ବେଆଇନ ଗ୍ରାନାଇଟ ଖଣିରେ ଅତର୍କିତ ଚଢ଼ାଉ: କୋଟିଏରୁ ଉର୍ଦ୍ଧ୍ଵ ଟଙ୍କାର ବିସ୍ଫୋରକ ଜବତ, ୧୬ ଗିରଫ

Published: Nov 30, 2021, 6:43 pm IST

ନୟାଗଡ଼/ରଣପୁର: ନୟାଗଡ଼ ଜିଲ୍ଲା ରଣପୁର ତହସିଲ ଅଞ୍ଚଳରେ ବେଆଇନ ଗ୍ରାନାଇଟ ଖଣି ଗୁଡ଼ିକରେ ବ୍ଲାଷ୍ଟିଙ୍ଗ ଯୋଗୁଁ ବହୁ ଜନସାଧାରଣ ହଇରାଣ ହେବା ସହ ସେମାନଙ୍କ ଘର ଦ୍ୱାରା ଭାଙ୍ଗି ଯାଉଛି। ଯାହା ଫଳରେ ବିଗତ ଦିନରେ ରଣପୁର ତହସିଲ ଅଧିନସ୍ଥ କୋଇଲିମା, ଲେଖପୁର, ବୃନ୍ଦାବନପୁର ଆଦି ଗ୍ରାମର ଗ୍ରାମବାସୀମାନେ ଯଥାଶୀଘ୍ର ଉକ୍ତ ବେଆଇନ ଗ୍ରାନାଇଟ ଖଣିରେ ବ୍ଲାଷ୍ଟିଙ୍ଗ ବନ୍ଦ କରିବା ପାଇଁ ସ୍ଥାନୀୟ ତହସିଲଦାର ତଥା ଜିଲ୍ଲା ପ୍ରଶାସନକୁ ଦାବିପତ୍ର ଦେଇଥିଲେ ଏବଂ ଯଦି ଏହା ବନ୍ଦ ନହୁଏ ତେବେ ସମସ୍ତ ଗ୍ରାମବାସୀ ମାନେ ଧାରଣାରେ ବସିବେ ବୋଲି ପ୍ରଶାସନକୁ ଚେତାବନୀ ମଧ୍ୟ ଦେଇଥିଲେ।

ଘଟଣାକୁ ଗମ୍ଭୀରତାର ସହ ନେଇ ନୟାଗଡ଼ ଏସପି ଉକ୍ତ ସମସ୍ୟାର ସମାଧାନ ପାଇଁ ଚାନ୍ଦପୁର ଥାନା ଆଇଆଇସି ରଶ୍ମିରଂଜନ ଦାସଙ୍କୁ ଛଅ ଦିନ ପାଇଁ ରଣପୁର ଥାନାର ଅତିରିକ୍ତ ଦାଇତ୍ୱ ପ୍ରଦାନ କରିବା ସହ ଉକ୍ତ ବେଆଇନ ଗ୍ରାନାଇଟ ଖଣିଉପରେ ଚଢ଼ାଉ ନିର୍ଦ୍ଦେଶ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ଆଜି ଉକ୍ତ ଅଞ୍ଚଳର ଚାରି ଗୋଟି ବେଆଇନ ଗ୍ରାନାଇଟ ଖଣି ଗୁଡ଼ିକ ଉପରେ ଆଇଆଇସି ଶ୍ରୀ ଦାସ ଅତର୍କିତ ଚଢ଼ାଉ କରି ୧୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ କୋଟିଏରୁ ଉର୍ଦ୍ଧ୍ଵ ଟଙ୍କାର ବିସ୍ଫୋରକ ଏବଂ ବ୍ଲାଷ୍ଟିଂ ଉପକରଣ ଜବତ କରିଛନ୍ତି।

ଏହା ସହିତ ୭ ଗୋଟି କମ୍ପ୍ରେସର ସହ ସଂଯୁକ୍ତ ହୋଇଥିବା ଟ୍ରାକ୍ଟର ଏବଂ ଗୋଟାଏ ମଲ୍ଟି କମ୍ପ୍ରେସର ମଧ୍ୟ ଜବତ କରିଛନ୍ତି ଆଇଆଇସି। ଏ ସଂକ୍ରାନ୍ତରେ ରଣପୁର ଥାନାରେ କେସ ନମ୍ବର ୨୫୯/୨୧ ରେ ଏକ ମାମଲା ରୁଜୁ ହେବା ସହ ଗିରଫ ସମସ୍ତ ୧୬ ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବାର ଆଇଆଇସି ଶ୍ରୀ ଦାସ ସୂଚନା ଦେଇଛନ୍ତି।

ତେବେ ଉକ୍ତ ଚଢ଼ାଉ ଦ୍ୱାରା ଜନସାଧାରଣ ମାନେ ଆଶ୍ବସ୍ତି ଲାଭ କରିଥିବାବେଳେ ଏହା ଜିଲ୍ଲାର ସବୁଠାରୁ ବଡ଼ ବେଆଇନ ଖଣି ଚଢ଼ାଉ ଭାବେ ବିବେଚିତ ହୋଇଛି।

Related posts