ଚିଲିକାର ୧୩ ହେକ୍ଟର ଅଞ୍ଚଳରୁ ବେଆଇନ ଜିରୋ ନେଟ ଉଚ୍ଛେଦ

Published: Dec 14, 2021, 9:45 pm IST

ସୀତାରାମ ଅଗ୍ରୱାଲ

ଚିଲିକା: ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶକ୍ରମେ ଚିଲିକାରୁ ବେଆଇନ ଘେରି, ଜିରୋ ନେଟ, ପୋଖରୀ ଆଦି ଉଚ୍ଛେଦ କାର୍ଯ୍ୟ ପର୍ଯ୍ୟାୟକ୍ରମେ ଜାରି ରହିଛି। ଏହି ପରିପ୍ରେକ୍ଷୀରେ ଆଜି ଖୋର୍ଦ୍ଧା ଜିଲ୍ଲା ଚିଲିକା ତହସିଲ ଅନ୍ତର୍ଗତ ରଘୁନାଥପୁର ମୌଜା ଅଞ୍ଚଳରୁ ବେଆଇନ ଉଚ୍ଛେଦ ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ଚିଲିକା ତହସିଲଦାର ପୁନମ ମହାପାତ୍ର ଏବଂ ବାଲୁଗାଁ ଏସଡ଼ିପିଓ ମାନସ ରଞ୍ଜନ ବାରିକଙ୍କ ନେତୃତ୍ୱରେ ଉକ୍ତ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଥିଲା।

ଉଚ୍ଛେଦ ସମୟରେ ଚିଲିକା ମଧ୍ୟରେ ମାଫିଆମାନେ ହେକ୍ଟର ହେକ୍ଟର ଅଞ୍ଚଳରେ ବେଆଇନ ପୋଖରୀ ଖୋଳି ମାଛ ଚାଷ କରିବା ସହ ଆଉ କେତେକ ଅଞ୍ଚଳରେ ଜ଼ିରୋ ନେଟ ବିଛାଇଥିବାର ଦେଖିବାକୁ ମିଳିଥିଲା। ସକାଳ ୯ ରୁ ଅପରାହ୍ନ ୪ ଘଟିକା ଯାଏଁ ଦୀର୍ଘ ସମୟ ଧରି ଜାରି ରହିଥିବା ଉକ୍ତ ଅଭିଯାନରେ ସମୁଦାୟ ୧୩ ହେକ୍ଟର ଅଞ୍ଚଳରୁ ବେଆଇନ ପୋଖରୀ ଏବଂ ଜିରୋ ନେଟ ଉଚ୍ଛେଦ କରାଯାଇଛି। ଏନେଇ ଚିଲିକା ତହସିଲଦାର ସୁଶ୍ରୀ ମହାପାତ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ଉକ୍ତ ଉଚ୍ଛେଦ ଅଭିଯାନରେ ଜିଲ୍ଲା ମତ୍ସ୍ୟ (ଜୀବ ଓ ପ୍ରଯୁକ୍ତି) ଅଧିକାରୀ, ବାଲୁଗାଁ ଶଶାଙ୍କ ଶେଖର ସାହୁ ଏବଂ ଅନ୍ୟ ରାଜସ୍ୱ କର୍ମଚାରୀମାନେ ସାମିଲ ଥିଲେ।

Related posts