ବାଣପୁର: ଅବକାରୀ ବିଭାଗର ଚଢ଼ାଉ, ବିପୁଳ ଦେଶୀ ମଦ ଜବତ, ୩ ଗିରଫ

Published: Nov 20, 2021, 10:45 am IST

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରୁ ଆଜି ବିପୁଳ ପରିମାଣର ଦେଶୀ ମଦ ଜବତ ହୋଇଛି। ମୁକ୍ତାଦେଇପୁର କେନାଲ ରୋଡ଼ ନିକଟରୁ ବାଲୁଗାଁ ଅବକାରୀ ବିଭାଗ ଚଢ଼ାଉ କରି ବିପୁଳ ଦେଶୀ ମଦ ଜବତ କରିବା ସହ ତିନି ଜଣ ବେପାରୀଙ୍କୁ ଗିରଫ କରିଛି।

ସୂଚନା ମୁତାବକ କୋଷରଡ଼ା ଅଞ୍ଚଳରୁ ବାଣପୁରକୁ ଦେଶୀ ମଦ ଚୋରା ଚାଲାଣ ହେଉଥିବାର ଖବର ଅବକାରୀ ବିଭାଗ ପାଇଥିଲା। ତେଣୁ ଗତକାଲି ରାତି ୧୦.୩୦ ଘଟିକାରୁ ବାଲୁଗାଁ ଅବକାରୀ ଅଧିକାରୀ ମନୋଜ ବାରିକଙ୍କ ନେତୃତ୍ୱରେ ଏକ ଟିମ ମୁକ୍ତାଦେଇପୁର କେନାଲ ରୋଡ଼ରେ ଛକି ରହିଥିଲେ। ତେବେ ଆଜି ଭୋର ୪ ଘଟିକା ସମୟରେ କୋଷରଡ଼ା ଅଞ୍ଚଳରୁ ଦେଶୀ ମଦ ନେଇ ବିକିବା ଉଦ୍ଦେଶ୍ୟରେ ତିନି ଜଣ ବେପାରୀ ବାଣପୁର ଯାଉଥିବାବେଳେ ମୁକ୍ତାଦେଇପୁର କେନାଲ ନିକଟରୁ ଅବକାରୀ ଟିମ ତାଙ୍କୁ କାବୁ କରିଥିଲା।

ଗିରଫ ତିନି ଅଭିଯୁକ୍ତ ମାନେ ହେଲେ କୋଷରଡ଼ା ଗ୍ରାମର ଲିଲୁ ଶବର (୨୬), ପ୍ରଫୁଲ୍ଲ ଶବର (୨୩) ଏବଂ ଲାଖିଆ ଶବର (୫୦)। ସେମାନଙ୍କ ନିକଟରୁ ଅବକାରୀ ବିଭାଗ ୪୫୦ ଲିଟର ଦେଶୀ ମଦ ସମେତ ୩ ଗୋଟି ବାଇକ ଜବତ କରିଛି। ଗିରଫ ଅଭିଯୁକ୍ତଙ୍କ ବିରୋଧରେ ଅବକାରୀ ବିଭାଗ ପିଆର ନମ୍ବର ୭୯, ୮୦ ଓ ୮୧ ରେ ୩ ଗୋଟି ମାମଲା ରୁଜୁକରିବା ସହ ଆଜି କୋର୍ଟଚାଲାଣ କରିବ ବୋଲି ଅବକାରୀ ଅଧିକାରୀ ମନୋଜ ବାରିକ ସୂଚନା ଦେଇଛନ୍ତି।

Related posts