ଦୀପାବଳିରେ ବଡ ଅଘଟଣ, ଘରେ ପଶି ଛଅ ଜଣଙ୍କୁ ମାରିଲେ ଗୁଳି, ଜଣେ ମୃତ

Published: Nov 4, 2021, 11:47 pm IST

ନୂଆଦିଲ୍ଲୀ: ଦିଲ୍ଲୀ ନିକଟବର୍ତ୍ତୀ ଗୁରୁଗାଁରେ ଦୀପାବଳି ରାତିରେ ଏକ ବଡ଼ ଅପରାଧିକ ଘଟଣା ଘଟିଛି। ବାଇକ୍ ଚଳାଉଥିବା ପାଞ୍ଚ ଜଣ ଦୁର୍ବୁତ କାସାନ ଗାଁର ଏକ ଘରେ ପଶି ଆଖିବୁଜା ଗୁଳି ଚଳାଇଥିଲେ। ସେଠାରେ ଥିବା ଛଅ ଜଣଙ୍କୁ ଗୁଳି ମାଡର ସମ୍ମୁଖୀନ ହୋଇଥିଲେ। ସେମାନଙ୍କ ମଧ୍ୟରୁ ଜଣଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି। ଅନ୍ୟମାନଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଏହି ଘଟଣା ପରେ ଗାଁରେ ପୋଲିସ ଫୋର୍ସ ମୁତୟନ କରାଯାଇଛି। କୁହାଯାଏ କାସାନ ଗାଁର ପୂର୍ବତନ ସରପଞ୍ଚ ଗୋପାଳ ସିଂଙ୍କ ପରିବାର ସଦସ୍ୟ ବଳରାମ ସିଂ, ସୋନୁ ସିଂ, ସମ୍ପର୍କୀୟ ରାଜେଶ ସିଂ, ବିକାଶ ସିଂ, ହର୍ଷ ସିଂ ଗୁରୁବାର ରାତି ପ୍ରାୟ ଆଠଟା ବେଳେ ଦୀପାବଳି ପୂଜା କରୁଥିଲେ। ସେଠାରେ ଆଠ ବର୍ଷର ଯଶ ମଧ୍ୟ ଉପସ୍ଥିତ ଥିଲେ। ଏହି ସମୟରେ ପାଞ୍ଚ-ଛଅ ଜଣ ସଶସ୍ତ୍ର ଦୁର୍ବୁତ ଦୁଇ-ତିନି ବାଇକ୍ ନେଇ ଘରେ ପଶି ଆଖିବୁଜା ଗୁଳି ଚଳାଇଥିଲେ।

ଗୁଳିମାଡ ଏପରି ଅତର୍କିତ ଥିଲା ଯେ କେହି ଲୁଚିବାକୁ ସୁଯୋଗ ପାଇପାରି ନ ଥିଲେ। ଘଟଣା ସ୍ଥଳରେ 21 ବର୍ଷୀୟ ବିକାଶ ସିଂଙ୍କ ମୃତ୍ୟୁ ଘଟିଛି। ସୋନୁ ସିଂଙ୍କ ଅବସ୍ଥା ଗୁରୁତର ରହିଛି। ଦୀପାବଳିରେ ଆତସବାଜି ଯୋଗୁଁ ପଡୋଶୀମାନେ ମଧ୍ୟ ଗୁଳି ମାଡ ବିଷୟରେ ଜାଣି ନଥିଲେ। ଦୁର୍ବୁତମାନେ ଦୈଡ଼ି ପଳାଇବା ପରେ ପଡୋଶୀମାନେ କାନ୍ଦିବାର ଶବ୍ଦ ଶୁଣି ପୋଲିସକୁ ଖବର ଦେଇଥିଲେ।

Related posts