Categories
ଆଞ୍ଚଳିକ

ମରଣଜନ୍ତା ପାଲଟିଛି ଶାଳିଆ ଡ୍ୟାମ ମୁଖ୍ୟ ରାସ୍ତା, ଅଭିଯୋଗକୁ ଗୁରୁତ୍ୱ ଦେଉନି ପ୍ରଶାସନ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକର ଦାମିଆ ବରବରା ପଞ୍ଚାୟତ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଭାବରେ ପରିଚିତ। ଉକ୍ତ ପଞ୍ଚାୟତ ଅଧୀନରେ ବାଣପୁରର ମୁଖ୍ୟ ପର୍ଯ୍ୟଟନସ୍ଥଳୀ ଶାଳିଆ ଡ୍ୟାମ ସହ ଏସିଆ ମହାଦେଶର ସର୍ବବୃହତ ଶାଗୁଆନ ଜଙ୍ଗଲ ବରବରା ଜଙ୍ଗଲ ମଧ୍ୟ ଅଛି। ଏହି ଅଞ୍ଚଳକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ବହୁ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ି ରହିଛି। ବାଣପୁର ସହର ଠାରୁ ଦମିଆ ବରବରା ୨୦କି.ମି ଦୂର ହୋଇଥିବାରୁ ଯୋଗାଯୋଗ କରିବାର ମୁଖ୍ୟ ମାଧ୍ୟମ ହେଉଛି ଏହି ରାସ୍ତା।

ଡ୍ୟାମ ତଳ ଅଞ୍ଚଳରୁ କେନାଲ ଉପରେ ଜଳସେଚନ ବିଭାଗର ମଧ୍ୟ ଏକ ରାସ୍ତା ଅବସ୍ତିତ।  ବାଣପୁରରୁ ପ୍ରତାପ ଗଲାପରେ ଉପର ରାସ୍ତା ଓ କେନାଲ ରାସ୍ତା ଦୁଇଟି ରାସ୍ତା ଉକ୍ତ ପଞ୍ଚାୟତକୁ ସଂଯୋଗ କରୁଛି। ଏହି ରାସ୍ତା ଉପରେ ପ୍ରତିଦିନ ହଜାର ହଜାର ଲୋକ ଗମନାଗମନ କରନ୍ତି ଏବଂ ତା ସହିତ ଏହି ରାସ୍ତା ଗଞ୍ଜାମ ଜିଲ୍ଲାକୁ ମଧ୍ୟ ସଂଯୋଗ କରୁଛି।

କିନ୍ତୁ ବିଗତ କିଛି ବର୍ଷ ହେବ ଏହି ରାସ୍ତା ଖରାପ ହେବା କାରଣରୁ ମରଣଯନ୍ତା ପାଲଟି ଯାଇଛି। ପ୍ରତିଦିନ ଏହି ରାସ୍ତାରେ ମଧ୍ୟ ଛୋଟ ବଡ଼ ଦୁର୍ଘଟଣା ଘଟୁଛି। ଦାମିଆ ଅଞ୍ଚଳର ଲୋକମାନେ ସରକାରୀ କାମ ହେଉ ବା ଡାକ୍ତରଖାନା ହେଉ ତାହାର ଉପଯୋଗ ପାଇଁ ପ୍ରତିଦିନ ଏହି ରାସ୍ତା ଉପରେ ନିର୍ଭରଶୀଳ। ବିଭିନ୍ନ ସମୟରେ ବିଭାଗୀୟ ଅଧିକାରୀ ମାନଙ୍କୁ ଏହି ରାସ୍ତା ମରାମତି କରିବା ନିମନ୍ତେ ସାଧାରଣ ଲୋକ, ଜନପ୍ରତିନିଧି, ସାମ୍ବାଦିକ ଏବଂ ବୁଦ୍ଧିଜିବୀମାନଙ୍କ ଦ୍ଵାରା ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ କିଛି ବି ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ଗ୍ରହଣ କରାଯାଉ ନାହିଁ।

ବର୍ତ୍ତମାନ ଉକ୍ତ ରାସ୍ତାଟି ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ଥିବା ବେଳେ ଏହାର କିଛି ଅଂଶ ଜଙ୍ଗଲ ବିଭାଗ ଅଧୀନରେ ଅଛି। ତେବେ ଉଭୟ ବିଭାଗ ମଧ୍ୟରେ କିଛି ସରକାରୀ ସମସ୍ୟା ଉପୁଜିଥିବା ହେତୁ ଗ୍ରାମ୍ୟ ଉନ୍ନୟନ ବିଭାଗ ଏହାର ମରାମତି କାର୍ଯ୍ୟ କରିପାରୁନାହିଁ।  ଯାହାଫଳରେ ପ୍ରତିଦିନ ହଜାର ହଜାର ଜନସାଧାରଣ ହଇରାଣ ହେଉଛନ୍ତି। ନିକଟରେ ସରକାର ଶାଳିଆ ଡ୍ୟାମକୁ ଇକୋ ଟୁରିଜିମ ଯୋଜନାରେ ଅନ୍ତର୍ଭୁକ୍ତ କରିଥିବା ବେଳେ ଏଠାକୁ ଯିବା ପାଇଁ ଉନ୍ନତ ସଡ଼କ ନଥିବା ସରକାରଙ୍କ ଉନ୍ନୟନ ଯୋଜନାର ଅସଲ ମୁଖା ଖୋଲୁଛି।

ତେବେ ପୁର୍ବରୁ ଏ ନେଇ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିକଟରେ ଏକାଧିକ ଅଭିଯୋଗ କରାଯାଇଥିଲେ ସୁଦ୍ଧା କିଛି ସୁଫଳ ମିଳିନାହିଁ। ଏପରିକି ନିକଟରେ ଖୋର୍ଦ୍ଧା ଗଞ୍ଜାମ ଜିଲ୍ଲା ସୀମାନ୍ତ ବାସିନ୍ଦା ଉକ୍ତ ସମସ୍ୟାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ଚିଠି ଲେଖିଛନ୍ତି। ତେବେ ଏ ନେଇ ବିଭାଗୀୟ ଅଧିକାରୀଙ୍କୁ ପଚାରିବାରୁ ଉଭୟ ବିଭାଗ ମଧ୍ୟରେ ଉପୁଜିଥିବା ସମସ୍ୟାର ସମାଧାନ ପ୍ରକ୍ରିୟା ଜାରି ରହିଛି ବୋଲି କହିଛନ୍ତି।  ତେବେ ଦେଖାଯାଉ ସରକାର କେବେ ଉକ୍ତ ରାସ୍ତାର ମରାମତି ପ୍ରତି ଦୃଷ୍ଟି ଦେଉଛନ୍ତି।

Categories
ଆଞ୍ଚଳିକ

ବାଣପୁର ନିକଟରେ ସଡକ ଦୁର୍ଘଟଣା, ୨୦ ଜଣ ଆହତ

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ମଧ୍ୟାହ୍ନରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଦାମିଆ ବରବରା ଅଞ୍ଚଳରେ ଏକ ସଡ଼କ ଦୁର୍ଘଟଣା ଘଟିଯାଇଛି। ଯେଉଁଥିରେ ଏକାଧିକ ବ୍ୟକ୍ତି ଆହତ ହୋଇଛନ୍ତି।

ଖବର ମୁତାବକ ଦାମିଆ ବରବରା ପଞ୍ଚାୟତ ମସକାବାରି ଗ୍ରାମର ପାଖାପାଖି ୨୦ ଜଣ ମହିଳା ଓ ପୁରୁଷ ରାସନ ଚାଉଳ ଆଣିବା ନିମନ୍ତେ ଏକ ଟାଟା ଏସିଇ ଗାଡ଼ିରେ ପଞ୍ଚାୟତ କାର‌୍ୟ୍ୟାଳୟକୁ ଯାଉଥିଲେ। ତେବେ ଦାମିଆ ଶଙ୍ଖ ନିକଟରେ ଭାରସାମ୍ୟ ହରାଇ ଗାଡ଼ିଟି ଲେଉଟି ପଡିଥିଲା। ଫଳରେ ସମସ୍ତ ବ୍ୟକ୍ତି ଆହତ ହୋଇଥିଲେ।

ଏହାପରେ ଆହତ ବ୍ୟକ୍ତିମାନେ ବାଣପୁର ମେଡିକାଲକୁ ଚିକିତ୍ସାତ ହେବା ପାଇଁ ଆସିଥିବା ବେଳେ ୧୫ ଜଣ ସାମାନ୍ୟ ଆହତ ଏବଂ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ଅନୁରୂପ ଭାବେ ଜଣେ ବ୍ୟକ୍ତିଙ୍କୁ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଣପୁର: ପୋଲିସ ଏବଂ ଅବକାରୀ ବିଭାଗର ମିଳିତ ଚଢାଉ, ୩ ହଜାରରୁ ଊର୍ଦ୍ଧ୍ଵ ଲିଟରର ମଦ ପୋଚ ଜବତ

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ବ୍ଲକ ଦାମିଆ ବରବରା ପଞ୍ଚାୟତର ବିଭିନ୍ନ ଗ୍ରାମରେ ପୋଲିସ ଏବଂ ଅବକାରୀ ବିଭାଗ ପକ୍ଷରୁ ଦେଶୀ ମଦ ଭାଟି ଉପରେ ମିଳିତ ଚଢ଼ାଉ କରାଯାଇଥିଲା। ଦାମିଆ ବରବରା ପଞ୍ଚାୟତ ଅଧିନସ୍ଥ ଶାଳିଆ ଡ୍ୟାମ ନିକଟସ୍ଥ ପ୍ରଧାନ ସାହି ଓ ନୂଆ ସାହି ଗ୍ରାମରେ ଆଜି ସକାଳ ୭ ଘଟିକାରୁ ମଧ୍ୟାହ୍ନ ୧୨ ଘଟିକା ଯାଏଁ ଚଢ଼ାଉ ଜାରି ରହିଥିଲା।

ଖୋର୍ଦ୍ଧା ଜିଲ୍ଲା ଅବକାରୀ ଉପ ଅଧିକ୍ଷିକା ସୁମିତ୍ରା ଓରାମ ଏବଂ ବାଣପୁର ପୋଲିସ ଏସ ଆଇ ପ୍ରସନ୍ନ ଜେନାଙ୍କ ମିଳିତ ନେତୃତ୍ବରେ ଉକ୍ତ ଚଢାଉ କାର୍ଯ୍ୟ ଆରମ୍ଭ ହୋଇଥିଲା। ଚଢାଉ ସମୟରେ ମୋଟ ୩ ହଜାର ୫ ଶହ ଲିଟର ଗୁଡ ମିଶ୍ରିତ ମହୁଲି ପୋଚ ଜବତ କରି ନଷ୍ଟ କରିଦିଆଯାଇଛି।

ଉକ୍ତ ଚଢାଉରେ ଚିଲିକା ଅତିରିକ୍ତ ତହସିଲଦାର ଅପର୍ଣ୍ଣା ଡାଙ୍ଗୁଆ, ବାଲୁଗାଁ ଅବକାରୀ ସବ ଇନ୍ସପେକ୍ଟର ମନୋଜ କୁମାର ବାରିକ, ଟାଙ୍ଗୀ ଅବକାରୀ ଇନ୍ସପେକ୍ଟର ଆଲୋକ ପ୍ରଧାନ, ଖୋର୍ଦ୍ଧା ଅବକାରୀ ଇନ୍ସପେକ୍ଟର ଭୈରବ ସାହୁ, ଜିଲ୍ଲା ଭ୍ରାମ୍ୟମାଣ ଅବକାରୀ ଇନ୍ସପେକ୍ଟର ସୁସ୍ମିତା ହୋତା ଏବଂ ଦୁଇ ସେକ୍ସନ ପୋଲିସ ଫୋର୍ସ ସାମିଲ ଥିଲେ। କିନ୍ତୁ ଦେଶୀ ମଦ ବେପାରୀ ଜଙ୍ଗଲର ସୁଯୋଗ ନେଇ ଘଟଣାସ୍ଥଳରୁ ଖସି ପଳାଇଥିଲେ।

ସେହିପରି ଭାବେ ଉଭୟ ବିଭାଗ ବାଣପୁର ଥାନା ଅନ୍ତର୍ଗତ ଦାଶରଥୀପୁର ଗ୍ରାମରୁ ଜଣେ ମହିଳାଙ୍କ ସମେତ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ସେମାନଙ୍କ ନିକଟରୁ ୧୩୩ ଲିଟର ଦେଶୀ ମଦ ଜବତ କରିଛି l

Categories
ଆଞ୍ଚଳିକ

ବାଣପୁର: ତହସିଲଦାରଙ୍କ ନିକଟରେ ଆପତ୍ତି ଓ ଅଭିଯୋଗ ଜଣାଇଲେ ଶତାଧିକ ଆଦିବାସୀ ମହିଳା ଓ ପୁରୁଷ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ନୀଳାଦ୍ରିପ୍ରସାଦ ଓ ଦାମିଆ ବରବରା ପଞ୍ଚାୟତର ଶତାଧିକ ମହିଳା ଓ ପୁରୁଷ ତହସିଲଦାରଙ୍କୁ ଭେଟି ସେମାନଙ୍କ ଆପତ୍ତି ଓ ଅଭିଯୋଗ ଜଣାଇଛନ୍ତି। ପ୍ରବଳ ବର୍ଷା ସତ୍ତ୍ୱେ ବାଣପୁର ଆସି ସେମାନେ ତହସିଲଦାରଙ୍କ ନିକଟରେ ଆପତ୍ତି ଓ ଅଭିଯୋଗ ଜଣାଇଛନ୍ତି।

ଦୀର୍ଘଦିନ ହେବ ଦୁଇଟି ଆଦିବାସୀ ଅଧ୍ୟୁଷିତ ପଞ୍ଚାୟତର ଆଦିବାସୀମାନେ ନିଜର ସାମ୍ବିଧାନିକ ଅଧିକାର ତଥା ଜୀବନଜୀବିକା ପାଇଁ ସଙ୍ଘର୍ଷ କରିଆସୁଛନ୍ତି। ସେମାନଙ୍କର ବାପା ଅଜା ଅମଳରୁ ଚାଷ ବାସ କରି ଚଳି ଆସୁଥିବା ଜଙ୍ଗଲ ଜମିକୁ ନିଜ ନାମରେ କରିବା ପାଇଁ ଆବେଦନ କରିଆସୁଥିଲେ ମଧ୍ୟ ଆଜିଯାଏଁ ହାତ ଗଣତି କିଛି ଆଦିବାସୀଙ୍କୁ ମିଳିଥିବାବେଳେ ଅନ୍ୟମାନଙ୍କୁ ଆଜି ପର୍ଯ୍ୟନ୍ତ ଜମି ପଟ୍ଟା ମିଳିପାରି ନାହିଁ।

ରାଜ୍ୟ ସରକାରଙ୍କ ୨୦୦୬ ଜଙ୍ଗଲ ଅଧିକାର ଆଇନ୍ ମୁତାବକ ନିଜ ଗ୍ରାମରେ ଗ୍ରାମସଭା ଜଙ୍ଗଲ କମିଟି ମାଧ୍ୟମରେ ପଟ୍ଟା ପାଇଁ ଆବେଦନ କରାଯାଇଛି। ଜଙ୍ଗଲରେ ଥିବା ଜମିକୁ ଉଭୟ ରାଜସ୍ବ ଓ ଜଙ୍ଗଲ ବିଭାଗ ପକ୍ଷରୁ ମାପ ଚିହ୍ନଟ କରି ପ୍ରତ୍ୟେକ ଆଦିବାସୀଙ୍କୁ ତାଙ୍କ ଦଖଲ ଜମିର ବ୍ୟକ୍ତିଗତ ଅଧିକାର ଓ ଭୋଗ କରୁଥିବା ଜଙ୍ଗଲକୁ ଗୋଷ୍ଠୀ ଅଧିକାର ରୁପେ ପ୍ରଦାନ କରାଯିବା କଥା। କିନ୍ତୁ ଆଇନ ହେବାର ଦୀର୍ଘ ୧୫ ବର୍ଷ ବିତିଯାଇଥିଲେ ମଧ୍ୟ ବାଣପୁରର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଉକ୍ତ ଆଇନ କାଯ୍ୟକାରିତାର କୌଣସି ସୁଫଳ ଦେଖିବାକୁ ମିଳିପାରିନାହିଁ।

ତେଣୁ ଆଜି ଉକ୍ତ ଅଞ୍ଚଳର ଯୁବସାଥି ନୀଳକଣ୍ଠ ଶବର, ପ୍ରଦୀପ ଶବର, ରୋହିତ ଶବର, ଲକ୍ଷ୍ମଣ ଶବର, ସଲମନ ଶବର, ହରମୋହନ ଜାନି, ସାବିତ୍ରୀ ଶବର ଓ ମାଣିକ ଶବରଙ୍କ ନେତୃତ୍ଵରେ ଆଦିବାସୀ ମାନେ ନିଜ ସମସ୍ୟା ସମ୍ପର୍କରେ ତହସିଲଦାରଙ୍କ ସହ ଆଲୋଚନା କରିବା ସହିତ ସେମାନଙ୍କର ନିଜ ଜମି ପଟ୍ଟାରେ ତ୍ରୁଟିପୂର୍ଣ୍ଣ ଜାତି ଲେଖାଯାଇଥିବା ପ୍ରାୟ ୫୦ରୁ ଉର୍ଦ୍ଧ ପଟ୍ଟାଗୁଡିକର ସଂଶୋଧନ ନିମନ୍ତେ ତହସିଲଦାରଙ୍କୁ ପଟ୍ଟା ସମ୍ବନ୍ଧୀୟ କାଗଜପତ୍ର ପ୍ରଦାନ କରିଛନ୍ତି।

ଉକ୍ତ କାର୍ଯ୍ୟକର୍ମରେ ଏକତା ପରିଷଦ ଟ୍ରଷ୍ଟ, ବାଣପୁରର ଅଧ୍ୟକ୍ଷା ସନ୍ଧ୍ୟାଦେବି ଏବଂ କର୍ମକର୍ତ୍ତା ମାନେ ଯଥା ତାରାପ୍ରସାଦ ବାରିକ୍, ଜିତେନ୍ଦ୍ର ବରାଳ, ଟୁନି ଦାସ ଇତ୍ୟାଦି ଉପସ୍ଥିତ ରହି ସେମାନଙ୍କୁ ସହଯୋଗ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବାଣପୁର ବ୍ଲକର ଆଦିବାସୀ ଅଧ୍ୟୁଷିତ ପଞ୍ଚାୟତ ଗସ୍ତ କଲେ ରାଷ୍ଟ୍ରୀୟ ଅନୁସୂଚିତ ଜନଜାତି କମିଶନର

ସୀତାରାମ ଅଗ୍ରୱାଲ
ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକର ନୀଳାଦ୍ରି ପ୍ରସାଦ ଏବଂ ଦାମିଆ ବରବରା ପଞ୍ଚାୟତ ଜିଲ୍ଲାର ଦୁଇ ଗୋଟି ଆଦିବାସୀ ଅଧୁଷିତ ପଞ୍ଚାୟତ ଅଟେ। କେନ୍ଦ୍ର ସରକାର ଆଦିବାସୀମାନଙ୍କର ଉନ୍ନତି ନିମନ୍ତେ ରାଜ୍ୟକୁ ପର୍ଯ୍ୟାପ୍ତ ପରିମାଣରେ ଅନୁଦାନ ପ୍ରଦାନ କରୁଛନ୍ତି। କିନ୍ତୁ ସ୍ଥାନୀୟ ପ୍ରଶାସନର ଆନ୍ତରିକତାର ଅଭାବରୁ ଆସୁଥିବା ଅନୁଦାନ ନିରୀହ ଆଦିବାସୀ ମାନଙ୍କ ପାଖରେ ପହଞ୍ଚିବା ପୂର୍ବରୁ ସରକାରୀ କର୍ମଚାରୀ ଏବଂ ଶାସକ ଦଳର କୁଜିନେତା ତାହାକୁ ହଡପ କରିବାରେ ଲାଗିପଡିଛନ୍ତି।

ଚିଲିକା ବିଧାୟକ ପ୍ରାର୍ଥୀ ତଥା ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନଙ୍କ ନିକଟରେ ସ୍ଥାନୀୟ ଆଦିବାସୀ ମାନେ ବାରମ୍ବାର ଏ ପ୍ରକାର ଅଭିଯୋଗ କରିବାପରେ ଏ ସମ୍ପର୍କରେ ପୃଥ୍ୱୀରାଜ ହରିଚନ୍ଦନ ରାଷ୍ଟ୍ରୀୟ ଅନୁସୂଚିତ ଜନଜାତି କମିଶନ ଅଧ୍ୟକ୍ଷଙ୍କୁ ଅବଗତ କରାଇଥିଲେ। ଅଭିଯୋଗ ଆଧାରରେ ଆଜି ମଧ୍ୟାହ୍ନରେ ରାଷ୍ଟ୍ରୀୟ ଜନଜାତି କମିଶନର ତଥା ପୂର୍ବତନ ସାଂସଦ ଅନନ୍ତ ନାୟକ ଉପରୋକ୍ତ ଦୁଇଟି ପଞ୍ଚାୟତ ଗସ୍ତ କରିଥିଲେ। ଉକ୍ତ ଗସ୍ତରେ ଚିଲିକା ବିଧାୟକ ପ୍ରାର୍ଥୀ ପୃଥ୍ଵୀରାଜ ହରିଚନ୍ଦନ, ପୁରୀ ଲୋକସଭା ପ୍ରାର୍ଥୀ ଡ଼ା ସମ୍ବିତ ପାତ୍ର, ଖୋର୍ଦ୍ଧା ଉପଜିଲ୍ଲାପାଳ ଆଈଏଏସ ଗୌରବ ଶିବାଜୀ ଇସାଲୱାର, ବି.ଡି.ଓ ପ୍ରଦୁମ୍ନ କୁମାର ନାୟକ, ତହସିଲଦାର ପ୍ରମୋଦ ପାଢ଼ୀ, ବାଲୁଗାଁ ବନାଞ୍ଚଳ ଅଧିକାରୀ ପ୍ରତାପ ମହାନ୍ତି, ବାଣପୁର ମେଡିକାଲ ଅଧିକାରୀ ଡ଼ା ରମାକାନ୍ତ ନାୟକ, ବାଣପୁର ଥାନାଧିକାରୀ ରଶ୍ମିରଂଜନ ସାହୁ, ୧୩ ନମ୍ବର ଜୋନର ଜିଲ୍ଲା ପରିଷଦ ସଭ୍ୟ ଅମରେନ୍ଦ୍ର ରଣସିଂହ, ଭେଟେଶ୍ଵର ଗ୍ରାମ ପଞ୍ଚାୟତର ସରପଞ୍ଚ ଜିତେନ୍ଦ୍ର କୁମାର ଭୋଳ ଏବଂ ଅନ୍ୟ ସରକାରୀ ଅଧିକାରୀମାନେ ଉପସ୍ଥିତ ଥାଇ ଆଦିବାସୀ ମାନଙ୍କ ବିଭିନ୍ନ ସମସ୍ୟା ଶୁଣିଥିଲେ।

ଗସ୍ତ ସମୟରେ ନୀଳାଦ୍ରି ପଞ୍ଚାୟତର କଦଳିବାରୀ, ରାଇପଡ଼ା, ନୀଳାଦ୍ରି ଏବଂ ବ୍ରହ୍ମପଡ଼ାର ଆଦିବାସୀମାନେ କମିଶନରଙ୍କ ଆଗରେ ଅଭିଯୋଗର ପାହାଡ଼ ଛିଡା କରିଥିଲେ। କେଉଁଠାରେ ଆଦିବାସୀମାନଙ୍କର ଆବାସ ଯୋଜନାକୁ ହଡପ କରିଦିଆଯାଇଛି ତ କେଉଁଠାରେ ଅଶି ବର୍ଷ ବୟସର ବୃଦ୍ଧା ବାର୍ଦ୍ଧକ୍ୟ ଭତ୍ତାରୁ ବଞ୍ଚିତ ହୋଇଛନ୍ତି। ଆଉ କେଉଁଠାରେ ନିରୀହ ଆଦିବାସୀ ଟିଏ ରୋଗ ଶଯ୍ୟାରେ ପଡି ଔଷଧ ଟିକିଏ ନପାଇ ମୃତ୍ୟୁ ସହ ସଂଗ୍ରାମ କରୁଛି। କମିଶନର ଆଦିବାସୀ ମାନଙ୍କର ଏ ପ୍ରକାର ଅଭିଯୋଗ ଶୁଣି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଏବଂ ସ୍ଥାନୀୟ ପ୍ରଶାସନକୁ ପନ୍ଦର ଦିନ ମଧ୍ୟରେ ସମସ୍ତ ସମସ୍ୟାଗୁଡିକର ସମାଧାନ ନିମନ୍ତେ ତାଗିଦ କରିଥିଲେ।

ଏ ସମ୍ପର୍କରେ ଖୋର୍ଦ୍ଧା ଉପଜିଲ୍ଲାପାଳଙ୍କୁ ପଚାରିବାରୁ ସେ ସମସ୍ୟା ଗୁଡିକ ସତ୍ୟ ବୋଲି କହିଥିଲେ ଏବଂ ଆଦିବାସୀମାନଙ୍କର ସମସ୍ୟାକୁ ନିଶ୍ଚିତ ଭାବରେ ଯଥାଶୀଘ୍ର ସମାଧାନ କରାଯିବ ବୋଲି ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଜଣାଇଥିଲେ। ଅନୁରୂପ ଭାବେ ବିଧାୟକ ପ୍ରାର୍ଥୀ ପୃଥ୍ଵୀରାଜ ହରିଚନ୍ଦନ ଏ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିବା ସହ ସ୍ଥାନୀୟ ପ୍ରଶାସନର ଅପାରଗତା ଲାଗି ଆଜି ନିରୀହ ଆଦିବାସୀ ମାନେ ହଇରାଣ ହରକତ ହେଉଛନ୍ତି ବୋଲି ମତ ରଖିଥିଲେ। ଯଦି ପ୍ରଶାସନ ଯଥାଶୀଘ୍ର ଆଦିବାସୀମାନଙ୍କୁ ନ୍ୟାୟ ନଦିଏ ତେବେ ଆଗାମୀ ଦିନରେ ଏଥି ନିମନ୍ତେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ଶ୍ରୀ ହରିଚନ୍ଦନ କହିଥିଲେ।

Categories
ଆଞ୍ଚଳିକ

ବାଣପୁର ବ୍ଲକର ଏହି ଗ୍ରାମର ନାରୀମାନଙ୍କ ପାଇଁ ମହିଳା ଦିବସ ପାଳନ ଏକ ଉପହାସ

ସୀତାରାମ ଅଗ୍ରୱାଲ

ବାଣପୁର: ନାରୀଙ୍କୁ ସମ୍ମାନିତ କରିବାର ଓ ସ୍ବୀକୃତି ଦେବାର ଅବସର ହେଉଛି ମହିଳା ଦିବସ। ମହିଳାଙ୍କ ସ୍ୱପ୍ନର ଜୀବନ ହେଉଛି ସଶକ୍ତିକରଣ, ସ୍ବାଧୀନତା ଓ ସୁରକ୍ଷା। ନିଜ ପାଇଁ ନିଜେ ଉଦାହରଣ ପାଲଟୁଛନ୍ତି ମହିଳା, ନିଜେ ସ୍ୱାବଲମ୍ବୀ ହେବା ସହ ଆର୍ଥିକ ସ୍ଵଚ୍ଛଳ ହେଉଛନ୍ତି ଏବଂ ଅନ୍ୟମାନଙ୍କ ପାଇଁ ସୃଷ୍ଟି କରୁଛନ୍ତି ରୋଜଗାରର ଅବସର। ମହିଳା ସଶକ୍ତିକରଣ କହିଲେ ଆତ୍ମବିଶ୍ବାସ ସୃଷ୍ଟିକରି ପ୍ରଗତି ପଥରେ ନିଜକୁ ସାମିଲ କରିବା ହେଉଛି ସଶକ୍ତିକରଣ। ଯଦିଓ ଆଜି ମହିଳାମାନେ ଅନେକ ସୋପାନ ଅତିକ୍ରମ କରିଛନ୍ତି। ତଥାପି ଏହାର କିଛି ଓଲଟା ଛବି ପ୍ରତିଫଳିତ ହେଉଛି ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଆଦିବାସୀ ଅଧ୍ୟୁଷିତ ଦାମିଆ ବରବରା ପଞ୍ଚାୟତର କୋଷରଡା ଗ୍ରାମରେ।

ଗତକାଲି ଏକତା ପରିଷଦ ଟ୍ରଷ୍ଟ ଆନୁକୂଲ୍ୟରେ ଏବଂ ଏହାର ପ୍ରତିଷ୍ଠାତ୍ରୀ ସମାଜସେବୀକା ସନ୍ଧ୍ୟା ଦେବୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ବାଣପୁର ବ୍ଲକ ଆଦିବାସୀ ଅଧ୍ୟୁଷିତ ଦାମିଆ ବରବରା ପଞ୍ଚାୟତର କୋଷରଡା ଗ୍ରାମ ପ୍ରାଥମିକ ବିଦ୍ୟାଳୟରେ ପାଳିତ ହୋଇଛି ଅନ୍ତର୍ଜାତୀୟ ମହିଳା ଦିବସ। ନା ଥିଲା ଏଠାରେ ଖୁସି, ଆନନ୍ଦ ଓ ଉଦ୍ଦୀପନା।

ଯଦିଓ ଏକବିଂଶ ଶତାଦ୍ଧିରେ ମହିଳାମାନଙ୍କୁ ମିଳିଛି ବିଭିନ୍ନ କ୍ଷେତ୍ରରେ ଅଦ୍ଭୂତପୂର୍ବ ସଫଳତା।  ତଥାପି ଉକ୍ତ ଅଞ୍ଚଳରେ ଆଜିବି ମହିଳାମାନଙ୍କ ସାମଗ୍ରିକ ଉନ୍ନତି ଓ ଅବାଧ ସ୍ବାଧୀନତା ଏବେବି ଅପହଞ୍ଚ। ଖୋର୍ଦ୍ଧା ଜିଲ୍ଲାରେ ଖୋଦ ରାଜଧାନୀ ଭୁବନେଶ୍ୱର ଯାଉଥିବାବେଳେ ଅପରପାର୍ଶ୍ଵରେ ଜିଲ୍ଲା ସୀମାରେ ଅବସ୍ଥିତ ଉକ୍ତ ଗ୍ରାମର ମହିଳାମାନେ ଏବେବି ସରକାରଙ୍କ ଶୁଭ ଦୃଷ୍ଟିକୁ ଅନାଇ ବସିଛନ୍ତି। ତେଣୁ ଉକ୍ତ ଅଞ୍ଚଳରେ ନାରୀ ସଶକ୍ତିକରଣ ପ୍ରତି ସ୍ଥାନୀୟ ଏବଂ ଜିଲ୍ଲା ପ୍ରଶାସନ କିପରି ଦୃଷ୍ଟି ଆକର୍ଷଣ କରିବେ ସେଥିପ୍ରତି ସାଧାରଣରେ ଦାବି ହେଉଛି।

Categories
ଆଞ୍ଚଳିକ

ବାଣପୁରଠାରେ ଆଦିବାସୀ ସଚେତନତା ଶିବିର: ଅନ୍ଧ ବିଶ୍ବାସ ଓ ଗୁଣିଗାରେଡିରୁ ବାହାରି ମୁଖ୍ୟ ସ୍ରୋତରେ ସାମିଲ୍‌ ହେବାକୁ ଆହ୍ବାନ

ସମୀକ୍ଷା ବ୍ୟୁରୋ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଦାମିଆ ବରବରା ଆଦିବାସୀ ବହୁଳ ପଞ୍ଚାୟତରେ “ଏକତା ପରିଷଦ ଟ୍ରଷ୍ଟ” ସହଯୋଗରେ ଦଳିତ, ଆଦିବାସୀ ସଚେତନା ଶିବିରର ଆୟୋଜନ ହୋଇଯାଇଛି। ଏହି ଶିବିରରେ ସମ୍ମାନିତ ଅତିଥି ଭାବରେ ହେତୁବାଦୀ ସଙ୍ଗଠନର ସମ୍ପାଦକ ଇଂ.ରାଜା ସୁରେଶ ଓ ଏ ଆଇକେଏମଏସର ଜାତୀୟ ସଂପାଦକ ଶ୍ରୀଯୁକ୍ତ ଭାଲା ଚନ୍ଦ୍ର ଯୋଗଦେଇଥିଲେ। ଉକ୍ତ ଶିବିରରେ ଦୁଇ ଶହରୁ ଅଧିକ ମହିଳା ଓ ପୁରୁଷ ଯୋଗ ଦେଇଥିଲେ। ଅତିଥିମାନେ ତାଙ୍କ ଅଭିଭାଷଣରେ ଆଦିବାସୀଙ୍କ ଜମି ଅଧିଗ୍ରହଣ ଆଇନ ତଥା ସେମାନଙ୍କ ନାଯ୍ୟା ଦାବି ଓ ଅଧିକାର ସମ୍ପର୍କରେ ଆଲୋକପାତ କରିଥିଲେ।  ସେହିପରି ଅନ୍ଧ ବିଶ୍ବାସ ଓ ଗୁଣିଗାରେଡିରୁ ବାହାରି ମୁଖ୍ୟ ସ୍ରୋତରେ ସାମିଲ୍‌ ହେବାକୁ ଆହ୍ବାନ ଜଣାଇଥିଲେ। ସରକାରଙ୍କ ଅହେତୁକ ଅବହେଳା ଓ ପ୍ରତଷ୍ଠିତ ସମାଜର ପ୍ରତିବନ୍ଧକ ଯୋଗୁଁ ଗରିବ ନିରୀହ ଆଦିବାସୀ ସମାଜ କିପରି ପଥଭ୍ରଷ୍ଟ ହେଉଛି, ସେସମ୍ପର୍କରେ ଆଲୋଚନା କରାଯାଇଥିଲା। ଏକତା ପରିଷଦ ଟ୍ରଷ୍ଟ”ର ମ୍ୟାନେଜିଂ ଟ୍ରଷ୍ଟି ସନ୍ଧ୍ୟା ଦେବୀ କର୍ଯ୍ୟକ୍ରମକୁ ଆୟୋଜନ କରିବାସହ ଅଂଚଳର ପ୍ରତ୍ୟକ ଗାଁରେ ସୂଚନା ବକ୍ସ ଦେବା ସହ ବିଭିନ୍ନ ସରକାରୀ ବିଭାଗର ଯୋଜନା ବିଷୟରେ ସୂଚନା ଦେଇଥିଲେ। ସେହିପରି ଅନ୍ଧବିଶ୍ବାସ ଓ କୁସଂସ୍କାର ଦୂର କରିବା ଲାଗି ସଚେତନତା ସୃଷ୍ଟି କରିବା ସହ ଆଦିବାସୀଙ୍କ ସ୍ବାସ୍ଥ୍ୟ ଓ ଶିକ୍ଷା ଅଧିକାର ସୁରକ୍ଷା ସମ୍ବନ୍ଧରେ ଆଲୋକପାତ କରାଇଥିଲେ।