ଖୋର୍ଦ୍ଧା: ଲକ୍ଷାଧିକ ଟଙ୍କାର ବ୍ରାଉନ ସୁଗାର ଜବତ କଲା ଟାଉନ ଥାନା ପୋଲିସ, ତିନି ଗିରଫ

Published: Nov 24, 2021, 7:12 pm IST

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାରେ ବ୍ରାଉନ ସୁଗାର ଚୋରା କାରବାର ଥମିବାର ନାଁ ନେଉନାହିଁ। ଆଜି ଟାଉନ ଥାନା ପୋଲିସ ପୁଣି ଲକ୍ଷାଧିକ ଟଙ୍କାର ବ୍ରାଉନ ସୁଗାର ଜବତ କରିବା ସହ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।

ସୂଚନା ମୁତାବକ ଆଜି ମଧ୍ୟାହ୍ନରେ ଟାଉନ ଥାନା ଅନ୍ତର୍ଗତ ବିଡ଼ିଏ କଲୋନୀରେ ବ୍ରାଉନ ସୁଗାର କାରବାର ଚାଲିଥିବାର କୌଣସି ଏକ ବିଶେଷ ସୂତ୍ରରୁ ଖୋର୍ଦ୍ଧା ଏସପି ରାଜକିଶୋର ଦୋରା ଖବର ପାଇଥିଲେ। ଏସପିଙ୍କ ନିର୍ଦ୍ଦେଶକ୍ରମେ ଖୋର୍ଦ୍ଧା ଏସଡ଼ିପିଓ ସୁଶୀଲ ମିଶ୍ର ଏବଂ ଟାଉନ ଥାନା ଆଇଆଇସି ସଞ୍ଜୟ କୁମାର ପଟ୍ଟନାୟକଙ୍କ ତତ୍ୱାବଧାନରେ ଏକ ଟିମ ଗଠନ କରାଯାଇ ତୁରନ୍ତ ଉକ୍ତ ସ୍ଥାନରେ ଚଢ଼ାଉ କରାଯାଇଥିଲା।

ଚଢ଼ାଉ ସମୟରେ ପୋଲିସ ସଂନ୍ଦିଗ୍ଧ ଅବସ୍ଥାରେ ତିନି ଜଣ ଯୁବକ ଉକ୍ତ ସ୍ଥାନରେ ବୁଲୁଥିବାର ଦେଖିବାକୁ ପାଇଥିଲା। କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ ଏବଂ ପ୍ରତ୍ୟକ୍ଷ ସାକ୍ଷୀଙ୍କ ଉପସ୍ଥିତିରେ ପୋଲିସ ସମ୍ପୃକ୍ତ ଯୁବକମାନଙ୍କ ତଲାସୀ ନେଇଥିଲା। ଉକ୍ତ ସମୟରେ ସେମାନଙ୍କ ନିକଟରୁ ୫୦.୦୫ ଗ୍ରାମ ବ୍ରାଉନ ସୁଗାର ସହିତ ୫ ଗୋଟି ମଟରସାଇକେଲ, ୩ ଗୋଟି ମୋବାଇଲ ଫୋନ ଏବଂ ନକଦ ୧ ଲକ୍ଷ ୭ ଶହ ଟଙ୍କା ଜବତ କରିଛି ପୋଲିସ। ଜବତ ବ୍ରାଉନସୁଗରର ମୂଲ୍ୟ ୫ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି। ଗିରଫ ଅଭିଯୁକ୍ତ ମାନେ ହେଲେ ସୋମନାଥ ବରାଳ (୨୦), ଅବିନାଶ ପାତ୍ର(୨୦) ଏବଂ ଆର୍ତତ୍ରାଣ ବେହେରା (୨୦)।

ଖୋର୍ଦ୍ଧା ଟାଉନ ଥାନାରେ ଅଭିଯୁକ୍ତଙ୍କ ବିରୋଧରେ ୨୯ ଏନଡ଼ିପିଏସ ଅଧିନିୟମ ଅନୁଯାୟୀ କେସ ନମ୍ବର ୪୭୭ /୨୧ ରେ ମାମଲା ରୁଜୁ କରାଯାଇ ଆଜି କୋର୍ଟଚାଲାଣ କରାଯାଇଥିବାର ଟାଉନ ଥାନା ଆଇଆଇସି ସଞ୍ଜୟ ପଟ୍ଟନାୟକ ସୂଚନା ଦେଇଛନ୍ତି।

ଉକ୍ତ ଚଢ଼ାଉରେ ଏସ ଆଇ ବିଜୟ କେତନ ବେହେରା,ଏସଆଇ ସ୍ଵାଗତିକା ଦାସ, ଅନ୍ୟ ପୋଲିସ କର୍ମଚାରୀ ଓ ସ୍ପେଶାଲ ସ୍କ୍ୱାର୍ଡ ସାମିଲ ଥିଲେ।

Related posts