
କନ୍ଦର୍ପ ବେହେରା
ରେଢାଖୋଲ: ଛୋଟରୁ ବଡ କରି ଲାଳନ ପାଳନ କରିଥିବା ବାପ ଦିନେ ଯେ ପୁଅ ହାତରେ ଜୀବନ ଯିବ କେବେ ବି କଳ୍ପନା କରି ନ ଥିବ। କିନ୍ତୁ ସେହି ପୁଅର ଟାଙ୍ଗିଆ ଚୋଟରେ ବାପ ମୃତ୍ୟୁ ବରଣ କରିଥିବା ଏକ ଖବର ସାମ୍ନାକୁ ଆସିଛି। ରେଢାଖୋଲ ଥାନାର ବୁର୍ଡା ପଂଚାୟତ ଅଂଚଳରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଥିବା ଖବର ହସ୍ତଗତ ହୋଇଛି।
ସୁଚନା ଅନୁଯାୟୀ, ରେଢାଖୋଲ ଥାନା ବୁର୍ଡା ପଂଚାୟତର ଆମ୍ବଝରୀ ଗ୍ରାମର ମିର୍ଦ୍ଧା ସାହିର ଶୁକୁରୁ ମିର୍ଦ୍ଧା (୫୫)କୁ ତାଙ୍କର ସାନ ପୁଅ ନିଶାସକ୍ତ ଅବସ୍ଥାରେ କୈାଣସି କାରଣରୁ ଝଗଡା କରିଥିଲା। ନିଶାରେ ମସ୍ ଗୁଲ ସାନ ପୁଅ ଟଙ୍କଧର ମିର୍ଦ୍ଧା(୨୦) ନିଜ ଜନ୍ମ କଲା ବାପକୁ ଏକ ଟାଙ୍ଗିଆ ଧରି ହାଣିବାକୁ ଗୋଡାଇ ଥିଲା। ଗାଁ ଦାଣ୍ଡରେ ବାପର ବେକକୁ ଟାଙ୍ଗିଆରେ ଚୋଟ ପରେ ଚୋଟ ମାରିଥିଲା। ଫଳରେ ଘଟଣା ସ୍ଥଳରେ ହିଁ ଶୁକୁରୁଙ୍କ ମୃତ୍ୟୁ ହୋଇଥିଲା।
ପୋଲିସ୍ ଘଟଣା ସ୍ଥଳରେ ପହଂଚି ପୁଅକୁ ଅଟକ ରଖିବା ସହ ତା ଠାରୁ ଟାଙ୍ଗିଆ ଜବତ କରିଛି। ମୃତ ଶବକୁ ପୋଲିସ୍ ଜବତ କରିବା ସହ ଆଜି ଶବ ବ୍ୟବଚ୍ଛେଦ କରାଯିବ ବୋଲି ଜଣା ପଡିଛି। ଶୁକୁରୁର ପୁତୁରାର ଅଭିଯୋଗ ଅନୁଯାୟୀ ପୋଲିସ୍ ଏକ ମାମଲା ରୁଜୁ କରିବା ସହ ତଦନ୍ତ କରୁଥିବା ଜଣା ପଡିଛି।