ଲୁଟେରାଙ୍କ କବଳରେ ଚିଲିକା: ପୁଣି ବନ୍ଧୁକ ମୁନରେ ବାଣପୁର-ବାଲୁଗାଁ ବାଇପାସରୁ ପାଞ୍ଚ ଲକ୍ଷ ଲୁଟ

Published: Jan 16, 2021, 11:58 am IST

ସୀତାରାମ ଅଗ୍ରୱାଲ

ଚିଲିକା: ବିଗତ କିଛି ମାସ ହେବ ଖୋର୍ଦ୍ଧା ଜିଲ୍ଲା ଚିଲିକା ଅଞ୍ଚଳରେ ଲୁଟପାଟ ବଢ଼ିବାରେ ଲାଗିଛି ସ୍ଥାନୀୟ ପୋଲିସ ଏଥିରେ ବ୍ରେକ ଲଗେଇବାକୁ ସକ୍ଷମ ହୋଇପାରୁନାହିଁ। ଗତ ତିନି ଦିନ ତଳେ ବାଲୁଗାଁ ବଜାର ବିଭିନ୍ନ ସୋ ରୁମରୁ ଚୋରି ହୋଇଥିବାବେଳେ ଗତକାଲି ବାଣପୁର-ବାଲୁଗାଁ ବାଇପାସରୁ ଆଉ ଏକ ବଡ଼ ଧରଣର ଲୁଟ୍ ହୋଇଛି। ଏ ନେଇ ବାଣପୁର ଥାନାରେ ଲିଖିତ ଅଭିଯୋଗ ହୋଇଛି।

ଅଭିଯୋଗ ମୁତାବକ ଟାଙ୍ଗୀ ଅଞ୍ଚଳର ଟୁବୁଲା ମହାପାତ୍ରଙ୍କ ସ୍ତ୍ରୀ ସନ୍ଧ୍ୟାରାଣୀ ମହାପାତ୍ର ଏବଂ ଉମାକାନ୍ତ ସିଂହ ନାଚୁଣୀ ନିକଟରେ ପୂର୍ବରୁ ଏକ ଜାଗା କିଣିଥିଲେ। ହେଲେ ଗତକାଲି ସେହି ଜାଗାକୁ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ବିକିବା ଉଦ୍ଦେଶ୍ୟରେ ଦୁହେଁ ବାଣପୁର ସବ ରେଜିଷ୍ଟର କାର୍ଯ୍ୟାଳୟକୁ ଯାଇଥିଲେ। ଦୁହେଁ ସମସ୍ତ କାଗଜପତ୍ର କାମ ଶେଷକରି କ୍ରେତାଙ୍କଠାରୁ ଜାଗା ବବାଦକୁ ପାଞ୍ଚ ଲକ୍ଷ ଟଙ୍କା ଆଣିଥିଲେ। ଅପରାହ୍ନ ୫ ଘଟିକା ସମୟରେ ଟଙ୍କା ନେଇ ଉଭୟେ ଏକ କାର ଯୋଗେ ଖାଇବା ପାଇଁ ଚିଲିକା ଢ଼ାବାକୁ ଯାଉଥିଲେ। ହେଲେ ସେମାନଙ୍କୁ  ଢାବାର ଅନତିଦୂରରେ ଥିବା ୧୬ ନମ୍ବର ଜାତୀୟ ରାଜପଥ ସରନଈ ବ୍ରିଜ ନିକଟରେ ଦୁଇଜଣ ଦୁର୍ବୃତ୍ତ ଏକ ବାଇକରେ ଆସି ତାଙ୍କ କାରକୁ ଅଟକାଇଥିଲେ। ଏବଂ ସନ୍ଧ୍ୟାରାଣୀଙ୍କୁ ବନ୍ଧୁକ ଦେଖାଇ ଟଙ୍କା ଦେବାପାଇଁ ଧମକ ଦେଇଥିଲେ।  ଭୟଭୀତ ହୋଇ ସନ୍ଧ୍ୟାରାଣୀ ୫ ଲକ୍ଷ ଟଙ୍କା ଦୁର୍ବୃତ୍ତଙ୍କୁ ଦେଇଦେବା ପରେ ଲୁଟେରା ଆଖି ପିଛୁଳାକେ ଫେରାର ହୋଇଯାଇଥିଲେ।

ତେବେ ଉମାକାନ୍ତ ଏ ନେଇ ବାଣପୁର ଥାନାରେ ଲିଖିତ ଅଭିଯୋଗ କଲା ପରେ ଘଟଣାସ୍ଥଳରେ ବାଲୁଗାଁ ଏସ.ଡ଼ି.ପି.ଓ ମାନସ ରଞ୍ଜନ ବାରିକ, ବାଣପୁର ଆଇ ଆଇ ସି ସଞ୍ଜୟ ପଟ୍ଟନାୟକ, ବାଲୁଗାଁ ଆଇ ଆଇ ସି ରମାକାନ୍ତ ମାହାଲିକ, ବାଣପୁର ଏସ. ଆଇ ରାଜକିଶୋର ବେହେରା, ପ୍ରସନ୍ନ ଜେନା ଆଦି ବିଳମ୍ବିତ ରାତ୍ରି ଯାଏଁ ତଦନ୍ତ କରିଥିଲେ।  ହେଲେ ଏପର୍ଯ୍ୟନ୍ତ ଲୁଟେରାଙ୍କ ପତା ମିଳିପାରିନାହିଁ। ବାଣପୁର ପୋଲିସ ଏ ସଂକ୍ରାନ୍ତରେ କେସ ନମ୍ବର ୨୦/୨୧ ରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

Related posts