
ସୀତାରାମ ଅଗ୍ରୱାଲ
ଚିଲିକା: ଖୋର୍ଦ୍ଧା ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ଅନ୍ତର୍ଗତ ବଡ଼କୁଳ ନିକଟରେ ଆଜି ଅପରାହ୍ନରେ ଏକ ବଡ଼ ଧରଣର ଲୁଟ ହୋଇଥିବାର ଅଭିଯୋଗ ହୋଇଛି। ବନ୍ଧୁକ ଦେଖାଇ ଜଣେ ଫାଇନାନ୍ସ କମ୍ପାନୀ କର୍ମଚାରୀଙ୍କ ଠାରୁ ଚାଳିଶ ହଜାର ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି।
ସୂଚନା ମୁତାବକ ପୁରୀ ଜିଲ୍ଲା କଣାସ ଅଞ୍ଚଳର ଲିପୁନ ପାଟଶାଣୀ ଭାରତ ଫାଇନାନ୍ସ କମ୍ପାନୀ, ବାଲୁଗାଁ ଶାଖାରେ କାର୍ଯ୍ୟରତ ଥିଲେ। ଆଜି ଅପରାହ୍ନ ସାଢେ ତିନି ଘଟିକା ସମୟରେ ଲିପୁନ ନାଭାଲ ଫାଣ୍ଡି ଅନ୍ତର୍ଗତ ନୂଆଗଡ ଗ୍ରାମରୁ ୩୮ ହଜାର ୮ ସହ ୯୯ ଟଙ୍କା ଗ୍ରୁପ ଟଙ୍କା କଲେକ୍ସନ କରି ଫେରୁଥିଲେ। କିନ୍ତୁ ବଡ଼କୁଳ ଓଭରବ୍ରିଜ ନିକଟରେ ହଠାତ ଏକ ନାଲି ରଙ୍ଗର ପଲସର ବାଇକରେ ତିନି ଜଣ ଯୁବକ ପଛପଟୁ ଆସି ଲିପୁନଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରାଇଥିଲେ। ଲିପୁନଙ୍କ ଠାରୁ ଲୁଟେରାମାନେ ସମସ୍ତ ଟଙ୍କା ଲୁଟିନେବା ସହ ତାଙ୍କ ନିକଟରୁ ଏକ ଟ୍ୟାବଲେଟ, ବାଇଓ ମାଟ୍ରିକ ଯନ୍ତ୍ର, ଭୋଟର କାର୍ଡ ଏବଂ ଆରସି ବହି ମଧ୍ୟ ଲୁଟି ବାଣପୁର ଆଡକୁ ଫେରାର ହୋଇଯାଇଥିଲେ।
ତେବେ ଲିପୁନ ସଙ୍ଗେସଙ୍ଗେ ଏ ନେଇ ପୋଲିସ କଣ୍ଟ୍ରୋଲ ରୁମକୁ ଫୋନ ଯୋଗେ ଜଣାଇବାରୁ ଘଟଣାସ୍ଥଳରେ ଜାତୀୟ ରାଜପଥ ପାଟ୍ରୋଲିଂ ଏସପିଓ ଦୀପକ ଦାସ ତୁରନ୍ତ ପହଁଚି ଲିପୁନଙ୍କୁ ସ୍ଥାନୀୟ ପୋଲିସ ସହ ଯୋଗାଯୋଗ କରାଇଥିଲେ। ତେବେ ଏ ସମ୍ପର୍କରେ ବାଲୁଗାଁ ଆଇଆଇସି ରମାକାନ୍ତ ମାହାଲିକଙ୍କୁ ପଚାରିବାରୁ ଉକ୍ତ ଘଟଣା ଘଟିଥିବାର କହିଥିବାବେଳେ କିନ୍ତୁ ଏଯାବତ ଥାନାରେ କୌଣସି ଲିଖିତ ଅଭିଯୋଗ ହୋଇନଥିବାର କହିଛନ୍ତି। ତଥାପି ପୋଲିସ ନିଜଆଡୁ ତଦନ୍ତ ଜାରିରଖିଥିବାର ଆଇଆଇସି କହିଛନ୍ତି।