ହିତସରାରେ ପୁଣି ଗଞ୍ଜେଇ ଗଛ ନଷ୍ଟ କଲା ପ୍ରଶାସନ

Published: Nov 9, 2021, 9:11 pm IST

କନ୍ଦର୍ପ ବେହେରା
ରେଢାଖୋଲ: ନାକଟିଦେଉଳ ବ୍ଲକ୍ ଗଞ୍ଜେଇ ଚାଷ ପାଇଁ ଅତୀତରେ ପ୍ରସିଦ୍ଧି ଲାଭ କରିଥିଲା। କିନ୍ତୁ ପୋଲିସ୍ ର ମାତ୍ରାଧିକ ଚଢଉ ଫଳରେ ଦୀର୍ଘ ବର୍ଷ ହେଲା ଗଞ୍ଜେଇ ଚାଷ ସଂପୂର୍ଣ୍ଣ ବନ୍ଦ ହୋଇଯାଇଥିବା ବେଳେ ପୁଣି ଏ ଅଂଚଳରେ ଗଞ୍ଜେଇ ଚାଷ କରିଥିବା ନେଇ ପ୍ରଶାସନର ମୁଣ୍ଡ ବ୍ୟଥାର କାରଣ ସାଜିଛି।

ଆଜି ପୁଣି ହିତସରା ଗ୍ରାମରେ ପ୍ରଶାସନର ମିଳିତ ଚଢଉରେ ହିତସରା ସନ୍ନିକଟ ଜଙ୍ଗଲରୁ ୫ ଟି ପ୍ଲଟ୍ ରୁ ୩୩୫୦ ଗଞ୍ଜେଇ ଗଛକୁ ପ୍ରଶାସନ ସଂପୂର୍ଣ୍ଣ ପୋଡି ନଷ୍ଟ କରି ଦେଇଛି। ପୋଲିସ୍ ସୂତ୍ରରୁ ପ୍ରକାଶ ଯେ, ନାକଟିଦେଉଳ ଥାନା ବାଟଗାଁ ପଂଚାୟତର ହିତସରା ଗ୍ରାମରେ ଆଜି ପ୍ରଶାସନର ମିଳିତ ଚଢଉ ହୋଇଥିଲା।

ଏହି ଚଢଉରେ ରେଢାଖୋଲ ଏସ୍‌ଡିପିଓ, ନାକଟିଦେଉଳ ଥାନାଧିକାରୀ, ବନବିଭାଗ, ଏକ୍ସସାଇଜ୍ ବିଭାଗ ଆଦି ଚଢଉରେ ସାମିଲ୍ ହୋଇଥିଲେ। ନାକଟିଦେଉଳ ତହସିଲ୍‌ଦାର ସୁକାନ୍ତ ନାଏକ ମାଜିଷ୍ଟେଟ୍ ଦାୟିତ୍ୱରେ ଥିଲେ।

ସୂଚନା ଯୋଗ୍ୟ ଯେ, କିଛି ଦିନ ତଳେ ହିତସରା ଗ୍ରାମ ନିକଟସ୍ଥ ବଡମୁଣ୍ଡା କଟା ସଂଲଗ୍ନ ବିଭିନ୍ନ ସ୍ଥାନରେ ଗଞ୍ଜେଇ ଚାଷକୁ ପ୍ରଶାସନ ନଷ୍ଟ କରିଦେଇଥିଲା। ହିତସରା ଗ୍ରାମରେ ୧୧ ଡେସିମିଲ୍ ସରକାରୀ ପ୍ଲଟ୍ ରୁ ୧୪୫୦ ଗଛକୁ ନଷ୍ଟ କରିଦେଇଥିଲା ପ୍ରଶାସନ। ଗ୍ରାମବାସୀ ଏ ନେଇ ପୋଲିସ୍ ଠାରେ ମଧ୍ୟ ଅଭିଯୋଗ କରିଥିବା ଜଣା ପଡିଛି। ବାରମ୍ବାର ସଚେତନତା ସୃଷ୍ଟି କରାଯାଉଥିଲେ ମଧ୍ୟ ସେଇ ଗୋଟିଏ ନିର୍ଦ୍ଧିଷ୍ଟ ଅଂଚଳରେ ଗଞ୍ଜେଇ ଚାଷ କରାଯାଉଥିବାରୁ ପ୍ରଶାସନର ମୁଣ୍ଡ ବ୍ୟଥାର କାରଣ ହୋଇଛି।

Related posts