Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

‘ଆମ ହସ୍ପିଟାଲ’ ଯୋଜନାରେ ସାମିଲ ହେଲା ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର

ସୀତାରାମ ଅଗ୍ରୱାଲ

ବାଣପୁର: ସ୍ବାସ୍ଥ୍ୟ ବିଭାଗ ଫୋକସରେ ରହିଛି ‘ଆମ ହସ୍ପିଟାଲ’ ଯୋଜନା। ଏହି ଯୋଜନା ଅଧୀନରେ ରାଜ୍ୟର ୧୪୭ଟି ହସ୍ପିଟାଲର ରୂପାନ୍ତରୀକରଣ କାର୍ଯ୍ୟ କରାଯିବ। ଏଥିପାଇଁ ରାଜ୍ୟ ସରକାର ୭୫୦ କୋଟି ଟଙ୍କାର ବ୍ୟୟ ଅଟକଳ କରିଛନ୍ତି। ଏଥି ସହିତ ଅଭାବ ଡାକ୍ତର ପଦବୀ ପୂରଣ ଲାଗି ପ୍ରକ୍ରିୟା ଜାରି ରହିଛି।

ଏହି ପରିପ୍ରେକ୍ଷୀରେ ରାଜ୍ୟର ୧୪୭ ଗୋଟି ନିର୍ବାଚନମଣ୍ଡଳୀର ଗୋଟିଏ ଲେଖାଏଁ ମେଡିକାଲକୁ ଆମ ହସ୍ପିଟାଲ ଯୋଜନାରେ ରୁପାନ୍ତରିକରଣ କରାଯିବ। ଆଜି ସରକାରଙ୍କ ପକ୍ଷରୁ ୧୪୭ ଗୋଟି ହସ୍ପିଟାଲ ସୂଚୀ ପ୍ରକାଶ ପାଇଥବା ବେଳେ ଚିଲିକା ନିର୍ବାଚନମଣ୍ଡଳୀର ବାଣପୁର ମେଡିକାଲ ‘ଆମ ହସ୍ପିଟାଲ ଯୋଜନା’ ରେ ସାମିଲ ହୋଇଛି।

ତେବେ ବାଣପୁର ବ୍ରିଟିଶ ଅମଳର ହସ୍ପିଟାଲ ହୋଇଥିବାବେଳେ ଏହା ଏକାଧିକ ସମସ୍ୟା ଦେଇ ଗତି କରୁଛି। ‘ଆମ ହସ୍ପିଟାଲ’ ଯୋଜନାରେ ସାମିଲ ହେବା ପରେ ଏହାର ରୂପରେଖ ବଦଳିବା ସହ ଏଠାରେ ସମସ୍ତ ଅତ୍ୟାଧୁନିକ ସୁବିଧା ଉପଲବ୍ଧ ହେବ ବୋଲି ବାଣପୁରବାସୀ ଆଶା ରଖିଛନ୍ତି। ତେବେ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ‘ଆମ ହସ୍ପିଟାଲ ଯୋଜନା’ ରେ ରୁପାନ୍ତର ପାଇଁ ସ୍ଥାନ ପାଇଥିବାରୁ ଅଂଚଳବାସୀ ମୁଖ୍ୟମନ୍ତ୍ରୀ, ୫-ଟି ସଚିବ, ଖୋର୍ଦ୍ଧା ଜିଲ୍ଲାପାଳ ଏବଂ ସିଡ଼ିଏମଓ ଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Categories
ଆଞ୍ଚଳିକ

ବାଣପୁର ମେଡିକାଲ ପରିଦର୍ଶନ କଲେ ଖୋର୍ଦ୍ଧା ସିଡିଏମଓ: ସ୍ୱାସ୍ଥ୍ୟ ସମସ୍ୟାର ସମାଧାନ ଲାଗି ଦେଲେ ପ୍ରତିଶୃତି

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ସିଡିଏମଓ ଡ଼ା ଆର୍ତ୍ତବନ୍ଧୁ ନାୟକ ଆଜି ପୂର୍ବାହ୍ନରେ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରି ଫେରିଯାଇଛନ୍ତି। ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼ା ରମାକାନ୍ତ ନାୟକ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିବା ପରେ ସିଡିଏମଓ ସମଗ୍ର ମେଡିକାଲ ପରିସର ବୁଲି ଦେଖିଥିଲେ।

ମେଡିକାଲର ବିଭିନ୍ନ ସମସ୍ୟା ବିଷୟରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀଙ୍କ ସହ ସିଡିଏମଓ ଆଲୋଚନା କରିଥିଲେ। ବାଣପୁର ମେଡିକାଲ ବହୁ ସମସ୍ୟା ଦେଇ ଗତି କରୁଥିବା ବେଳେ ଏହାକୁ ହୃଦୟଙ୍ଗମ କରିଥିଲେ ସିଡିଏମଓ।

ମେଡିକାଲରେ ବିଭିନ୍ନ ବିଭାଗର ବିଶେଷଜ୍ଞ ନିଯୁକ୍ତି, ଲାବୋରାଟୋରି ଟେକନିସିଆନ ନିଯୁକ୍ତି, ରକ୍ତ ସଂଗ୍ରହ କେନ୍ଦ୍ର ପୁନଃ କାର୍ଯ୍ୟକ୍ଷମ, ମେଡିକାଲ କର୍ମଚାରୀଙ୍କ ପାଇଁ ସରକାରୀ ବାସଗୃହ ନିର୍ମାଣ, ୟୁପିଏଚସି ପ୍ରତିଷ୍ଠା ଆଦି ବିଷୟକୁ ପ୍ରାଧାନ୍ୟ ଦେଇଥିଲେ ସିଡିଏମଓ।

ଜିଲ୍ଲାରେ ନୂତନ ଭାବେ ଯୋଗଦେଇଥିବା ସିଡିଏମଓ ଡ଼ା ନାୟକ ସଦାବେଳେ ବାଣପୁର ମେଡିକାଲକୁ ପ୍ରାଧାନ୍ୟ ଦେଇଆସୁଛନ୍ତି ଏବଂ ନିକଟରେ ଦୁଇ ଜଣ ଡାକ୍ତରଙ୍କୁ ମଧ୍ୟ ଏଠାରେ ନିଯୁକ୍ତି ଦେଇଥିବାର କହିଛନ୍ତି। ମେଡିକାଲର ସମସ୍ୟା ଗୁଡ଼ିକ ବିଷୟରେ ସରକାରଙ୍କ ସହ ଆଲୋଚନା ସରିଯାଇଛି ଏବଂ ଖୁବଶୀଘ୍ର ଏ ସବୁ ସମାଧାନ ହେବ ବୋଲି ଡ଼ା ନାୟକ ଗଣମାଧ୍ୟମକୁ କହିଛନ୍ତି।

Categories
ଆଞ୍ଚଳିକ

ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ବୁଷ୍ଟର ଡ଼ୋଜ ଟିକା ନେଲେ ସାମ୍ବାଦିକ

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ସାମ୍ବାଦିକ ମାନଙ୍କୁ ବୁଷ୍ଟର ଡୋଜ ଟିକକାରଣ ଆରମ୍ଭ ହୋଇଛି। ରାଜ୍ୟ ସରକାର ସାମ୍ବାଦିକମାନଙ୍କୁ କୋଭିଡ ଯୋଦ୍ଧା ଘୋଷଣା କରିଥିବା ବେଳେ କୋଭିଡର ପ୍ରଥମ ଏବଂ ଦ୍ଵିତୀୟ ଡୋଜ ଟିକା ଗତବର୍ଷ ବାଣପୁର-ବାଲୁଗାଁର ସମସ୍ତ ସାମ୍ବାଦିକ ମାନେ ସୁରୁଖୁରୁରେ ନେଇଥିଲେ।

ତେବେ ତୃତୀୟ ତଥା ବୁଷ୍ଟର ଡୋଜ ସାମ୍ବାଦିକଙ୍କୁ ଦେବା ନିମନ୍ତେ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ନିର୍ଦ୍ଦେଶ ପୁର୍ବରୁ ଆସିନଥିଲା। ଯାହା ଫଳରେ ସାମ୍ବାଦିକଙ୍କ ଗହଣରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଥିଲା। ଏହାକୁ ଗୁରୁତର ସହ ନେଇ ଗତକାଲି ଜିଲ୍ଲାର ଅଗ୍ରଣୀ ସାମ୍ବାଦିକ ସଂଘ ‘ଶାଳିଆ ପ୍ରେସ କ୍ଲବ’ ର ସଦସ୍ୟଙ୍କ ପକ୍ଷରୁ ଏ ନେଇ ଖୋର୍ଦ୍ଧା ସିଡ଼ିଏମଓଙ୍କ ଦୃଷ୍ଟି ଆକର୍ଷଣ କରାଯିବାପରେ ସିଡ଼ିଏମଓ ତୁରନ୍ତ ସାମ୍ବାଦିକ ମାନଙ୍କ ବୁଷ୍ଟର ଡୋଜ ଟିକାକରଣ ପାଇଁ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଏହି ପରିପ୍ରେକ୍ଷୀରେ ଆଜି ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀଙ୍କ ତତ୍ୱାବଧାନ ଏବଂ ଜନ ସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀଙ୍କ ଉପସ୍ଥିତିରେ ବାଣପୁର ମେଡିକାଲ ପରିସରରେ ଆରମ୍ଭ ହୋଇଯାଇଛି ସାମ୍ବାଦିକ ମାନଙ୍କୁ ବୁଷ୍ଟର ଡୋଜ ଟିକାକରଣ। ଉକ୍ତ ଟିକାକରଣ ଅଭିଯାନ ଆଗାମୀ ଏକ ସପ୍ତାହ ପର୍ଯ୍ୟନ୍ତ ଜାରି ରହିବ ବୋଲି ଜଣାପଡିଛି। ଏଥି ନିମନ୍ତେ ସାମ୍ବାଦିକ ମାନେ ଖୋର୍ଦ୍ଧା ସିଡ଼ିଏମଓ ଏବଂ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରିଛନ୍ତି।

Categories
ଆଞ୍ଚଳିକ

ନାହିଁ ନାହିଁରେ ଚାଲିଛି ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ଜିଲ୍ଲା ପ୍ରଶାସନର କେବେ ପଡ଼ିବ ଶୁଭଦୃଷ୍ଟି?

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲାର ଏକ ଗୁରୁତ୍ୱପୂର୍ଣ୍ଣ ଡାକ୍ତରଖାନା ହେଉଛି ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର। ଆଦିବାସୀ ଅଧ୍ୟୁଷିତ ତଥା ମ୍ୟାଲେରିଆ ପ୍ରବଣ ଅଞ୍ଚଳ ଭାବେ ଜିଲ୍ଲାର ଏକମାତ୍ର ବ୍ଲକ ବାଣପୁର ରହିଥିବା ବେଳେ ସତର ଗୋଟି ପଞ୍ଚାୟତ, ଏନଏସି ଏବଂ ଜିଲ୍ଲା ସୀମାନ୍ତବର୍ତ୍ତୀ ଅଞ୍ଚଳର ପାଖାପାଖି ଦେଢ଼ ଲକ୍ଷ ଲୋକ ଉକ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ନିର୍ଭର କରନ୍ତି। ତେବେ ପରିତାପର ବିଷୟ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଭାଗ୍ୟ ପୂର୍ବପରି ଅନ୍ଧକାରମୟ ହୋଇ ରହିଛି। ସତେ ଯେପରି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ଉନ୍ନତିମୂଳକ ନକ୍ସାରେ ବାଣପୁର ନାମ ଲିଭିଯାଇଛି।

ସବୁଠୁ ଆଶ୍ଚର୍ଯ୍ୟକର ବିଷୟ ହେଲା ବହୁ ଆନ୍ଦୋଳନ ଓ ଦାବି ପରେ ରାଜ୍ୟ ସରକାର ଏଠାରେ ଡାକ୍ତର ତଥା ସ୍ୱାସ୍ଥ୍ୟ କର୍ମଚାରୀ ନିଯୁକ୍ତି ଦେଇଥିବା ବେଳେ ଅଧାରୁ ଅଧିକ କର୍ମଚାରୀ ଡେପୁଟେସନରେ ରାଜଧାନୀର ବିଭିନ୍ନ ମେଡିକାଲରେ କାର୍ଯ୍ୟ କରୁଛନ୍ତି। କିନ୍ତୁ ଦରମା ଆଜି ବି ବାଣପୁରରୁ ନେଉଛନ୍ତି। ବର୍ତ୍ତମାନ ବାଣପୁର ବ୍ଲକ ପାଇଁ ନିଯୁକ୍ତ ହୋଇଥିବା ଡାକ୍ତର, ନର୍ସ, ସ୍ୱାସ୍ଥ୍ୟକର୍ମୀ, ଲାବୋରାଟୋରି ଟେକନିସିଆନ, ଝାଡୁଦାର ଆଦି ସମୁଦାୟ ୨୨ ଜଣ ଡେପୁଟେସନରେ ରାଜଧାନୀ ତଥା ଖୋର୍ଦ୍ଧା ଉପଖଣ୍ଡର ବିଭିନ୍ନ ମେଡିକାଲରେ କାର୍ଯ୍ୟରତ ଅଛନ୍ତି।

ତେବେ ପ୍ରଶ୍ନ ଉଠୁଛି ଏତେ କର୍ମଚାରୀଙ୍କୁ କିପରି ଡେପୁଟେସନରେ ପଠାଗଲା? ବାଣପୁର ଭଳି ଗୁରୁତ୍ୱପୂର୍ଣ୍ଣ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କର୍ମଚାରୀ ମରୁଡି ସତ୍ତ୍ୱେ କିପରି ତାହାକୁ ଅଣଦେଖା କରାଗଲା? ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼ା ରମାକାନ୍ତ ନାୟକ ଦେଇଥିବା ତଥ୍ୟ ମୁତାବକ ବର୍ତ୍ତମାନ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୫ ଜଣ ଏମବିବିଏସ ଡାକ୍ତର ଥିବା ବେଳେ ସ୍ତ୍ରୀ ଓ ପ୍ରସୂତି ବିଭାଗର ୨ ଜଣ ଏବଂ ଦନ୍ତ ବିଭାଗର ୨ ଜଣ ଡାକ୍ତର ଅଛନ୍ତି। ତେବେ ଆସନ୍ତାକାଲି ୨ ଜଣ ଏମବିବିଏସ ଡାକ୍ତର ପିଜି ପାଇଥିବାରୁ ବାଣପୁର ଛାଡିବେ ବୋଲି ଜଣାପଡିଛି।

ସେହିପରି ଭାବେ ଗମ୍ଭାରୀମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୫ ଜଣ ଏମବିବିଏସ ଡାକ୍ତର, ଜଣେ ଦନ୍ତ ବିଶେଷଜ୍ଞ ଏବଂ ଜଣେ ଆୟୁଷ ଡାକ୍ତର ଅଛନ୍ତି।

ଅନୁରୂପ ଭାବେ ସୁନାଖେଳା ଉପ ସ୍ୱାସ୍ଥ୍ୟ କେନ୍ଦ୍ରରେ ଜଣେ ଏମବିବିଏସ ଡାକ୍ତର, ହଳନ୍ଦା ଉପ ସ୍ୱାସ୍ଥ୍ୟ କେନ୍ଦ୍ରରେ ଜଣେ ଆୟୁଷ ଡାକ୍ତର ଏବଂ ନୀଳାଦ୍ରିପ୍ରସାଦ ଉପ ସ୍ୱାସ୍ଥ୍ୟ କେନ୍ଦ୍ରରେ ଜଣେ ଏମବିବିଏସ ଡାକ୍ତର ଏବଂ ଜଣେ ଆୟୁଷ ଡାକ୍ତର ଅଛନ୍ତି।

ତେବେ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଶିଶୁ ରୋଗ, ଭେଷଜ, ଅସ୍ତ୍ରୋପଚାର ଏବଂ ଆୟୁଷ ବିଭାଗ ଖାଲି ପଡ଼ିଥିବା ବେଳେ ଅତି କମରେ ପ୍ରତି ବିଭାଗରେ ଜଣେ ଲେଖାଏଁ ଡାକ୍ତର ନିଯୁକ୍ତି ଅପରିହାର୍ଯ୍ୟ ହୋଇପଡିଥିବା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼ା ନାୟକ କହିଛନ୍ତି।

ଅନୁରୂପ ଭାବେ ଉକ୍ତ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅତିରିକ୍ତ ୫ ଜଣ ନର୍ସ, ୧୦ ଜଣ ସ୍ୱାସ୍ଥ୍ୟକର୍ମୀ, ୩ ଜଣ ଲାବୋରାଟୋରି ଟେକନିସିଆନ ଏବଂ ୨ ଜଣ ଆଟେଣ୍ଡାଣ୍ଟ ନିଯୁକ୍ତି ଏକାନ୍ତ ଆବଶ୍ୟକ ହୋଇପଡିଛି।

ସେହିପରି ଭାବେ ସବୁଠୁ ଗୁରୁତ୍ୱପୂର୍ଣ ବିଷୟ ହେଲା ହେଲା ମେଡିକାଲରେ ପୁର୍ବରୁ ଥିବା ରକ୍ତ ସରଂକ୍ଷଣ କେନ୍ଦ୍ରଟି ଦୀର୍ଘ ଚାରି ବର୍ଷ ହେଲା ବନ୍ଦ ପଡ଼ିଛି । ଯାହାଫଳରେ ଜରୁରୀକାଳିନ ସମୟରେ ଗୋଟେ ବୋତଲ ରକ୍ତ ପାଇଁ ରୋଗୀଙ୍କୁ ଦୀର୍ଘ ୮୦-୯୦ କିଲୋମିଟର ଭୁବନେଶ୍ୱର, ଖୋର୍ଦ୍ଧା ଓ ବ୍ରହ୍ମପୁର ଯିବାକୁ ପଡୁଛି। ଯଦି ରକ୍ତ ସରଂକ୍ଷଣ କେନ୍ଦ୍ରଟି ପୁନଃ କାର୍ଯ୍ୟକ୍ଷମ ହୋଇପାରିବ, ତେବେ ସଡ଼କ ଦୁର୍ଘଟଣା ହେଉ ଅବା ଅନ୍ୟାନ୍ୟ ରୋଗ ପାଇଁ ହେଉ, ରୋଗୀ ତୁରନ୍ତ ବାଣପୁର ମେଡିକାଲରୁ ରକ୍ତ ବୋତଲ ନେଇପାରିବ।

ସେହିଭଳି ଏକ୍ସରେ ଟେକ୍ନିକାଲ ପୋଷ୍ଟ ମଧ୍ୟ ଦୀର୍ଘ ବର୍ଷ ଧରି ଖାଲି ପଡ଼ିଛି ଯାହାଫଳରେ ଗରିବ ଜନସାଧାରଣ ମାନେ ହଜାର ହଜାର ଟଙ୍କା ଖର୍ଚ୍ଚ କରି ଘରୋଇ କ୍ଲିନିକରେ ଏକ୍ସରେ କରିବାକୁ ବାଧ୍ୟ ହେଉଛନ୍ତି।

ତେବେ ଉକ୍ତ ସମସ୍ୟାଗୁଡିକୁ ଖୋର୍ଦ୍ଧା ଜିଲ୍ଲାପାଳ, ସିଡ଼ିଏମଓ ଏବଂ ସ୍ଥାନୀୟ ଜନପ୍ରତିନିଧି ମାନେ ଗୁରୁତର ସହ ନେଇ ଏହାର ସମାଧାନ ଦିଗରେ ଯଥାଶୀଘ୍ର ପଦକ୍ଷେପ ଗ୍ରହଣ କରିବା ପାଇଁ ସାଧାରଣରେ ଦାବି ହେଉଛି। ରାଜନୈତିକ ଅସ୍ଥିରତା ମଧ୍ୟରେ ବାଣପୁର ଖୁବଶୀଘ୍ର ଏହାର ମେଡିକାଲ ବିକାଶ ଲାଗି ଚର୍ଚ୍ଚାକୁ ଆସିବ ବୋଲି ବୁଦ୍ଧିଜୀବୀମାନେ ଆଶା କରିଛନ୍ତି।

Categories
ଆଞ୍ଚଳିକ ସ୍ବାସ୍ଥ୍ୟ

ଆସନ୍ତାକାଲି ବାଣପୁରରେ ୧ ହଜାର ୨ ଶହ ଜଣଙ୍କୁ ମିଳିବ ଟୀକା: ଶିକ୍ଷକଙ୍କ ପାଇଁ ଏହି କେନ୍ଦ୍ରରେ ହେଲା ବ୍ୟବସ୍ଥା

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁରରେ ଆସନ୍ତାକାଲି (ସେପ୍ଟେମ୍ବର ୨ ତାରିଖ) ରେ ୧ ହଜାର ୨ ଶହ ଜଣ ନାଗରିକଙ୍କ ପାଇଁ ଟୀକା ବ୍ୟବସ୍ଥା ହୋଇଥିବାବେଳେ ବାଣପୁରର ୬ ଟି ଟୀକା କେନ୍ଦ୍ରରେ ସବୁ ବର୍ଗର ନାଗରିକମାନେ ଅନଲାଇନ ସ୍ଲଟ ବୁକିଂ କରି ଟୀକା ନେଇପାରିବେ। ଏ ନେଇ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ସୂଚନା ଦେଇଛନ୍ତି।

ଜାଣନ୍ତୁ ବାଣପୁରର କେଉଁ କେନ୍ଦ୍ରରେ କେତେ ଟୀକା ଏବଂ କିପରି ନେବେ:

ଅନଲାଇନ (ବୁକିଂ ସମୟ ଆଜି ଅପରାହ୍ନ ୪ ଟା ୩୦ ରୁ ଆରମ୍ଭ)

୧- ଟିକିରାଇ ୟୁଜିଏମଇ ବିଦ୍ୟାଳୟ:

– ୪୫ ବର୍ଷରୁ ଉର୍ଦ୍ଧ୍ଵ ନାଗରିକ- ୫୦ ଟି ପ୍ରଥମ ଡୋଜ ଏବଂ ୫୦ ଟି ଦ୍ଵିତୀୟ ଡୋଜ

୨- କୃତିବାସ ଭବନ:

– ପ୍ରଥମ ଡୋଜ- ୭୦ (କେବଳ ୧୮-୪୪ ବର୍ଷୀୟ ନାଗରିକ), ଗର୍ଭବତୀ ମହିଳା – ୩୦ ଟି ପ୍ରଥମ ଡୋଜ

୩- ଗମ୍ଭାରୀମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର– ସବୁ ବର୍ଗର ନାଗରିକ:

– ୬୦ ଟି ପ୍ରଥମ ଡୋଜ, ୩୦ ଟି ଦ୍ଵିତୀୟ ଡୋଜ ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ୧୦ ଡୋଜ

୪- ସୁନାଖଳା ଉପ ସ୍ୱାସ୍ଥ୍ୟ କେନ୍ଦ୍ର- ସବୁ ବର୍ଗର ନାଗରିକ:

– ୬୦ ଟି ପ୍ରଥମ ଡୋଜ, ୩୦ଟି ଦ୍ଵିତୀୟ ଡୋଜ ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ୧୦ ଡୋଜ

୫- ହଳନ୍ଦା ଉପ ସ୍ୱାସ୍ଥ୍ୟ କେନ୍ଦ୍ର – ସବୁ ବର୍ଗର ନାଗରିକ:

– ୭୦ ଟି ପ୍ରଥମ ଡୋଜ ଏବଂ ୩୦ ଟି ଦ୍ଵିତୀୟ ଡୋଜ

୬ – ପୁଞ୍ଜିଆମା ବାତ୍ୟା ଆଶ୍ରୟସ୍ଥଳୀ- ସବୁ ବର୍ଗର ନାଗରିକ:

– ୭୦ ଟି ପ୍ରଥମ ଡୋଜ ଏବଂ ୩୦ ଟି ଦ୍ଵିତୀୟ ଡୋଜ

ଅଫଲାଇନ ଟୀକାକରଣ:

୭ – ନୀଳାଦ୍ରିପ୍ରସାଦ ଉପ ସ୍ୱାସ୍ଥ୍ୟ କେନ୍ଦ୍ର– ସବୁ ବର୍ଗର ନାଗରିକ:

– ୬୦ ଟି ପ୍ରଥମ ଡୋଜ, ୩୦ ଟି ଦ୍ଵିତୀୟ ଡୋଜ ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ୧୦ ଡୋଜ

୮- ଓଡଗାଁ ବିଦ୍ୟାଳୟ– ସବୁ ବର୍ଗର ନାଗରିକ:

– ୬୦ ଟି ପ୍ରଥମ ଡୋଜ, ୩୦ ଟି ଦ୍ଵିତୀୟ ଡୋଜ ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ୧୦ ଡୋଜ

୯- ଖଣତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ – ସବୁ ବର୍ଗର ନାଗରିକ:

– ୬୦ ଟି ପ୍ରଥମ ଡୋଜ, ୩୦ ଟି ଦ୍ଵିତୀୟ ଡୋଜ ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ୧୦ ଡୋଜ

୧୦- ସାନହନ୍ତୁଆଡ଼ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ- ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ ସେମାନଙ୍କ ପରିବାର ନିମନ୍ତେ ସ୍ୱତନ୍ତ୍ର ଟୀକାକରଣ

– ୨୦୦ ଟି ପ୍ରଥମ ଡୋଜ ଏବଂ ୧୦୦ ଟି ଦ୍ଵିତୀୟ ଡୋଜ

ବାଣପୁରର ସମସ୍ତ ଟୀକାକେନ୍ଦ୍ରରେ ସକାଳ ୯ ଘଟିକାରୁ ଟୀକାକରଣ ଆରମ୍ଭ ହେବ।

Categories
ଆଞ୍ଚଳିକ

ଫାର୍ମାସିଷ୍ଟଙ୍କ ବଦଳିକୁ ନେଇ ଜନ ଅସନ୍ତୋଷ: ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଘେରାଉ କରିବାକୁ ଦେଲେ ଚେତାବନୀ

ସୀତାରାମ ଅଗ୍ରୱାଲ

ବାଣପୁର: ଫାର୍ମାସିଷ୍ଟଙ୍କ ବଦଳିକୁ ନେଇ ସ୍ଥାନୀୟ ଲୋକଙ୍କ ବିରୋଧ ଦେଖିବାକୁ ମିଳିଛି। ଏହାସହ ବଦଳି ହୋଇଥିବା ଫାର୍ମାସିଷ୍ଟଙ୍କୁ ପୁନଃ ଉକ୍ତ ସ୍ଥାନରେ ଅବସ୍ଥାପିତ କରେଇବା ପାଇଁ ଗ୍ରାମବାସୀଙ୍କ ଦାବି ହୋଇଛି। ଯଦି ପ୍ରଶାସନ ଏହି ବିଷୟରେ ବିଚାର ନକରେ, ତେବେ ବାଧ୍ୟ ହୋଇ ଗ୍ରାମବାସୀ ଆନ୍ଦୋଳନ କରିବେ ବୋଲି ଚେତାବନୀ ମଧ୍ୟ ଦେଇଛନ୍ତି। ବାଣପୁର ବ୍ଲକ ଅନ୍ତର୍ଗତ ଆଦିବାସୀ ଅଧ୍ୟୁଷିତ ନୀଳାଦ୍ରିପ୍ରସାଦ ପଞ୍ଚାୟତରେ ଏଭଳି ଏକ ବିରଳ ଦୃଶ୍ୟ ଦେଖିବାକୁ ମିଳିଛି।

ଘଟଣାରୁ ପ୍ରକାଶ ଯେ, ନୀଳାଦ୍ରି ପ୍ରସାଦ ପଞ୍ଚାୟତରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରମୋଦ ଦେହୁରୀ ଦୀର୍ଘ ୧୨ ବର୍ଷରୁ ଉର୍ଦ୍ଧ୍ଵ ସମୟ ଧରି କାର୍ଯ୍ୟରତ ଥିଲେ। ଶ୍ରୀ ଦେହୁରୀଙ୍କ ସେବାକୁ ନୀଳାଦ୍ରି ପ୍ରସାଦ ଏବଂ ଦାମିଆ ବରବରା ପଞ୍ଚାୟତର ଜନସାଧାରଣ ମାନେ ବେଶ ଭଲ ପାଉଥିଲେ। ଦିନ ରାତି ୨୪ ଘଣ୍ଟା ଶ୍ରୀ ଦେହୁରୀ ଜନସାଧାରଣଙ୍କ ସେବା ପାଇଁ ତତ୍ପର ଥିଲେ। ତେବେ ନିକଟରେ ତାଙ୍କ ବଦଳି ହଳନ୍ଦା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ହୋଇଯାଇଛି।  ଏହାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ଉଭୟ ପଞ୍ଚାୟତବାସି। ତାଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ବଦଳି କରାଯାଇଛି ବୋଲି ଅଭିଯୋଗ କରିଛନ୍ତି ପଞ୍ଚାୟତବାସି।

ଏହି ପରିପ୍ରେକ୍ଷୀରେ ଉକ୍ତ ବଦଳିକୁ ବାତିଲ ଏବଂ ପ୍ରମୋଦ ଦେହୁରୀଙ୍କୁ ଉକ୍ତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ପୁନଃ ସ୍ଥାପନ ଦାବିରେ ଆଜି ଅପରାହ୍ନରେ ଭାଲିଆପଡା ଗ୍ରାମରେ ଉଭୟ ପଞ୍ଚାୟତର ଶହ ଶହ ଜନସାଧାରଣଙ୍କ ଉପସ୍ଥିତିରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକର ଦଳମତ ନିର୍ବିଶେଷରେ ସମସ୍ତ ଜନସାଧାରଣ ମାନେ ଏକ ସ୍ୱରରେ ଶ୍ରୀ ଦେହୁରୀଙ୍କ ଉଦ୍ଦେଶ୍ୟମୂଳକ ବଦଳିକୁ ନିନ୍ଦା କରିବା ସହ ତାଙ୍କୁ ପୁନଃ ଅବସ୍ଥାପିତ କରିବା ପାଇଁ ମତ ରଖିଥିଲେ। ଆଗାମୀ ଦିନରେ ଏ ବିଷୟକୁ ନେଇ ଜନସାଧାରଣ ମାନେ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଘେରାଉ କରିବେ ବୋଲି ଚେତାବନୀ ମଧ୍ୟ ଦେଇଥିଲେ।

ଉକ୍ତ ବୈଠକରେ ପୂର୍ବତନ ସମିତି ସଭ୍ୟ ଶତ୍ରୁଘ୍ନ ସାହୁ, ଗୋ ସେବକ ଉମାକାନ୍ତ ସାହୁ, ସମାଜସେବି ଭାସ୍କର ଦାସ, ସନ୍ତୋଷ ସାହୁ, ଜିଲ୍ଲା ପରିଷଦ ସଭ୍ୟ ଅମରେନ୍ଦ୍ର ରଣସିଂହ, ବିଜେପି ବିରିଜାଈ ମଣ୍ଡଳ ସଭାପତି ତଥା ଭେଟେଶ୍ୱର ସରପଞ୍ଚ ଜିତେନ୍ଦ୍ର ଭୋଳ ଏବଂ ଭେଟେଶ୍ଵର ପଞ୍ଚାୟତର ପୂର୍ବତନ ସରପଞ୍ଚ ଜିତେନ୍ଦ୍ର ସାମନ୍ତରାୟ ପ୍ରମୁଖ ନେତୃମଣ୍ଡଳୀ ଯୋଗ ଦେଇଥିଲେ।

ଅନୁରୂପ ଭାବେ ଏ ବିଷୟ ନେଇ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼ଃ ରମାକାନ୍ତ ନାୟକଙ୍କୁ ପଚାରିବାରୁ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ଉକ୍ତ ବଦଳି ହୋଇଥିବାର ସେ କହିଛନ୍ତି।

Categories
ଆଞ୍ଚଳିକ

ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଚାନକ ବାଣପୁର ଗସ୍ତ: କଲେ କୋଭିଡ଼ ସମୀକ୍ଷା

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ମଧ୍ୟାହ୍ନରେ ଖୋର୍ଦ୍ଧା ଜିଲ୍ଲାପାଳ ସନତ କୁମାର ମହାନ୍ତି ଅଚାନକ ଭାବେ ବାଣପୁର ଗସ୍ତ କରିଥିଲେ। ଜିଲ୍ଲାପାଳ ସ୍ୱଳ୍ପ ସମୟ ରହଣି ମଧ୍ୟରେ ବାଣପୁରର ବିଭିନ୍ନ ପ୍ରଶାସନିକ ବିଭାଗଗୁଡିକ ପରିଦର୍ଶନ କରିଥିଲେ। ପ୍ରଥମେ ଜିଲ୍ଲାପାଳ ସବ ଜେଲ ଗସ୍ତ କରି  କୋଭିଡ ଗାଇଡଲାଇନ ଅନୁଧ୍ୟାନ କରିବା ସହ କଏଦୀ ମାନଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ।

ଏହାପରେ ଜିଲ୍ଲାପାଳ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରି ସେଠାରେ ନୂଆକରି ମେଡିକାଲ ପ୍ରଶାସନ ପକ୍ଷରୁ ନିର୍ମିତ ହୋଇଥିବା ଅଂଶୁଘାତ ପ୍ରକୋଷ୍ଠ କେନ୍ଦ୍ରକୁ ବୁଲି ଦେଖିବା ସହ ଏହାର ବ୍ୟବସ୍ଥା ଉପରେ ସନ୍ତୋଷ ପ୍ରକଟ କରିଥିଲେ। ମେଡିକାଲରେ ନିରାମୟ ଯୋଜନା ଅନ୍ତର୍ଗତ ଔଷଧ ସବୁ ଠିକ ଭାବେ ରୋଗୀଙ୍କୁ ମିଳୁଛି କି ନାହିଁ ତଦାରଖ କରିବା ସହ କିଛି ରୋଗୀଙ୍କ ସହ ସିଧାସଳଖ ଭାବେ କଥା ହୋଇଥିଲେ ଜିଲ୍ଲାପାଳ।

ପରିଶେଷରେ ଜିଲ୍ଲପାଳ ବାଣପୁର ଏନଏସି କାର୍ଯ୍ୟାଳୟ ପରିଦର୍ଶନକୁ ଯାଇ ଏକ ଛୋଟ ବୈଠକର ଅଧ୍ୟକ୍ଷତା କରିଥିଲେ। ଉକ୍ତ ବୈଠକରେ ବାଣପୁର ଏନଏସି ଏବଂ ବାଣପୁର ବ୍ଲକରେ ଗୋଟାଏ ଲେଖାଏଁ ଟିଏମସି କେନ୍ଦ୍ର ଖୋଲିବାକୁ ଉଭୟ ପ୍ରଶାସନିକ ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।

ବାଣପୁରକୁ ଯେଉଁ ପ୍ରବାସୀମାନେ ଆସୁଛନ୍ତି ପୂର୍ବରୁ ସେମାନେ ନିଜ ଗୃହରେ ସଂଗରୋଧ ଭାବେ ରହୁଥୁବା ବେଳେ ବର୍ତ୍ତମାନ ଉକ୍ତ ଟିଏମସିରେ ସଙ୍ଗରୋଧରେ ରହିବେ। ତତ ସହିତ ପ୍ରବାସୀ ମାନଙ୍କ ଉପରେ ତୀକ୍ଷ୍ଣ ନଜର ରଖିବା ସହ ସେମାନଙ୍କ ଗସ୍ତ ସୂଚୀର ସମସ୍ତ ତଥ୍ୟ ବିବରଣୀ ରଖିବାକୁ ଜିଲ୍ଲାପାଳ ସ୍ଥାନୀୟ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ।

ସେହିଭଳି ଭାବେ ବାଣପୁର ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳରେ ଏନ୍ଫୋର୍ସମେଣ୍ଟକୁ ଆହୁରି କଡ଼ାକଡ଼ି କରିବାକୁ ଜିଲ୍ଲାପାଳ ସ୍ଥାନୀୟ ଏବଂ ପୋଲିସ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ।  ଖାସକରି ରାତ୍ରିକାଳୀନ କର୍ଫ୍ୟୁକୁ କଡାକଡି କରିବାକୁ ଜିଲ୍ଲାପାଳ ଗୁରୁତ୍ୱାରୋପ ଦେଇଥିଲେ।

ତେବେ ବାଣପୁର ଥାନାରେ କର୍ମଚାରୀ ଅଭାବ ଥିବାରୁ ଏନ୍ଫୋର୍ସମେଣ୍ଟ କିପରି ଭାବେ କଡ଼ାକଡ଼ି ହେବ ବୋଲି ଆମ ପ୍ରତିନିଧି ଜିଲ୍ଲାପାଳଙ୍କୁ ପ୍ରଶ୍ନ ପଚାରିବାରୁ ସେ ଏବିଷୟରେ ଅବଗତ ଥିବା କହିବା ସହ ଏସପିଙ୍କ ସହ ମଧ୍ୟ ଏବାବଦରେ କଥା ହୋଇଥିବାର ସୂଚନା ଦେଇଛନ୍ତି। ସ୍ଥାନୀୟ ତହସିଲଦାର ଯେତେବେଳେ ଆବଶ୍ୟକ କରିବେ ସେତେବେଳେ ଏସପି ସଙ୍ଗେସଙ୍ଗେ ଅତରିକ୍ତ ଫୋର୍ସ ଯୋଗାଇଦେବେ ବୋଲି ଜିଲ୍ଲାପାଳ କହିଛନ୍ତି।

ଜିଲ୍ଲାପାଳଙ୍କ ଉକ୍ତ ଗସ୍ତ ସମୟରେ ବାଣପୁର ତହସିଲଦାର ମନ୍ମଥ ବେହେରା, ବ୍ଲକ ଅତିରିକ୍ତ ବିଡ଼ିଓ ସୀମାଦ୍ରୀ ପାତ୍ର, ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମହାନ୍ତି, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼ା ଧୂର୍ଜଟି ପ୍ରସାଦ ମହାପାତ୍ର, ସବଜେଲ ସୁପରିଟେଣ୍ଡେଣ୍ଟ କୋଶଳ ପଦ୍ମିନୀ ଦଳବେହେରା ଏବଂ ବାଣପୁର ପୋଲିସ ଏସଆଇ ବିଜୟ ମଲ୍ଲିକ ଓ ରାଜକିଶୋର ବେହେରା ପ୍ରମୁଖ ଉପସ୍ଥିତି ଥିଲେ।

Categories
ଆଜିର ଖବର ଆଞ୍ଚଳିକ ସ୍ବାସ୍ଥ୍ୟ

ଆଜିଠାରୁ ଦେଶରେ ଆରମ୍ଭ ହେଲା ଟୀକା ଉତ୍ସବ: ଜାଣନ୍ତୁ ଚିଲିକାରେ ପ୍ରଥମ ଦିନରେ କେତେଜଣ ନେଲେ ଟୀକା

ସୀତାରାମ ଅଗ୍ରୱାଲ

ଚିଲିକା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ଵାନ କ୍ରମେ ଆଜିଠାରୁ ସାରା ଦେଶରେ ଟୀକା ଉତ୍ସବ ପାଳନ କରାଯାଉଛି। ଏହା ଏପ୍ରିଲ ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ।

ଏହି ପରିପ୍ରେକ୍ଷୀରେ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଚିଲିକା ନିର୍ବାଚନମଣ୍ଡଳୀରେ ମଧ୍ୟ ଆଜିଠାରୁ ଟୀକା ଉତ୍ସବ ଆରମ୍ଭ ହୋଇଯାଇଅଛି। ବାଣପୁର ଓ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ଏହା ଅଧୀନରେ ଥିବା ବିଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକରେ ଉକ୍ତ ଉତ୍ସବ ଆଜିଠାରୁ ଆରମ୍ଭ ହୋଇଛି। ଉଭୟ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଆଜିଏହି ଉତ୍ସବକୁ ଉଦଘାଟିତ କରି ଟୀକାକରଣ ପ୍ରକ୍ରିୟାକୁ ଆରମ୍ଭ କରିଛନ୍ତି।

ତେବେ ଆଜି ୪୫ ବର୍ଷରୁ ଉର୍ଦ୍ଧ୍ଵ ନାଗରିକମାନେ ବହୁ ସଂଖ୍ୟାରେ କରୋନା ଟୀକା ନେଇଛନ୍ତି। ପ୍ରଥମ ଦିନରେ ଚିଲିକା ନିର୍ବାଚନ ମଣ୍ଡଳୀରେ ୧୩୩୦ ଜଣ ବ୍ୟକ୍ତି ଟୀକା ନେଇଥିବା ଉଭୟ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ସୂଚନା ଦେଇଛନ୍ତି। ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼ା ଧୂର୍ଜଟି ପ୍ରସାଦ ମହାପାତ୍ରଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଆଜି ବାଣପୁରରେ ୨୮୭ ଜଣ, ଗମ୍ଭାରୀମୁଣ୍ଡାରେ ୧୭୬ ଜଣ  ଏବଂ ସୁନାଖେଳାରେ ୧୯୪ ଜଣ ବ୍ୟକ୍ତି ଟୀକା ନେଇଛନ୍ତି।

ଅନୁରୂପ ଭାବେ ଆଜି ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼ା ସୌମ୍ୟକାନ୍ତ ଦାସ ପଟ୍ଟନାୟକଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ବାଲୁଗାଁରେ ୩୭୭ ଜଣ ଟୀକା ନେଇଥିବା ବେଳେ ନଈରୀରେ ୮୮ ଜଣ ଏବଂ ଜରିପଡାରେ ୨୦୮ ଜଣ ବ୍ୟକ୍ତି ଟୀକା ନେଇଛନ୍ତି।