ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଚାନକ ବାଣପୁର ଗସ୍ତ: ପରିଦର୍ଶନ କଲେ ନିର୍ମାଣଧୀନ ନୂତନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର

Published: Jul 5, 2023, 6:49 pm IST

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଆଜି ମଧ୍ୟାହ୍ନରେ ଅଚାନକ ବାଣପୁର ଗସ୍ତରେ ଆସିଥିଲେ। ଜିଲ୍ଲାପାଳ ପ୍ରଥମେ ବ୍ଲକ କାର୍ଯ୍ୟାଳୟକୁ ଯାଇ ସେଠାରେ ଚାଲିଥିବା ଏସଇବିସି ସର୍ଭେ ଭାଲୁଏସନ ପରଖିଥିଲେ। ଏହାପରେ ଜିଲ୍ଲାପାଳ ଆଙ୍କୁଲାସ୍ଥିତ ୫-ଟି ଆମ ହସ୍ପିଟାଲ ଯୋଜନା ଅନ୍ତର୍ଗତ ନିର୍ମାଣଧୀନ ନୂତନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରିବା ସହ ଏହାକୁ ଶୀଘ୍ର ଶେଷ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ସେଠାରୁ ଜିଲ୍ଲାପାଳ ବାଣପୁର ସରକାରୀ ୫-ଟି ହାଇସ୍କୁଲ ପରିଦର୍ଶନ କରି ସେଠାରେ ପୂର୍ତ୍ତବିଭାଗ ଦ୍ୱାରା ନିର୍ମାଣ ହେବାକୁ ଥିବା ସଭାଗୃହ ପରିଦର୍ଶନ କରିଥିଲେ। ଏହାପରେ ଗୋଦାବରୀଶ ମହାବିଦ୍ୟାଳୟ ପରିସରରେ ୫-ଟି ଅନ୍ତର୍ଗତ ନିର୍ମାଣଧିନ ଇଣ୍ଡୋର ଷ୍ଟାଡିଅମ ପରିଦର୍ଶନ କରି ତାହାକୁ ଶୀଘ୍ର ଶେଷ କରିବା ପାଇଁ ନିର୍ଦେଶ ଦେଇଥିଲେ ଜିଲ୍ଲାପାଳ।

ବାଣପୁର ଏନଏସି ରେ ବର୍ଷାଜଳ ନିଷ୍କାସନ ପାଇଁ କିପରି ଶୀଘ୍ର ଡ୍ରେନେଜ ନିର୍ମାଣ କରିହେବ ତାହା ଉପରେ ଗୁରୁତ୍ୱ ଦେଇଥିଲେ ଜିଲ୍ଲାପାଳ।

ପରିଶେଷରେ ବାଲୁଗାଁ ଉଚ୍ଚ ବିଦ୍ୟାଳୟ ପରିସରରେ ୫-ଟି ଅନ୍ତର୍ଗତ ନିର୍ମାଣଧୀନ ମଲ୍ଟି ପରପୋଜ ହଲ ପରିଦର୍ଶନ କରି ଟାଙ୍ଗୀ ଅଭିମୁଖେ ଗସ୍ତ କରିଥିଲେ।

ଜିଲ୍ଲାପାଳଙ୍କ ଉକ୍ତ ଗସ୍ତ ସମୟରେ ବାଣପୁର ବିଡିଓ ଶୀତଲ ଅଗ୍ରୱାଲ, ତହସିଲଦାର କୁଞ୍ଜବିହାରୀ ବଡ଼ଜେନା, ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମହାନ୍ତି, ପୂର୍ତ୍ତବିଭାଗ ନିର୍ବାହୀ ଯନ୍ତ୍ରୀ ଶିବଲାଲ ସାହୁ, ଏସଡିଓ ଶ୍ଵେତା ଦାସ ଏବଂ ଅନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।

Related posts