ବଡ଼ପୋଖରିଆ ଜାତୀୟ ରାଜପଥରେ ମାତିଲେ ଲୁଟେରା, ଅପହୃତ ଗାଡ଼ିଚାଳକଙ୍କୁ ଉଦ୍ଧାର କଲା ପୋଲିସ

Published: Dec 31, 2021, 11:06 am IST

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ୧୬ ନଂ ଜାତୀୟ ରାଜପଥରେ ଲୁଟେରାମାନଙ୍କ ପାଦୁର୍ଭାବ ବଢିଚାଲିଛି। ଜାତୀୟ ରାଜପଥରୁ ୩ ଟି ଗାଡିରୁ ଲୁଟେରାମାନେ ଟଙ୍କା ପଇସା ଲୁଟିନେଇଛନ୍ତି। ଲୁଟ ପରେ ମଧ୍ୟ ଡ୍ରାଇଭରକୁ ଅପହରଣ କରିନେଇଛନ୍ତି। ଅଧିକ ଟଙ୍କା ଲୋଭରେ ଟ୍ରକ୍ ଚାଳକଙ୍କୁ ଲୁଟେରାମାନେ ଅପହରଣ କରିନେଇଛନ୍ତି। ୧୬ ନଂ ଜାତୀୟ ରାଜପଥ ବଡ ପୋଖରିଆ ନିକଟରେ ଏଭଳି ଘଟଣା ଘଟିଛି।

ସୂଚନା ମୁତାବକ ପାରାଦ୍ୱୀପରୁ ହାଇଡ୍ରୋକ୍ଲୋରାଇଡ୍ ଏସିଡ୍ ଲୋଡ୍ କରି ଆନ୍ଧ୍ରପ୍ରଦେଶ ଅଭିମୁଖେ ୩ ଟି ଟ୍ୟାଙ୍କର ବାହାରି ଥିଲେ। ହେଲେ ବଡ ପୋଖରିଆ ନିକଟରେ ଏକ କାରରେ ୪ ଜଣ ଲୁଟେରା ଆସି ଟ୍ୟାଙ୍କର ସମ୍ମୁଖରେ କାରକୁ ରଖିଦେଇଥିଲେ। ଫଳରେ ୩ ଟି ଯାକ ଟ୍ୟାଙ୍କର ଅଟକିଯାଇଥିଲା। ଲୁଟେରାମାନେ ୩ ଚାଳକ ମାନଙ୍କୁ କାଠ ଫାଳିଆ ଓ ଲୁହା ରଡ୍ ରେ ଆକ୍ରମଣ କରି ପାଖା ପାଖି ୫୦ ହଜାରରୁ ଅଧିକ ଟଙ୍କା ଲୁଟି ନେଇଥିବା ଜଣା ପଡିଛି। ଏହା ସହ ଏକ ଟ୍ୟାଙ୍କର ଚାଳକଙ୍କୁ ଅପହରଣ କରିନେଇଥିବା ସାଥି ଚାଳକ ମାନେ ଅଭିଯୋଗ କରିଛନ୍ତି।

ଅପହରଣ ହୋଇଥିବା ଚାଳକଙ୍କ ନାମ ଭେଙ୍କେଟଶ୍ୱର ରାଓ ଏବଂ ତାଙ୍କ ଘର ଆନ୍ଧ୍ରପ୍ରଦେଶ ବୋଲି ଜଣା ପଡିଛି। ଲୁଟେରାଙ୍କ ଆକ୍ରମଣରେ ଏନ୍ ଅଜୟ କୁମାର, ନରସିଂହା ରାଓ ଏବଂ ସନ୍ତୋଷ ଯାଦବ ଆହତ ହୋଇଛନ୍ତି। ସ୍ଥାନୀୟ ଜନସାଧାରଣ ଆହତଙ୍କୁ ୧୦୮ ଆମ୍ବୁଲାନସ ଯୋଗେଁ ଟାଙ୍ଗୀ ମେଡିକାଲରେ ଭର୍ତ୍ତି କରିଥିବା ବେଳେ ଚିକିତ୍ସା ପରେ ସମସ୍ତଙ୍କୁ ଛାଡିଦିଆଯାଇଛି।

ଖବର ପାଇ ନିରାକାରପୁର ଥାନା ପୋଲିସ୍ ଘଟଣା ସ୍ଥଳରେ ପହଂଚି ତନାଘନା ଆରମ୍ଭ କରିଛି। ଅପରପକ୍ଷେ ଅପହୃତ ଗାଡ଼ିଚାଳକ ଏକ ନିର୍ଦ୍ଦିଷ୍ଟ ସ୍ଥାନରୁ ଉଦ୍ଧାର ହୋଇଥିବା ଆଇଆଇସି ଗୀତାଞ୍ଜଳି ନାୟକ ଆମ ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି।

Related posts