ବାଣପୁର-ବାଲୁଗାଁ ବାଇପାସରେ ମାତିଲେ ଲୁଟେରା: ଡ୍ରାଇଭରର କାନ କାଟି ଲୁଟିନେଲେ ଏକାଧିକ ଜିନିଷ

Published: Sep 10, 2021, 1:05 pm IST

ସୀତାରାମ ଅଗ୍ରୱାଲ

ବାଣପୁର: ବାଣପୁର-ବାଲୁଗାଁ ବାଇପାସରେ ପୁଣିଥରେ ଲୁଟେରାମାନେ ମାତିଛନ୍ତି। ଡ୍ରାଇଭରର କାନ କାଟି ଲୁଟିନେଲେ ମୋବଇଲ ଓ ଗାଡ଼ି ଚାବି।

ସୂଚନା ମୁତାବକ ଗତକାଲି ରାତି ୧୨ ଘଟିକାରେ କଟକରୁ ଫ୍ଲିପକାର୍ଟ କୋରିଅର ଜିନିଷ ନେଇ ଡ୍ରାଇଭର ପ୍ରଦୀପ ସାହୁ ଏକ ମିନି ଅଶୋକ ଲେଲ୍ୟାଣ୍ଡ ଗାଡ଼ିରେ ବ୍ରହ୍ମପୁର ଅଭିମୁଖେ ବାହାରିଥିଲେ। ହେଲେ ଆଜି ଅପରାହ୍ନ ୧୨ ଟା ୧୫ ମିନିଟରେ ବ୍ରହ୍ମପୁରରୁ ୧୩ ଗୋଟି ଫେରସ୍ତ ପାର୍ସଲ ଧରି କଟକ ଫେରୁଥିବା ବେଳେ ବାଣପୁର ବାଇପାସ ମଠପାଟଣା ଛକଠାରେ ଦୁଇ ଜଣ ଯୁବକ ପ୍ରଦୀପଙ୍କୁ ଲିଫ୍ଟ ମାଗିଥିଲେ। ପ୍ରଦୀପ ଗାଡ଼ି ଅଟକାଇବାରୁ ହଠାତ ଆଉ ତିନି ଜଣ ଯୁବକ ଏକାଠି ହୋଇ ସମୁଦାୟ ୫ ଜଣ ଯୁବକ ପ୍ରଦୀପଙ୍କୁ ଅତର୍କିତ ଆକ୍ରମଣ କରଥିଲେ।

ଏପରିକି ଛୁରାରେ ତାଙ୍କ କାନ କାଟିଦେବା ସହ ଛାତିରେ ଆକ୍ରମଣ କରି ତାଙ୍କ ଗାଡ଼ି ଚାବି ଓ ମୋବଇଲ ନେଇ ଘଟଣାସ୍ଥଳରୁ ଦୌଡ଼ି ପଳାଇଥିଲେ। ସମସ୍ତ ଯୁବକ ଚାଲି ଚାଲି ଆସିଥିବାର ପ୍ରଦୀପ କହିଛନ୍ତି। ତେବେ ସ୍ଥାନୀୟ କିଛି ଯୁବକ ମାନେ ପ୍ରଦୀପଙ୍କୁ ଉଦ୍ଧାର କରିଛନ୍ତି। ଏ ନେଇ ବାଲୁଗାଁ ଏସଡ଼ିପିଓ ଖବର ପାଇ ବାଣପୁର ପୋଲିସ ଓ ନାଭାଲ ଫାଣ୍ଡି ପୋଲିସକୁ ଘଟଣାସ୍ଥଳକୁ ପଠାଇଛନ୍ତି।

କିନ୍ତୁ ବାଣପୁର ପୋଲିସ ତୁରନ୍ତ ସକ୍ରିୟ ହୋଇ ସରନଇ ଓଭରବ୍ରିଜ ଉପରୁ ୨ ଜଣ ଯୁବକଙ୍କୁ  ଅଟକ ରଖିଥିବା ବେଳେ ଆଉ ୩ ଜଣ ଫେରାର ଅଛନ୍ତି।

Related posts