Categories
ଆଞ୍ଚଳିକ

ଛତିଶଗଡ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କ ବାଣପୁର ଗସ୍ତ: ଜାଣନ୍ତୁ ସଂପୂର୍ଣ୍ଣ ବିବରଣୀ

ସୀତାରାମ ଅଗ୍ରୱାଲ

ବାଣପୁର: ଆସନ୍ତାକାଲି ଜନ୍ମମାଟି ବାଣପୁର ଆସିବେ ଛତିଶଗଡ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ। ରାଜ୍ୟପାଳଙ୍କ ଗସ୍ତ ପୁର୍ବରୁ ତତ୍ପର ହୋଇଉଠିଛି ପ୍ରଶାସନ। ସୁରକ୍ଷା ଦୃଷ୍ଟିରୁ ବ୍ୟାପକ ପୋଲିସ ମୁତୟନ କରାଯାଇଛି।

ଅପରପକ୍ଷେ ଛତିଶଗଡ ପୋଲିସ ମଧ୍ୟ ବାଣପୁରରେ ପଇଁତରା ମାରୁଛି। ତେବେ ଶ୍ରୀ ହରିଚନ୍ଦନ ଆସନ୍ତାକାଲି ଭୁବନେଶ୍ୱର ସ୍ଥିତ ବାସଭବନରୁ ବାହାରି ଦିବା ୧୧.୩୦ ମିନିଟ ସମୟରେ ନାଚୁଣୀ ସ୍ଥିତ ପୂର୍ବତନ ବିଧାୟକ ତଥା ରାଜ୍ୟପାଳଙ୍କ ଭାଇ ଡଃ ବିଭୁତି ଭୂଷଣ ହରିଚନ୍ଦନଙ୍କ ବାସଭବନରେ ପହଞ୍ଚିବେ। ସେଠାରେ ରାଜ୍ୟପାଳ ଦୀର୍ଘ ତିନି ଘଣ୍ଟା ଅବସ୍ଥାପନ କରିବେ।

ଏହି ଅବସରରେ ଚିଲିକା ନିର୍ବାଚନମଣ୍ଡଳୀର ବିଶିଷ୍ଟ ବ୍ୟକ୍ତିବିଶେଷ ମାନେ ରାଜ୍ୟପାଳଙ୍କ ସହ ଭେଟିବେ ଓ ସମ୍ବର୍ଦ୍ଧନା ଦେବେ। ଏହାପରେ ଅପରାହ୍ନ ୩ ଘଟିକା ସମୟରେ ରାଜ୍ୟପାଳ ନିଜର ଜନ୍ମସ୍ଥାନ ଗୋଡ଼ିଝର ଗ୍ରାମ ସ୍ଥିତ ବାସଭବନରେ ପହଞ୍ଚିବେ। ସେ ନିଜ ପିତାଙ୍କ ଆରଧ୍ୟ ଠାକୁର ବାଲୁଙ୍କେଶ୍ବର ଦେବଙ୍କୁ ଦର୍ଶନ କରିବେ। ଏଥିସହିତ ସେ ନିଜ ପିତାମାତାଙ୍କ ସମାଧିସ୍ଥଳରେ ମଧ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ।

ଏହାପରେ ଅପରାହ୍ନ ୪ ଘଟିକା ସମୟରେ ରାଜ୍ୟପାଳ ଗମ୍ଭାରୀମୁଣ୍ଡା ଗସ୍ତ କରିବେ।  ସେଠାରେ ବିଭିନ୍ନ ସାମାଜିକ ସଂଗଠନ ରାଜ୍ୟପାଳଙ୍କୁ ସମ୍ବର୍ଦ୍ଧନା ଦେବେ।

ଏହାପରେ ଅପରାହ୍ନ ୫.୩୦ ଘଟିକା ସମୟରେ ରାଜ୍ୟପାଳ ବାଣପୁର ମା’ ଭଗବତୀ ମନ୍ଦିର ପହଞ୍ଚି ମା’ ଙ୍କ ଦର୍ଶନ କରିବେ। ସେଠାରେ କିଛି ସମୟ ଅତିବାହିତ କଲାପରେ ସେ ଭୁବନେଶ୍ୱର ବାସଭବନ ଫେରିଯିବାର କାର୍ଯ୍ୟକ୍ରମ ରହିଛି।

Categories
ଆଞ୍ଚଳିକ

ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଚାନକ ବାଣପୁର ଗସ୍ତ: ପରିଦର୍ଶନ କଲେ ନିର୍ମାଣଧୀନ ନୂତନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଆଜି ମଧ୍ୟାହ୍ନରେ ଅଚାନକ ବାଣପୁର ଗସ୍ତରେ ଆସିଥିଲେ। ଜିଲ୍ଲାପାଳ ପ୍ରଥମେ ବ୍ଲକ କାର୍ଯ୍ୟାଳୟକୁ ଯାଇ ସେଠାରେ ଚାଲିଥିବା ଏସଇବିସି ସର୍ଭେ ଭାଲୁଏସନ ପରଖିଥିଲେ। ଏହାପରେ ଜିଲ୍ଲାପାଳ ଆଙ୍କୁଲାସ୍ଥିତ ୫-ଟି ଆମ ହସ୍ପିଟାଲ ଯୋଜନା ଅନ୍ତର୍ଗତ ନିର୍ମାଣଧୀନ ନୂତନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରିବା ସହ ଏହାକୁ ଶୀଘ୍ର ଶେଷ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ସେଠାରୁ ଜିଲ୍ଲାପାଳ ବାଣପୁର ସରକାରୀ ୫-ଟି ହାଇସ୍କୁଲ ପରିଦର୍ଶନ କରି ସେଠାରେ ପୂର୍ତ୍ତବିଭାଗ ଦ୍ୱାରା ନିର୍ମାଣ ହେବାକୁ ଥିବା ସଭାଗୃହ ପରିଦର୍ଶନ କରିଥିଲେ। ଏହାପରେ ଗୋଦାବରୀଶ ମହାବିଦ୍ୟାଳୟ ପରିସରରେ ୫-ଟି ଅନ୍ତର୍ଗତ ନିର୍ମାଣଧିନ ଇଣ୍ଡୋର ଷ୍ଟାଡିଅମ ପରିଦର୍ଶନ କରି ତାହାକୁ ଶୀଘ୍ର ଶେଷ କରିବା ପାଇଁ ନିର୍ଦେଶ ଦେଇଥିଲେ ଜିଲ୍ଲାପାଳ।

ବାଣପୁର ଏନଏସି ରେ ବର୍ଷାଜଳ ନିଷ୍କାସନ ପାଇଁ କିପରି ଶୀଘ୍ର ଡ୍ରେନେଜ ନିର୍ମାଣ କରିହେବ ତାହା ଉପରେ ଗୁରୁତ୍ୱ ଦେଇଥିଲେ ଜିଲ୍ଲାପାଳ।

ପରିଶେଷରେ ବାଲୁଗାଁ ଉଚ୍ଚ ବିଦ୍ୟାଳୟ ପରିସରରେ ୫-ଟି ଅନ୍ତର୍ଗତ ନିର୍ମାଣଧୀନ ମଲ୍ଟି ପରପୋଜ ହଲ ପରିଦର୍ଶନ କରି ଟାଙ୍ଗୀ ଅଭିମୁଖେ ଗସ୍ତ କରିଥିଲେ।

ଜିଲ୍ଲାପାଳଙ୍କ ଉକ୍ତ ଗସ୍ତ ସମୟରେ ବାଣପୁର ବିଡିଓ ଶୀତଲ ଅଗ୍ରୱାଲ, ତହସିଲଦାର କୁଞ୍ଜବିହାରୀ ବଡ଼ଜେନା, ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମହାନ୍ତି, ପୂର୍ତ୍ତବିଭାଗ ନିର୍ବାହୀ ଯନ୍ତ୍ରୀ ଶିବଲାଲ ସାହୁ, ଏସଡିଓ ଶ୍ଵେତା ଦାସ ଏବଂ ଅନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।

Categories
ଆଞ୍ଚଳିକ

ହଠାତ୍ ବାଣପୁର ଗସ୍ତରେ ଆସି ମା’ ଭଗବତୀ ମନ୍ଦିର ପରିଦର୍ଶନ କଲେ ଖୋର୍ଦ୍ଧା ଜିଲ୍ଲାପାଳ: ଜାଣନ୍ତୁ କାରଣ

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ସକାଳେ ଖୋର୍ଦ୍ଧା ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ହଠାତ ବାଣପୁର ଗସ୍ତରେ ଆସି ମା’ ଭଗବତୀ ମନ୍ଦିର ପହଞ୍ଚିଥିଲେ। ତାଙ୍କ ସହ ଖୋର୍ଦ୍ଧା ଉପ ଜିଲ୍ଲାପାଳ ଦିପ୍ତୀରଞ୍ଜନ ସେଠି, ଓବିସିସି ପରିଚାଳନା ନିର୍ଦ୍ଦେଶକ ଇ. ଜୟକୃଷ୍ଣ ଦାସ, ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗ ଅଧିକ୍ଷକ ଅଶ୍ୱିନୀ ଶତପଥୀ ଏବଂ ସ୍ଥପତି ଅକ୍ଷୟ ବେହୁରିଆ ଆଦି ଉପସ୍ଥିତ ଥିଲେ।

ଉକ୍ତ ଟିମ ମନ୍ଦିରକୁ କିପରି ୫-ଟି ଅନ୍ତର୍ଗତ ନୂତନ ରୂପରେଖ ଦିଆଯିବ ତାହା ଉପରେ ଆଲୋଚନା କରିଥିଲେ। ମା’ ମନ୍ଦିର ସ୍ଥିତି ସମେତ ଏହି ଟିମ ପାରିପାର୍ଶ୍ୱ ଅଞ୍ଚଳ ବୁଲି ଦେଖିଥିଲେ। ମନ୍ଦିର ଚତୁର୍ପାଶ୍ୱରେ ପ୍ରାଚୀର ନିର୍ମାଣ, ପୁରୁଣା ମନ୍ଦିରକୁ ନୂତନ ଢାଞ୍ଚାରେ ନିର୍ମାଣ, ମନ୍ଦିରକୁ ସଂଯୋଗ ପାଇଁ ରୋଡ ଆଦି ବିଭିନ୍ନ ବିଷୟ ଉପରେ ଆଲୋଚନା କରିଥିଲେ ଏହି ଟିମ।

ପରିଶେଷରେ ଏହି ଟିମ ସ୍ଥାନୀୟ ସେବାୟତ ଓ ବୁଦ୍ଧିଜୀବୀଙ୍କ ସହ ଦୀର୍ଘ ସମୟ ଧରି ଆଲୋଚନା ମଧ୍ୟ କରିଥିଲେ। ନିକଟରେ ମା’ ଭଗବତୀ ମନ୍ଦିର ପାଇଁ ମୁଖ୍ୟମନ୍ତ୍ରୀ ପ୍ଲାନ ଅନୁମୋଦନ କରିଥିବା ବେଳେ ମନ୍ଦିର କାମ ସ୍ୱଳ୍ପ ଦିନ ମଧ୍ୟରେ ଆରମ୍ଭ ହେବ ବୋଲି ଜିଲ୍ଲାପାଳ ଗଣମାଧ୍ୟମକୁ କହିଛନ୍ତି। ଜିଲ୍ଲାପାଳଙ୍କ ଗସ୍ତ ସମୟରେ ବାଣପୁର ତହସିଲଦାର, ବିଡ଼ିଓ, ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ, ଏନଏସି ଅଧ୍ୟକ୍ଷ,ଏଣ୍ଡାଓମେଣ୍ଟ କାର୍ଯ୍ୟନିର୍ବାହୀ ଅଧିକାରୀ ଆଦି ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଆଜି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନଡ୍ଡାଙ୍କ ବାଣପୁର ଗସ୍ତ: ଜାଣନ୍ତୁ ସଂପୂର୍ଣ୍ଣ କାର୍ଯ୍ୟସୂଚୀ ଏବଂ ଟ୍ରାଫିକ୍ କଟକଣା

ସୀତାରାମ ଅଗ୍ରୱାଲ

ଚିଲିକା: ଆଜି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରସାଦ ନଡ୍ଡା ବାଣପୁର ପଲଟନ ପଡିଆ ଆସି ବିଶାଳ ଜନସଭାକୁ ସମ୍ବୋଧିତ କରିବେ। ଜାଣନ୍ତୁ ତାଙ୍କର ମିନିଟ ରୁ ମିନିଟ ଗସ୍ତ ବିବରଣୀ।

ଅପରାହ୍ନ ୪.୧୦- ପଲଟନ ପଡିଆ ହେଲିକପ୍ଟର ଯୋଗେ ଓହ୍ଲାଇବେ।

ଅପରାହ୍ନ ୪.୧୦ ରୁ ୫.୧୦- ସାଧାରଣ ସଭାରେ ଯୋଗଦାନ।

ଅପରାହ୍ନ ୫.୧୦- ପଲଟନ ପଡିଆରୁ କାର ଯୋଗେ ବାହାରି ୫.୩୦ ରେ ମା’ ଭଗବତୀ ମନ୍ଦିର ପହଞ୍ଚିବେ।

ଅପରାହ୍ନ ୫.୩୦ ରୁ ୬ ଟା- ମନ୍ଦିର ଦର୍ଶନ।

ସନ୍ଧ୍ୟା ୬ ଟା– ମା’ ଭଗବତୀ ମନ୍ଦିରରୁ କାର ଯୋଗେ ବାହାରି ୬.୪୦ ମିନିଟରେ ନାଚୁଣୀ ଅରବିନ୍ଦ ସ୍କୁଲ ପହଞ୍ଚିବେ।

ସନ୍ଧ୍ୟା ୬.୪୦ ରୁ ୭.୪୫ ମିନିଟ ପର୍ଯ୍ୟନ୍ତ- ପୁରୀ ଲୋକସଭାର ପ୍ରମୁଖ କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା କରିବେ।

ସନ୍ଧ୍ୟା ୭.୪୫- ନାଚୁଣୀରୁ କାର ଯୋଗେ ବାହାରି ଭୁବନେଶ୍ୱର ବିମାନବନ୍ଦର ରାତି ୯ ଘଟିକାରେ ପହଞ୍ଚିବେ।

ରାତି ୯.୩୦ ମିନିଟ- ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ।

ତେବେ ଏନେଇ ଜନସାଧାରଣମାନଙ୍କ ପାଇଁ ଗାଡ଼ି ମଟର କଟକଣା ଜାରି କରିଛି ପୋଲିସ।

ଭେଟେଶ୍ୱର ରୋଡରେ ଆସୁଥିବା ଜନସାଧାରଣ ମାନେ ସେମାନଙ୍କ ଗାଡ଼ି ଅରବିନ୍ଦ ସ୍କୁଲ ଯାଏଁ ଆଣିପାରିବେ। ସେହିପରି ସାନହନ୍ତୁଆଡ଼ ରୋଡ ଦେଇ ଆସୁଥିବା ଜନସାଧାରଣ ମାନେ ସେମାନଙ୍କ ଗାଡ଼ି ଟିକିରାଇ ମନ୍ଦିର ଯାଏଁ ଏବଂ ବାଲୁଗାଁ ଓ ବାଣପୁର ମେନ ରୋଡ ଦେଇ ଆସୁଥିବା ବ୍ୟକ୍ତିମାନେ ସେମାନଙ୍କ ଗାଡିକୁ ତାରିଣୀ ଟ୍ୟୁଟୋରିଆଲ ପର୍ଯ୍ୟନ୍ତ ନେଇପାରିବେ। ଏହାପରେ କେବଳ ଚାଲିଚାଲି ଜନସାଧାରଣ ସଭାସ୍ଥଳକୁ ଯାଇପାରିବେ।

ଉକ୍ତ କଟକଣା ସଭା ଆରମ୍ଭ ହେବାର କେଇ ଘଣ୍ଟା ଆଗରୁ ଜାରି କରାଯିବ ବୋଲି ଆଇଆଇସି ଜୟପ୍ରକାଶ ପରିଡ଼ା କହିଛନ୍ତି। ସେହିପରି ଭାବେ ନଡ୍ଡାଙ୍କ ସଭା ଏବଂ ମା ଭଗବତୀ ଦର୍ଶନ ସମୟରେ ସୁରକ୍ଷା ଦୃଷ୍ଟିରୁ ବାଣପୁରର ଦୋକାନ ବଜାର ବନ୍ଦ ରହିବ ବୋଲି ଶ୍ରୀ ପରିଡ଼ା କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ବାଣପୁର ଗସ୍ତରେ ଜେ.ପି ନଡ୍ଡା: ସଭାସ୍ଥଳ ଅନୁଧ୍ୟାନ କଲେ ଓଡ଼ିଶା ବିଜେପି ପ୍ରଭାରୀ ଡ଼ି. ପୁରୁନ୍ଦେଶ୍ୱରୀ

ସୀତାରାମ ଅଗ୍ରୱାଲ

ଚିଲିକା: ଆସନ୍ତା ୨୮ ତାରିଖ ବୁଧବାର ଦିନ ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି ନଡ୍ଡା ପୁରୀ ଲୋକସଭାର ଚିଲିକା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବାଣପୁର ପଲଟନ ପଡିଆରେ ଏକ ବିଶାଳ ଜନସଭାକୁ ସମ୍ବୋଧିତ କରିବେ। ଉକ୍ତ ସଭାରେ ପୁରୀ ଲୋକସଭାର ସମସ୍ତ ୭ ଗୋଟି ନିର୍ବାଚନମଣ୍ଡଳିରୁ ୧୫ ହଜାରରୁ ଉର୍ଦ୍ଧ୍ଵ ବିଜେପି କର୍ମୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

ତେବେ ସ୍ୱଳ୍ପ ଦିନ ମଧ୍ୟରେ ଏତେ ବଡ଼ କାର୍ଯ୍ୟକ୍ରମ ଆୟୋଜନକୁ ନେଇ ସ୍ଥାନୀୟ ବିଜେପିର ଆଖିରୁ ନିଦ ହଜିଯାଇଛି। ସ୍ଥାନୀୟ ବିଧାୟକ ପ୍ରାର୍ଥୀ ତଥା ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ଵୀରାଜ ହରିଚନ୍ଦନ ଉକ୍ତ କାର୍ଯ୍ୟକ୍ରମର ମଙ୍ଗ ଧରିଥିବା ବେଳେ ପ୍ରତିଦିନ ତୁହାକୁ ତୁହା ମାଳମାଳ ବିଜେପି ନେତାଙ୍କ ପଲଟନ ପଡିଆ ଗସ୍ତ ଜାରି ରହିଛି। ଇତି ମଧ୍ୟରେ ବିଜେପି ପକ୍ଷରୁ ଉଭୟ ବାଣପୁର ଓ ଚିଲିକା ବ୍ଲକ କର୍ମୀଙ୍କ ଆନୁକୂଲ୍ୟରେ ପ୍ରସ୍ତୁତି ବୈଠକ ସରିଥିବା ବେଳେ କାର୍ଯ୍ୟକ୍ରମର ବ୍ଲୁ ପ୍ରିଣ୍ଟ ମଧ୍ୟ ସରିଛି। ଶ୍ରୀ ନଡ୍ଡା ଅପରାହ୍ନ ୩.୩୦ ମିନିଟ ସମୟରେ ବାଣପୁର ପହଞ୍ଚିବାକୁ ଥିବାବେଳେ ତାଙ୍କ ହେଲିପ୍ୟାଡ଼ ବ୍ଲକ ଅଫିସ ନିକଟରେ ସ୍ଥିରୀକୃତ ହୋଇଥିବାର ଜଣାପଡିଛି।

ଏହାପରେ ନାଚୁଣୀରେ ଶ୍ରୀ ନଡ୍ଡା ପୁରୀ ଲୋକସଭାର ପ୍ରମୁଖ କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ତେବେ ସଭାସ୍ଥଳ ଏବଂ ଆନୁସଙ୍ଗିକ ବ୍ୟବସ୍ଥା ପରଖିବା ପାଇଁ ଆଜି ମଧ୍ୟାହ୍ନରେ ପଲଟନ ପଡିଆ ପହଞ୍ଚିଥିଲେ ଓଡ଼ିଶା ବିଜେପି ପ୍ରଭାରୀ ଡ଼ି. ପୁରୁନ୍ଦେଶ୍ୱରୀ। ତାଙ୍କ ସହ ପୂର୍ବତନ ମନ୍ତ୍ରୀ ସୁରମା ପାଢ଼ୀ, ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ଵୀରାଜ ହରିଚନ୍ଦନ, ପୁରୀ ଲୋକସଭା ବିଜେପି ପ୍ରଭାରୀ ଅମିୟ ଦାସ ଆଦି ଉପସ୍ଥିତ ଥିଲେ।

ଡ଼ି. ପୁରୁନ୍ଦେଶ୍ୱରୀଙ୍କୁ ସମସ୍ତ ବ୍ୟବସ୍ଥା ବିଷୟରେ ଅବଗତ କରାଇଥିଲେ ଶ୍ରୀ ହରିଚନ୍ଦନ। ଏହା ପରେ ଏହି ଟିମ ହେଲିପ୍ୟାଡ଼ ସ୍ଥଳ ପରିଦର୍ଶନ କରିଥିଲେ। ଅନ୍ୟପକ୍ଷରେ ଆଜି ମଧ୍ୟାହ୍ନରେ ଖୋର୍ଦ୍ଧା ଅତିରିକ୍ତ ଏସପି ସୁରେନ୍ଦ୍ରନାଥ ମୁର୍ମୁ, ଡ଼ିଏସପି ଡ଼ିଆଇବି ଅତନୁ ରାଉତ, ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକ, ବାଣପୁର ଆଇଆଇସି ଜୟପ୍ରକାଶ ପରିଡ଼ା ଆଦି ସଭାସ୍ଥଳ ପରିଦର୍ଶନ କରିବା ସହ ସୁରକ୍ଷା, ଟ୍ରାଫିକ, ପାର୍କିଙ୍ଗ ଓ ବ୍ୟାରିକେଡ଼ ବ୍ୟବସ୍ଥା ଆଦି ବିଷୟରେ ଆୟୋଜକଙ୍କ ସହ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ।

ସୂଚନା ଥାଉକି ୨୦୨୪ ସାଧାରଣ ନିର୍ବାଚନରେ ପୁରୀ ଲୋକସଭା ବିଜେପିର ଫୋକସ ରେ ଥିବା ବେଳେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ପୁରୀ ଲୋକସଭାରୁ ପ୍ରବାସ ଆରମ୍ଭ କରିବେ। ତେବେ ନଡ୍ଡାଙ୍କ ଗସ୍ତକୁ ଆଉ ମାତ୍ର ଦିନଟିଏ ଥିବାବେଳେ ଚିଲିକା ବିଜେପି ଉତ୍ସବମୁଖର ହୋଇପଡିଛି। ଉକ୍ତ ଦିନ ନଡ୍ଡାଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି, ରାଷ୍ଟୀୟ ପ୍ରବକ୍ତା ଡ଼ା ସମ୍ବିତ ପାତ୍ର ଏବଂ ଅନ୍ୟାନ୍ୟ ରାଜ୍ୟସ୍ତରୀୟ ତୁଙ୍ଗନେତା ବାଣପୁର ଆସିବେ ବୋଲି ଜଣାପଡିଛି।

Categories
DurgaPujaNews ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଚାନକ ବାଣପୁର ଗସ୍ତ, ଡ୍ରେନେଜ ବ୍ୟବସ୍ଥାକୁ ଦେଲେ ଗୁରୁତ୍ୱ

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ଅପରାହ୍ନରେ ଖୋର୍ଦ୍ଧା ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଅଚାନକ ବାଣପୁର ଗସ୍ତରେ ଆସିଥିଲେ। ବାଣପୁର ପହଞ୍ଚି ଜିଲ୍ଲାପାଳ ପ୍ରଥମେ ଭଗବତୀ ମନ୍ଦିର ଯାଇ ମା’ ଙ୍କ ଦର୍ଶନ ଲାଭ କରିଥିଲେ। ସେଠାରେ ତାଙ୍କୁ ତହସିଲଦାର, ବିଡ଼ିଓ, ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ଦେବୋତ୍ତର କାର୍ଯ୍ୟନିର୍ବାହୀ ଅଧିକାରୀ ପୁଷ୍ପଗୁଛ ଓ ଉତ୍ତରୀୟ ଦେଇ ସ୍ୱାଗତ କରିଥିଲେ। ବେଢାରେ କିଛି ସମୟ ଅତିବାହିତ କରିବା ସହ ମନ୍ଦିରର ଐତିହ୍ୟ ବିଷୟରେ ସ୍ଥାନୀୟ ଅଧିକାରୀଙ୍କ ଠାରୁ ପଚାରି ବୁଝିଥିଲେ ଜିଲ୍ଲପାଳ।

ଏହାପରେ ଜିଲ୍ଲାପାଳ ସିଧାସଳଖ ବ୍ଲକ କାର୍ଯ୍ୟାଳୟକୁ ଯାଇ ସେଠାରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ। ଆଗକୁ ଦଶହରା ପର୍ବ ଥିବାବେଳେ କିପରି ତାହା ଶାନ୍ତି ଶୃଙ୍ଖଳା ସହ ସମାପ୍ତ ହେବ ତାହା ଉପରେ ଗୁରୁତ୍ୱ ଦେଇଥିଲେ ଜିଲ୍ଲାପାଳ।  ତତସହିତ ପାର୍ବଣ ଋତୁ ବର୍ତ୍ତମାନ ଆରମ୍ଭ ହୋଇଯାଇଥିବା ବେଳେ ସ୍ଥାନୀୟ ପ୍ରଶାସନକୁ ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଥିଲେ ଜିଲ୍ଲାପାଳ।

ଏତଦବ୍ୟତୀତ ବାଣପୁର ଏନଏସିରେ ଡ୍ରେନେଜ ନିର୍ମାଣ ବିଷୟରେ ଆମ ପ୍ରତିନିଧି ପ୍ରଶ୍ନ ପଚାରିବାରୁ, ସେଥି ନିମନ୍ତେ ଜିଲ୍ଲାପାଳ ପୂର୍ତ୍ତବିଭାଗ ନିର୍ବାହୀ ଯନ୍ତ୍ରୀଙ୍କୁ ଏ ଦିଗରେ ଯଥାଶୀଘ୍ର ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦେଇସାରିଥିବା ପ୍ରକାଶ କରିଛନ୍ତି।

Categories
ଆଞ୍ଚଳିକ

ବାଣପୁର ମେଡିକାଲ ପରିଦର୍ଶନ କଲେ ଖୋର୍ଦ୍ଧା ସିଡିଏମଓ: ସ୍ୱାସ୍ଥ୍ୟ ସମସ୍ୟାର ସମାଧାନ ଲାଗି ଦେଲେ ପ୍ରତିଶୃତି

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ସିଡିଏମଓ ଡ଼ା ଆର୍ତ୍ତବନ୍ଧୁ ନାୟକ ଆଜି ପୂର୍ବାହ୍ନରେ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରି ଫେରିଯାଇଛନ୍ତି। ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼ା ରମାକାନ୍ତ ନାୟକ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିବା ପରେ ସିଡିଏମଓ ସମଗ୍ର ମେଡିକାଲ ପରିସର ବୁଲି ଦେଖିଥିଲେ।

ମେଡିକାଲର ବିଭିନ୍ନ ସମସ୍ୟା ବିଷୟରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀଙ୍କ ସହ ସିଡିଏମଓ ଆଲୋଚନା କରିଥିଲେ। ବାଣପୁର ମେଡିକାଲ ବହୁ ସମସ୍ୟା ଦେଇ ଗତି କରୁଥିବା ବେଳେ ଏହାକୁ ହୃଦୟଙ୍ଗମ କରିଥିଲେ ସିଡିଏମଓ।

ମେଡିକାଲରେ ବିଭିନ୍ନ ବିଭାଗର ବିଶେଷଜ୍ଞ ନିଯୁକ୍ତି, ଲାବୋରାଟୋରି ଟେକନିସିଆନ ନିଯୁକ୍ତି, ରକ୍ତ ସଂଗ୍ରହ କେନ୍ଦ୍ର ପୁନଃ କାର୍ଯ୍ୟକ୍ଷମ, ମେଡିକାଲ କର୍ମଚାରୀଙ୍କ ପାଇଁ ସରକାରୀ ବାସଗୃହ ନିର୍ମାଣ, ୟୁପିଏଚସି ପ୍ରତିଷ୍ଠା ଆଦି ବିଷୟକୁ ପ୍ରାଧାନ୍ୟ ଦେଇଥିଲେ ସିଡିଏମଓ।

ଜିଲ୍ଲାରେ ନୂତନ ଭାବେ ଯୋଗଦେଇଥିବା ସିଡିଏମଓ ଡ଼ା ନାୟକ ସଦାବେଳେ ବାଣପୁର ମେଡିକାଲକୁ ପ୍ରାଧାନ୍ୟ ଦେଇଆସୁଛନ୍ତି ଏବଂ ନିକଟରେ ଦୁଇ ଜଣ ଡାକ୍ତରଙ୍କୁ ମଧ୍ୟ ଏଠାରେ ନିଯୁକ୍ତି ଦେଇଥିବାର କହିଛନ୍ତି। ମେଡିକାଲର ସମସ୍ୟା ଗୁଡ଼ିକ ବିଷୟରେ ସରକାରଙ୍କ ସହ ଆଲୋଚନା ସରିଯାଇଛି ଏବଂ ଖୁବଶୀଘ୍ର ଏ ସବୁ ସମାଧାନ ହେବ ବୋଲି ଡ଼ା ନାୟକ ଗଣମାଧ୍ୟମକୁ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଚାନକ ବାଣପୁର ଗସ୍ତ: ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର କଲେ ସମୀକ୍ଷା

ସୀତାରାମ ଅଗ୍ରୱାଲ

ବାଣପୁର: ସବୁଦିନ କର୍ମଦିନ। ରବିବାର ବି କାମ ହେବ। ଏପରି କହିଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର। ଜିଲ୍ଲାପାଳ ଆଜି ରବିବାର ଛୁଟିଦିନରେ ଅଚାନକ ବାଣପୁର ଗସ୍ତକୁ ଆସି ଏକାଧିକ କାର୍ଯ୍ୟର ସମୀକ୍ଷା କରିବା ସହ ବହୁତ ଦିନରୁ ପଡିରହିଥିବା ବ୍ଲକ ଓ ତହସିଲର ଏକାଧିକ ସମସ୍ୟାର ସମାଧାନ ମଧ୍ୟ କରିଛନ୍ତି।

ଆଜି ମଧ୍ୟାହ୍ନରେ ଜିଲ୍ଲାପାଳ ବାଣପୁର ପହଞ୍ଚି ପ୍ରଥମେ ପ୍ରସିଦ୍ଧ ଶକ୍ତିପିଠ ମା’ ଭଗବତୀଙ୍କ ମନ୍ଦିର ପରିଦର୍ଶନ କରି ମା’ ଙ୍କ ଆଶୀର୍ବାଦ ନେଇଥିଲେ। ଏହି ସମୟରେ ମା’ ଙ୍କ ମନ୍ଦିର ସମ୍ମୁଖରେ ଥିବା ସରକାରୀ ଜାଗାକୁ ସ୍ଥାନୀୟ ଅଞ୍ଚଳବାସୀ ମାଡି ବସିଥିବାର ଦେଖିବାକୁ ପାଇଥିଲେ ଜିଲ୍ଲାପାଳ ଏବଂ ସଙ୍ଗେସଙ୍ଗେ ଅବରୋଧ ହଟାଇବା ପାଇଁ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ସେହିପରି ଭାବେ ଭଗବତୀ ମନ୍ଦିରର ଉନ୍ନତିକରଣ ପାଇଁ ବିଧାୟକ ପାଣ୍ଠିରୁ ପୂର୍ବରୁ ଅନୁମୋଦନ ହୋଇଥିବା ୫୦ ଲକ୍ଷ ଟଙ୍କାକୁ ଯଥାଶୀଘ୍ର ବିନିଯୋଗ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ଜିଲ୍ଲାପାଳ। ଏହାପରେ ଜିଲ୍ଲାପାଳ ବାଣପୁର ତହସିଲ କାର୍ଯ୍ୟାଳୟକୁ ଯାଇ ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଥିଲେ। ତେବେ ତହସିଲରେ ଅଦ୍ୟାବଧି ଏକ ହଜାର ମ୍ୟୁଟେସନ ମାମଲା ପଡିରହିଥିବାର ଜାଣିବାକୁ ପାଇଥିଲେ ଜିଲ୍ଲପାଳ। ଉକ୍ତ ମାମଲାଗୁଡିକୁ ଆଗାମୀ ୧୦ ଦିନ ମଧ୍ୟରେ ରଫାଦଫା କରିବାକୁ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ଜିଲ୍ଲାପାଳ।

ସେହିପରି ଜିଲ୍ଲାପାଳ ବାଣପୁର ବ୍ଲକ ଗସ୍ତ କରି ସେଠାରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ। ଗତ ସପ୍ତାହରେ ଜିଲ୍ଲା ପ୍ରଶାସନ ଦ୍ୱାରା ୪୩୦ ବାର୍ଦ୍ଧକ୍ୟ ଭତ୍ତା ଅନୁମୋଦନ ହୋଇଥିବା ବେଳେ ସେଗୁଡିକୁ ଆସନ୍ତା ସାତ ଦିନ ମଧ୍ୟରେ ହିତାଧିକାରୀଙ୍କୁ ଦେବାପାଇଁ ଜିଲ୍ଲପାଳ ବିଡ଼ିଓଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଅନୁରୂପ ଭାବେ ଆଉ ୧୩୦ ଟି ଭତ୍ତା ବାଣପୁର ବ୍ଲକ ପାଇଁ ଅନୁମୋଦନ ହୋଇଥିବାବେଳେ ତୁରନ୍ତ ସେଥିପାଇଁ ହିତାଧିକାରୀଙ୍କୁ ଚି଼ହ୍ନଟ କରିବାକୁ ନିର୍ଦ୍ଦେଶ ଦେଇଥିଲେ ଜିଲ୍ଲପାଳ।

ସେହିପରି ଭାବେ ଚଳିତ ମାସ ଶେଷସୁଧା ବାଣପୁର ବ୍ଲକର ବିଭିନ୍ନ ସ୍ଥାନରେ ନିର୍ମାଣଧୀନ ଥିବା ନଅ ଗୋଟି ମିଶନ ଶକ୍ତି ଗୃହ କାର୍ଯ୍ୟକୁ ଶେଷ କରିବା ପାଇଁ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ।  ବିଶେଷ କରି ପେପର ଲେସ କାର୍ଯ୍ୟଉପରେ ଗୁରୁତ୍ୱ ଦେଇ ସବୁ ଅଧିକାରୀମାନଙ୍କୁ ଡିଜିଟାଲ ପ୍ଲାଟଫର୍ମରେ ସକ୍ରିୟ ରହିବା ସହ ଅଭିଯୋଗର ତ୍ୱରିତ ସମାଧାନ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ।

ଜିଲ୍ଲାପାଳଙ୍କ ଆସିବା ଖବର ଶୁଣି ବହୁ ହିତାଧିକାରୀମାନେ ଜିଲ୍ଲାପାଳଙ୍କୁ ଭେଟି ତାଙ୍କ ଅଭିଯୋଗପତ୍ର ଦେଇଥିବାବେଳେ କେତେକ ଅଭିଯୋଗଗୁଡିକୁ ଜିଲ୍ଲାପାଳ ସଙ୍ଗେସଙ୍ଗେ ସମାଧାନ କରିବା ସହ ବାକି ଅଭିଯୋଗକୁ ତୁରନ୍ତ ସମାଧାନ ପାଇଁ ବ୍ଲକ ପ୍ରଶାସନକୁ ନର୍ଦ୍ଦେଶ ଦେଇଥିଲେ। କେତେକ ହିତାଧିକାରୀଙ୍କ ରାସନ କାର୍ଡରେ ଆଧାର ସଂଯୋଗ ହୋଇନଥିବାରୁ ରାସନ ପାଇପାରୁନଥିବା ଅଭିଯୋଗ ପାଇଥିଲେ ଜିଲ୍ଲାପାଳ। ଏଯାବତ ବାଣପୁର ବ୍ଲକରେ ଆଧାର ସଂଯୋଗୀକରଣ ୮୩ ପ୍ରତିଶତ ହୋଇଥିବାବେଳେ ତାକୁ ଯଥାଶୀଘ୍ର ଶତ ପ୍ରତିଶତ କରିବା ପାଇଁ ବ୍ଲକ ଯୋଗାଣ ନିରୀକ୍ଷକଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ତେବେ ବାଣପୁର ଏନଏସି ଅଞ୍ଚଳରେ ସାନିଟେସନ ଉପରେ ଅସନ୍ତୋଷ ପ୍ରକଟ କରିଥିଲେ ଜିଲ୍ଲାପାଳ। ଯଥାଶୀଘ୍ର ସହରରେ ସାନିଟେସନ ବ୍ୟବସ୍ଥାକୁ ସୁଧାରିବା ପାଇଁ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ଜିଲ୍ଲାପାଳ। ବାଣପୁର ଏନଏସି ରେ ଡ୍ରେନେଜ ସମସ୍ୟାକୁ ହୃଦୟଙ୍ଗମ କରି ଆଗାମୀ ଦିନରେ କିପରି ସହରରେ ଡ୍ରେନେଜ ନିର୍ମାଣ ହୋଇପାରିବ, ସେ ଲାଗି ବିହିତ ପଦକ୍ଷେପ ଆଜିଠାରୁ ଗ୍ରହଣ କରିଥିବାର ସୂଚନା ଦେଇଛନ୍ତି ଜିଲ୍ଲପାଳ।

ଆସନ୍ତାଦିନରେ ମା’ ଭଗବତୀ ମନ୍ଦିର ନିକଟରେ ଏକ ବସ ଷ୍ଟାଣ୍ଡ ହେବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଏଥି ନିମନ୍ତେ ସେ ଆଜି ରାଜ୍ୟ ସରକାରଙ୍କ ସହ ଆଲୋଚନା କରିଥିବାର କହିଛନ୍ତି ଏବଂ ଆସନ୍ତା ସପ୍ତାହରେ ଯନ୍ତ୍ରୀ ଉକ୍ତ ଅଞ୍ଚଳ ପରିଦର୍ଶନକୁ ଆସିବେ ବୋଲି ସୂଚନା ଦେଇଛନ୍ତି।

ତେବେ ସୋସିଆଲ ମିଡ଼ିଆ ଟ୍ୱିଟର ଦ୍ୱାରା ଜିଲ୍ଲାପାଳ ବାଣପୁର ଅଞ୍ଚଳର ଏକାଧିକ ଜନସାଧାରଣଙ୍କ ସମସ୍ୟାଗୁଡିକୁ ସମାଧାନ କରିଥିବାରୁ ବହୁ ନାଗରିକ ମାନେ ଜିଲ୍ଲପାଳଙ୍କୁ ଭେଟି ସମ୍ବର୍ଦ୍ଧିତ କରିବା ସହ ଏଥି ନିମନ୍ତେ ତାଙ୍କୁ ଧନ୍ୟବାଦ ଜଣାଇଥିଲେ। ପ୍ରଥମ ଥର ପାଇଁ ରାଜ୍ୟର ଏକ ନମ୍ବର ଜିଲ୍ଲା ଯେଉଁଥିରେ ରାଜଧାନୀ ସାମିଲ ଅଛି, ଏହାର ବିକାଶ ପାଇଁ ଜିଲ୍ଲପାଳଙ୍କ ଦୃଢ଼ ଇଚ୍ଛାଶକ୍ତିକୁ ବାଣପୁରବାସି ଭୂୟସୀ ପ୍ରଶଂସା କରିଛନ୍ତି।

ଜିଲ୍ଲାପାଳଙ୍କ ଉକ୍ତ ଗସ୍ତ ସମୟରେ ବାଣପୁର ବିଡ଼ିଓ ତଥା ଭାରପ୍ରାପ୍ତ ତହସିଲଦାର ପ୍ରଦ୍ୟୁମ୍ନ ନାୟକ, ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମହାନ୍ତି, ଦକ୍ଷେଶ୍ୱର ଭଗବତୀ ଏଣ୍ଡାଓମେଣ୍ଟ କାର୍ଯ୍ୟନିର୍ବାହୀ ଅଧିକାରୀ ବଳାମୁକୁନ୍ଦ ଦାସ ଏବଂ ଅନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବାଣପୁର ବ୍ଲକର ଆଦିବାସୀ ଅଧ୍ୟୁଷିତ ପଞ୍ଚାୟତ ଗସ୍ତ କଲେ ରାଷ୍ଟ୍ରୀୟ ଅନୁସୂଚିତ ଜନଜାତି କମିଶନର

ସୀତାରାମ ଅଗ୍ରୱାଲ
ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକର ନୀଳାଦ୍ରି ପ୍ରସାଦ ଏବଂ ଦାମିଆ ବରବରା ପଞ୍ଚାୟତ ଜିଲ୍ଲାର ଦୁଇ ଗୋଟି ଆଦିବାସୀ ଅଧୁଷିତ ପଞ୍ଚାୟତ ଅଟେ। କେନ୍ଦ୍ର ସରକାର ଆଦିବାସୀମାନଙ୍କର ଉନ୍ନତି ନିମନ୍ତେ ରାଜ୍ୟକୁ ପର୍ଯ୍ୟାପ୍ତ ପରିମାଣରେ ଅନୁଦାନ ପ୍ରଦାନ କରୁଛନ୍ତି। କିନ୍ତୁ ସ୍ଥାନୀୟ ପ୍ରଶାସନର ଆନ୍ତରିକତାର ଅଭାବରୁ ଆସୁଥିବା ଅନୁଦାନ ନିରୀହ ଆଦିବାସୀ ମାନଙ୍କ ପାଖରେ ପହଞ୍ଚିବା ପୂର୍ବରୁ ସରକାରୀ କର୍ମଚାରୀ ଏବଂ ଶାସକ ଦଳର କୁଜିନେତା ତାହାକୁ ହଡପ କରିବାରେ ଲାଗିପଡିଛନ୍ତି।

ଚିଲିକା ବିଧାୟକ ପ୍ରାର୍ଥୀ ତଥା ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନଙ୍କ ନିକଟରେ ସ୍ଥାନୀୟ ଆଦିବାସୀ ମାନେ ବାରମ୍ବାର ଏ ପ୍ରକାର ଅଭିଯୋଗ କରିବାପରେ ଏ ସମ୍ପର୍କରେ ପୃଥ୍ୱୀରାଜ ହରିଚନ୍ଦନ ରାଷ୍ଟ୍ରୀୟ ଅନୁସୂଚିତ ଜନଜାତି କମିଶନ ଅଧ୍ୟକ୍ଷଙ୍କୁ ଅବଗତ କରାଇଥିଲେ। ଅଭିଯୋଗ ଆଧାରରେ ଆଜି ମଧ୍ୟାହ୍ନରେ ରାଷ୍ଟ୍ରୀୟ ଜନଜାତି କମିଶନର ତଥା ପୂର୍ବତନ ସାଂସଦ ଅନନ୍ତ ନାୟକ ଉପରୋକ୍ତ ଦୁଇଟି ପଞ୍ଚାୟତ ଗସ୍ତ କରିଥିଲେ। ଉକ୍ତ ଗସ୍ତରେ ଚିଲିକା ବିଧାୟକ ପ୍ରାର୍ଥୀ ପୃଥ୍ଵୀରାଜ ହରିଚନ୍ଦନ, ପୁରୀ ଲୋକସଭା ପ୍ରାର୍ଥୀ ଡ଼ା ସମ୍ବିତ ପାତ୍ର, ଖୋର୍ଦ୍ଧା ଉପଜିଲ୍ଲାପାଳ ଆଈଏଏସ ଗୌରବ ଶିବାଜୀ ଇସାଲୱାର, ବି.ଡି.ଓ ପ୍ରଦୁମ୍ନ କୁମାର ନାୟକ, ତହସିଲଦାର ପ୍ରମୋଦ ପାଢ଼ୀ, ବାଲୁଗାଁ ବନାଞ୍ଚଳ ଅଧିକାରୀ ପ୍ରତାପ ମହାନ୍ତି, ବାଣପୁର ମେଡିକାଲ ଅଧିକାରୀ ଡ଼ା ରମାକାନ୍ତ ନାୟକ, ବାଣପୁର ଥାନାଧିକାରୀ ରଶ୍ମିରଂଜନ ସାହୁ, ୧୩ ନମ୍ବର ଜୋନର ଜିଲ୍ଲା ପରିଷଦ ସଭ୍ୟ ଅମରେନ୍ଦ୍ର ରଣସିଂହ, ଭେଟେଶ୍ଵର ଗ୍ରାମ ପଞ୍ଚାୟତର ସରପଞ୍ଚ ଜିତେନ୍ଦ୍ର କୁମାର ଭୋଳ ଏବଂ ଅନ୍ୟ ସରକାରୀ ଅଧିକାରୀମାନେ ଉପସ୍ଥିତ ଥାଇ ଆଦିବାସୀ ମାନଙ୍କ ବିଭିନ୍ନ ସମସ୍ୟା ଶୁଣିଥିଲେ।

ଗସ୍ତ ସମୟରେ ନୀଳାଦ୍ରି ପଞ୍ଚାୟତର କଦଳିବାରୀ, ରାଇପଡ଼ା, ନୀଳାଦ୍ରି ଏବଂ ବ୍ରହ୍ମପଡ଼ାର ଆଦିବାସୀମାନେ କମିଶନରଙ୍କ ଆଗରେ ଅଭିଯୋଗର ପାହାଡ଼ ଛିଡା କରିଥିଲେ। କେଉଁଠାରେ ଆଦିବାସୀମାନଙ୍କର ଆବାସ ଯୋଜନାକୁ ହଡପ କରିଦିଆଯାଇଛି ତ କେଉଁଠାରେ ଅଶି ବର୍ଷ ବୟସର ବୃଦ୍ଧା ବାର୍ଦ୍ଧକ୍ୟ ଭତ୍ତାରୁ ବଞ୍ଚିତ ହୋଇଛନ୍ତି। ଆଉ କେଉଁଠାରେ ନିରୀହ ଆଦିବାସୀ ଟିଏ ରୋଗ ଶଯ୍ୟାରେ ପଡି ଔଷଧ ଟିକିଏ ନପାଇ ମୃତ୍ୟୁ ସହ ସଂଗ୍ରାମ କରୁଛି। କମିଶନର ଆଦିବାସୀ ମାନଙ୍କର ଏ ପ୍ରକାର ଅଭିଯୋଗ ଶୁଣି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଏବଂ ସ୍ଥାନୀୟ ପ୍ରଶାସନକୁ ପନ୍ଦର ଦିନ ମଧ୍ୟରେ ସମସ୍ତ ସମସ୍ୟାଗୁଡିକର ସମାଧାନ ନିମନ୍ତେ ତାଗିଦ କରିଥିଲେ।

ଏ ସମ୍ପର୍କରେ ଖୋର୍ଦ୍ଧା ଉପଜିଲ୍ଲାପାଳଙ୍କୁ ପଚାରିବାରୁ ସେ ସମସ୍ୟା ଗୁଡିକ ସତ୍ୟ ବୋଲି କହିଥିଲେ ଏବଂ ଆଦିବାସୀମାନଙ୍କର ସମସ୍ୟାକୁ ନିଶ୍ଚିତ ଭାବରେ ଯଥାଶୀଘ୍ର ସମାଧାନ କରାଯିବ ବୋଲି ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଜଣାଇଥିଲେ। ଅନୁରୂପ ଭାବେ ବିଧାୟକ ପ୍ରାର୍ଥୀ ପୃଥ୍ଵୀରାଜ ହରିଚନ୍ଦନ ଏ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିବା ସହ ସ୍ଥାନୀୟ ପ୍ରଶାସନର ଅପାରଗତା ଲାଗି ଆଜି ନିରୀହ ଆଦିବାସୀ ମାନେ ହଇରାଣ ହରକତ ହେଉଛନ୍ତି ବୋଲି ମତ ରଖିଥିଲେ। ଯଦି ପ୍ରଶାସନ ଯଥାଶୀଘ୍ର ଆଦିବାସୀମାନଙ୍କୁ ନ୍ୟାୟ ନଦିଏ ତେବେ ଆଗାମୀ ଦିନରେ ଏଥି ନିମନ୍ତେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ଶ୍ରୀ ହରିଚନ୍ଦନ କହିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଶୃଙ୍ଖଳିତ ଟୀକାକରଣ ନିମନ୍ତେ ଅତିରିକ୍ତ ଜିଲ୍ଲାପାଳ ଓ ସିଡ଼ିଏମଓଙ୍କ ବାଣପୁର ଗସ୍ତ: ଅନଲାଇନ ସ୍ଲଟ ବୁକିଂକୁ ପ୍ରାଧାନ୍ୟ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁରରେ ବିଗତ କିଛି ଦିନ ହେବ ବିଭିନ୍ନ ଟିକାକେନ୍ଦ୍ରରେ ଟୀକାଦାନକୁ ନେଇ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହେଉଛି। ଟୀକାକେନ୍ଦ୍ରରେ ଅବ୍ୟବସ୍ଥାକୁ ନେଇ କେଉଁଠି ମହିଳାମାନେ ରାସ୍ତା ଅବରୋଧ କରୁଛନ୍ତି ତ, ଆଉ କେଉଁଠି ଠେଲାପେଲା ହୋଇ ବହୁ ନାଗରିକମାନେ ଆହତ ମଧ୍ୟ ହେଉଛନ୍ତି।

ଗତକାଲି ବାଣପୁର କୃତିବାସ ଭବନରେ ଠେଲାପେଲା ଯୋଗୁଁ ପୋଲିସକୁ ହସ୍ତକ୍ଷେପ କରିବାକୁ ପଡିଥିଲା। ଏଥିରେ କିଛି ଲୋକ ଆହତ ମଧ୍ୟ ହୋଇଥିଲେ। ସେଥିପାଇଁ ପୋଲିସର ଲାଠି ଚାର୍ଜ ଯୋଗୁଁ ଆହତ ହୋଇଥିବା ଲୋକେ ଅଭିଯୋଗ କରିଥିଲେ।

ତେବେ ଏ ସବୁକୁ ଜିଲ୍ଲା ପ୍ରଶାସନ ଗୁରୁତର ସହ ନେଇଛି। ଆଜି ମଧ୍ୟାହ୍ନରେ ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଅନୁଜ ଦାସ ପଟ୍ଟନାୟକ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକରି ଡ଼ଃ ବିଶ୍ୱରଂଜନ ପତି ବାଣପୁର ଗସ୍ତରେ ଆସି ଏନଏସି ସଭାଗୃହ ମଧ୍ୟରେ ଏକ ଜରୁରୀକାଳୀନ ବୈଠକରେ ଯୋଗ ଦେଇଥିଲେ। ଆଗାମୀ ଦିନରେ ବାଣପୁରରେ ଜନସାଧାରଣମାନେ କିପରି ସୁରୁଖୁରୁରେ ଟୀକା ନେବେ ତାହା ଉପରେ ଉଭୟ ଅଧିକାରୀ ଗୁରୁତ୍ୱାରୋପ କରିଥିଲେ।

ସେହିପରି ଭାବେ ବାଣପୁରରେ ଆଉ ତିନି ଗୋଟି ନୁତନ ଟୀକାଦାନ କେନ୍ଦ୍ର ଖୋଲାଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ ସୂଚନା ଦେଇଛନ୍ତି। ସେଗୁଡିକ ହେଲା କୁମାରାଙ୍ଗ ପଞ୍ଚାୟତ ଅନ୍ତର୍ଗତ ପୁଞ୍ଜିଆମା ବାତ୍ୟା ଆଶ୍ରୟସ୍ଥଳୀ, ଭେଟେଶ୍ୱର ପଞ୍ଚାୟତ ଅନ୍ତର୍ଗତ ଭାପୁର ବାତ୍ୟା ଆଶ୍ରୟସ୍ଥଳୀ ଏବଂ ବାଣପୁର ଏନଏସି ଅନ୍ତର୍ଗତ ଟିକିରାଇ ପ୍ରାଥମିକ ବିଦ୍ୟାଳୟ। ଶାନ୍ତି ଶୃଙ୍ଖଳା ପାଇଁ ସବୁ ଟୀକା କେନ୍ଦ୍ର ସମ୍ମୁଖରେ ଆବଶ୍ୟକ ପରିମାଣର ବ୍ୟାରିକେଡ଼ କରାଯିବ।

ଅନୁରୂପ ଭାବେ ବାଣପୁରରେ ଅନଲାଇନ ସ୍ଲଟ ବୁକିଂ ବ୍ୟବସ୍ଥା ମଧ୍ୟ ଆଗକୁ କରାଯିବା ସହ ଏ ସମ୍ପର୍କରେ ନିରନ୍ତର ଭାବେ ଜନସାଧାରଣଙ୍କୁ ଡ଼ାକବାଜି ଯନ୍ତ୍ର ମାଧ୍ୟମରେ ଅବଗତ କରାଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପଟ୍ଟନାୟକ ସୂଚନା ଦେଇଛନ୍ତି।

ଉକ୍ତ ବୈଠକରେ ବାଣପୁର ତହସିଲଦାର ପ୍ରମୋଦ କୁମାର ପାଢ଼ୀ, ବିଡ଼ିଓ ପ୍ରଦ୍ୟୁମ୍ନ ନାୟକ, ବାଲୁଗାଁ ଏସଡ଼ିପିଓ ମାନସ ରଞ୍ଜନ ବାରିକ,ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମହାନ୍ତି, ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼ଃ ରମାକାନ୍ତ ନାୟକ, ବାଣପୁର ଆଇଆଇସି ରଶ୍ମିରଂଜନ ସାହୁ, ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଜନସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରୀ ପ୍ରଦୀପ କୁମାର ପାତ୍ର ଏବଂ ଗୋଷ୍ଠୀ କାର୍ଯ୍ୟକ୍ରମ ପରିଚାଳକ ପ୍ରସାଦ ସୁନ୍ଦରାୟ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଞ୍ଚଳିକ

ଖୋର୍ଦ୍ଧା ଉପଜିଲ୍ଲାପାଳଙ୍କ ପ୍ରଥମ ବାଣପୁର ଗସ୍ତ: ସେପ୍ଟେଜ ଟ୍ରିଟମେଣ୍ଟ ପ୍ଲାଣ୍ଟର ନିର୍ମାଣ ସ୍ଥାନ କଲେ ପରିଦର୍ଶନ

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ପ୍ରଥମ ଥର ପାଇଁ ଖୋର୍ଦ୍ଧା ନୂତନ ଉପଜିଲ୍ଲାପାଳ ଆଇଏଏସ ଗୌରବ ଶିବାଜୀ ଇଶାଲୱର ବାଣପୁର ଗସ୍ତରେ ଯାଇଥିଲେ। ବନବାସପୁର ନିକଟରେ ବାଣପୁର ଏନଏସି ଦ୍ୱାରା ନିର୍ମାଣ ହେବାକୁ ଥିବା ସେପ୍ଟେଜ ଟ୍ରିଟମେଣ୍ଟ ପ୍ଲାଣ୍ଟ ସ୍ଥାନ ପରିଦର୍ଶନ କରିବାକୁ ଉପଜିଲ୍ଲାପାଳ ଶ୍ରୀ ଇଶାଲୱ ଯାଇଥିଲେ ଏବଂ ପ୍ଲାଣ୍ଟର ବ୍ଲୁ ପ୍ରିଣ୍ଟ ବିଷୟରେ ସ୍ଥାନୀୟ ପ୍ରଶାସନଠାରୁ ପଚାରି ବୁଝିଥିଲେ।

ଏହାପରେ ଉପଜିଲ୍ଲାପାଳ ବାଣପୁର ତହସିଲ କାର୍ଯ୍ୟାଳୟକୁ ଯାଇ ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିବା ସହ ତହସିଲ କର୍ମଚାରୀଙ୍କ ସହ ସ୍ୱଳ୍ପ ସମୟ ପାଇଁ ଆଲୋଚନା ମଧ୍ୟ କରିଥିଲେ।  ଉପଜିଲ୍ଲାପାଳଙ୍କ ଉକ୍ତ ଗସ୍ତ ସମୟରେ ବାଣପୁର ତହସିଲଦାର ପ୍ରମୋଦ କୁମାର ପାଢ଼ୀ, ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମହାନ୍ତି, ଉପଜିଲ୍ଲାପାଳ କାର୍ଯ୍ୟାଳୟର ସହାୟକ ଜିଲ୍ଲାପାଳ ତରୁଣ କୁମାର ଦାସ ଏବଂ ଅନ୍ୟାନ୍ୟ କର୍ମଚାରୀ ମାନେ ଉପସ୍ଥିତି ଥିଲେ।