ନାହିଁ ନାହିଁରେ ଚାଲିଛି ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ଜିଲ୍ଲା ପ୍ରଶାସନର କେବେ ପଡ଼ିବ ଶୁଭଦୃଷ୍ଟି?

Published: May 22, 2022, 8:56 pm IST

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲାର ଏକ ଗୁରୁତ୍ୱପୂର୍ଣ୍ଣ ଡାକ୍ତରଖାନା ହେଉଛି ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର। ଆଦିବାସୀ ଅଧ୍ୟୁଷିତ ତଥା ମ୍ୟାଲେରିଆ ପ୍ରବଣ ଅଞ୍ଚଳ ଭାବେ ଜିଲ୍ଲାର ଏକମାତ୍ର ବ୍ଲକ ବାଣପୁର ରହିଥିବା ବେଳେ ସତର ଗୋଟି ପଞ୍ଚାୟତ, ଏନଏସି ଏବଂ ଜିଲ୍ଲା ସୀମାନ୍ତବର୍ତ୍ତୀ ଅଞ୍ଚଳର ପାଖାପାଖି ଦେଢ଼ ଲକ୍ଷ ଲୋକ ଉକ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ନିର୍ଭର କରନ୍ତି। ତେବେ ପରିତାପର ବିଷୟ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଭାଗ୍ୟ ପୂର୍ବପରି ଅନ୍ଧକାରମୟ ହୋଇ ରହିଛି। ସତେ ଯେପରି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ଉନ୍ନତିମୂଳକ ନକ୍ସାରେ ବାଣପୁର ନାମ ଲିଭିଯାଇଛି।

ସବୁଠୁ ଆଶ୍ଚର୍ଯ୍ୟକର ବିଷୟ ହେଲା ବହୁ ଆନ୍ଦୋଳନ ଓ ଦାବି ପରେ ରାଜ୍ୟ ସରକାର ଏଠାରେ ଡାକ୍ତର ତଥା ସ୍ୱାସ୍ଥ୍ୟ କର୍ମଚାରୀ ନିଯୁକ୍ତି ଦେଇଥିବା ବେଳେ ଅଧାରୁ ଅଧିକ କର୍ମଚାରୀ ଡେପୁଟେସନରେ ରାଜଧାନୀର ବିଭିନ୍ନ ମେଡିକାଲରେ କାର୍ଯ୍ୟ କରୁଛନ୍ତି। କିନ୍ତୁ ଦରମା ଆଜି ବି ବାଣପୁରରୁ ନେଉଛନ୍ତି। ବର୍ତ୍ତମାନ ବାଣପୁର ବ୍ଲକ ପାଇଁ ନିଯୁକ୍ତ ହୋଇଥିବା ଡାକ୍ତର, ନର୍ସ, ସ୍ୱାସ୍ଥ୍ୟକର୍ମୀ, ଲାବୋରାଟୋରି ଟେକନିସିଆନ, ଝାଡୁଦାର ଆଦି ସମୁଦାୟ ୨୨ ଜଣ ଡେପୁଟେସନରେ ରାଜଧାନୀ ତଥା ଖୋର୍ଦ୍ଧା ଉପଖଣ୍ଡର ବିଭିନ୍ନ ମେଡିକାଲରେ କାର୍ଯ୍ୟରତ ଅଛନ୍ତି।

ତେବେ ପ୍ରଶ୍ନ ଉଠୁଛି ଏତେ କର୍ମଚାରୀଙ୍କୁ କିପରି ଡେପୁଟେସନରେ ପଠାଗଲା? ବାଣପୁର ଭଳି ଗୁରୁତ୍ୱପୂର୍ଣ୍ଣ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କର୍ମଚାରୀ ମରୁଡି ସତ୍ତ୍ୱେ କିପରି ତାହାକୁ ଅଣଦେଖା କରାଗଲା? ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼ା ରମାକାନ୍ତ ନାୟକ ଦେଇଥିବା ତଥ୍ୟ ମୁତାବକ ବର୍ତ୍ତମାନ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୫ ଜଣ ଏମବିବିଏସ ଡାକ୍ତର ଥିବା ବେଳେ ସ୍ତ୍ରୀ ଓ ପ୍ରସୂତି ବିଭାଗର ୨ ଜଣ ଏବଂ ଦନ୍ତ ବିଭାଗର ୨ ଜଣ ଡାକ୍ତର ଅଛନ୍ତି। ତେବେ ଆସନ୍ତାକାଲି ୨ ଜଣ ଏମବିବିଏସ ଡାକ୍ତର ପିଜି ପାଇଥିବାରୁ ବାଣପୁର ଛାଡିବେ ବୋଲି ଜଣାପଡିଛି।

ସେହିପରି ଭାବେ ଗମ୍ଭାରୀମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୫ ଜଣ ଏମବିବିଏସ ଡାକ୍ତର, ଜଣେ ଦନ୍ତ ବିଶେଷଜ୍ଞ ଏବଂ ଜଣେ ଆୟୁଷ ଡାକ୍ତର ଅଛନ୍ତି।

ଅନୁରୂପ ଭାବେ ସୁନାଖେଳା ଉପ ସ୍ୱାସ୍ଥ୍ୟ କେନ୍ଦ୍ରରେ ଜଣେ ଏମବିବିଏସ ଡାକ୍ତର, ହଳନ୍ଦା ଉପ ସ୍ୱାସ୍ଥ୍ୟ କେନ୍ଦ୍ରରେ ଜଣେ ଆୟୁଷ ଡାକ୍ତର ଏବଂ ନୀଳାଦ୍ରିପ୍ରସାଦ ଉପ ସ୍ୱାସ୍ଥ୍ୟ କେନ୍ଦ୍ରରେ ଜଣେ ଏମବିବିଏସ ଡାକ୍ତର ଏବଂ ଜଣେ ଆୟୁଷ ଡାକ୍ତର ଅଛନ୍ତି।

ତେବେ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଶିଶୁ ରୋଗ, ଭେଷଜ, ଅସ୍ତ୍ରୋପଚାର ଏବଂ ଆୟୁଷ ବିଭାଗ ଖାଲି ପଡ଼ିଥିବା ବେଳେ ଅତି କମରେ ପ୍ରତି ବିଭାଗରେ ଜଣେ ଲେଖାଏଁ ଡାକ୍ତର ନିଯୁକ୍ତି ଅପରିହାର୍ଯ୍ୟ ହୋଇପଡିଥିବା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼ା ନାୟକ କହିଛନ୍ତି।

ଅନୁରୂପ ଭାବେ ଉକ୍ତ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅତିରିକ୍ତ ୫ ଜଣ ନର୍ସ, ୧୦ ଜଣ ସ୍ୱାସ୍ଥ୍ୟକର୍ମୀ, ୩ ଜଣ ଲାବୋରାଟୋରି ଟେକନିସିଆନ ଏବଂ ୨ ଜଣ ଆଟେଣ୍ଡାଣ୍ଟ ନିଯୁକ୍ତି ଏକାନ୍ତ ଆବଶ୍ୟକ ହୋଇପଡିଛି।

ସେହିପରି ଭାବେ ସବୁଠୁ ଗୁରୁତ୍ୱପୂର୍ଣ ବିଷୟ ହେଲା ହେଲା ମେଡିକାଲରେ ପୁର୍ବରୁ ଥିବା ରକ୍ତ ସରଂକ୍ଷଣ କେନ୍ଦ୍ରଟି ଦୀର୍ଘ ଚାରି ବର୍ଷ ହେଲା ବନ୍ଦ ପଡ଼ିଛି । ଯାହାଫଳରେ ଜରୁରୀକାଳିନ ସମୟରେ ଗୋଟେ ବୋତଲ ରକ୍ତ ପାଇଁ ରୋଗୀଙ୍କୁ ଦୀର୍ଘ ୮୦-୯୦ କିଲୋମିଟର ଭୁବନେଶ୍ୱର, ଖୋର୍ଦ୍ଧା ଓ ବ୍ରହ୍ମପୁର ଯିବାକୁ ପଡୁଛି। ଯଦି ରକ୍ତ ସରଂକ୍ଷଣ କେନ୍ଦ୍ରଟି ପୁନଃ କାର୍ଯ୍ୟକ୍ଷମ ହୋଇପାରିବ, ତେବେ ସଡ଼କ ଦୁର୍ଘଟଣା ହେଉ ଅବା ଅନ୍ୟାନ୍ୟ ରୋଗ ପାଇଁ ହେଉ, ରୋଗୀ ତୁରନ୍ତ ବାଣପୁର ମେଡିକାଲରୁ ରକ୍ତ ବୋତଲ ନେଇପାରିବ।

ସେହିଭଳି ଏକ୍ସରେ ଟେକ୍ନିକାଲ ପୋଷ୍ଟ ମଧ୍ୟ ଦୀର୍ଘ ବର୍ଷ ଧରି ଖାଲି ପଡ଼ିଛି ଯାହାଫଳରେ ଗରିବ ଜନସାଧାରଣ ମାନେ ହଜାର ହଜାର ଟଙ୍କା ଖର୍ଚ୍ଚ କରି ଘରୋଇ କ୍ଲିନିକରେ ଏକ୍ସରେ କରିବାକୁ ବାଧ୍ୟ ହେଉଛନ୍ତି।

ତେବେ ଉକ୍ତ ସମସ୍ୟାଗୁଡିକୁ ଖୋର୍ଦ୍ଧା ଜିଲ୍ଲାପାଳ, ସିଡ଼ିଏମଓ ଏବଂ ସ୍ଥାନୀୟ ଜନପ୍ରତିନିଧି ମାନେ ଗୁରୁତର ସହ ନେଇ ଏହାର ସମାଧାନ ଦିଗରେ ଯଥାଶୀଘ୍ର ପଦକ୍ଷେପ ଗ୍ରହଣ କରିବା ପାଇଁ ସାଧାରଣରେ ଦାବି ହେଉଛି। ରାଜନୈତିକ ଅସ୍ଥିରତା ମଧ୍ୟରେ ବାଣପୁର ଖୁବଶୀଘ୍ର ଏହାର ମେଡିକାଲ ବିକାଶ ଲାଗି ଚର୍ଚ୍ଚାକୁ ଆସିବ ବୋଲି ବୁଦ୍ଧିଜୀବୀମାନେ ଆଶା କରିଛନ୍ତି।

Related posts