ବାଣପୁର ମେଡିକାଲ ପରିଦର୍ଶନ କଲେ ଖୋର୍ଦ୍ଧା ସିଡିଏମଓ: ସ୍ୱାସ୍ଥ୍ୟ ସମସ୍ୟାର ସମାଧାନ ଲାଗି ଦେଲେ ପ୍ରତିଶୃତି

Published: Jun 16, 2022, 11:10 am IST

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ସିଡିଏମଓ ଡ଼ା ଆର୍ତ୍ତବନ୍ଧୁ ନାୟକ ଆଜି ପୂର୍ବାହ୍ନରେ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରି ଫେରିଯାଇଛନ୍ତି। ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼ା ରମାକାନ୍ତ ନାୟକ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିବା ପରେ ସିଡିଏମଓ ସମଗ୍ର ମେଡିକାଲ ପରିସର ବୁଲି ଦେଖିଥିଲେ।

ମେଡିକାଲର ବିଭିନ୍ନ ସମସ୍ୟା ବିଷୟରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀଙ୍କ ସହ ସିଡିଏମଓ ଆଲୋଚନା କରିଥିଲେ। ବାଣପୁର ମେଡିକାଲ ବହୁ ସମସ୍ୟା ଦେଇ ଗତି କରୁଥିବା ବେଳେ ଏହାକୁ ହୃଦୟଙ୍ଗମ କରିଥିଲେ ସିଡିଏମଓ।

ମେଡିକାଲରେ ବିଭିନ୍ନ ବିଭାଗର ବିଶେଷଜ୍ଞ ନିଯୁକ୍ତି, ଲାବୋରାଟୋରି ଟେକନିସିଆନ ନିଯୁକ୍ତି, ରକ୍ତ ସଂଗ୍ରହ କେନ୍ଦ୍ର ପୁନଃ କାର୍ଯ୍ୟକ୍ଷମ, ମେଡିକାଲ କର୍ମଚାରୀଙ୍କ ପାଇଁ ସରକାରୀ ବାସଗୃହ ନିର୍ମାଣ, ୟୁପିଏଚସି ପ୍ରତିଷ୍ଠା ଆଦି ବିଷୟକୁ ପ୍ରାଧାନ୍ୟ ଦେଇଥିଲେ ସିଡିଏମଓ।

ଜିଲ୍ଲାରେ ନୂତନ ଭାବେ ଯୋଗଦେଇଥିବା ସିଡିଏମଓ ଡ଼ା ନାୟକ ସଦାବେଳେ ବାଣପୁର ମେଡିକାଲକୁ ପ୍ରାଧାନ୍ୟ ଦେଇଆସୁଛନ୍ତି ଏବଂ ନିକଟରେ ଦୁଇ ଜଣ ଡାକ୍ତରଙ୍କୁ ମଧ୍ୟ ଏଠାରେ ନିଯୁକ୍ତି ଦେଇଥିବାର କହିଛନ୍ତି। ମେଡିକାଲର ସମସ୍ୟା ଗୁଡ଼ିକ ବିଷୟରେ ସରକାରଙ୍କ ସହ ଆଲୋଚନା ସରିଯାଇଛି ଏବଂ ଖୁବଶୀଘ୍ର ଏ ସବୁ ସମାଧାନ ହେବ ବୋଲି ଡ଼ା ନାୟକ ଗଣମାଧ୍ୟମକୁ କହିଛନ୍ତି।

Related posts