
ସୀତାରାମ ଅଗ୍ରୱାଲ
ବାଣପୁର: ଆଜି ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ବ୍ଲକ ଦାମିଆ ବରବରା ପଞ୍ଚାୟତର ବିଭିନ୍ନ ଗ୍ରାମରେ ପୋଲିସ ଏବଂ ଅବକାରୀ ବିଭାଗ ପକ୍ଷରୁ ଦେଶୀ ମଦ ଭାଟି ଉପରେ ମିଳିତ ଚଢ଼ାଉ କରାଯାଇଥିଲା। ଦାମିଆ ବରବରା ପଞ୍ଚାୟତ ଅଧିନସ୍ଥ ଶାଳିଆ ଡ୍ୟାମ ନିକଟସ୍ଥ ପ୍ରଧାନ ସାହି ଓ ନୂଆ ସାହି ଗ୍ରାମରେ ଆଜି ସକାଳ ୭ ଘଟିକାରୁ ମଧ୍ୟାହ୍ନ ୧୨ ଘଟିକା ଯାଏଁ ଚଢ଼ାଉ ଜାରି ରହିଥିଲା।
ଖୋର୍ଦ୍ଧା ଜିଲ୍ଲା ଅବକାରୀ ଉପ ଅଧିକ୍ଷିକା ସୁମିତ୍ରା ଓରାମ ଏବଂ ବାଣପୁର ପୋଲିସ ଏସ ଆଇ ପ୍ରସନ୍ନ ଜେନାଙ୍କ ମିଳିତ ନେତୃତ୍ବରେ ଉକ୍ତ ଚଢାଉ କାର୍ଯ୍ୟ ଆରମ୍ଭ ହୋଇଥିଲା। ଚଢାଉ ସମୟରେ ମୋଟ ୩ ହଜାର ୫ ଶହ ଲିଟର ଗୁଡ ମିଶ୍ରିତ ମହୁଲି ପୋଚ ଜବତ କରି ନଷ୍ଟ କରିଦିଆଯାଇଛି।
ଉକ୍ତ ଚଢାଉରେ ଚିଲିକା ଅତିରିକ୍ତ ତହସିଲଦାର ଅପର୍ଣ୍ଣା ଡାଙ୍ଗୁଆ, ବାଲୁଗାଁ ଅବକାରୀ ସବ ଇନ୍ସପେକ୍ଟର ମନୋଜ କୁମାର ବାରିକ, ଟାଙ୍ଗୀ ଅବକାରୀ ଇନ୍ସପେକ୍ଟର ଆଲୋକ ପ୍ରଧାନ, ଖୋର୍ଦ୍ଧା ଅବକାରୀ ଇନ୍ସପେକ୍ଟର ଭୈରବ ସାହୁ, ଜିଲ୍ଲା ଭ୍ରାମ୍ୟମାଣ ଅବକାରୀ ଇନ୍ସପେକ୍ଟର ସୁସ୍ମିତା ହୋତା ଏବଂ ଦୁଇ ସେକ୍ସନ ପୋଲିସ ଫୋର୍ସ ସାମିଲ ଥିଲେ। କିନ୍ତୁ ଦେଶୀ ମଦ ବେପାରୀ ଜଙ୍ଗଲର ସୁଯୋଗ ନେଇ ଘଟଣାସ୍ଥଳରୁ ଖସି ପଳାଇଥିଲେ।
ସେହିପରି ଭାବେ ଉଭୟ ବିଭାଗ ବାଣପୁର ଥାନା ଅନ୍ତର୍ଗତ ଦାଶରଥୀପୁର ଗ୍ରାମରୁ ଜଣେ ମହିଳାଙ୍କ ସମେତ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ସେମାନଙ୍କ ନିକଟରୁ ୧୩୩ ଲିଟର ଦେଶୀ ମଦ ଜବତ କରିଛି l