Categories
ଆଞ୍ଚଳିକ

ବାଣପୁର-ବାଲୁଗାଁ ବାଇପାସରେ ଦୁଇଟି ଟ୍ରକ ଦୁର୍ଘଟଣାଗ୍ରସ୍ତ, ଦୁଇ ଆହତ

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ଭୋରରୁ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ୧୬ ନମ୍ବର ଜାତୀୟ ରାଜପଥ ବିଷ୍ଣୁଡ଼ିହ ବାଇପାସରେ ଦୁଇ ଗୋଟି ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛି। ସୂଚନା ମୁତବାକ ବ୍ରହ୍ମପୁରରୁ ଭୁବନେଶ୍ୱର ଅଭିମୁଖେ ଆଗପଛ ହୋଇ ଯାଉଥିବା ଏକ କୋଇଲା ବୋଝେଇ ଟ୍ରକ ଏବଂ ଅନ୍ୟାନ ଜିନିଷ ବୋଝେଇ ଆଉ ଏକ ଟ୍ରକ ପରସ୍ପର ସହ ବିଷ୍ଣୁଡିହ ବାଇପାସ ନିକଟରେ ଧକ୍କା ହୋଇଥିଲେ।

ଫଳରେ ଗୋଟାଏ ଟ୍ରକ ରାସ୍ତା ପାର୍ଶ୍ୱକୁ ଖସି ପଡ଼ିଥିବା ବେଳେ ଅନ୍ୟ ଟ୍ରକଟି କ୍ଷତିଗ୍ରସ୍ତ ହୋଇ ରାସ୍ତା ମଝିରେ ଛିଡା ହୋଇଛି। ତେବେ ଉକ୍ତ ଦୁର୍ଘଟଣାରେ ଦୁଇ ଜଣ ଆହତ ହୋଇ ଚିକିତ୍ସିତ ହେଉଥିବା ବେଳେ ବର୍ତ୍ତମାନ ଘଟଣାସ୍ଥଳରେ ପୋଲିସ ପହଞ୍ଚି ରାସ୍ତାରୁ କ୍ଷତିଗ୍ରସ୍ତ ଗାଡିକୁ ବାହାର କରୁଥିବା ଜଣାପଡିଛି।

Categories
ଆଜିର ଖବର ରାଜ୍ୟ ଖବର

ବାଣପୁର-ବାଲୁଗାଁ ବାଇପାସରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୩ ମୃତ, ୧୫ ଆହତ

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ବେଲପଡା ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଯେଉଁଥିରେ ୩ ଜଣ ବ୍ୟକ୍ତି ପ୍ରାଣ ହରାଇଥିବା ବେଳେ ୧୫ ଜଣ ଆହତ ହୋଇଛନ୍ତି।

ସୂଚନା ମୁତାବକ ଗଞ୍ଜାମ ଜିଲ୍ଲା ଗୋପାଳପୁର ଏନଏସି ଏବଂ ରଙ୍ଗେଇଲୁଣ୍ଡା ବ୍ଲକ ଅଞ୍ଚଳର ୧୮ ଜଣ ପୁରୁଷ ଯାତ୍ରୀ ଓଆର-୦୨-କ୍ସ-୬୫୯୯ ନମ୍ବର ବିଶିଷ୍ଟ ଏକ ମହେନ୍ଦ୍ରା ମିନିବସ ଯୋଗେ ଗୁରୁବାର ଦିନ ସଂନ୍ଧ୍ୟାରେ ଘଟଗାଁ ମା’ ତାରିଣୀ ମନ୍ଦିର ଦର୍ଶନ ପାଇଁ ବାହାରିଥିଲେ। ତେବେ ଦର୍ଶନ ସାରି ଗତକାଲି ଫେରୁଥିବା ବେଳେ ରାତି ଦୁଇ ଘଟିକା ସମୟରେ ଯାତ୍ରୀମାନେ ପରିସ୍ରା କରିବା ନିମନ୍ତେ ବସଟି ୧୬ ନମ୍ବର ଜାତୀୟ ରାଜପଥ ବେଲପଡା ଛକରେ ଅଟକିଥିଲା। ଉକ୍ତ ସମୟରେ ହଠାତ ପଛପଟୁ କ୍ଷିପ୍ର ଗତିରେ ଏକ ଅଜଣା ଟ୍ରକ ବସକୁ ଶକ୍ତ ଧକା ଦେଇ ଫେରାର ହୋଇଯାଇଥିଲା। ଯାହା ଫଳରେ ବସଟି ରାଜପଥ କଡ଼ରେ ଓଲଟିପଡିଥିଲା। ଏବଂ ତିନି ଜଣ ବ୍ୟକ୍ତି ବସ ତଳେ ଚାପି ହୋଇ ରହିଥିଲେ।

ସୂଚନା ପାଇ ସଙ୍ଗେସଙ୍ଗେ ବାଣପୁର, ବାଲୁଗାଁ ଅଗ୍ନିଶମ ବାହିନୀ, ବାଣପୁର ପୋଲିସ ଏବଂ ସ୍ଥାନୀୟ ଅଞ୍ଚଳବାସୀ ଦୁର୍ଘଟଣା ଗ୍ରସ୍ତ ବସରୁ ଆହତଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ବାଲୁଗାଁ ମେଡିକାଲରେ ଭର୍ତ୍ତି କରିଥିଲେ। ତେବେ ଆହତ ୧୮ ଜଣ ଯାତ୍ରୀଙ୍କ ମଧ୍ୟରୁ ୧୦ ଜଣ ବାଲୁଗାଁ ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ ୫ ଜଣ ଗୁରୁତର ଆହତଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲ ସ୍ଥାନାନ୍ତରିତ କରାଯାଇଛି।

ତେବେ ବସ ତଳେ ଚାପି ହୋଇଥିବା ତିନି ଜଣ ବ୍ୟକ୍ତିଙ୍କ ମଧ୍ୟରୁ ଦୁଇ ଜଣକ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ବ୍ୟକ୍ତିଙ୍କ ବାଲୁଗାଁ ମେଡିକାଲରେ ମୃତ୍ୟୁ ଘଟିଛି। ମୃତକ ତିନି ଜଣ ବ୍ୟକ୍ତି ହେଲେ ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ ବକ୍ସିପଲି ପଞ୍ଚାୟତ ଭେଙ୍କଟରାୟପୁର ଗ୍ରାମର ଇ. ଲୋହି ଦାସ (୫୭), ଗଙ୍ଗାଧର ମହାରଣା (୩୯) ଏବଂ ନାରାୟଣପୁର ପଞ୍ଚାୟତ ଆଲିପୁର ଗ୍ରାମର ଅସିତ କୁମାର ବେହେରା (୨୯) ବୋଲି ଜଣାପଡିଛି। ମୃତକଙ୍କ ସମ୍ପର୍କୀୟ ଏ ନେଇ ବାଣପୁର ଥାନାରେ ଏକ ଲିଖିତ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି।

Categories
ଆଜିର ଖବର ରାଜ୍ୟ ଖବର

ବାଣପୁର-ବାଲୁଗାଁ ବାଇପାସ ନିକଟରେ ଦୁର୍ଘଟଣାଗ୍ରସ୍ତ ହେଲା ତେଲ ବୋଝେଇ ପିକ୍ ଅପ୍ ଭ୍ୟାନ

ସୀତାରାମ ଅଗ୍ରୱାଲ

ଚିଲିକା: ଜାତୀୟ ରାଜପଥରେ ଏକ ତେଲ ବୋଝେଇ ପିକ ଅପ ଭ୍ୟାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଜଣେ ଗୁରୁତର ଭାବେ ମେଡିକାଲକୁ ସ୍ଥାନାନ୍ତରିତ ହୋଇଛଥିବା ସୂଚନା ମିଳିଛି।  ଖୋର୍ଦ୍ଧା ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ବାଣପୁର ଥାନା ଅନ୍ତର୍ଗତ ସରନଈ ଓଭରବ୍ରିଜ ନିକଟରେ ଏହି ଦୁର୍ଘଟଣା ଘଟିଛି।

ହସ୍ତଗତ ତଥ୍ୟ ମୁତାବକ ଆଜି ସଂନ୍ଧ୍ୟାରେ ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଅଞ୍ଚଳରୁ ଏକ ଘରୋଇ ରିଫାଇନ ତେଲ କମ୍ପାନୀରୁ ପାଖାପାଖି ୧୭୦ ଟିଣ ତେଲ ନେଇ ଏକ ପିକ ଅପ ଭ୍ୟାନ ଟାଙ୍ଗି-ଚାନ୍ଦପୁର ଅଞ୍ଚଳକୁ ବାହାରିଥିଲା। ତେବେ ସରନଈ ଓଭରବ୍ରିଜ ନିକଟରେ ଭ୍ୟାନଟିର ଡାହାଣ ଚକାଟି ଫାଟି ଯିବାରୁ ଭ୍ୟାନଟି ପଲଟିଯାଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ବହୁ ପରିମାଣର ତେଲ ନଷ୍ଟ ହୋଇଯାଇଛି।

ତେବେ ଭ୍ୟାନ ଚାଳକ ଗୌର ପ୍ରଧାନ ସାମାନ୍ୟ ଆହତ ହୋଇଥିବାବେଳେ ତାଙ୍କ ସହଯୋଗୀ ବିକ୍ରମ ମିଶ୍ରଙ୍କୁ ହାଇୱେ ପେଟ୍ରୋଲ ପୋଲିସ ପହଞ୍ଚି ଉଦ୍ଧାର କରି ଗୁରୁତର ଅବସ୍ଥାରେ ବାଲୁଗାଁ ଡାକ୍ତରଖାନାକୁ ପଠାଇଛନ୍ତି। ବର୍ତ୍ତମାନ ଦୁର୍ଘଟଣାସ୍ଥଳରେ ବାଣପୁର ପୋଲିସ ତଦନ୍ତ ଜାରିରଖିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଣପୁର-ବାଲୁଗାଁ ବାଇପାସ ନିକଟରୁ ବନ୍ଧୁକ ଦେଖାଇ ଲୁଟ୍: ମୋବାଇଲ, ବ୍ରେସଲେଟ ଲୁଟିନେଲେ ଦୁର୍ବୃତ୍ତ

ସୀତାରାମ ଅଗ୍ରୱାଲ

ଚିଲିକା: ବନ୍ଧୁକ ଦେଖାଇ ଗାଡ଼ି ଡ୍ରାଇଭର ଏବଂ ସହଯୋଗୀଙ୍କ ନିକଟରୁ ମୋବାଇଲ, ବ୍ରେସଲେଟ ଓ ଟଙ୍କା ଦୁର୍ବୁତ୍ତ ମାନେ ଲୁଟିନେଇଛନ୍ତି। ଏପରି ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ବାଣପୁର-ବାଲୁଗାଁ ବାଇପାସର ବ୍ରାହ୍ମଣକୁଶଡିହ ଛକ ନିକଟରେ।

ସୂଚନା ମୁତାବକ ଗତକାଲି ବିଳମ୍ବିତ ରାତ୍ରି ପାଖାପାଖି ଦୁଇ ଘଟିକା ସମୟରେ ବ୍ରହ୍ମପୁରରୁ ଭଦ୍ରକ ଅଭିମୁଖେ (ଓଡ଼ି -୦୪-ଏନ -୧୩୨୦) ନମ୍ବର ବିଶିଷ୍ଟ ଏକ ଫଳ ବୋଝେଇ ମହିନ୍ଦ୍ରା ମିନି ଟ୍ରକ ଯାଉଥିବା ବେଳେ ବାଣପୁର-ବାଲୁଗାଁ ବାଇପାସ ବ୍ରାହ୍ମଣକୁଶଡିହ ଛକ ନିକଟରେ ଗାଡିଟି ଖରାପ ହୋଇଯାଇଥିଲା। ତେବେ ଖରାପ ହେବାର ଦଶ ମିନିଟ ମଧ୍ୟରେ ଉକ୍ତ ଗାଡିକୁ ପୂର୍ବରୁ ପିଛା କରୁଥିବା ଏକ ନମ୍ବର ବିହୀନ ହଳଦିଆ ରଙ୍ଗର ଟାଟା ଏସି ଗାଡ଼ିରେ ୮ ଜଣ ଦୁର୍ବୁତ୍ତ ଆସି ଫଳ ବୋଝେଇ ଗାଡ଼ି ଚାଳକ ଅରକ୍ଷିତ ସାହୁ(୨୭) ଏବଂ ସହଯୋଗୀ ମାନସ ରାଉତ(୨୫) ଙ୍କୁ ବନ୍ଧୁକ ଦେଖାଇବା ସହ ଛୁରାରେ ଆକ୍ରମଣ ମଧ୍ୟ କରିଥିଲେ ଯାହାଦ୍ୱାରା ଗାଡ଼ି ଚାଳକ ଆହତ ହୋଇଥିଲେ।

ତେବେ ଉଭୟ ଗାଡ଼ିଚାଳକ ଓ ସହଯୋଗୀଙ୍କ ଠାରୁ ଦୁର୍ବୁତ୍ତମାନେ ଦୁଇ ଗୋଟି ମୋବାଇଲ, ଗୋଟେ ରୁପା ବ୍ରେସଲେଟ ଏବଂ ଦୁଇ ହଜାର ଟଙ୍କା ଲୁଟିନେଇ ଫେରାର ହୋଇଯାଇଥିଲେ। ଖବର ପାଇ ଘଟଣାସ୍ଥଳରେ ଜାତୀୟ ରାଜପଥ ପାଟ୍ରୋଲିଙ୍ଗ ଟିମ ଏସପିଓ ବିଜୟ ବଳିୟାରସିଂହ ପହଁଚି ଉଭୟ ଗାଡ଼ିଚାଳକ ଓ ସହଯୋଗୀଙ୍କୁ ଉଦ୍ଧାର କରି ସ୍ଥାନୀୟ ଥାନାରେ ଏ ନେଇ ସୂଚନା ଦେଇଛନ୍ତି। ସେମାନେ ହକି ଷ୍ଟିକ, ପଥର, ଭୁଜାଲି ଆଦି ଗାଡ଼ିରେ ରଖିଥିବାର ଅରକ୍ଷିତ କହିଛନ୍ତି। ତେବେ ପାଟ୍ରୋଲିଙ୍ଗ ଟିମ ଦୁର୍ବୁତ୍ତ ମାନଙ୍କ ପିଛା କରିଥିଲେ ସୁଦ୍ଧା ସେମାନଙ୍କୁ ଧରିବାରେ ସଫଳ ହୋଇପାରିନଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବାଣପୁର-ବାଲୁଗାଁ ବାଇପାସରେ ସିରିଜ ଦୁର୍ଘଟଣା: ଅଟୋ ଚାଳକଙ୍କ ସମେତ ତିନି ଗୁରତର

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର-ବାଲୁଗାଁ ବାଇପାସ ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଯେଉଁଥିରେ ଜଣେ ଅଟୋ ଚାଳକଙ୍କ ଗୋଡରେ ଗଭୀର ଆଘାତ ଲାଗିଥିବା ସୂଚନା ମିଳିଛି।

ସୂଚନା ମୁତାବକ ଆଜି ଅପରାହ୍ନରେ ପାରିକଂସାରୀ ଗ୍ରାମରୁ କେବୁଲ କାମ ସାରି ଏକ ଅରଟେଲ କେବୁଲ ଅଟୋଟି ବାଲୁଗାଁ ଅଫିସ ଅଭିମୁଖେ ଫେରୁଥିବାବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବ୍ରାହ୍ମଣକୋଷଡିହ ଛକ ନିକଟରେ ଅଟୋଟିକୁ ଏକ ଆଇଚର ଗାଡ଼ିଟି ପଛପଟୁ ଶକ୍ତ ଧକ୍କା ଦେବା ସହ ଅନ୍ୟ ଏକ ଆଇରନ ବୋଝେଇ ଟ୍ରକକୁ ମଧ୍ୟ ଧକ୍କା ଦେଇ ଫେରାର ହୋଇଯାଇଥିଲା। କିନ୍ତୁ ଆଇରନ ବୋଝେଇ ଟ୍ରକର କିଛି କ୍ଷତି ହୋଇନଥିବା ବେଳେ ଅଟୋଟି ସମ୍ପୂର୍ଣ ନଷ୍ଟ ହୋଇଯାଇଛି। ତେବେ ଅଟୋ ମଧ୍ୟରେ ଥିବା ତିନି ଜଣ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ଅଟୋ ଚାଳକ ଜୟକୃଷ୍ଣ ରଣା (୬୦) ଙ୍କ ଡାହାଣ ପାଦଟି କଟିଯାଇଥିବାର ଖବର ମିଳିଛି। ଅଟୋ ଚାଳକଜଣଙ୍କ ବାଲୁଗାଁ ଗୁଣ୍ଡୁରିପୁରର ବୋଲି ଜଣାପଡିଛି।

ଖବର ପାଇ ଜାତୀୟ ରାଜପଥ ପାଟ୍ରୋଲିଂ ଏସପିଓ ବିଜୟ କୁମାର ବଳିୟାରସିଂହ ସଙ୍ଗେ ସଙ୍ଗେ ଦୁର୍ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଆହତଙ୍କୁ ଉଦ୍ଧାର କରି ବାଲୁଗାଁ ମେଡିକାଲକୁ ପଠାଇଛନ୍ତି। ଏହାସହ ସ୍ଥାନୀୟ ପୋଲିସକୁ ମଧ୍ୟ ଏହି ଦୁର୍ଘଟଣା ବାବଦରେ ସୂଚନା ଦେଇଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଣପୁର-ବାଲୁଗାଁ ବାଇପାସରେ ମାତିଲେ ଲୁଟେରା: ଡ୍ରାଇଭରର କାନ କାଟି ଲୁଟିନେଲେ ଏକାଧିକ ଜିନିଷ

ସୀତାରାମ ଅଗ୍ରୱାଲ

ବାଣପୁର: ବାଣପୁର-ବାଲୁଗାଁ ବାଇପାସରେ ପୁଣିଥରେ ଲୁଟେରାମାନେ ମାତିଛନ୍ତି। ଡ୍ରାଇଭରର କାନ କାଟି ଲୁଟିନେଲେ ମୋବଇଲ ଓ ଗାଡ଼ି ଚାବି।

ସୂଚନା ମୁତାବକ ଗତକାଲି ରାତି ୧୨ ଘଟିକାରେ କଟକରୁ ଫ୍ଲିପକାର୍ଟ କୋରିଅର ଜିନିଷ ନେଇ ଡ୍ରାଇଭର ପ୍ରଦୀପ ସାହୁ ଏକ ମିନି ଅଶୋକ ଲେଲ୍ୟାଣ୍ଡ ଗାଡ଼ିରେ ବ୍ରହ୍ମପୁର ଅଭିମୁଖେ ବାହାରିଥିଲେ। ହେଲେ ଆଜି ଅପରାହ୍ନ ୧୨ ଟା ୧୫ ମିନିଟରେ ବ୍ରହ୍ମପୁରରୁ ୧୩ ଗୋଟି ଫେରସ୍ତ ପାର୍ସଲ ଧରି କଟକ ଫେରୁଥିବା ବେଳେ ବାଣପୁର ବାଇପାସ ମଠପାଟଣା ଛକଠାରେ ଦୁଇ ଜଣ ଯୁବକ ପ୍ରଦୀପଙ୍କୁ ଲିଫ୍ଟ ମାଗିଥିଲେ। ପ୍ରଦୀପ ଗାଡ଼ି ଅଟକାଇବାରୁ ହଠାତ ଆଉ ତିନି ଜଣ ଯୁବକ ଏକାଠି ହୋଇ ସମୁଦାୟ ୫ ଜଣ ଯୁବକ ପ୍ରଦୀପଙ୍କୁ ଅତର୍କିତ ଆକ୍ରମଣ କରଥିଲେ।

ଏପରିକି ଛୁରାରେ ତାଙ୍କ କାନ କାଟିଦେବା ସହ ଛାତିରେ ଆକ୍ରମଣ କରି ତାଙ୍କ ଗାଡ଼ି ଚାବି ଓ ମୋବଇଲ ନେଇ ଘଟଣାସ୍ଥଳରୁ ଦୌଡ଼ି ପଳାଇଥିଲେ। ସମସ୍ତ ଯୁବକ ଚାଲି ଚାଲି ଆସିଥିବାର ପ୍ରଦୀପ କହିଛନ୍ତି। ତେବେ ସ୍ଥାନୀୟ କିଛି ଯୁବକ ମାନେ ପ୍ରଦୀପଙ୍କୁ ଉଦ୍ଧାର କରିଛନ୍ତି। ଏ ନେଇ ବାଲୁଗାଁ ଏସଡ଼ିପିଓ ଖବର ପାଇ ବାଣପୁର ପୋଲିସ ଓ ନାଭାଲ ଫାଣ୍ଡି ପୋଲିସକୁ ଘଟଣାସ୍ଥଳକୁ ପଠାଇଛନ୍ତି।

କିନ୍ତୁ ବାଣପୁର ପୋଲିସ ତୁରନ୍ତ ସକ୍ରିୟ ହୋଇ ସରନଇ ଓଭରବ୍ରିଜ ଉପରୁ ୨ ଜଣ ଯୁବକଙ୍କୁ  ଅଟକ ରଖିଥିବା ବେଳେ ଆଉ ୩ ଜଣ ଫେରାର ଅଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ବାଣପୁର-ବାଲୁଗାଁ ବାଇପାସରୁ ବନ୍ଧୁକ ମୁନରେ ପାଞ୍ଚ ଲକ୍ଷ ଲୁଟ ଘଟଣାର ପର୍ଦ୍ଦାଫାଶ କଲା ପୋଲିସ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ପୋଲିସକୁ ସଫଳତା ମିଳିଛି। ଗତ ୧୫ ତାରିଖରେ ବାଣପୁର-ବାଲୁଗାଁ ବାଇପାସରୁ ବନ୍ଧୁକ ମୁନରେ ୫ ଲକ୍ଷ ଟଙ୍କା ଲୁଟ ଘଟଣାର ପର୍ଦ୍ଦାଫାଶ କରିବାରେ ସକ୍ଷମ ହୋଇଛି ବାଣପୁର ପୋଲିସ। ଏ ନେଇ ଆଜି ମଧ୍ୟାହ୍ନରେ ବାଣପୁର ଥାନା ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଡାକି ସୂଚନା ଦେଇଛନ୍ତି ବାଲୁଗାଁ ଏସ୍ଡ଼ିପିଓ ମାନସ ରଞ୍ଜନ ବାରିକ। ଉକ୍ତ ସମ୍ମିଳନୀରେ ବାଣପୁର ଆଇ ଆଇ ସି ସଞ୍ଜୟ ପଟ୍ଟନାୟକ, ଏସ୍.ଆଇ ରାଜକିଶୋର ବେହେରା ଏବଂ ଏ.ଏସ୍.ଆଇ ମହେନ୍ଦ୍ର ସେଠି ମଧ୍ୟ ଉପସ୍ଥିତ ଥିଲେ।

ଏସ୍ଡ଼ିପିଓ ଙ୍କ ସୂଚନା ମୁତାବକ ଉକ୍ତ ଡକାୟତରେ ଅଭିଯୋଗକାରୀ ଉମାକାନ୍ତ ସିଂହଙ୍କ ଗାଡ଼ି ଚଲାଉଥିବା ଡ୍ରାଇଭର ପ୍ରଥମରୁ ଡକାୟତଙ୍କ ସହ ସମ୍ପର୍କରେ ଥିଲେ। ଯାହାଫଳରେ ସେ ପୂର୍ବରୁ ଅଭିଯୋଗକାରୀଙ୍କ ବିଷୟରେ ଡକାୟତମାନଙ୍କୁ ସବୁ ଗତିବିଧି ଏବଂ କାର୍ଯ୍ୟକଳାପର ସୂଚନା ଦେଇଆସୁଥିଲେ। ପୂର୍ବ ଯୋଜନା ମୁତାବକ ଗାଡ଼ି ଚାଳକ ଉକ୍ତ ଦିନ ଘଟଣାସ୍ଥଳରେ କାରର ଗତିକୁ ଜାଣିଶୁଣି ଧୀର କରିଥିଲେ। ଯାହାଫଳରେ ଡକାୟତମାନେ ଦୁଇ ଗୋଟି ମଟର ସାଇକେଲରେ ଆସି ବନ୍ଧୁକମୁନରେ ଭୟଭୀତ କରି ୫ ଲକ୍ଷ ଟଙ୍କା ଅଭିଯୋଗକାରୀଙ୍କ ଠାରୁ ଲୁଟି ଫେରାର ହୋଇଯାଇଥିଲେ।

ତେବେ ବର୍ତ୍ତମାନ ସୁଦ୍ଧା ଉକ୍ତ ଡକାୟତିରେ ତିନି ଜଣ ଅଭିଯୁକ୍ତଙ୍କୁ ପୋଲିସ ଧରିବାରେ ସଫଳ ହୋଇଛି। ସେମାନଙ୍କ ନିକଟରୁ ନକଦ ୯୦ ହଜାର ଟଙ୍କା, ଗୋଟେ ସ୍କୁଟି, ଗୋଟେ ଏଟିଏମ୍ କାର୍ଡ ସହ ଦୁଇ ଗୋଟି ମୋବାଇଲ ଫୋନ ଜବତ କରିଛି ପୋଲିସ। ଗିରଫ ହୋଇଥିବା ତିନି ଅଭିଯୁକ୍ତ ପୂର୍ବରୁ ଖୋର୍ଦ୍ଧା ଜିଲ୍ଲାର ତିନି ଗୋଟି ଥାନା ଅଞ୍ଚଳର ପାଞ୍ଚ ଗୋଟି ମାମଲାରେ ଜଡିତମଧ୍ୟ ଅଛନ୍ତି। ତେବେ ଆଜି ସମସ୍ତ ଗିରଫ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯିବା ସହ ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ପ୍ରଚେଷ୍ଟା ଜାରି ରହିଛି ବୋଲି ସୂଚନା ଦେଇଛନ୍ତି ଏସ୍ଡ଼ିପିଓ ଶ୍ରୀ ବାରିକ। ତେବେ ତଦନ୍ତ ପ୍ରକ୍ରିୟା ବାଧାପ୍ରାପ୍ତ ହେବା ଆଶଙ୍କାରେ ଅଭିଯୁକ୍ତ ମାନଙ୍କ ପରିଚୟ ଗୋପନୀୟ ରଖିଛି ପୋଲିସ।

ଲୁଟ ହେବା ଦିନଠାରୁ ବାଣପୁର ଆଇଆଇସିଙ୍କ ନେତୃତ୍ୱରେ ଏକ ଟିମ ଏବଂ ଅନ୍ୟ ଏକ ସ୍ୱତନ୍ତ୍ର ଜିଲ୍ଲା ଟିମ ଗଠନ କରାଯାଇ ତଦନ୍ତ ଜାରି ରହିଥିଲା। ତେବେ ବାଣପୁର ପୋଲିସକୁ ଉକ୍ତ ଘଟଣାରେ ସାମାନ୍ୟ ଆଶ୍ବସ୍ତି ମିଳିଥିବାବେଳେ ଏଯାବତ ଦକ୍ଷେଶ୍ୱର ମନ୍ଦିର ମୂର୍ତ୍ତି ଚୋରି ଏବଂ ବାଇପାସରୁ ୧୫ ଲକ୍ଷ ଲୁଟ ଘଟଣାରେ ଅଭିଯୁକ୍ତଙ୍କୁ ଧରିବା ପୋଲିସ ପାଇଁ ଚାଲେଞ୍ଜର ବିଷୟ ପାଲଟିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଲୁଟେରାଙ୍କ କବଳରେ ଚିଲିକା: ପୁଣି ବନ୍ଧୁକ ମୁନରେ ବାଣପୁର-ବାଲୁଗାଁ ବାଇପାସରୁ ପାଞ୍ଚ ଲକ୍ଷ ଲୁଟ

ସୀତାରାମ ଅଗ୍ରୱାଲ

ଚିଲିକା: ବିଗତ କିଛି ମାସ ହେବ ଖୋର୍ଦ୍ଧା ଜିଲ୍ଲା ଚିଲିକା ଅଞ୍ଚଳରେ ଲୁଟପାଟ ବଢ଼ିବାରେ ଲାଗିଛି ସ୍ଥାନୀୟ ପୋଲିସ ଏଥିରେ ବ୍ରେକ ଲଗେଇବାକୁ ସକ୍ଷମ ହୋଇପାରୁନାହିଁ। ଗତ ତିନି ଦିନ ତଳେ ବାଲୁଗାଁ ବଜାର ବିଭିନ୍ନ ସୋ ରୁମରୁ ଚୋରି ହୋଇଥିବାବେଳେ ଗତକାଲି ବାଣପୁର-ବାଲୁଗାଁ ବାଇପାସରୁ ଆଉ ଏକ ବଡ଼ ଧରଣର ଲୁଟ୍ ହୋଇଛି। ଏ ନେଇ ବାଣପୁର ଥାନାରେ ଲିଖିତ ଅଭିଯୋଗ ହୋଇଛି।

ଅଭିଯୋଗ ମୁତାବକ ଟାଙ୍ଗୀ ଅଞ୍ଚଳର ଟୁବୁଲା ମହାପାତ୍ରଙ୍କ ସ୍ତ୍ରୀ ସନ୍ଧ୍ୟାରାଣୀ ମହାପାତ୍ର ଏବଂ ଉମାକାନ୍ତ ସିଂହ ନାଚୁଣୀ ନିକଟରେ ପୂର୍ବରୁ ଏକ ଜାଗା କିଣିଥିଲେ। ହେଲେ ଗତକାଲି ସେହି ଜାଗାକୁ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ବିକିବା ଉଦ୍ଦେଶ୍ୟରେ ଦୁହେଁ ବାଣପୁର ସବ ରେଜିଷ୍ଟର କାର୍ଯ୍ୟାଳୟକୁ ଯାଇଥିଲେ। ଦୁହେଁ ସମସ୍ତ କାଗଜପତ୍ର କାମ ଶେଷକରି କ୍ରେତାଙ୍କଠାରୁ ଜାଗା ବବାଦକୁ ପାଞ୍ଚ ଲକ୍ଷ ଟଙ୍କା ଆଣିଥିଲେ। ଅପରାହ୍ନ ୫ ଘଟିକା ସମୟରେ ଟଙ୍କା ନେଇ ଉଭୟେ ଏକ କାର ଯୋଗେ ଖାଇବା ପାଇଁ ଚିଲିକା ଢ଼ାବାକୁ ଯାଉଥିଲେ। ହେଲେ ସେମାନଙ୍କୁ  ଢାବାର ଅନତିଦୂରରେ ଥିବା ୧୬ ନମ୍ବର ଜାତୀୟ ରାଜପଥ ସରନଈ ବ୍ରିଜ ନିକଟରେ ଦୁଇଜଣ ଦୁର୍ବୃତ୍ତ ଏକ ବାଇକରେ ଆସି ତାଙ୍କ କାରକୁ ଅଟକାଇଥିଲେ। ଏବଂ ସନ୍ଧ୍ୟାରାଣୀଙ୍କୁ ବନ୍ଧୁକ ଦେଖାଇ ଟଙ୍କା ଦେବାପାଇଁ ଧମକ ଦେଇଥିଲେ।  ଭୟଭୀତ ହୋଇ ସନ୍ଧ୍ୟାରାଣୀ ୫ ଲକ୍ଷ ଟଙ୍କା ଦୁର୍ବୃତ୍ତଙ୍କୁ ଦେଇଦେବା ପରେ ଲୁଟେରା ଆଖି ପିଛୁଳାକେ ଫେରାର ହୋଇଯାଇଥିଲେ।

ତେବେ ଉମାକାନ୍ତ ଏ ନେଇ ବାଣପୁର ଥାନାରେ ଲିଖିତ ଅଭିଯୋଗ କଲା ପରେ ଘଟଣାସ୍ଥଳରେ ବାଲୁଗାଁ ଏସ.ଡ଼ି.ପି.ଓ ମାନସ ରଞ୍ଜନ ବାରିକ, ବାଣପୁର ଆଇ ଆଇ ସି ସଞ୍ଜୟ ପଟ୍ଟନାୟକ, ବାଲୁଗାଁ ଆଇ ଆଇ ସି ରମାକାନ୍ତ ମାହାଲିକ, ବାଣପୁର ଏସ. ଆଇ ରାଜକିଶୋର ବେହେରା, ପ୍ରସନ୍ନ ଜେନା ଆଦି ବିଳମ୍ବିତ ରାତ୍ରି ଯାଏଁ ତଦନ୍ତ କରିଥିଲେ।  ହେଲେ ଏପର୍ଯ୍ୟନ୍ତ ଲୁଟେରାଙ୍କ ପତା ମିଳିପାରିନାହିଁ। ବାଣପୁର ପୋଲିସ ଏ ସଂକ୍ରାନ୍ତରେ କେସ ନମ୍ବର ୨୦/୨୧ ରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।