ବାଣପୁର ବ୍ଲକର ଆଦିବାସୀ ଅଧ୍ୟୁଷିତ ପଞ୍ଚାୟତ ଗସ୍ତ କଲେ ରାଷ୍ଟ୍ରୀୟ ଅନୁସୂଚିତ ଜନଜାତି କମିଶନର

Published: Aug 28, 2021, 8:05 pm IST

ସୀତାରାମ ଅଗ୍ରୱାଲ
ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକର ନୀଳାଦ୍ରି ପ୍ରସାଦ ଏବଂ ଦାମିଆ ବରବରା ପଞ୍ଚାୟତ ଜିଲ୍ଲାର ଦୁଇ ଗୋଟି ଆଦିବାସୀ ଅଧୁଷିତ ପଞ୍ଚାୟତ ଅଟେ। କେନ୍ଦ୍ର ସରକାର ଆଦିବାସୀମାନଙ୍କର ଉନ୍ନତି ନିମନ୍ତେ ରାଜ୍ୟକୁ ପର୍ଯ୍ୟାପ୍ତ ପରିମାଣରେ ଅନୁଦାନ ପ୍ରଦାନ କରୁଛନ୍ତି। କିନ୍ତୁ ସ୍ଥାନୀୟ ପ୍ରଶାସନର ଆନ୍ତରିକତାର ଅଭାବରୁ ଆସୁଥିବା ଅନୁଦାନ ନିରୀହ ଆଦିବାସୀ ମାନଙ୍କ ପାଖରେ ପହଞ୍ଚିବା ପୂର୍ବରୁ ସରକାରୀ କର୍ମଚାରୀ ଏବଂ ଶାସକ ଦଳର କୁଜିନେତା ତାହାକୁ ହଡପ କରିବାରେ ଲାଗିପଡିଛନ୍ତି।

ଚିଲିକା ବିଧାୟକ ପ୍ରାର୍ଥୀ ତଥା ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନଙ୍କ ନିକଟରେ ସ୍ଥାନୀୟ ଆଦିବାସୀ ମାନେ ବାରମ୍ବାର ଏ ପ୍ରକାର ଅଭିଯୋଗ କରିବାପରେ ଏ ସମ୍ପର୍କରେ ପୃଥ୍ୱୀରାଜ ହରିଚନ୍ଦନ ରାଷ୍ଟ୍ରୀୟ ଅନୁସୂଚିତ ଜନଜାତି କମିଶନ ଅଧ୍ୟକ୍ଷଙ୍କୁ ଅବଗତ କରାଇଥିଲେ। ଅଭିଯୋଗ ଆଧାରରେ ଆଜି ମଧ୍ୟାହ୍ନରେ ରାଷ୍ଟ୍ରୀୟ ଜନଜାତି କମିଶନର ତଥା ପୂର୍ବତନ ସାଂସଦ ଅନନ୍ତ ନାୟକ ଉପରୋକ୍ତ ଦୁଇଟି ପଞ୍ଚାୟତ ଗସ୍ତ କରିଥିଲେ। ଉକ୍ତ ଗସ୍ତରେ ଚିଲିକା ବିଧାୟକ ପ୍ରାର୍ଥୀ ପୃଥ୍ଵୀରାଜ ହରିଚନ୍ଦନ, ପୁରୀ ଲୋକସଭା ପ୍ରାର୍ଥୀ ଡ଼ା ସମ୍ବିତ ପାତ୍ର, ଖୋର୍ଦ୍ଧା ଉପଜିଲ୍ଲାପାଳ ଆଈଏଏସ ଗୌରବ ଶିବାଜୀ ଇସାଲୱାର, ବି.ଡି.ଓ ପ୍ରଦୁମ୍ନ କୁମାର ନାୟକ, ତହସିଲଦାର ପ୍ରମୋଦ ପାଢ଼ୀ, ବାଲୁଗାଁ ବନାଞ୍ଚଳ ଅଧିକାରୀ ପ୍ରତାପ ମହାନ୍ତି, ବାଣପୁର ମେଡିକାଲ ଅଧିକାରୀ ଡ଼ା ରମାକାନ୍ତ ନାୟକ, ବାଣପୁର ଥାନାଧିକାରୀ ରଶ୍ମିରଂଜନ ସାହୁ, ୧୩ ନମ୍ବର ଜୋନର ଜିଲ୍ଲା ପରିଷଦ ସଭ୍ୟ ଅମରେନ୍ଦ୍ର ରଣସିଂହ, ଭେଟେଶ୍ଵର ଗ୍ରାମ ପଞ୍ଚାୟତର ସରପଞ୍ଚ ଜିତେନ୍ଦ୍ର କୁମାର ଭୋଳ ଏବଂ ଅନ୍ୟ ସରକାରୀ ଅଧିକାରୀମାନେ ଉପସ୍ଥିତ ଥାଇ ଆଦିବାସୀ ମାନଙ୍କ ବିଭିନ୍ନ ସମସ୍ୟା ଶୁଣିଥିଲେ।

ଗସ୍ତ ସମୟରେ ନୀଳାଦ୍ରି ପଞ୍ଚାୟତର କଦଳିବାରୀ, ରାଇପଡ଼ା, ନୀଳାଦ୍ରି ଏବଂ ବ୍ରହ୍ମପଡ଼ାର ଆଦିବାସୀମାନେ କମିଶନରଙ୍କ ଆଗରେ ଅଭିଯୋଗର ପାହାଡ଼ ଛିଡା କରିଥିଲେ। କେଉଁଠାରେ ଆଦିବାସୀମାନଙ୍କର ଆବାସ ଯୋଜନାକୁ ହଡପ କରିଦିଆଯାଇଛି ତ କେଉଁଠାରେ ଅଶି ବର୍ଷ ବୟସର ବୃଦ୍ଧା ବାର୍ଦ୍ଧକ୍ୟ ଭତ୍ତାରୁ ବଞ୍ଚିତ ହୋଇଛନ୍ତି। ଆଉ କେଉଁଠାରେ ନିରୀହ ଆଦିବାସୀ ଟିଏ ରୋଗ ଶଯ୍ୟାରେ ପଡି ଔଷଧ ଟିକିଏ ନପାଇ ମୃତ୍ୟୁ ସହ ସଂଗ୍ରାମ କରୁଛି। କମିଶନର ଆଦିବାସୀ ମାନଙ୍କର ଏ ପ୍ରକାର ଅଭିଯୋଗ ଶୁଣି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଏବଂ ସ୍ଥାନୀୟ ପ୍ରଶାସନକୁ ପନ୍ଦର ଦିନ ମଧ୍ୟରେ ସମସ୍ତ ସମସ୍ୟାଗୁଡିକର ସମାଧାନ ନିମନ୍ତେ ତାଗିଦ କରିଥିଲେ।

ଏ ସମ୍ପର୍କରେ ଖୋର୍ଦ୍ଧା ଉପଜିଲ୍ଲାପାଳଙ୍କୁ ପଚାରିବାରୁ ସେ ସମସ୍ୟା ଗୁଡିକ ସତ୍ୟ ବୋଲି କହିଥିଲେ ଏବଂ ଆଦିବାସୀମାନଙ୍କର ସମସ୍ୟାକୁ ନିଶ୍ଚିତ ଭାବରେ ଯଥାଶୀଘ୍ର ସମାଧାନ କରାଯିବ ବୋଲି ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଜଣାଇଥିଲେ। ଅନୁରୂପ ଭାବେ ବିଧାୟକ ପ୍ରାର୍ଥୀ ପୃଥ୍ଵୀରାଜ ହରିଚନ୍ଦନ ଏ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିବା ସହ ସ୍ଥାନୀୟ ପ୍ରଶାସନର ଅପାରଗତା ଲାଗି ଆଜି ନିରୀହ ଆଦିବାସୀ ମାନେ ହଇରାଣ ହରକତ ହେଉଛନ୍ତି ବୋଲି ମତ ରଖିଥିଲେ। ଯଦି ପ୍ରଶାସନ ଯଥାଶୀଘ୍ର ଆଦିବାସୀମାନଙ୍କୁ ନ୍ୟାୟ ନଦିଏ ତେବେ ଆଗାମୀ ଦିନରେ ଏଥି ନିମନ୍ତେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ଶ୍ରୀ ହରିଚନ୍ଦନ କହିଥିଲେ।

Related posts