥିବା ସିନ୍ଦୁର ପିଆଇଦେଇଥିଲେ। ଫଳରେ ଝୁମୁରି ଗୁରୁତର ହୋଇ ଶ୍ୱଶୁର ଘର ସାମ୍ନାରେ ଟଳି ପଡ଼ିଥିଲେ।

ଝୁମୁରିଙ୍କ ବାପ ଘର ଲୋକ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲେ ଏବଂ ଆମ୍ବୁଲାନ୍ସ ଯୋଗେ ଝୁମୁରିଙ୍କୁ ଗୁରୁତର ଅବସ୍ଥାରେ ବାଣପୁର ମେଡିକାଲରେ ଭର୍ତ୍ତି କରିଥିଲେ। ଡାକ୍ତରଙ୍କ ବହୁ ଚେଷ୍ଟା ପରେ ଝୁମୁରିଙ୍କ ଜୀବନ ବଞ୍ଚିଯାଇଛି। ଏହାପରେ ଖୁମୁରି ବାଣପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ବାଣପୁର ପୋଲିସ କେସ ନମ୍ବର ୨୮୨/୨୧ ରେ ଏକ ମାମଲା ରୁଜୁକରି ତଦନ୍ତ ଜାରିରଖିଛି। ଅପରପକ୍ଷରେ ଖୁମୁରିଙ୍କ ସ୍ୱାମୀ ଏବଂ ଶ୍ୱଶୁର ଘର ଲୋକେ ଫେରାର ଥିବା ଜଣାପଡିଛି।

Related posts